Unknown

 

 

 

 

 

 

 

 

 

 

 

ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ

ଶାନ୍ତନୁ କୁମାର ଆଚାର୍ଯ୍ୟ

 

ସୂଚୀପତ୍ର

 

୧.

ନିଉଟ୍ରନ୍‌ ବୋମା ବା ପ୍ରେମର ଔଷଧ

୨.

ଅଲ୍ଲିମୁଦ୍ଦିନ୍

୩.

ବଞ୍ଚିବାର ଭାଷା

୪.

ଚିତ୍ରଂ ଜମ୍ବୁଦ୍ଵୀପଂ

୫.

ଏକ ବିଂଶ ଶତାବ୍ଦୀ ପାଇଁ: ଗଳ୍ପ

୬.

ମା’ ଆସିଲେଣି

୭.

ସନ୍ନ୍ୟାସୀ ଓ କୁକୁର ବ୍ୟାପାର

୮.

ମାଧବ ଡାକ୍ତର

୯.

ଗାନ୍ଧି ଭବନର ଭୂତ

୧୦.

ପ୍ରୋଜେକ୍ଟ ଟାଇଗର

୧୧.

ମଶାଣିକୁ ଯିବା

୧୨.

ଜ୍ଞାନଦନ୍ତ

୧୩.

ସ୍ଵାମୀଜୀ

୧୪.

ଟେକ୍‌ନିକ୍‌

୧୫.

ଜାତୀୟ ଶୋକର ଅଧିକାରୀ

Image

 

ନିଉଟ୍ରନ୍ ବୋମା ବା ପ୍ରେମର ଔଷଧ

 

ବାକ୍‍ସଗଛର ହରରଙ୍ଗୀ ପତ୍ରଗୁଡ଼ିକ ସନ୍ଧିରେ ସେ ବୁଢ଼ିଆଣୀ ଜାଲଟି ନିଖୁଣ ଭାବରେ ତିଆରି ସରିବା ପୂର୍ବରୁ ଗୋଟିଏ ବଡ଼ ଧରଣର ଦୁର୍ଘଟଣା ଘଟି ଯାଇଥିଲା । ଗୋଟିଏ ଦୁଷ୍ଟ ଏଣ୍ଡୁଅ ଜାଲଟିକୁ ଏଡ଼େ ଜୋରରେ ଧକ୍କା ମାରିଥିଲା ଯେ ସେଥିରେ ଜାଲର ଛ’ କାନିଠୁ ତିନୋଟି କାନି ପୁରା କଟିଗଲା ।

 

“ଅଳପେଇଷା, ନିଅଁଶି ଛୁଆ, ମରୁନୁ !” ଅଶିକ୍ଷିତ ଅଥଚ ଅତି ସୁନ୍ଦରୀ ଆଉ ବୁଦ୍ଧିମତୀ ବୁଢ଼ୀଆଣୀଟି ଜାଲ ମଝି ସେଇ ହୀରା ଆକୃତିର କାର୍ପେଟ୍ ପରି ଆସନ ଖଣ୍ଡକ ଉପରୁ ଛିଟିକି ପଡ଼ୁ ପଡ଼ୁ କହିଲା,” ତତେ ସାପ ଖାଇବରେ ପୋଡ଼ା ମୁହାଁ !”

 

ଏହାପରେ ବୁଢ଼ିଆଣୀ ବିଚାରୀ ପୁଣି ଥରେ ଆରମ୍ଭ କରି ଦେଇଥିଲା ତାର ଘର ତୋଳା-। ଛିଣ୍ଡା ଜାଲର ଢିଲା କାନି ଗୁଡ଼ିକର ଅବସ୍ଥା କେତେଦୂର ଖରାପ ହୋଇ ସାରିଛି, ତଦାରଖ କରିବା ପାଇଁ ସେ ଖେଦି ଆସିଥିଲା ତରବର ହୋଇ ସେ ଆଡ଼କୁ ତା ମୁହଁରୁ ତଥାପି ବାହାରୁ ଥାଏ ସେଇ ସାଙ୍ଘାତିକ ଗାଳିଗୁଡ଼ିକ–

 

“ପୋଡ଼ା ଜନ୍ତୁ ! ବିଧାତା କୋଉ ହାତରେ ଖଣ୍ଡିଆଗୁଡ଼ାଙ୍କୁ ଗଢ଼ିଥିଲା କେଜାଣି । ବୋପା ଅବାଇଜ ଏମିତି ଉତ୍ପାତିଆ ହେଲା ଯେ କୁଆ ଥଣ୍ଟରେ ଗଲା । ଏବେ ପୁଅଙ୍କ ବେଳ ଆସିଲା । ରହରେ ଅସୁର ! ତତେ ଯଦି କାଳ ସର୍ପ ନ ଗ୍ରାସିଚି-ମୋ ନାଁରେ କୁକୁର ପାଳିବୁ ।”

 

ଏଣ୍ଡୁଅଟୋକା ବୁଢ଼ିଆଣୀ ମାଇପିଟିକୁ ଅନେଇ ବହୁବାର ମୁଣ୍ଡ ଟୁଙ୍ଗାରି ଟୁଙ୍ଗାରି ହସି ସାରିଲାଣି ସେତେବେଳକୁ । ଗହଳିଆ ବାକ୍ସ ଗଛର ଗୋଟିଏ ନିରୋଳା ଡାଳରେ ବସି ସେ ସବୁ ଶୁଣୁଥାଏ ଆଉ ଲକ୍ଷ୍ୟ କରୁଥାଏ ମଧ୍ୟ ମାଇପିଟିର ରଙ୍ଗଢଙ୍ଗ ଆଉ ତାର ବ୍ୟସ୍ତତା । ସହଜାତ ଅନୁଭୂତିରୁ ସେ ବେଶ୍ ବୁଝିପାରୁଥାଏ ମଧ୍ୟ ଆଜି ବୁଢ଼ିଆଣୀର ଯାବତୀୟ ବ୍ୟସ୍ତତା ଏବଂ ସାଜସଜାର ଅସଲ କାରଣଟିକୁ । ତେଣୁ ହସି ହସି କହିଲା ସେ ତା ନିଜ ଆଡୁ–

 

“ବାପକୁ ମୋର ଦେଖିଚୁ ତ ! କେଡ଼େ ବିରାଟ ଦିଗ୍‌ବିଜୟୀ ବୀର ସେ ଥିଲେ ଜାଣିଥିବୁ ନିଶ୍ଚେ । ହଁ ହଁ, ସେଇ ବୀର ବଂଶର ପିଲା ଆମେମାନେ । ଏଥିରେ ସନ୍ଦେହ କ’ଣ ? ଆମେ ତ ତମ ବୁଢ଼ିଆଣୀଙ୍କ ପରି ତନ୍ତୀ ନୁହଁ ଯେ...”

 

“ଚୋପ୍ ।” ଗୋଟିଏ ପ୍ରଚଣ୍ଡ ଫୁସ୍ ଶବ୍ଦରେ ବୟସ୍କା ବୁଢ଼ିଆଣୀ ଛୁଆ ଏଣ୍ଡୁଅଟିକୁ ପୁରା ଚୁପ୍ କରି ଦବାକୁ ସମର୍ଥ ହେବ, ହୁଏତ ଜାଣିଥିଲା ସେ ଖୁବ୍ । ତେଣୁ ସେଇଭଳି ଏକ ଶବ୍ଦ କରି ଚମକେଇ ଦେଲା ସେ ତାକୁ । ତାପରେ ପ୍ରାଜ୍ଞତା ବଶତଃ ସେ ଚୁପ୍ ରହିବାକୁ ଉଚିତ ମନେକରି ନିଜର ଭଙ୍ଗା ଘରକୁ ସଜାଡ଼ିବାରେ ମନ ଦେଲା । ଅତି ଶୀଘ୍ର ସେ ତା ଜାଲର ଛିଣ୍ଡା କାନି ତିନୋଟିକୁ ଗୋଟି ଗୋଟି କରି ଟାଣି ସଜାଡ଼ି ବାନ୍ଧି ଦେଲା । ଆଉ କାଳେ ବଜାରୀ ଏଣ୍ଡୁଅଟୋକା ପୁଣି ଥରେ ଆକ୍ରମଣ କରିବ ତା ଜାଲ ଉପରେ, ଏଇ ଆଶଙ୍କା ବଶତଃ ସେ ଆଉ ଥରେ ଦୁଇଥର ସୁସୁ ଶବ୍ଦକରି କଟମଟ ହେଇ ଚାହିଁରହିଲା ତା ଆଡ଼କୁ ।

 

ଏଣ୍ଡୁଅ ପିଲାଟିର ମୁହଁଟି ସେତେବେଳକୁ ଶୁଖିଯାଇ ଥାଏ କିଞ୍ଚିତ୍ କୌଣସି ଅଜ୍ଞାତ ଆଶଙ୍କାରେ । ବୁଢ଼ିଆଣୀମାନଙ୍କୁ ପରିହାସ କରିବାକୁ ବେଶ୍ ପିଲାଦିନୁ ଆଗଭର ହେଉଥିଲେ ମଧ୍ୟ ସେମାନଙ୍କୁ ତଥାପି ଖୁବ୍ ଭୟକରେ ସେ । ବୁଢ଼ିଆଣୀମାନେ ଚିର ବିଧବା । ଆଉ ସେମାନେ ସ୍ଵାମୀକୁ ସହବାସ ପରେ ପରେ ଭକ୍ଷଣ କରନ୍ତି-କେହି ଜଣେ କହିଥାଏ ତାକୁ । ଏହି କାରଣରୁ ଏଣ୍ଡୁଅ ଟୋକା ବୁଢ଼ିଆଣୀକୁ ପରିହାସ କରିବାକୁ ସାହସ କରୁଥିଲେ ମଧ୍ୟ ମନେ ମନେ ବେଶ୍ ଡରୁଥାଏ । ବୁଢ଼ିଆଣୀର କଟମଟିଆ ଆଖିଗୁଡ଼ାକୁ ଦେଖି ସେ ତା ବିଷୟରେ ଇତି ମଧ୍ୟରେ ଅନେକ କିଛି ଭାବି ନେଇ ସାରିଥାଏ । ତେଣୁ ତାଠାରୁ ଦୂରଛଡ଼ା ହୋଇ ରହି ସେ ବ୍ୟଙ୍ଗୋକ୍ତିଟିଏ ଆରମ୍ଭ କରି ଦେଇଥାଏ–

 

“ତମ ପରି ବିଧବାମାନଙ୍କୁ ଦେଖିଲେ ମୋର ସତରେ ଭୀଷଣ ଦୟା ଆସେ । ଏ ଦୟା ଗୁଣ ଆମ ବଂଶର ଏକ ବିରାଟ ଗୁଣ, ଜାଣୁ ତ ! କାହିଁକି ସନ୍ତାନ ନ ହୋଇଥାନ୍ତୁ ତେବେ ସଂସାରରେ ଏତେ କୀଟ ପତଙ୍ଗଙ୍କୁ ଆମେ ଆମର ଭୋଜ୍ୟ କରୁଥିଲା ବେଳେ ତମ ବୁଢ଼ିଆଣୀମାନଙ୍କୁ ସେଥିରୁ ବାଦ୍ ଦେଇଥାନ୍ତୁ କେମିତି କହନା !”

 

ଚତୁରୀ ବୁଢ଼ିଆଣୀଟି ସେପର୍ଯ୍ୟନ୍ତ ତାର ଆଠଟି ଆଖିରୁ ସାତୋଟି ବନ୍ଦ କରି ଦେଇ ବଦମାସ୍ ଟୋକାଟିର ବକ୍ତବ୍ୟକୁ କାନେଇ ସାରିଥାଏ । ବର୍ତ୍ତମାନ ତାର ହୃଦ୍‍ବୋଧ ହୋଇଗଲା ଯେ ଏଣ୍ଡୁଅ ପିଲାଟିକୁ ଯେତେ ବିପଜ୍ଜନକ ମନେ କରାଯାଇଥିଲା ସେ ନୁହେଁ ସେମିତି କିଛି । ତାଛଡ଼ା ସେ ମଧ୍ୟ ଆହୁରି କିଛି ସନ୍ଦେହ କରି ପାରିଥାଏ-ଏଣ୍ଡୁଅମାନେ ସର୍ବଗିଳା ହେଲେ ମଧ୍ୟ ବିଧର୍ମୀ ନୁହନ୍ତି । ବିଶେଷତଃ ବୁଢ଼ିଆଣୀମାନଙ୍କ ପ୍ରତି ତାଙ୍କର ଧର୍ମଭୟ ରହିଥାଏ ତଥାପି । କିନ୍ତୁ ଏ ସବୁ ସତ୍ଵେ ଟୋକାଟା ପ୍ରତି ତାର ଆଶଙ୍କା କମି ନ ଯିବା ସ୍ଵଭାବିକ । ବିଶେଷତଃ ଆଜିକାଲିର ଏଣ୍ଡୁଅ ଟୋକାମାନଙ୍କୁ ସେ ଚିହ୍ନି ଥାଏ ବେଶ୍ । ଛତରା ଗୁଡ଼ାକ ଭାରି ଉତ୍ପାତ କରନ୍ତି । ଘର ଭାଙ୍ଗନ୍ତି-। ଘର ଚାରିପଟେ ଘୂରି ବୁଲନ୍ତି ଆଉ ବିଚିତ୍ର ଅସଭ୍ୟ ଭାଷାର ଅଭିଧାନ ଖୋଲିଦେଇ ଅପମାନ କରନ୍ତି । ବିଶେଷତଃ ବୁଢ଼ିଆଣୀମାନଙ୍କୁ ଅପମାନ କରିବା, ତାଙ୍କ ମୁହଁରୁ ଆହାର ଛଡ଼େଇ ନବା, ତାଙ୍କର ନିଃସଙ୍ଗ ପ୍ରେମ ଜୀବନକୁ ଟିଟିକାରୀ ମାରି ଲଣ୍ଡଭଣ୍ଡ କରିବାରେ ସେମାନଙ୍କର ଆଗ୍ରହ ସବୁଠାରୁ ବେଶୀ ।

 

“ବେଶ୍, ଯଦି ଆମମାନଙ୍କ ପ୍ରତି ତମର ଏତେ ଦରଦ ତେବେ ଯାଉନୁ ଚାଲି ଏଠୁ । ନଙ୍ଗପଙ୍ଗ ହଉଚୁ କାହିଁକି ଯେ ସକାଳୁ ? ସାତୋଟି ବନ୍ଦ ଆଖିରୁ ଆଉ ଗୋଟିଏ ଖୋଲି ବୁଢ଼ିଆଣୀଟି ଚାହିଁଲାଣି ସେତେବେଳକୁ । ତାର ଦୁଇଟି ପୂରାପୂରି ଖୋଲା ଆଖିରେ ଏଣ୍ଡୁଅ ଟୋକାକୁ ଏଥର ରସିକାଟିଏ ପରି ଭାବାଶକ୍ତ ଦୃଷ୍ଟିରେ ଚାହିଁ ସେ କହିଲା-

 

“ଆଜିକି ପଇଁତିରିଶ କୋଟି କି ଟିକିଏ ବେଶୀ ବର୍ଷ ତଳେ ମୁଁ ତୋ ବୁଢ଼ା ବାପାକୁ ଏଇ ଉପଦେଶ ବରାବର ଦେଉଥିଲି, ଯେଉଁ ପୃଥିବୀରେ ତମର ରହିବା ଦରକାର ନାହିଁ ସେଠି ଗଣ୍ଡଗୋଳ କରିବାର କିଛି କାରଣ ମଧ୍ୟ ନାହିଁ । ତମ ବୁଢ଼ାବାପା ସେତେବେଳେ ଏମିତି ଉତ୍ପାତ କରୁଥିଲେ । ସେମାନେ କି ଧରଣର ଜନ୍ତୁ ତୁ ଜାଣିବୁ ନାହିଁରେ ବାପ । ପଚାର, ଯଦି ପଚାରିବାକୁ ଇଚ୍ଛା–ଗୁଣ୍ଡିଚିମୂଷାମାନଙ୍କୁ । ସେମାନେ ଜାଣନ୍ତି-ତମ ବୁଢ଼ାବାପେ, ଡିନୋସାର୍‍ମାନେ କି ଧରଣର ଜନ୍ତୁ ଥିଲେ । ଏ ସଂସାରକୁ ଦେଢ଼କୋଟି ବର୍ଷ ଧରି ମନ୍ଥିଲେ ସେ ଅସୁରମାନେ । କିନ୍ତୁ ହେଲା କଣ-? ତାଙ୍କ ସାଙ୍ଗରେ କେଡ଼େ ବକଟେ ବକଟେ ଜନ୍ତୁ-ଏଇ ଗୁଣ୍ଡିଚି ଚୁଚୁନ୍ଦ୍ରା । ରହିଲେ । ସେମାନଙ୍କର ରୁମଟିଏ ବି ଗଲା ନାଇଁ କୁଆଡେ । ତା ଛଡା ଆମେ ତ ରହିଲୁ, ଅଛୁ ବି । କିନ୍ତୁ ତମ ବୁଢ଼ାବାପେ ? ଗଲେ କୁଆଡ଼େ ? ନିପାତ ହୋଇଗଲେ କାହିଁକି ମୂଳରୁ ? ବାକି ତମେ ଯୋଉ ପଞ୍ଚାକ ଅଛି–ଘର ପୋଡ଼ିରୁ କୁଟାଖିଏ ଉଡିଗଲା ଭଳି ଉଡ଼ି ଆସିଚ । ୟା ପରେ କୁଆଡେ ଉଡ଼ିଯିବ ଜାଣେ କିଏରେ ବାପ !”

 

ଏଣ୍ଡୁଅ ଟୋକାଟି ବୁଢ଼ିଆଣୀର ଏଇ ଇତିହାସ ଚାହାଣି ସାଙ୍ଗରେ ବହୁଦିନୁ ପରିଚିତ । କିନ୍ତୁ ନିଜ ପୂର୍ବପୁରୁଷଙ୍କ ସମ୍ପର୍କରେ ଟୋକାର ଜ୍ଞାନ ଆଦୌ ନ ଥିବା ହେତୁ ସେ ଏଇ ବୁଢ଼ିଆଣୀ ମୁହଁରୁ ଯେତିକି ଶୁଣି ଶୁଣି ମନେ ରଖିଥାଏ କେବଳ ସେତିକିକୁ ଆଶ୍ରୟ କରି ଚିନ୍ତା କରେ ବେଳେ ବେଳେ ଅତୀତ ବିଷୟରେ ।

 

‘ପ‌ଇଁତିରିଶ କୋଟି ବର୍ଷ । ମୋ ବାପ ଲୋ !” ଏଣ୍ଡୁଅ ଟୋକା ଏଥର ତାର ଡିମାଡ଼ିମା ଆଖି ଯୋଡ଼ିକୁ ଏତେ ବେଗରେ ବିଭିନ୍ନ ଦିଗକୁ ଘୂରେଇ ଏଥର ଅନିଷା କରିବାକୁ ଲାଗିଲା ଯେ ଅଭିଜ୍ଞା ବୁଢ଼ିଆଣୀକୁ ସୁଦ୍ଧା ଆଶ୍ଚର୍ଯ୍ୟ କରିଦେଲା ସେ ଅଳ୍ପ ବହୁତେ । ତଥାପି ହସି ଦେଲା ସେ ଟିକିଏ-ନାକୁ, ଆଉ କହିଲା-‘‘ ତମ ସ୍କୁଲ୍‍ରେ ତେବେ ଏଇ ପାଠ ପଢ଼ା ହ‌ଉଚି ଏବେ ନା ! ମାଇପିଲୋକଙ୍କୁ ଏକୁଟିଆ ଦେଖିଲେ ଆଖି କେମିତି ମାରିବ ଏଇ ପାଠ ପଢ଼ଉଛନ୍ତି ସେ ଖଣ୍ଡିଆ ପଣ୍ଡିତ ଗୁଡ଼ାକ, ନା !”

 

ବୁଢ଼ିଆଣୀ ହସିଲା ସିନା; କିନ୍ତୁ ବିରକ୍ତ ହୋଇଗଲା ବି ସେ ବହୁତ । ତାର ଏପର୍ଯ୍ୟନ୍ତ ବନ୍ଦ ରହିଥିବା ଛଅଟି ଆଖିରୁ ବିରକ୍ତି ବଶତଃ ଆଉ ହଳେ ଆଖି ଖୋଲିଗଲା ମଧ୍ୟ ସେତେବେଳେ । ଏହାପରେ ଜାଲର ଜଖମ କାନିଗୁଡ଼ାକୁ ଆଉ ଥରେ ଥରେ ଟାଣି ଓଟାରି ପରୀକ୍ଷା କରିବାରେ ମନ ଦେଲା ସେ । କାହିଁକି କେଜାଣି ତାର ମନ ନ ମାନିବାରୁ ସେ ସେଇ କାନି ପାଖ ବାନ୍ଧଣ ଦଉଡ଼ି ଗୁଡ଼ାକୁ ଆହୁରି ମଜବୁତ୍ କରିବାକୁ ଚାହିଁଲା । ତାପରେ ମାଡ଼ିଗଲା ସେ କେଇ ମିନିଟ୍ ନିଜ କାମରେ । ଜାଲର କେନ୍ଦ୍ରରୁ ପରିଧି ଆଡ଼କୁ ଲମ୍ବି ଆସିଥିବା ପ୍ରାୟ ଛ‌ଇଞ୍ଚ ବ୍ୟାସାର୍ଦ୍ଧ ବିଶିଷ୍ଟ ସୂତାଗୁଡ଼ିକୁ ଗୋଟି ଗୋଟିକିଆ ରହିବାକୁ ନ ଦେଇ ଏଥର ହଳ ହଳ କରି ସେ ଛନ୍ଦି ଲାଗିଲା ସେଗୁଡ଼ିକୁ ପରିଧିଠାରୁ ପ୍ରାୟ ଏକ‌ଇଞ୍ଚ ଲମ୍ବରେ କେନ୍ଦ୍ର ଆଡ଼କୁ । ଅଳ୍ପ ସମୟ ଭିତରେ ଜାଲଟିର ରୂପ ବଦଳିଗଲା । ସତେକି ଗୋଟିଏ ଗୋଟିଏ ହାଇଟେନ୍‌ସନ୍ ବିଦ୍ୟୁତ୍ ଟ୍ରାନ୍‌ସମିସନ୍ ଟାୱାର୍‌ର ଗଡ଼େ ଗଡ଼େ ଅଗ ଏଥର ଜାଲରେ ଯୋଡ଼ା ହୋଇଗଲା । ହ, ଅବିକଳ ସେହିପରି ଦିଶିଲା-ଜାଲର କାନି ଗୁଡ଼ିକ ଦୂରରୁ ।

 

ଏଣ୍ଡୁଅ ଟୋକା ଦୂରଛଡ଼ା ହୋଇ ବୁଢ଼ିଆଣୀର ସେ ନୂଆ କୌଶଳକୁ ଲକ୍ଷ୍ୟ କରୁଥାଏ ସେତେବେଳ ପର୍ଯ୍ୟନ୍ତ । ବୁଢ଼ିଆଣୀର ବାହାର କାମ ଛାଡ଼ିଲା ପରେ ସେ ଯେତେବେଳେ ଜାଲ ମଝିକୁ ଯାଇ ବସିଲା ପୁଣିଥରେ ତାର ଆଠଟିରୁ ସାତୋଟି ଆଖି ବନ୍ଦ ହୋଇ ଆସୁଥିଲା ସେତିକିବେଳେ ସେ ତାକୁ ଚମକେଇ ଦେଲା ପରି ଓହ୍ଲାଇ ପଡ଼ିଲା ବସିବା ଡାଳରୁ ।

 

ବୁଢ଼ିଆଣୀର ଆଖିଗୁଡ଼ାକ ପୁଣି ଥରେ ଫିଟିଗଲା । ଆଉ ସେ ଦେଖିଲା ଛତରା ଏଣ୍ଡୁଅ ଟୋକା ପୁଣି ଥରେ ଆରମ୍ଭ କରିଛି ଦୌରାତ୍ମ୍ୟ । ଏତେ କଷ୍ଟ କରି ଯୋଉ ମରାମତି କାମଗୁଡ଼ାକ କରି ସାରିଥାଏ ସେଇଆକୁ ପରୀକ୍ଷା କରିବା ମତଲବରେ କି ଅନ୍ୟ କୋଉ ମତଲବରେ କେଜାଣି ଟୋକା ଜାଲ ଟଣା ଓଟରା ଆରମ୍ଭ କରୁଛି ଦେଖି ବୁଢ଼ିଆଣୀର ପିତ୍ତ ଚଟ୍‌କରି ଉଠିଗଲା ମୁଣ୍ଡକୁ, ଆଉ, କମ୍ପିଲା ସେ ଏଥର ଏଡ଼େ ଜୋର୍‌ରେ ଯେ ଜାଲଟା ଝାଇଁ ଝାଇଁ କରି ଉଠିଲା ।

 

“ଆରେ ! ଯୋଗନା !” ଡାକିଲା ସେ ସେଇ କମ୍ପମାନ ସ୍ଵରରେ ଜାଲର କେନ୍ଦ୍ରାଞ୍ଚଳରୁ, ତତେ କ‌ଅଣ ଲାଗିଲାଣି କିରେ ! ଜାଣିଚୁ ନା ? ଯଦି ଆଉ ଥରେ ମୋ ଜାଲ ଛିଡ଼େ ତେବେ କ‌ଅଣ କରିବି ତତେ ?

 

ଏହାପରେ ସୁନେଲି ରଙ୍ଗ ଉପରେ ନାନା ଚିତ୍ର ବିଚିତ୍ର ହୋଇ ଅପୂର୍ବ ସୁନ୍ଦରୀ ପରି ଦିଶୁଥିବା ସେ ବୁଢ଼ୀଆଣିଟି ଭୟଙ୍କର ଶକ୍ତି ପ୍ରଦର୍ଶନ କରିବାକୁ ଲାଗିଲା । କ୍ରୋଧରେ ବା ଅନ୍ୟ କେଉଁ ଭାବାବେଗବଶତଃ ତା ଶରୀରରେ ଅଭୁତ ଶକ୍ତି ସଞ୍ଚରିଯାଇଥାଏ ସେତେବେଳକୁ । ଏଣ୍ଡୁଅ ପିଲାଟି ଆଡ଼କୁ ହଠାତ୍ ଏପରି ଏକ ଧାପ ଦେଇ ସେ ଡିଆଁଟାଏ ମାରିଲା ଯେ ସେଥିରେ ଟୋକାର ପିଳେହି ପାଣି ହୋଇ ଯିବାରେ ଅସ୍ଵାଭାବିକତା ବା ରହନ୍ତା କିପରି ! ଟୋକା ହଟିଗଲା । ଜାଲଠାରୁ ଫୁଟେ ଦୂରକୁ ଘୁଞ୍ଚିଯାଇ ଗୋଟାଏ ମୋଟାଡ଼ାଳ ପଛପଟେ ଲୁଚିଗଲା ସେ । ତାପରେ ସାମାନ୍ୟ ମୁହଁ କାଢ଼ି ସମୁଦାୟ ପରିସ୍ଥିତିକୁ କଳି ନେବାବେଳେ ଶୁଣିଲା–

 

“ତତେ କମ୍ୟୁନିଷ୍ଟ ଖା’ନ୍ତୁରେ ନିବଂଶିଆ !”

 

ଏଣ୍ଡୁଅଟୋକା ଏ ନୂଆ ଗାଳିଟିକୁ କେବେହେଲେ ଶୁଣି ନଥିଲା ଆଗରୁ କୋଉଠୁ । ବର୍ତ୍ତମାନ ବିଧବା ବୁଢ଼ିଆଣୀ ମାଇପିଟି ମୁହଁରୁ ଏପରି ଏକ ଅଜବ ଗାଳି ଶୁଣି ଆଶ୍ଚର୍ଯ୍ୟ ହେଲା ସେ-। ଡାଳ ପଛ ପଟୁ ଯେତିକି ମୁହଁ କାଢ଼ିଥିଲା ସେତିକିରେ ଥାଇ ସେ କାନ ପାତି ଶୁଣିଲା ମାଇପିଟିର ଆଭିସମ୍ପାତ । ଗଜ ଗଜ ହୋଇ କହୁଥାଏ ସେ-

 

“ପ୍ରକୃତି ଛଡ଼ା ଗୁଡ଼ାକ କେଡ଼େ ଉତୁରୁଛନ୍ତି ଦେଖ ତ ! ଏ ସଂସାରରେ କ’ଣ ନୀତି ନିୟମ କିଛି ନାହିଁ ? ଯୋଗନୀଖିଆ ଡିନୋସାର୍ ଗୁଡ଼ାକ ଏମିତି ଉତୁରୁଥିଲେ, ସଂସାରକୁ ମନ୍ଥିଲେ, ବଢ଼ିଲେ ବଢ଼ିଲେ ଯେ ଆକାରରେ ବଳିଗଲେ ତିମିମାଛଙ୍କୁ । ତାଙ୍କୁ ଜବତ କରିବାକୁ କେହି ରହିଲେ ନାହିଁ । ଅଳପେଇଷେ ମନ କରିଥିଲେ ଦିହ ଜୋରରେ ତିନିପୁର ଜିଣିଯିବେ କୋଉଦିନ । କିନ୍ତୁ କାହିଁଗଲା ସେ ଦିହରେ ଖଣ୍ଡିଆ ! ଶେଷକୁ ଏଣ୍ଡୁଅ, ଝିଟିପିଟିରେ ରହିଲ ଆସି ତମେ ଅସୁର ପଞ୍ଝାକ । ଏବେ ଭାବିଚ ଆଉ ବିପତ୍ତି ନାହିଁ କିଛି ତମକୁ । ନାଇଁ ? ହ‌ଉ ର‌ଇଥା, ର‌ଇଥା । ତମକୁ ସାବାଡ଼ କରିବାକୁ କମ୍ୟୁନିଷ୍ଟ ବଢ଼ୁଚନ୍ତିରେ ବାପ ତେଣେ ଗୋପପୁରରେ । ଆଉ ବର୍ଷ କେଇଟା । ତମ ଏଣ୍ଡୁଅ ବଂଶ ଯଦି ମୂଳପୋଛ ନ ହୋଇଚି ଏ ପୃଥିବୀରୁ ତୁ କହିବୁ ମତେ ଫେଣି ।”

ଏଣ୍ଡୁଅଟୋକା ଡାଳ ଆଢ଼ୁଆଳରେ ଚୋରଙ୍କ ପରି ବସି କାନେଇଥାଏ ମାଇପିଟିର କଥା-। ତା କାନରେ ଯାହା ସବୁ ପଡ଼ୁଥାଏ ସେଥିରୁ ଏକ ଅଜ୍ଞାତ ଭୟ ବାସ୍ତବିକ ସଞ୍ଚରୁଥାଏ ତା ମେରୁଦଣ୍ଡ ବାଟେ ମୁଣ୍ଡରୁ ଲାଞ୍ଜ ଅଗଯାଏ । ସେଇ ଉତ୍ତେଜନାରେ ଠିଆ ହୋଇ ଯାଇଥାଏ ତାର କଣ୍ଟା ଗୁଡ଼ାକ ପିଠି ଉପରେ ।

ଏହି ସମୟରେ ଦୂରରୁ ଗୋଟେ ଅଦ୍ଭୁତ ଶବ୍ଦ ଶୁଣା ଗଲା । ଶବ୍ଦଟା ହଠାତ୍ ଲମ୍ବି ଆସି ସେଇ ବାକ୍‌ସ ଗଛ ସନ୍ଧିରେ ପଶି ଥମ ହୋଇଗଲା ।

ଏଣ୍ଡୁଅ ଟୋକା ସହଜେ ତର୍କା । ତା’ ଛଡ଼ା ଟିକିଏ ପୂର୍ବରୁ ବୁଢ଼ିଆଣୀର ଗାଳିରେ ସେ ପୂରାପୂରି ନର୍ଭସ ହୋଇଯାଇ ଥାଏ । ବର୍ତ୍ତମାନ ବାକ୍‌ସ ଗଛ ଉପରେ ସେଭଳି ଆକସ୍ମିକ ଆକ୍ରମଣ ହେବାରୁ ସେ ଆଉ କରନ୍ତା କ’ଣ ? ପ୍ରଗାଢ଼ ଭୟ ଆଉ ବିମୂଢ଼ତା ବଶତଃ ସେ ଖେପି ଚାଲିଲା । କିନ୍ତୁ ତା’ର ଗତିର ପ୍ରତିବନ୍ଧକ ଭଳି ଯେଉଁ ବୁଢ଼ିଆଣୀ ଜାଲଟି ପୂର୍ବରୁ ବନ୍ଧା ହୋଇଥିଲା ତା ସାମ୍ନାରେ, ସେଇଟାକୁ ଛିନ୍ନଭିନ୍ନ କରିଦେବା ଛଡ଼ା ଆଉ ବେଶୀ କିଛି ଘଟଣା ଘଟିଲା ନାହିଁ ସେଥିରୁ-। ଭୟାଳୁ ଏଣ୍ଡୁଅ ଟୋକାଟିର ଆଖି ନାକରେ ମେଞ୍ଚେ ବୁଢ଼ିଆଣୀ ଜାଲ ଲେସି ହୋଇ ଯିବାରୁ ତାର ବୁଦ୍ଧି ଆହୁରି ବଣା ହୋଇଗଲା । ଆଗକୁ ଧାଇଁ ପଳାଇବା ପରିବର୍ତ୍ତେ ଟୋକା ଅନ୍ଧ ପରି ଚକ୍‌କରଟିଏ କାଟି ପୁଣି ଆସି ଯେଉଁଠି ପହଞ୍ଚିଗଲା ସେଠି ଦେଖିଲାବେଳକୁ ଖୁଣ୍ଟ ଭଳି ବସିଥିଲା ସେଇ ବୁଢ଼ିଆଣୀଟି ।

କିନ୍ତୁ ସେତେବେଳକୁ ବାକ୍‌ସ ଗଛରେ ଏକ ତୃତୀୟ ବ୍ୟକ୍ତିର ସ୍ୱର ବେଶ୍ ସ୍ପଷ୍ଟ ହୋଇ ଉଠୁଥାଏ ।

“କଚଟ ତପ...... କଚଟତପ.....କଚଟତପ......”

ଏଣ୍ଡୁଅଟୋକା ତା’ ମୁହଁରୁ ଗନ୍ଧିଆ ବୁଢ଼ିଆଣୀ ସୂତା ଗୁଡ଼ାକୁ ସଫା କରୁ କରୁ ସେଇ ନିରର୍ଥକ ଶବ୍ଦଗୁଡ଼ାକୁ କାନେଇ ସାରିଥିଲା । କିନ୍ତୁ ତା ସହିତ ବୁଢ଼ିଆଣୀର କଥା କେଇପଦ ବି ଆସି ପଡ଼ିଗଲା କାନରେ ତାର-

“ତମ କଥା ଏଇଖିଣା ପଡ଼ିଥିଲା । ଭଲହେଲା ଆସିଗଲ । ଦେଖୁଚ ତ ଏ ଅବାଇଜ ଏଣ୍ଡୁଅ କଅଣ କରିଚି ମୋ ଘରକୁ । ଏ ଥରକ ମିଶେଇ ତିନିଥର ଭାଙ୍ଗିଲାଣି ସେ ମୋ ବସା । ଥରେ ଜାଣି ଜାଣି, ଥରେ ଦେଖେଇ ଶୁଣେଇ, ଏଥର ଅନ୍ଧଭଳି ଅତର୍ଚ୍ଛରେ । ଭଲ ହେଲା ଆସିଗଲ-। ଏଥର ସମ୍ଭାଳ ଏ ସଂସାରକୁ ।

ଏଣ୍ଡୁଅ ଟୋକା ନିର୍ବୋଧ ହେଲେ ମଧ୍ୟ ନିର୍ଜୀବ ନୁହେଁ । ହଠାତ୍ ଏକ ପ୍ରଚଣ୍ଡ ପ୍ରତିବାଦରେ ସେ ନାଲି ପଡ଼ିଗଲା, ଆଉ କାହାକୁ ଆହ୍ୱାନ କରୁଚି ନ ଦେଖି ମଧ୍ୟ ରଡ଼ିଟିଏ କଲା–“ମୁଁ କମ୍ୟୁନିଷ୍ଟଙ୍କୁ ବୁଢ଼ିଆଣୀ ସୂତା ପ୍ରମାଣେ ବି ଖାତିର କରେ ନାହିଁ । କିଏ ସେ କମ୍ୟୁନିଷ୍ଟ ଆସୁନା ଏଠିକି !”

ସେ ଆହ୍ୱାନରେ ବକଟେ ନାକୁ କଳା ହୋଇ ଛୁଞ୍ଚି ମୁହାଁ ଚଢ଼େଇଟିଏ ଅଦେଖା ଡାଳରୁ ଖପ୍ କରି ଡେଇଁ ପଡ଼ିଲା । ସତେ କି ନାଲି ମୁହାଁ ଏଣ୍ଡୁଅ ଟୋକାର ବାତ୍ ଫରୁସି ମୁହଁ ଉପରେ ଜବ୍‌ର ଗୋଟାଏ ନାତ ବସେଇବା ଉଦ୍ଦେଶ୍ୟରେ ସେ ଫଟାକ୍‌କିନା ରଡ଼ିଟାଏ କଲା ।

 

“କଚଟତପ... କଚଟତପ...କଚଟତପ...”

 

ଏଣ୍ଡୁଅ ଟୋକାର ନାଲି ମୁହଁ ସାମାନ୍ୟ ଫିକା ପଡ଼ିଗଲା । କିନ୍ତୁ ଗୋଟାଏ ସାମାନ୍ୟ ମହୁପିଆ ଗୁଣ୍ଡୁରି ଚଢ଼େଇର କିଚିରି ମିଚିରିକୁ ବା ଡରନ୍ତା କାହିଁକି ସେ । ତେଣୁ ମହୁପିଆର ଗୀତ ସାଥିରେ ପାଦ ମିଳାଇଲାପରି ଥଟ୍ଟାଳିଆ ସ୍ୱରରେ ଡାକିଲା ସେ ଆହୁରି ଜୋର୍‌ରେ-

 

“ଖଚଠତପ...ଖଚଠତପ...ଖଚଠତପ...”

 

ମହୁପିଆକୁ ସେତିକିରେ ଥଣ୍ଡା ବନେଇଲେ ବି ଏଣ୍ଡୁଅ ଟୋକାର ମନ ମାନିଲାନାହିଁ । ଟିକି ଚଢ଼େଇଟି ଆଡ଼କୁ ଉହୁଙ୍କି ପଡ଼ି କହିଲା ସେ-

 

“ଖବରଦାର ! ପାଟି ତୁଣ୍ଡ ଚଳିବ ନାହିଁ ଆଉ ଏଠି । ଯଦି ଶକ୍ତି କିଛି ଅଛି ତୋ ଠେଇଁ, ଦେଖେଇଲୁ ଦେଖିରେ କମ୍ୟୁନିଷ୍ଟ୍ ।

 

ମହୁପିଆକୁ ସେପର୍ଯ୍ୟନ୍ତ ସୁଦ୍ଧା ଘଟଣା କିଛି ଜଣା ନ ଥାଏ । କିନ୍ତୁ ଏଣ୍ଡୁଅ ଟୋକାର ପରିହାସ ତାକୁ ଖୁବ୍ ବାଧିଲାଣି ସେତେବେଳକୁ । ଏଇ କାରଣରୁ ମୁହଁ ତାର ଶୁଖି ଯାଉଥାଏ । ମହୁପିଆର ସରୁ ଲମ୍ବ ଥଣ୍ଟଟି ଆହୁରି ଲମ୍ବଡ଼ା ହୋଇଗଲା ପରି ଦିଶୁଥାଏ । ତଥାପି ଏଣ୍ଡୁଅ ଟୋକାଙ୍କର ବଡ଼େଇ ଆଗରେ ମହୁପିଆମାନେ ଯୁଗ ଯୁଗ ଧରି ନିଜର ମାନ ମହତ ରକ୍ଷା କରିବାକୁ ସମର୍ଥ ହୋଇ ଆସିଥିବା ଦୃଷ୍ଟିରୁ ଲମ୍ବ ଥଣ୍ଟଟିକୁ ଉପରକୁ ଟେକି ସେ ଜବାବ୍ ଦେଲା ଏଣ୍ଡୁଅ ପିଲାକୁ–

 

“ବୁଢ଼ିଆଣୀଙ୍କ ଘର ଭାଙ୍ଗୁଚୁ, ମହୁପିଆ ବୈଷ୍ଣବଙ୍କୁ ଥଟ୍ଟା କରୁଚୁ, କମ୍ୟୁନିଷ୍ଟଙ୍କୁ ଡରୁନାହୁଁ ଏପରି ଯେଉଁ ଦୈତ୍ୟ ଏଣ୍ଡୁଅ ବଂଶରେ ଜାତ ହୋଇଅଛି ତାର ସର୍ବନାଶ ପାଖେଇ ଆସୁଚି ନିଶ୍ଚୟ-। ତେବେ ତୋ ନିଧନ କମ୍ୟୁନିଷ୍ଟଙ୍କ ହାତରେ ନାହିଁରେ ଏଣ୍ଡୁଅ ପିଲା । ତତେ ଯେ ମାରିବ ସେ ଆସୁଚି ମୋ ପଛେ ପଛେ ।”

 

ଏତିକି କହି ମହୁପିଆ ଫୁରର୍‌କିନା ଉଡ଼ିଗଲା ବାକ୍‌ସ ଗଛ ଭିତରୁ । ତାର କଚଟତପ, କଚଟତପ ଭଜନ କୁଆଡ଼େ ପବନରେ ।

 

ମୁହୂର୍ତ୍ତକ ଲାଗି ବାକ୍‌ସଗଛର ଅନ୍ତରାଳରେ ଗୋଟିଏ ଶଙ୍କାକୁଳ ନୀରବତା ରାଜୁତି କରିବାକୁ ଲାଗିଲା ।

 

ବୁଢ଼ିଆଣୀ ତାର ଆଠଟି ଯାକ ଆଖି ମେଲେଇ ଚାରିଆଡ଼କୁ ଚାହିଁବାକୁ ଲାଗିଲା ‘‘କିଏ ଆସୁଛି ? କାହିଁ ?”

 

ଏଣ୍ଡୁଅ ଟୋକାର ନାଲି ଆଉ ନ ଥାଏ ସେତେବଳକୁ । କିନ୍ତୁ ତାର ଆଖି ଯୋଡ଼ିକ ଘଣ୍ଟାର ସେକେଣ୍ଡ୍‌ କଣ୍ଟା ପରି ଡଗଡ଼ଗ ହୋଇ ଘୂରିବାକୁ ଲାଗିଥାଏ । ଅପେକ୍ଷା କରୁଥାଏ ସେ-କାହାକୁ କେଜାଣି !

 

ଏହିପରି ଅପେକ୍ଷା ଭିତରେ ଭିତରେ କେତୋଟି ସେକେଣ୍ଡ କଟିଗଲା । କ୍ରମେ ସେକେଣ୍ଡ ଗୁଡ଼ିକ ଏକତ୍ର ହୋଇ ମିନିଟ୍ ଓ ଘଣ୍ଟାରେ ପରିଣତ ହେଲା । କିନ୍ତୁ କିଛି ଘଟିଲା ନାହିଁ । କେହି ଆସିଲେ ନାହିଁ । ସମୟ ଗଡ଼ିବାକୁ ଲାଗିଲା । କ୍ରମେ ଦିନ ଯାଇ ରାତି ଆସିଲା । ରାତି ପରେ ପୁଣି ସକାଳ, ପୁଣି ଦିନ । ଏହାପରେ ଆସିଲା ଋତୁ ପରିବର୍ତ୍ତନର ବେଳ ।

 

ବାକ୍‌ସ ଗଛର ରଙ୍ଗୀନ ପତ୍ର ଗୁଡ଼ିକ ଇତିମଧ୍ୟରେ ଆହୁରି କେଇ ପ୍ରସ୍ତ ରଙ୍ଗ ବଦଳେଇସାରି ଶୁଖି ଝଡ଼ି ପଡ଼ିଲେଣି ଗୋଟିକ ପରେ ଗୋଟିଏ ।

 

ପବନରେ ଚୋରା ବସନ୍ତ ଋତୁର ବାସ୍ନା ଚହଟିଲାଣି ଅଳ୍ପେ ବହୁତେ ।

 

ସେଇ ବସନ୍ତ ଋତୁର ପ୍ରାରମ୍ଭରେ ଜଣେ ରସିକ ନାଗର ମଣିଷ ବଗିଚାକୁ ପ୍ରବେଶ କରିଥାଏ ତାର ପ୍ରେମିକା ସହିତ । ବାକ୍‌ସ ଗଛ ମୂଳରେ ସେ ଦୁହେଁ ବସି କଣ ସବୁ ଗପସପ ଲଗେଇ ଦେଇଥାନ୍ତି କେତେବେଳୁ । ମଝିରେ ମଝିରେ ପୁରୁଷଟି ସ୍ତ୍ରୀକୁ ଆଲିଙ୍ଗନ କରି କୌଣସି ଦୂର୍ବୋଧ୍ୟ ଭାଷାରେ କଣ ସବୁ ସମ୍ଭାଷଣ କରିବାରେ ଲାଗି ପଡ଼ିଥାଏ ।

 

କିନ୍ତୁ ମୁହୂର୍ତ୍ତକ ଭିତରେ ସବୁ କିଛି ବଦଳିଗଲା । ସବୁ କିଛି ସରିଗଲା ଯେମିତିକି । ସମଗ୍ର ପୃଥିବୀଟି ମରିଯିବା ଲାଗି ପ୍ରସ୍ତୁତ ହୋଇ ଯାଇଥିଲା ସତେକି । ସେହିପରି ମରଣ ଘୋଟି ଆସିଲା ଚତୁର୍ଦ୍ଦିଗରୁ ।

 

ପ୍ରଥମେ ପୁରୁଷ ଓ ସ୍ତ୍ରୀ ଆଲିଙ୍ଗନରତ ଅବସ୍ଥାରେ ଯେଉଁଭଳି ରହିଥିଲେ ସେଇ ଅବସ୍ଥାରେ ଢଳି ପଡ଼ିଲେ ବଗିଚାର ଘାସ ଉପରେ । ସେମାନଙ୍କ ଶରୀର ଦୁଇଟି ଗୋଟିଏ କାଠ ଖୋଦେଇ ମୂର୍ତ୍ତି ପରି କାଠୁଆ ପାଲଟିଗଲା ।

 

ଏହାପରେ ପାଳି ପଡ଼ିଲା ଏଣ୍ଡୁଅ ଟୋକାଟିର । ତାପରେ ବୁଢ଼ିଆଣୀ ମାଇପିଟିର । ସମସ୍ତେ ଗୋଟି ଗୋଟି ଲଥ୍ ଲାଥ୍ ଖସି ପଡ଼ିଲେ ଆଉ ମରିଗଲେ ।

 

ପବନରେ ବସନ୍ତ ଋତୁର ବାସ୍ନା ବାରିବା ପାଇଁ ଜୀବନର ସତ୍ତା ଆଉ କେଉଁଠି ହେଲେ ନଥିଲା ।

 

ଏହାର କେତେ ହଜାର କୋଟି ବର୍ଷ ପରେ ଗୋଟିଏ ଭୟଙ୍କର ଡିନୋସାର୍ ତାର ବିରାଟ ଲାଞ୍ଜଟିକୁ କୌଣସି ଏକ ସନ୍ତସନ୍ତିଆ ଲେଗୁନ୍‌ର ଅଗଭୀର ଜଳରେ ହଲ୍‌ଚଲ୍‌ କରୁ କରୁ ଜଳକେଳିରେ ପ୍ରମତ୍ତ ଥିଲା । ଲେଗୁନ୍‌ କୂଳରେ କୌଣସି ଏକ ଅଷଣ୍ଢବା ଗଛ ଡାଳରେ ମସ୍ତବଡ଼ ମାଙ୍କଡ଼ସାଟିଏ ଜାଲ ବୁଣିବାରେ ଲାଗି ପଡ଼ିଥିଲେ ।

 

ହଠାତ୍ ଡିନୋସାର୍‌ର ଦୃଷ୍ଟି ମାଙ୍କଡ଼ସା ଉପରେ ପଡ଼ିବା ମାତ୍ରେ ତାର ଲାଞ୍ଜଟି ସ୍ଥିର ହୋଇଗଲା ।

 

“ଆରେ ! ତୁ ପୁଣି ସେଥିରେ ମାତିଲୁଣି ନା !” ସେହିପରି ସ୍ଥିର ଲାଞ୍ଜ ହୋଇ ଗମ୍ଭୀର ସ୍ଵରରେ ଡିନୋସାର୍‌ଟି ସତର୍କ କରିଦେଲା ଆଉ ମାଙ୍କଡ଼ସାକୁ କହିଲା, ‘‘ଯଦି ତା କରିବା ଛଡ଼ା ତୋର ଅନ୍ୟ କିଛି କରିବାର ନାହିଁ ତେବେ ବରଂ ଆଉ ଟିକେ ଦୂରକୁ ଚାଲିଯା ଯେଉଁଠିକି ମୋର ବେକ ବା ଲାଞ୍ଜ ପାଇବ ନାହିଁ । ନଚେତ୍ ଯେ କୌଣସି ମୁହୂର୍ତ୍ତରେ ମୁଁ ତୋର ଏଡ଼େ ସୁନ୍ଦର ଜାଲଟାକୁ ଛିଣ୍ଡେଇ ଦେଇପାରେ, ଜାଣୁତ !”

 

ଡିନୋସାର୍‌ର ସେଇ ଅପ୍ରତ୍ୟାଶିତ କଥା ଶୁଣି ମାଙ୍କଡ଼ସାର ଜାଲ ବୁଣା ବନ୍ଦ ହୋଇଗଲା କ୍ଷଣକ ଲାଗି । ସେ ତାର ସବୁତକ ଆଖି ଫିଟେଇ ଲେଗୁନ‌୍‌ ଭିତରକୁ ଚାହିଁଲା ଆଉ ଜନ୍ତୁଟିର ଲାଞ୍ଜଠୁ ମୁଣ୍ଡଯାକେ ଦେଖିନେଲା ।

 

ତାପରେ ହଠାତ୍ ମାଙ୍କଡ଼ସାଟି ଚମକି ପଡ଼ିଲା ଆଉ ଗୋଟିଏ ବିଚିକିଟିଆ ଶବ୍ଦରେ ଗାଳି ଦେବାକୁ ଆରମ୍ଭ କରି କହିଲା–

 

“ଅଳପେଇଷା ! ନିଅଁଶୀଛୁଆ ମରୁନୁ ! ତୋରି ଯୋଗୁ ପୃଥିବୀଟା ଆରଥର ଛାରଖାର ହୋଇଗଲା । ତତେ ମାରିବା ପେଇଁ ନିଉଟ୍ର‌ନ୍‌ ବୋମା ପଡ଼ିବା ଯାକେ କଥା ଗଲା ଅଥଚ ପୋଡ଼ାମୁହାଁ ପୁଣି ସେଇ ମୁଁହ କାଢ଼ି ବାହାରିଲୁ ପାଣି ଭିତରୁ !”

 

ଲେଗୁନ୍‌ ପାଣିରେ ଥିର ହୋଇ ଶୋଇ ଭାସୁଥିବା ଡିନୋସାର୍‌ଟି ଗମ୍ଭୀର ଚାହାଣୀ ଏଥର ଆହୁରି ଗମ୍ଭୀର ଦିଶିଲା ।

 

“ଏଥର ମଧ୍ୟ–” ଗମ୍ଭୀର ଚାହାଣୀ ସାଥିରେ ଉଦାସ ହସଟିଏ ମିଶେଇ ସେ କହିଲା, ‘‘ଏଥର ମଧ୍ୟ ନିଉଟ୍ରନ୍ ବୋମା ପୁଣି ଥରେ ପଡ଼ିବ ଏ ପୃଥିବୀ ଉପରେ ମାଙ୍କଡ଼ସା ! ତେଣୁ ଗତ ଥର ପରି ଏଥର ମଧ୍ୟ ସେ ବୋମା ଆମର କିଛି କ୍ଷତି କରିବ ନାହିଁ ଜାଣୁ ?”

 

ମାଙ୍କଡ଼ସାର ଦୃଷ୍ଟି ପୁଣିଥରେ କଳିନେଲା-ଲେଗୁନ୍ ପାଣିରେ ପଡ଼ିଥିବା ସେ ବିକଟାଳ ଜନ୍ତୁଟାକୁ ।

 

“କାହିଁକିରେ ?”, ବିସ୍ମିତ ହୋଇ ପଚାରିଲା ସେ ।

 

ଡିନୋସାର୍‌ର ଉଦାସ ହସଟି ଧୀରେ ଲିଭି ଯାଉଥାଏ ତା ମୁହଁରୁ । ସେଇ ଅସ୍ତଗାମୀ ହସଟି ଭିତରୁ ସେ ଜବାବ ଦେଲା–

 

କାରଣ, ଯାହାର ଆସିବା ପାଇଁ ସେଦିନ ସେ ମହୁପିଆ ବୈଷ୍ଣବ ଚଢ଼େଇ ଆମକୁ ସତର୍କ କରିଦେଇ ଯାଇଥିଲା ସେତ ଆସିବ ନାହିଁ ଏ ପୃଥିବୀକୁ ଏତେ ଶୀଘ୍ର ନିଶ୍ଚୟ । ତେଣୁ ଆମକୁ ପୁନର୍ଜନ୍ମ ଦେବାପାଇଁ ପୁଣିଥରେ ସେ ପ୍ରୟୋଗ କରିବ ଆମ ଉପରେ ସେଇ ବିରକ୍ତିକର ଔଷଧପରି ପଦାର୍ଥଟାକୁ-ଯାହାକୁ ସେବର୍ଷ ବସନ୍ତ ଋତୁରେ ସେ ବୋକା ପ୍ରେମିକ ପ୍ରେମିକା ପ୍ରୟୋଗ କରିଥିଲେ ନିଜ ଉପରେ । ବୁଝି ପାରୁଛୁ ?”

 

“ଔଷଧ ?” ପ୍ରାଗ୍‌ଐତିହାସିକ ଅଷଣ୍ଢବା ଗଛର ଏଡାଳରୁ ସେଡାଳକୁ ଗୋଟିଏ ଦୀର୍ଘ ସୂତା ଲମ୍ବେଇ ଦଉଦଉ ମାଙ୍କଡ଼ସା ଲେଗୁନ୍ ପାଣିକୁ ଅବିଶ୍ୱାସରେ ଚାହିଁ ପଚାରିଲା–

 

“ତୁ ତାକୁ ପ୍ରେମିକମାନଙ୍କର ଔଷଧ ବୋଲି କହୁଛୁ-ସେ ମାରାତ୍ମକ ନିଉଟ୍ରନ ବୋମାକୁ-?”

 

ଲେଗୁନ୍ ଭିତରୁ କୌଣସି ଜବାବ ଆସିବା ପୂର୍ବରୁ ସୁଦୂର ଭବିଷ୍ୟତରୁ ମହୁପିଆ ବୈଷ୍ଣବ ଚଢ଼େଇର ଆସ୍ଥାବାଚକ ମଧୁର ଭଜନଟି ଶୁଣାଯାଇଥିଲା । ଗାଉଥାଏ ସେ ଗୋଟିଏ ଅସରନ୍ତି ଚିରନ୍ତନ ସ୍ୱରରେ-କଚଟତପ, କଚଟତପ, କଚଟତପ.... ।

 

ମାଙ୍କଡ଼ସାର ଚିରବୈଧବ୍ୟଗ୍ରସ୍ତ ଆଖି ଗୁଡ଼ିକ ଧୀରେ ଧୀରେ ଉଜଳି ଉଠୁଥାଏ ଆଉ ଲେଗୁନ୍‌ର ପିତା ପାଣି ଧୀରେ ଧୀରେ ମିଠା ହୋଇ ଉଠୁଥାଏ ତା’ ଆଖିଗୁଡ଼ିକରୁ ଝରି ପଡ଼ୁଥିବା ଟୋପା ଟୋପା ଲୁହରେ ।

 

ମାନସ, ପୂଜା ବିଶେଷାଙ୍କ-୧୯୭୮

Image

 

ଅଲ୍ଲିମ୍ମୁଦ୍ଦିନ୍

 

ଶେଖ୍ ଅଲ୍ଲିମ୍ମୁଦ୍ଦିନ୍ ଜଣେ ଗ୍ୟାରେଜ୍‌ବାଲା । ସାଧାରଣ ଶ୍ରମିକରୁ ଉଠି ଉଠି ସେ ଦିନେ ଏଡ଼େବଡ଼ ଗୋଟିଏ ମଟର ମେକାନିକ୍ କାରଖାନା ବା ଗ୍ୟାରେଜର ମାଲିକ ହୋଇଥିଲେ ଯେ ସହରର ସବୁ ଗାଡ଼ି ମାଲିକ ଏପିରିକି ମନ୍ତ୍ରୀ, ଆଇ.ଏ.ଏସ୍. ଅଫିସରମାନେ ମଧ୍ୟ ଅଲ୍ଲିମ୍ମୁଦ୍ଦିନ୍‌ଙ୍କୁ ଆଗତୁରା ସସ୍ନେହ ‘ସଲାମ୍-ଆଲେକୋମ୍’ ସମ୍ବୋଧନ କରି ପାଖରେ ବସାଇବାକୁ ଇଚ୍ଛା କରୁଥିଲେ ବୋଲି ସମସ୍ତେ ଜାଣନ୍ତି । ଅଲ୍ଲିମ୍ମୁଦ୍ଦିନ୍ ମଧ୍ୟ ଜଣେ ଖୁବ୍ ମେଳାପି ମଣିଷ । ତାଙ୍କ ‘ହାଇଓ୍ଵେ ମୋଟର ଓ୍ଵାକର୍ସ’ ଗ୍ୟାରେଜ ସାମ୍ନାରେ ଗାଡ଼ିଟିଏ ଆସି ଖାଡ଼ା ହେବାମାତ୍ରେ ଡେଙ୍ଗା ମଧ୍ୟମ ଧରଣର ମୋଟା ଆଉ କଳା ବଳିଷ୍ଠ ଶରୀରଟିଏ ଖପ୍‌କରି ଡେଇଁବାର ଦେଖାଯାଏ ଗ୍ୟାରେଜ ଭିତରେ ପଡ଼ିଥିବା ଗୋଟିଏ ଟିଣଚେୟାର୍ ଉପରୁ । ଫଳରେ ଟିଣ ଚଉକିଟା ‘ପଟର୍‌ରଙ୍ଗ’ କରି ଗୋଟିଏ ଶବ୍ଦ ଭିତରେ ପଛକୁ ଘୁଞ୍ଚିଯିବା ସହିତ ସ୍ନେହୀ ମଣିଷଟିର ହସ ହସ ମୁହଁଟିଏ ସିଧା ଆସି ଉଙ୍କିମାରି ବସେ ସଦ୍ୟ ଗତିରହିତ କାର୍ ବା ଜିପ୍‌ଟିର ଡ୍ରାଇଭରର ମୁହଁଠୁ ମାତ୍ର ଛ’ଇଞ୍ଚ ସାନ୍ନିଧ୍ୟ ଅନ୍ତର୍ଗତ ଏକ ଏକାନ୍ତ ହାର୍ଦ୍ଦିକ ବନ୍ଧୁତ୍ୱର ‘ଯୋନ୍’ ଅନ୍ତରାଳରେ ।

 

“କୋଁ ଭାଏ ! ଆଲେକୋହମ୍...”

 

“ଜୁହାର ସାର୍ ! ଜୁହାର...”

 

ଭଦ୍ର ଅଲ୍ଲିମ୍ମୁଦ୍ଦିନ୍ ତାଙ୍କର ହିନ୍ଦୁ ଗରାଖମାନଙ୍କୁ ସାଧାରଣତଃ ହିନ୍ଦୁ ରୀତିରେ ହିଁ ସଲାମ୍ ଜଣାଇଥାନ୍ତି । ତାଙ୍କ ତୁଣ୍ଡରୁ ପ୍ରଣାମ, ନମସ୍କାର, ଜୁହାର ପ୍ରଭୃତି ଶବ୍ଦ ଅତି ମିଠା ଶୁଣାଯାଏ ସେତେବେଳେ ଯେତେବେଳେ ବହୁଦିନ ଧରି ଜଣେ ଗ୍ୟାରେଜ ଶ୍ରମିକଭାବେ ଓ୍ଵେଲ୍‌ଡ଼ିଂ ଯନ୍ତ୍ର ବ୍ୟବହାର କଲାବେଳେ ଅକ୍‌ସି-ଆସିଟିଲିନ୍ ଟର୍ଚ୍ଚ ବା ଗ୍ୟାରେଜ ଶ୍ରମିକ ଭାଷାରେ ‘କାର୍‌ବାଇଡ୍ ବତୀ’ ଆଲୁଅରେ ଝକ୍ ଝକ୍ ମାରୁଥିବା ୱେଲ୍‌ଡିଂ ଆଲୁଅକୁ ଖାଲି ଆଖିରେ ଅନେଇ ଅନେଇ ଦୃଷ୍ଟିଶକ୍ତିକୁ କ୍ଷୀଣ କରି ସାରିଥିବା ମଣିଷଟିର ଜଳକା ଆଖି ଦୁଇଟା ଉପରେ ଚଢ଼ି ବସିଥିବା ମୋଟା ଚଷମା କାଚ ଦୁଇଟା ଭିତରୁ ଗରାଖର ଆଖି ଦୁଇଟାକୁ ଖୋଜିବା ଢଙ୍ଗରେ ସେ ଖୁବ୍ ନିଠେଇ ନିଠେଇ ଚାହାନ୍ତି ଆଉ କହନ୍ତି, ‘‘ହରି ଓଁ ଶରଣମ୍ ! ବେଟୀ ବମ୍ବେଇୱାଲୀ ଇତ୍‌ନି ଆୱାଜ୍ କର୍‌ତି ହୈ କ୍ୟୁଁ ! ମୁ ତ ମାଇଲିଏ ଦୂରରୁ କାନୋଉଚି ସାର୍ ! ବି.ଏମ୍.ଏଲ୍.ସିକସ ଫାଇଭ୍ ସିକସ ଫାଇଭ୍ ଅୱାଜ୍ ୟେ ଜରୁର୍ ।”

 

ଗାଡ଼ିଗୁଡ଼ିକର ନମ୍ୱର ପ୍ଲେଟରେ ଥିବା ରେଜିଷ୍ଟ୍ରେସନ୍ ନମ୍ବର ଅନୁସାରେ ପୋଖତ ମଟର ମେକାନିକ୍ ଅଲ୍ଲିମ୍ମୁଦ୍ଦିନ୍ ଗାଡ଼ି ଗୁଡ଼ିକୁ ବମ୍ବେଇୱାଲି, କଲକତ୍ତେ ୱାଲି, କଟକ ୱାଲି ବା ପୁରୀ ୱାଲି ବୋଲି ଡାକେ ସେମାନଙ୍କୁ ଆଉ ତା ସହିତ ‘ବେଟୀ’ ଶବ୍ଦଟିକୁ ସ୍ନେହରେ ମିଶେଇ ଯୋଡିବା ଯୋଗୁ ଗାଡ଼ି ଗୁଡ଼ିକ ସତକୁସତ ଝିଅଙ୍କ ଭଳି ନାନା ପ୍ରକାର ଗେହ୍ଲେଇ ହୋଇ ଶବ୍ଦ କରନ୍ତି ତାଙ୍କ ଚଚ୍ଚା ଅଲ୍ଲିମ୍ମୁଦ୍ଦିନ୍‌ର ଗ୍ୟାରେଜଠୁଁ ଅନ୍ୟୂନ ମାଇଲିଏ ବା ଦେଢ଼ମାଇଲ୍ ଦୂରରୁ । ସେ ଗେହ୍ଲା ସ୍ଵରଗୁଡ଼ିକୁ କେହି ଶୁଣନ୍ତୁ ଏକ୍‌ସପର୍ଟ କାରିଗର ଅଲ୍ଲିମ୍ମୁଦ୍ଦିନ୍ କାନକୁ ବେଶ୍ ଶୁଣାଯାଏ ସେସବୁ ।

 

“ଅବେ ଜଲିଲ୍ ! ଦଶ ଗ୍ୟାରା ନମ୍ୱର ରେଞ୍ଚି ଠୋ ଲା ତ !” ଅଲ୍ଲିମ୍ମୁଦ୍ଦିନ୍ ତତ୍‌କ୍ଷଣାତ୍ ହାତ ବଢ଼େଇ ଦିଅନ୍ତି ଗାଡ଼ିର ଡ୍ୟାସ୍‌ବୋର୍ଡ଼ ସନ୍ଧିକୁ, ଆଉ ବନେଟ୍ ଲକର୍ ରିଲିଜ୍ ହୁକ୍‌ଟାକୁ ଟାଣିଦେଇ ଠନ୍ କରି ଫିଟେଇ ଦିଅନ୍ତି ବନେଟ୍‌ଟାକୁ । ଜଲିଲ୍ ରେଞ୍ଚି ଧରି ପହଞ୍ଚି ସାରିଥାଏ ସେତେବେଳକୁ ।

 

“ଦେଖୋ ! ‘ଟେପିଟ୍’ ଆୱାଜ୍ ହୋତି ହୈ ବହତ୍ ! ଜେରା ଡବ୍‌ବା ଖୋଲ୍‌କେ ଦେଖା ତୋ !”

 

ଏହା ପରେ ଅତିଥି ବତ୍ସଳ ଅଲ୍ଲିମ୍ମୁଦ୍ଦିନ୍, ଗରାଖ-ସେ ଯେ ହୁଅନ୍ତୁ ପଛେ; ମନ୍ତ୍ରୀ, ଆଇ.ଏ.ଏମ୍. ମାରୱାଡି ବ୍ୟବସାୟୀ ବା ସାଧାରଣ ଅଫିସ୍ ଗାଡ଼ିରେ ଡ୍ରାଇଭର୍‌ଟିଏ ହେଉ ପଛେ, ତାଙ୍କ ପାଇଁ ଗାଡ଼ିର ଦରଜା ଖୋଲି ଦିଅନ୍ତି ନିଜ ହାତରେ, ହାତ ଧରି ପାଛୋଟି ନିଅନ୍ତି ସେ ରାସ୍ତାକଡ଼ର ସେଇ ଟିଣଛାତ ତଳି ଗ୍ୟାରେଜ ଖଣ୍ଡକ ଭିତରକୁ । ଅତିଥିଙ୍କ ପାଇଁ ଖଣ୍ଡିଏ ପରିଷ୍କାର ଟିଣ ଚଉକି ଟାଣି ଆଣନ୍ତି ସେ । ତଥାପି ଚଉକି ସିଟ୍‌ରେ କାଳେ କଳାମଳା ଗ୍ରୀକ୍ ବା ତେଲଚିକିଟା ହାତ ଲାଗିଥିବ କାହାର, ଏଇ ଆଶଙ୍କାରେ ସିଟ୍‌ଟିକୁ ପୋଛି ଦିଅନ୍ତି ସେ ନିଜ ପକେଟରୁ ବାହାର କଲା ରୁମାଲ ଖଣ୍ଡିକରେ । ସେଇଠୁ ଅତିଥିଙ୍କୁ କୁରୁଚି ଗ୍ରହଣ କରିବାକୁ ଅନୁରୋଧ କରି ବଡ଼ ପାଟିରେ ଫର୍ମାସ୍ କରନ୍ତି, “ବେଟା ରାମ୍‌ଚନ୍ଦର୍ ! ଯାଓ ତୋ-ଦୋ ଗିଲାସ୍ ଫାଷ୍ଟକିଲାସ୍ ଚା ଲେ ଆଓ-ଜେରା ଝଅଟ୍ ଆଓ ବେଟା-ସମ୍‌ଝାନା ?”

 

ରାମ୍‌ଚନ୍ଦର-ସାତ ଆଠ ବର୍ଷର ଦରିଦ୍ର ହିନ୍ଦୁ ଘରର ପିଲା । ଚାରିମାସ ତଳେ ବିଧବା ମା’ଟି ତାର ତାକୁ ଆଣି ଛାଡ଼ିଯାଇ ଥାଏ ଏହି ଗ୍ୟାରେଜରେ । ଦରଦି ମୁସଲମାନ ଅଲ୍ଲିମ୍ମୁଦ୍ଦିନ୍, କଲିଲ୍ ଆଉ ରାମ୍‌ଚନ୍ଦର ସମେତ୍ ଆଠ ଦଶଟି ଲୋକଙ୍କୁ କାମ ଦେଇଥାନ୍ତି ତାଙ୍କ ପାଖରେ । ସକାଳ ନ’ ରୁ ସନ୍ଧ୍ୟା ଛ’ ଯାକେ ମଝିରେ ଘଣ୍ଟାଏ ଛୁଟି ଛାଡ଼ିଦେଲେ ବାକି ଆଠଘଣ୍ଟା ଅନ୍ତତଃ ଦଶପନ୍ଦର ମଟର ଗାଡ଼ିର ଘଁ ଘଁ ଶବ୍ଦରେ କମ୍ପୁଥାଏ ‘ହାଇୱେ ମୋଟର ୱାର୍କ୍‍ସ୍ ଗ୍ୟାରେଜ ଆଖପାଖ ବଜାରଟା ।

 

ଶେଖ୍ ଅଲ୍ଲିମ୍ମୁଦ୍ଦିନ୍ ମଟର ମେକାନିକର୍ ନାଁ ଡାକରେ ମଧ୍ୟ କମ୍ପୁଥାଏ ସେଦିନ ସହରଟା-। ମନ୍ତ୍ରୀ, ଏମ୍.ଏଲ୍.ଏ, ଆଇ. ଏ.ଏସ୍., ବେପାରୀ ଆଉ ସାଧାରଣ ଗାଡ଼ି ମାଲିକମାନେ ପୂର୍ବପରି ଗହଳି ଲଗାଉଥାନ୍ତି ସେଇ ଫାଳିକିଆ ଟିଣ ଛପର ଘର ବା ଗ୍ୟାରେଜଟାର ଛାତ ତଳେ ।

 

କିନ୍ତୁ ମେକାନିକ୍ ଅଲ୍ଲିମ୍ମୁଦ୍ଦିନ୍‌ଙ୍କର ମଟରଗାଡ଼ି ରିପେୟାର ସମ୍ପର୍କରେ ଏତେ ଅଭିଜ୍ଞତା, ତାଙ୍କର ମନ୍ତ୍ରୀ, ଏମ୍,ଏଲ୍‌.ଏ., ଆଇ.ଏ.ଏସ୍‌. ପ୍ରଭୃତିଙ୍କ ସହିତ ଏତେ ରଜଘସ ଏତେ ବନ୍ଧୁତା ସତ୍ୱେ ୧୯୭୫ର ସେଇ ଏମର୍ଜେନ୍‌ସି ଦୁର୍ଦ୍ଦିନରେ ଦେଖାଦେଇଥିବା ସହର ସଫେଇ ବା ଘରଭଙ୍ଗା କାରବାରବେଳେ କେହି ତାଙ୍କ ପିଠିରେ ପଡ଼ି ନ ଥିବା ଅଭିଯୋଗ ଏବେ ମଧ୍ୟ ଶୁଣିବାକୁ ମିଳେ ତାଙ୍କ ମୁହଁରୁ, ତାଙ୍କର ହିତୈଷୀ ବନ୍ଧୁମାନଙ୍କ ମୁହଁରୁ । ଅଲ୍ଲିମ୍ମୁଦ୍ଦିନଙ୍କ ‘ହାଇୱେ ମୋଟର ୱାର୍କସ୍’ କୁ ମେନ୍ ରାସ୍ତା କଡ଼ରୁ ଅଧ ଘଣ୍ଟାକେ ଉଭେଇ ଦିଆଗଲା ଘରଭଙ୍ଗା ସ୍ୱାର୍ଡ଼ ପରିଚାଳନାକାରୀ ସଂପୃକ୍ତ ଶାସନ ବିଭାଗ ପକ୍ଷରୁ । ବିଚରା ଅଲ୍ଲିମ୍ମୁଦ୍ଦିନ୍ ବହୁ ମନ୍ତ୍ରୀ, ଆଇ.ଏ.ଏସ୍. ଙ୍କ ପିଛା ଧରି ଧାଁ ଧପଡ଼ କରିଥିଲା ସେମାନଙ୍କ ଅଫିସ୍ ଆଉ ଘର ଦ୍ଵାରକୁ । କିନ୍ତୁ ବେଳା ଖରାପ କାରଣରୁ ସେତେବେଳେ ଅଲ୍ଲିମ୍ମୁଦ୍ଦିନର ଗୁହାରି ଶୁଣିବା ସମ୍ଭବ ନଥିଲା କାହାରି ପକ୍ଷେ । ‘ହାଇୱେ ମୋଟର ୱାର୍କସ୍’ ର ଟିଣ ଛାତ ଖଣ୍ଡକ ଉଡ଼ିଗଲା ପରେ ଗ୍ୟାରେଜ ମାଲିକ ଅଲ୍ଲିମ୍ମୁଦ୍ଦିନ୍ ତାର ସରଞ୍ଜାମ ସହିତ କେତୋଟି ଭଙ୍ଗା କରୁଗେଟଡ୍ ଟିଣ, କାଠଖୁଣ୍ଟ ଇଟା ଆଉ ଗୋଟାଏ ଦିଇଟା ଧତଡ଼ା ପୁରୁଣା ଜିପ୍ ଓ ଷ୍ଟେସନ୍ ୱାଗନ୍‌ର ଚେସିସ୍‌କୁ ଘଟଣାସ୍ଥଳରୁ ସଂଗ୍ରହ କରି ମେନ୍‌ରୋଡ଼ରେ ପଛ ରାସ୍ତା ପଟ ଏକ ଗଳି କଡ଼ରେ ପୁଣିଥରେ ନେଇ ପୋତିଲେ ତାଙ୍କର ପୁରୁଣା ଗ୍ୟାରେଜର ନେମ୍ ପ୍ଲେଟ୍‍ଟିକୁ । ପୁରୁଣା ଗରାଖମାନେ ପୁରୁଣା ‘ହାଇୱେ ମୋଟର ୱର୍କସ୍’ ର ନୂଆ ଅବସ୍ଥିତିଟିକୁ ଖୋଜି ନେବାକୁ ବେଶୀ ସମୟ ଲାଗିଲା ନାହିଁ ନିଶ୍ଚୟ । ଗଳି ରାସ୍ତାକଡ଼ରେ ପ୍ରଥମେ ବିନା ଛାତରେ, ପରେ ଯେନତେନ ପ୍ରକାରେଣ କିଛି କାଠଖୁଣ୍ଟ ଉପରେ ଥୁଆ ହେଲାଭଳି ବିପଜ୍ଜନକ ଦିଶୁଥିବା ଏକ ଚାଲୁଣିଆ ଛିଦ୍ର ବିଶିଷ୍ଟ ଟିଣଛାତ ତଳେ ଗଢ଼ି ଉଠିଥିବା ଗ୍ୟାରେଜଟିରେ ଗାଡ଼ିର ଭଁ ଭଁ ପଁ ପଁ ପୁଣି ଯଥାପୂର୍ବଂ ତଥାପରଂ ରୀତିରେ ଶୁଣାଯିବାକୁ ପ୍ରାୟ ବର୍ଷଟିଏ ସମୟ ଲାଗିଥିଲା ଯଦିଚ ତଥାପି ଗ୍ୟାରେଜବାଲା ଅଲ୍ଲିମ୍ମୁଦ୍ଦିନ୍‍ଙ୍କୁ ନିତି ଅନେକ ‘ଆଲେକୋହମ୍ ସଲାମ୍’ ପରିବର୍ତ୍ତେ ବହୁ ‘ହରି ଓଁ ଶରଣଂ’ ଉଚ୍ଚାରଣ କରିବାକୁ ସୁଯୋଗ ମିଳିଯାଇ ପାରିଥିଲା । ପୁଣିଥରେ ମନ୍ତ୍ରୀ, ଏମ୍. ଏଲ୍. ଏ., ଆଇ. ଏ. ଏସ୍. ଆଉ ବ୍ୟବସାୟୀଙ୍କ ଗାଡ଼ିମାନେ ଭିଡ଼ ଲଗେଇଥିଲେ ‘ହାଇୱେ ମୋଟର ୱର୍କସ୍’ ଗଳିରେ । ପରିଚିତ ଗାଡ଼ିମାନଙ୍କର ସ୍ଵରକୁ ମାଇଲିଏ ଦୂରରୁ କାନେଇ ମେକାନିକ୍ ଅଲ୍ଲିମ୍ମୁଦ୍ଦିନ୍ ତାର ଛୋକ୍ରାମାନଙ୍କୁ ପୂର୍ବରୁ ସତର୍କ କରିଦେଇ କହିବାର ଶୁଣାଗଲା ।

 

“ଆବେ ଜଲିଲ୍-କାର୍ବାଇଡ଼୍ ଡ୍ରମ୍‌ରେ କୁଛ୍ କାର୍ବାଇଡ୍‍ ଡାଲୋ ! ପାନିକା ଲେଭଲ୍ ଠିକ୍ କରୋ । ବେଟୀ ଦିଲ୍ଲୀବାଲୀ ଅତି ହୈ ! ସାଇଲେନ୍‌ସର ମଫଲର ଫାଟ୍ ଗଇସ୍ ବେଟୀର !”

 

ଏହାରି ପରେ ପରେ ଆସିଲା ନିର୍ବାଚନ । ୧୯୭୭ ନିର୍ବାଚନ । ଏ ନିର୍ବାଚନରେ ଅଲ୍ଲିମ୍ମୁଦ୍ଦିନ୍ ଗ୍ୟାରେଜ ଏକ ମହତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥିବା ବିଷୟ ରାଜଧାନୀରେ ଗୋଟିଏ ବଡ଼ ହୋ ସୃଷ୍ଟି କରିଥିଲା । ନବନିର୍ବାଚିତ ମନ୍ତ୍ରୀ, ଏମ୍. ଏଲ୍. ଏ. ମାନେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ ମେକାନିକ୍‌ ଅଲ୍ଲିମ୍ମୁଦ୍ଦିନର କରାମତି । ମୁକ୍ତକଣ୍ଠରେ ଘୋଷଣା କରିଥିଲେ ସେମାନେ, ‘‘ଆରେ ! ସାବାସ୍ ଅଲ୍ଲିମ୍ମୁଦ୍ଦିନ୍ ସାବାସ୍ ! ତମ କାରିଗରି ପଣିଆକୁ ଧନ୍ୟ କହିବ । ଏ ଯୋଉ ବିପଦବେଳା କଟିଗଲା ସେଥେରେ ତମେ ଯଦି ଠିଆ ନ ହେଇଥାନ୍ତ ଆମ ପଛରେ-ଆମେ କିଏ ନିର୍ବାଚନ କିଏ !”

 

ଅଲ୍ଲିମ୍ମୁଦ୍ଦିନ୍ ଖୁସି ହେଇଥିଲେ ତାଙ୍କର ବନ୍ଧୁମାନଙ୍କ ପ୍ରଶଂସାରେ । ସେମାନେ ଯେ ତାଙ୍କୁ ତୁଚ୍ଛାରେ ସେମିତି ମନରଖା କଥା କହୁ ନଥିଲେ, ନିର୍ବାଚନରେ ମନ୍ତ୍ରୀ, ଏମ‌.ଏଲ୍.ଏ. ତିଆରି କରିବାରେ ତାଙ୍କର ଯେ ପ୍ରକୃତ କିଛି ହାତ ଥିଲା ବୁଝିଥିଲେ ସେ ବେଶ୍ । ଗତ ଏମରଜେନ୍‌ସିବେଳେ ତାଙ୍କୁ ଯୋଉ ହଇରାଣ କରାଯାଇଥିଲା, ଯେଭଳିଭାବେ ତାଙ୍କର ‘ହାଇୱେ ମୋଟର ୱାର୍କସ୍’ ଟିକୁ ମୂଳପୋଛ କରିଦେବାକୁ ବ୍ୟବସ୍ଥା କରିଥିଲା ପୂର୍ବ ସରକାର ସେ ଦୁଃଖ ତଥାପି ଭୋଗୁଥାନ୍ତି ସେ । ଆଉ ସେଇ କାରଣରୁ ହିଁ ସେ ନେଇଥିଲେ ତାର ଉପଯୁକ୍ତ ବଦଲା । ଗତ ନିର୍ବାଚନରେ ‘ହାଇୱେ ମୋଟର ୱାର୍କସ୍’ ତରଫରୁ ଅନ୍ତତଃ କୋଡ଼ିଏ ଖଣ୍ଡ ଜିପ୍ ଯୋଗାଯାଇ ପାରିଥିଲା ପ୍ରଚାର କାର୍ଯ୍ୟକୁ । ଗୁଡ଼ିଏ ଧତଡ଼ମାଧିଆ ଭଙ୍ଗା ପୁରୁଣା ଅକର୍ମଣ୍ୟ ଜିପ୍ ଏଣୁତେଣୁ ଯୋଗାଡ଼ କରି, ସେଗୁଡ଼ିକ ପିଛା ଦିନରାତି ଲାଗି ସଜାଡ଼ିଥିଲେ ଅଲ୍ଲିମ୍ମୁଦ୍ଦିନ ନିର୍ବାଚନ ପୂର୍ବରୁ । ଏମର୍ଜେନ୍‍ସି ବିରୋଧରେ ଠିଆ ହୋଇଥିବା ରାଜନୈତିକ ଦଳଗୁଡ଼ିକୁ ନାମମାତ୍ର ମୂଲ୍ୟରେ ଭଡ଼ାଦେଇ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଯଥେଷ୍ଟ ମଦଦ୍‌ ଦେଇଥିଲେ ସେ ନିଜ ପକ୍ଷରୁ । ନିର୍ବାଚନରେ ଜିତାପଟ ଲଭିଥିବା ନେତାମାନେ ଏହି କାରଣରୁ ସହୃଦୟ କୃତଜ୍ଞତା ଜ୍ଞାପନ କରୁଥିଲେ ତାଙ୍କର ବନ୍ଧୁ ମୋଟର ମେକାନିକ୍‌ ଅଲ୍ଲିମ୍ମୁଦ୍ଦିନ୍‌ଙ୍କୁ, ଆଉ ବନ୍ଧୁତ୍ଵର ପ୍ରତିଦାନ ସ୍ଵରୂପ ଏଣିକି ବିଭାଗୀୟ ମଟରଗାଡ଼ି ଗୁଡ଼ିକ ‘ହାଇୱେ ମୋଟର ୱର୍କସ୍’ କୁ ମରାମତି ପାଇଁ ଦିଆଯିବା ସମ୍ପର୍କରେ ଏକ ଅଲିଖିତ ଆଦେଶନାମା ଜାରି କରାଯିବା ସମ୍ବାଦ ମଧ୍ୟ ବିଭାଗୀୟ ଡ୍ରାଇଭରମାନଙ୍କ ଜରିଆରେ କର୍ଣ୍ଣଗୋଚର ହୋଇଥିଲା ଗ୍ୟାରେଜ ମାଲିକ ଅଲ୍ଲିମ୍ମୁଦ୍ଦିନ୍‍ଙ୍କର ।

 

“ଖୋଦା ମାଲିକ୍...ହରି ଓଁ ଶରଣଂ...”, ଅଲ୍ଲିମ୍ମୁଦ୍ଦିନ୍ ଖୁସିରେ ଢେର୍ ଢେର୍ ଗ୍ଳାସ୍‌ ପେସାଲ ଚା’ ପିଲେଇ ଚାଲିଲେ ତାଙ୍କର ନୂତନ ବନ୍ଧୁ-ବିଭାଗୀୟ ଡ୍ରାଇଭରମାନଙ୍କୁ ।

 

କିନ୍ତୁ, ଅଲ୍ଲିମ୍ମୁଦ୍ଦିନ୍‌ର ଉଜ୍ଵଳ ମୋଟର ମେକାନିକ୍‌ କାରିଅରକୁ ରାଜନୀତିର ରାହୁ ଯେ ଏତେ ଶୀଘ୍ର ପୁଣିଥରେ ଗିଳି ପକାଇବ ଆଉ ସେଥିରୁ ରକ୍ଷା ପାଇବାପାଇଁ ବିଚରା ଗ୍ୟାରେଜବାଲାଟିକୁ ପୁଣିଥରେ ନୂଆ ଏକ ଯାଗାରେ ନେଇ ତା’ହାଇୱେ ମୋଟର ୱର୍କସ୍’ କୁ ଥୋଇବାକୁ ପଡ଼ିବ ଜଣା ନଥିଲା ତାକୁ ।

 

ସେତେବେଳେ ରମ୍‌ଜାନ ମାସ । ମୁସଲମାନମାନେ ଓପାସ କରିବା ମାସ । ‘ହାଇୱେ ମୋଟର ୱର୍କସ୍’ ର ମୁସଲମାନ ଶ୍ରମିକମାନେ କାଷ୍ଠା ଉପବାସ କରିଥାନ୍ତି । ତାଙ୍କ ଦେଖାଦେଖି ଗ୍ୟାରେଜର ହିନ୍ଦୁ ଟୋକାମାନେ ବି ଏବର୍ଷ ଆରମ୍ଭ କରିଥାନ୍ତି ଓପାସ । ‘‘ଆରେ ! ନ ଖାଇବା ତ ସମସ୍ତେ ନ ଖାଇବା । ପାଁ ଜଣ ଓପାସ ପାଁ ଜଣଙ୍କ ଢୋଲ ଭର୍ତ୍ତି-ଏ କେମିତି କଥା !”, କୁହାକୁହି ହଉଥାନ୍ତି ସେମାନେ ନିଜ ନିଜ ଭିତରେ ।

 

ଏତିକିବେଳେ ରାମଚନ୍ଦ୍ରରର ବିଧବା ମା ଆସି ପହଞ୍ଚିଲା ଗାଁରୁ । ପ୍ରତି ମାସ ସାତ ଆଠ ତାରିଖ ସୁଦ୍ଧା ରାମଚନ୍ଦ୍ରରର ମା ଏହିପରି ଆସି ପହଞ୍ଚେ ଗାଁରୁ । ଆସିଲାବେଳେ କାନିରେ ପୁଳିଏ ଚକୁଳି ପିଠା ବାନ୍ଧି ଘେନିଆସିଥାଏ ସେ ତା ରାମଚନ୍ଦ୍ରଟି ପାଇଁ । ମାଲିକଠାରୁ ପୁଅର କାମ ବାବତ ମାସକ ଦରମା ସଂଗ୍ରହ କରିନେଇ ବୁଢ଼ୀ ପୁଅକୁ ଡାକିନିଏ ଘଣ୍ଟାକ ପାଇଁ ଗ୍ୟାରେଜ ପଛପଟକୁ । ସେଇଠି ମା ପୁଅ ଗପସପ ହ’ନ୍ତି । ପୁଅକୁ ପେଟ ପୁରେଇ ଦେଖୁଥାଏ ବୁଢ଼ୀ ଏଣେ ଆଖିରୁ ଲୁହ ପୋଛୁ ପୋଛୁ ଗୋଟିକ ପରେ ଗୋଟିଏ ଚକୁଳି ପିଠା ସନ୍ଧଉଥାଏ ପୁଅ ପାଟିକୁ । ଏହିପରି ଦେଖାଚାହାଁରେ ଘଣ୍ଟାଏ ବିତିଗଲେ ପୁଅ ଉଠେ । ଦୁହେଁ କୁଣ୍ଢିଆକୁଣ୍ଢି ହ’ନ୍ତି । କାନ୍ଦନ୍ତି । ଯେଝା ବାଟରେ ଫେରନ୍ତି । ରାମଚନ୍ଦ୍ର ଓଦା ଆଖିକୁ ଦେଖି ଜଳିଲ୍ ଥଟାରେ ପଚାରେ, ‘‘କିରେ ! ଖାଇଲୁ ! ଶଳା ଏକା ଏକା ଖାଇଲୁ ! ଆମକୁ ଡାକିଲ ନାଇଁ ଟିକିଏ !”

 

ରାମଚନ୍ଦ୍ର ଆଖି ପୋଛେ । ହସେ । କୁହେ, ‘‘ରହ, ଆର ଥରକୁ ଦେଖିବା !”

 

ଆର ଥରକୁ ପୁଣି ପୁନରାବୃତ୍ତି ହୁଏ ସେଇ ଘଟଣାର । ରାମଚନ୍ଦ୍ରର ବିଧବା ମା’ କେବେହେଲେ ଦଶଜଣଙ୍କ ପାଇଁ ଏକାବେଳେ ଏତେଗୁଡ଼ାଏ ପିଠା କରି ଆଣିବାକୁ ସାମର୍ଥ୍ୟ ସଂଗ୍ରହ କରିପାରେ ନାହିଁ । ଗ୍ୟାରେଜ ବାଡ଼ିପଟେ ମା’ ପୁଅଙ୍କର ଦେଖାଦେଖି ଘଡ଼ିକ କଟେ ସେଇ ଏକା ଢଙ୍ଗରେ । ଫେରିବାବେଳେ ରାମଚନ୍ଦ୍ର ପୁଣି ତା ମା’ କୁ କହେ, ‘‘ଦେଖ୍‍, ଯାହା ଆଣିବୁ ଦଶଜଣଙ୍କ ପାଇଁ ଆଣିବୁ । ନାହିଁତ ନ ଆଣିବୁ । ମତେ ଏଠି ଭାରି ଲାଜ ଲାଗୁଚି ତାଙ୍କମାନଙ୍କ ଆଗରେ ଏବେ ଠିଆ ହେବାକୁ । ବୁଝିଲୁ ?”

 

ସବୁଥର ଏହିପରି ଚଳି ଯାଉଥିଲା କୌଣସି ପ୍ରକାରେ । କିନ୍ତୁ ଗଲାଥର ରାମ ତା ମା’କୁ ଗାଳି ଦେଲା ଭଳି କହିଥିଲା–

 

“ଆରଥରକୁ ଯଦି ତାଙ୍କମାନଙ୍କ ପେଇଁ ନ ଆଣିବୁ ତେବେ ଜଣିଥା-ଆଉ ଆସିବିନି ମୁଁ ଏ ବାଡ଼ିପଟକୁ । ତୁ ଆସିବୁ । ମାଲିକଠୁଁ ଟଙ୍କା ନେଇ ସିଆଡ଼େ ସିଆଡ଼େ ଯିବୁ । ବୁଝିଲୁ ?”

 

ରାମର ସେ ଅଭିମାନିଆ କଥା ତା’ ବିଧବା ମା’ ଦେହରେ ଚୁଞ୍ଚିଭଳି ଗଳି ଯାଇଥିଲା ଗଲାଥର । ତେଣୁ ଗୋଟାଏ ଟୋକିଓରେ କ’ଣ ସବୁ ପୂରେଇ, ମୁଣ୍ଡେଇ ଆସି ପହଞ୍ଚିଗଲା ଗ୍ୟାରେଜ୍ ଆଗରେ । ମୁଣ୍ଡରୁ ଟୋକେଇଟାକୁ କଷ୍ଟରେ ଓହ୍ଲେଇ ତଳେ ରଖୁ ରଖୁ ଖୁସି ମନରେ ସୁଣେଇ ଦେଇଥିଲା ଯେ, ‘‘ଆସରେ ପିଲେ ! ଦେଖ କିଅଣ ଆଣିଚି !” ଏତିକି କହୁ କହୁ ପୁଣି ବାହାରି ପଡ଼ିଲା କାନ୍ଦ । କହିଲା, “ହଅମ ! ରାଣ୍ଡିଟାଏ ଖଣ୍ଡିଟାଏ, କଅଣ ଆଣିଚି ନା ! କୋଉ ନୀଳା ନା ହୀରା ! ହେଇ ହେଇ ଗଣ୍ଡାଏ ଘି ପିଠା ଯେ, ସେଇଆକୁ କେତେ ଦେଖେଇ ନ ହଉଚି ଭଲ ଏ ରାଣ୍ଡୀଟା ! ...ଆସରେ ପିଲେ । ନିଅ, ଧର ।”

 

କହୁ କହୁ ଟୋକିଇ ମୁହଁରୁ କନା ଘୋଡ଼ଣୀଟି ବୁଢ଼ୀ କାଢ଼ି ବସିଲା ।

 

କିନ୍ତୁ ତାର ହସ ଏତେ ଜାଗା କାନ୍ଦ ଏତେ ଅଭିମାନ ଏତେ କଅଁଳ ଡାକ ସବୁ ବୃଥା ହୋଇଗଲା ।

 

ରାମଜାନ୍ ମାସ ।

 

ଦିନଯାକ ଓପାସ । ରାତିରେ ଚାନ୍ଦ ଦେଖିଲେ ଯାଇ ଖାଇବା ବିଧିକୁ ‘‘ହାଇୱେ ମୋଟର ୱର୍କସ୍‌” ର ଶ୍ରମିକମାନେ ଖୁବ୍ ଜୋରସୋରରେ ପାଳିଆସିଲେଣି ସେତେବେଳେକୁ ପୁରା ଦି’ ସପ୍ତା । ଏତିକିବେଳକୁ ତନ୍ ଖା ମାସର ଆଠ ତାରିଖଟା ଯେ ପଡ଼ିଯିବ ଆଉ ବୁଢ଼ୀ ଆସି ପହଞ୍ଚିଯିବ ଗାଁରୁ, ଟୋକେଇଏ ଘି ପିଠା ଧରି କିଏ ଜାଣିଥିଲା ଭଲା !

 

ରାମଚନ୍ଦ୍ରରର ରାଣ୍ଡୀମା ବୁଢ଼ୀର ଘି ପିଠାକୁ କେହି ତ ଖାଇଲେ ନ ଖାଇଲେ ଆଡ଼ ଆଖିରେ ଅନେଇଲେ ନାଇଁ ସୁଦ୍ଧା କେହି ସେ ଆଡ଼କୁ । ତାଙ୍କର ସେ ଢଙ୍ଗଢ଼ାଙ୍ଗକୁ ବୁଢ଼ୀ ରାଗ ରୁଷା ମନେକରି ପୁଣି ବହେ କାନ୍ଦକୁଟ କରି ଯାଗାଟାକୁ କମ୍ପେଇଲା । ଆହୁରି ପରସ୍ତେ ବହଲେଇ ହୋଇ ଡାକିଲା ସମସ୍ତଙ୍କୁ ପାଖକୁ । କିନ୍ତୁ କେହି ଶୁଣିଲେ ନାଇଁ । ଓଲଟି ହସିଲେ । କହିଲେ, ‘‘ଦିନେ ନାଇଁ କାଳେ ନାଇଁ ଠିକ୍ ରମଜାନ୍ ପାଇଲାରୁ ଭାଙ୍ଗିଲା ଏ ବୁଢ଼ୀର ନିଦ ।” ପୁଅ ରାମଚନ୍ଦ୍ର ବି ମିଶିଲେ ଗ୍ୟାରେଜ୍ ଟୋକାଙ୍କ ସାଥିରେ । କହିଲା, ‘‘ଯା ଯା ନେଇ ଯା ! ମନରେ କଳପନା ରଖି ଜିନିଷ ଆଇଁଲେ ଏଇଆ ହୁଏ । ଦେଖିଲୁ ତ ! ଏଇନେ ଚାଲିଚି ଏଠି ରମଜାନ ଓପାସ ତତେ ଆଉ ଦିନ ଦେଖାଗଲା ନାଇଁ ହଇଲୋ ।”

ରାମଚନ୍ଦ୍ର ରମଜାନ ପାଳୁଚି ଶୁଣି ବୁଢ଼ୀ ତୋବା ହୋଇ ଚାହିଁଲା ତା’ ମୁହଁକୁ । କଅଣ ଭାବିଲ, ଏଡ଼େ ବଡ଼ ପାଟି କରି ଡାକ ପକେଇଲା, ‘‘ମୋ ରାମଚନ୍ଦ୍ରକୁ ରମଜାନ କରିଦେଲ ହେ ବାବୁ !”

ଶେଖ୍ ଆଲ୍ଲିମ୍ମୁଦ୍ଦିନ ଅଧ ଘଣ୍ଟାଏ ପାଇଁ ଗ୍ୟାରେଜ ଛାଡ଼ି କୁଆଡ଼େ ଯାଇଥିଲେ କାମରେ-

କାମସାରି ଫେରିଲା ବେଳକୁ କଥା ଶେଷ । ‘‘ହାଇୱେ ମୋଟର ୱାର୍କସ ଗ୍ୟାରେଜଟା ଜଳି ଯାଉଥାଏ ହୁତହୁତ୍ । ଶହ ଶହ ଲୋକ ହାଉହାଉ ହଉଥାନ୍ତି । ଜଳୁଥାନ୍ତି ମଧ୍ୟ ସେମାନେ । ତାଙ୍କ ମୁହଁରୁ ନିଆଁ ବାହାରୁଥାଏ ହାକୁହାକୁ ।

ଶେଖ୍ ଆଲ୍ଲିମ୍ମୁଦ୍ଦିନ ପିଲାଛୁଆ ଧରି ଛ’ ମାସ ଲୁଚିଲେ ଯାଇ କେଉଁଠି କେହି ଜାଣନ୍ତି ନାହିଁ ।

ଦିନେ ଖବର କାଗଜ ଖଣ୍ଡିଏ ଦେଖୁ ଦେଖୁ ତାଙ୍କ ନଜର ପଡ଼ିଗଲା ହେଡ଼ଲାଇନ୍ ଉପରେ । ଅଲ୍ଲିମ୍ମୁଦ୍ଦିନର ଦେହ ଶିରିଶିରେଇ ଉଠିଲା ଖବରଟା ପଢ଼ୁ ପଢ଼ୁ । ସେଥିରୁ ସେ ଏତିକି ବୁଝିଗଲେ ଯେ ଦେଶର ସରକାର ଭାଙ୍ଗି ଚୂନାଭୁତ୍ । ଦେଶର ନେତାମାନେ ପରସ୍ପର ସାମ୍ପ୍ରଦାୟିକତା ଓ ଏକଚ୍ଛତ୍ରବାଦୀ ବୋଲି ଅଦ୍ଭୁତ ଗାଳି ଦିଆଦେଇ ହଉହଉ କାମ ଫତେ କରିସାରିଲେଣି ନିଜ ନିଜର ।

ଅଲ୍ଲିମ୍ମୁଦ୍ଦିନ ପିଲାଛୁଆ ଘେନି ଫେରିଆସିଲେ ସହରକୁ । ମନ୍ତ୍ରୀ, ଏମ.ଏଲ.ଏ., ଆଇ.ଏ.ଏସ. ପ୍ରଭୃତି ପୁରୁଣା ‘ହାଇୱେ ମୋଟର ୱାର୍କସ’ ବେଳର ବନ୍ଧୁମାନଙ୍କୁ ଲୁଚି ଲୁଚି ଭେଟି ଘଟଣାଟା କ’ଣ ଭଲକରି ଜାଣିବାକୁ ବାହାରିଲେ ସେ ସଞ୍ଜପରେ । ସମସ୍ତଙ୍କ ଘରକୁ ଯାଇ କଥାବାର୍ତ୍ତା କରି ଯାହା ବୁଝିଲେ ସେଥିରେ ତାଙ୍କ ମନରେ ପୁଣି ଥରେ ନୂଆ ନୂଆ ଆଶାସଞ୍ଚାର ହେଲା । ସମସ୍ତେ ପ୍ରାୟ ସେଇ ଏକା କଥା କହିଲେ ତାଙ୍କୁ ଏକାନ୍ତରେ–“ଶେଖ ! ତମର ଯାହା ଟଙ୍କା ଦରକାର ଦିଆଯିବ । ଯାଆ ଆରମ୍ଭ କର କାମ । ନିର୍ବାଚନ ପୁଣି ହବ । ଆମର ଦରକାର ପଡ଼ିବ ଜିପ, ବହୁତ ଗୁଡ଼ାଏ ଜିପ୍ । ବୁଝିଲ ଯାଅ–‘ହାଇୱେ ମୋଟର ୱାର୍କସ’ ପାଇଁ ତମକୁ ଯାଗା ଖଣ୍ଡିଏ ଦବା ଏଥର ଠିକଣା ଅଞ୍ଚଳରେ !”

“କୋଉଠି ?” ଗଲା ଛ’ମାସରେ ଯେତିକି ଦାଢ଼ୀ ବଢ଼ି ଯାଇଥିଲା ଶେଖଙ୍କ ମୁହଁ ଉପରେ ସେତିକିକୁ ଜୋରରେ ମୁଠେଇ ଧରି ମୋଟର ମେକାନିକ ଅଲ୍ଲିମ୍ମୁଦ୍ଦିନ ଅନେଇଗଲେ ଜଣ ଜଣକରି ସମସ୍ତଙ୍କ ମୁହଁକୁ । ଆଉ, ସମସ୍ତଙ୍କଠୁଁ ସେଇ ଏକା ଜବାବ ପାଇଲେ ସେ ।

“ଯୋଉଠି ମୂଳରୁ ବସେଇଥିଲ ତମର ସେ ଗଲା ନିର୍ବାଚନ ପୂର୍ବର ଗ୍ୟାରେଜଟା-ଯାହାକୁ ଭାଙ୍ଗି ଦେଇଥିଲେ ସେମାନେ ? ସେଇଠି ସେଇଠି, ସେଇ ମେନରୋଡ଼ ଉପରେ ।”

“ତା’ ମାନେ ଆପଣ ଫେଣି ଠେଲିଲଣି ସେଇ ଏକଛତ୍ରବାଦୀ ଆଡ଼କୁ ମତେ ?” ଶେଖଙ୍କ ହାତ ହୁଗୁଳା ହେଇ ଆସୁଥାଏ ଦାଢ଼ୀ କେରାକ ଉପରୁ ସେତେବେଳେ । କିନ୍ତୁ ସେପଟୁ ଜବାବ ବାହାରୁଥାଏ ଶେଖଙ୍କ ମୁଦ ଉପରେ ।

“ଏକଚ୍ଛତ୍ରବାଦୀ କିଏ ହୋ ! ସାମ୍ପ୍ରଦାୟିକତା କି ଜିନିଷ ହୋ ! ଯାଅ ଯାଅ । କାମ ଆରମ୍ଭ କର । ନିର୍ବାଚନ ପାଇଁ ଜିପ ସଜିଲ କର ଶୀଘ୍ର ।”

 

ମୋଟର ମେକାନିକ ଅଲ୍ଲିମୁଦ୍ଦିନ୍ ତୋବା ହୋଇ ଚାହିଁଥାନ୍ତି ନେତାଙ୍କ ମୁହଁକୁ ।

Image

 

Unknown

ବଞ୍ଚିବାର ଭାଷା

 

ଏ ବର୍ଷ ଶୀତ ଋତୁ ବହୁତ ଡେରିରେ ଆସିବାର ଅନେକଗୁଡ଼ିଏ କାରଣ ଭିତରୁ ସଂସାରରେ ଧର୍ମହାନି ଯେ ଗୋଟିଏ ମସ୍ତବଡ଼ କାରଣ ଏ ବିଷୟରେ ବୁଦ୍ଧିଜୀବୀମାନେ ପ୍ରକୃତରେ ସଂପୂର୍ଣ୍ଣ ଅଜ୍ଞ ଥିଲେ ।

 

“ଅଲ୍‌ସାମ୍ । ଆଇ କାଣ୍ଟ୍ ବିଲିଭ !” ଇଞ୍ଜିନିୟର ଦାସ୍ ସାହେବ ପ୍ରସ୍ତାବଟିକୁ ବିରୋଧ କରିବାକୁ ଯାଇ ଗାଳି ଆରମ୍ଭ କରି ଦେଇ କହିଲେ, “ତୁମେ ଲେଖକ ପଞ୍ଝାକ ଗୁଡ଼ାଏ ବାଜେ ଲୋକ-। ଲୋକଙ୍କୁ ଜାଣି ଜାଣି ଅବାଟରେ ନବା ତୁମର ସ୍ଵଭାବ । ଗଲା ପୂଜାସଂଖ୍ୟା “ଜନ୍ମଭୂମି”ରେ ତୁମେ ଲେଖିଥିଲ ନା ସେ ଉପନ୍ୟାସ ? ମୁଁ ଅବଶ୍ୟ ପଢ଼ିପାରେ ନାହିଁ ଆଜି କାଲିକାର କିଛି ଲେଖା । ଆଜିକାଲି ତୁମେମାନେ ଯୋଉ ଭାଷା ବ୍ୟବହାର କରୁଚ ମତେ ସେ ସବୁ ଭଲ ଲାଗେ ନାହିଁ । ସେଭଳି ଭାଷା ପଢ଼ିବାକୁ ଚେଷ୍ଟା କଲେ ମତେ ଲାଗେ ଯେମିତି କି ପିଲାଦିନେ ନୀଚ ଲୋକଙ୍କ ଯୋଉ ଭାଷା ଆମେ କାନରେ ଶୁଣିପାରୁ ନ ଥିଲୁ ଏବେ ସେ ଭାଷାରେ ସାହିତ୍ୟ ଲେଖା ହେଲାଣି-। ଛାଡ଼, ଆଚ୍ଛା କହିଲ–ତୁମେ ଯୋଉ ଲେଖାସବୁ ଆଜିକାଲି ଲେଖୁଚ ସେଗୁଡ଼ାକର ମୁଖ୍ୟ ଲକ୍ଷ୍ୟ କଅଣ ? ସଂକ୍ଷେପରେ କହ...”

 

“ଗଡ଼୍ ! ଭଗବାନ ହିଁ ଆମର ମୁଖ୍ୟ ଲକ୍ଷ୍ୟ !” ସାହିତ୍ୟିକ କଥାଟିକୁ ଏଭଳି ସ୍ଵରରେ କାହିଁକି ବୋଧହୁଏ ତାଙ୍କୁ ମଧ୍ୟ ଜଣା ନଥିଲା ତାର କାରଣ । କିନ୍ତୁ ସେ ସ୍ଵରରୁ ଏଭଳି ଗୋଟିଏ ଅସମ୍ମାନର ଆହ୍ଵାନ ଇଞ୍ଜିନିୟର ନିଜେ ଅନୁଭବ କରି ପାରିଲେ ଯେ ସେ ଭୀଷଣ ଆହତ ହେଲାପରି ଚାରିଆଡ଼କୁ ଥରେ ଚାହିଁଦେଲେ ଓ ଶେଷରେ ମୁହପୋତି କିଛି ସମୟ ଚୁପ୍‌ଚାପ୍ ବସି ପଡ଼ିଲେ । ତାଙ୍କର ଚିନ୍ତାଶୀଳ ଓ ସର୍ବଦା ଶ୍ରମକ୍ଳାନ୍ତ ଭଳି ଦିଶୁଥିବା ସରୁଆ ମୁହଁଟି ଈଷତ୍‌ ହାସ୍ୟ ଓ ତାଚ୍ଛଲ୍ୟଜନିତ ଭାବସଂଘାତ ଯୋଗୁଁ ରହସ୍ୟଜନକ ଭାବେ ଅଦୃଶ୍ୟ ହୋଇଗଲା ।

 

ମଣିଷ ଦୁଇଟି କିଛି ସମୟ ପାଇଁ ପରସ୍ପରର ଅଲକ୍ଷ୍ୟରେ ପରସ୍ପରକୁ ଚାହିଁ କଅଣ ସବୁ ବିଚାର କରିବାକୁ ଲାଗିଲେ । ଶୀତଋତୁର ସନ୍ଧ୍ୟା ଆସନ୍ନ । ଘର ଭିତରେ ପ୍ରାୟାନ୍ଧକାର ଘୋଟିଗଲାଣି କେତେବେଳୁ । ମଶାଗୁଡ଼ାକଙ୍କର ଗାଣୁ ଗାଣୁ ସୁସ୍ପଷ୍ଟ ହୋଇ ଉଠିଥାଏ । ଘର ବାହାରେ ଗୋଟିଏ ଧୂମପଟଳ ଭୂଇଁଠାରୁ ମାତ୍ର କେଇଫୁଟ ଉଚ୍ଚରେ ଆକାଶରୁ ଝୁଲିପଡ଼ିଲା ପରି ସ୍ଥିର, ନିଶ୍ଚଳ ହୋଇ ରହିଥାଏ । ଶୀତ ସନ୍ଧ୍ୟାର ଯାବତୀୟ ଲକ୍ଷଣ ବାୟୁମଣ୍ଡଳରେ ପୂରି ରହିଥାଏ । କିନ୍ତୁ ତା ସତ୍ଵେ ଶୀତର ‘‘ଶ” ଅକ୍ଷର ସୁଦ୍ଧା ସେ ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ସ୍ପର୍ଶ କରି ନ ଥାଏ । ପୁଷମାସର ଶେଷାଂଶର ସୂଚନା ସ୍ୱରୂପ ଆକାଶର ମଧ୍ୟଭାଗରୁ ଚନ୍ଦ୍ରର ଆକୃତି କ୍ରମେ ସ୍ପଷ୍ଟତର ହୋଇ ମଳିନ, ଗୋଧୂଳୀବେଷ୍ଟିତ ପ୍ରାୟାନ୍ଧକାର ଭିତରୁ ଦେଖାଯିବାକୁ ଆରମ୍ଭ କରିଥାଏ ।

 

“ଅ”, ଉଚ୍ଚାରଣ କରୁ କରୁ ଇଞ୍ଜିନିୟର ଝଟ୍‌କରି ଉଠି ଠିଆହୋଇ ପଡ଼ିଲେ । ସ୍ଵଭାବତଃ ଡେଙ୍ଗା ଲୋକମାନେ ଯେମିତି ହାତ ପାହାନ୍ତିରୁ ଟିକିଏ ଦୂରଛଡ଼ା ହେଇ ରହିଥିବା ଜିନିଷଟିକୁ ଧରିବା ପେଇଁ ଦରକାର ପଡ଼ିଲେ ସେଆଡ଼କୁ ସାମାନ୍ୟ ଝୁଙ୍କିପଡ଼ି ହାତ ବଢ଼େଇ ଦିଅନ୍ତି ଓ ସେତିକିରେ ସେମାନଙ୍କର ଲମ୍ବା ହାତଟି ପହଞ୍ଚିଯାଏ ସେଠି, ସେଇଭଳି ଇଞ୍ଜିନିୟରଙ୍କର ଲମ୍ବାହାତ ପହଞ୍ଚିଗଲା ଗୋଟିଏ ସୁଇଚ୍ ପର୍ଯ୍ୟନ୍ତ । ସୁଇଚ୍‌ଟିକୁ ଦବେଇବା ମାତ୍ରେ ଘର ଭିତରଟା ଆଲୋକିତ ହୋଇ ଉଠିଲା ଯଥାରୀତି । କିନ୍ତୁ, ପ୍ରାୟ ସାଙ୍ଗେ ସାଙ୍ଗେ ଆଲୁଅ ଲିଭିଯାଇ ଘର ଭିତର ପୂର୍ବପରି ଅନ୍ଧାରିଆ ହେଇଗଲା । ଇଞ୍ଜିନିୟର ସାଙ୍ଗେ ସାଙ୍ଗେ ସୁଇଚ୍‌ ବୋର୍ଡ଼ର ଅନ୍ୟ କେତେକ ସୁଇଚ୍‌କୁ ଟକ୍‌ଟାକ୍ କରି ଲାଗିଲେ ମନବୋଧ ହବା ପର୍ଯ୍ୟନ୍ତ । ତାପରେ ଘୋଷଣା କଲେ ସେ-

 

“ଜେନେରାଲ୍‌ ଫେଲ୍ୟୁଓର୍‌ । ଏଭ୍ରିଥିଙ୍ଗ୍‌ ଉଇଲ୍ ବି ଓ’ କେ ଇନ୍‌ ଏ ମିନିଟ୍‌ !”

 

ନିଜ ଚଉକିରେ ବସି ପଡ଼ୁ ପଡ଼ୁ ସେ ଘର ଭିତର ପଟ କବାଟଆଡ଼କୁ ଉଦ୍ଦେଶ୍ୟ କରି ଡାକଟିଏ ମାରିଲେ–

 

“କ୍ୟାଣ୍ଡେଲ୍‌ ଆଣ୍ଡ ମ୍ୟାଚେସ୍ ପ୍ଲିଜ୍ !”

 

ସ୍ତ୍ରୀଲୋକଟିଏ, ଅଳ୍ପ ସମୟ ପରେ, ଭିତରପଟ କବାଟକୁ ଆବୃତ କରିଥିବା ମୋଟା ପରଦାଟିକୁ ଠେଲି ସେହି ବଖରା ଭିତରକୁ ପଶିଆସିଲେ । ତାଙ୍କ ସହିତ ଗୋଟିଏ ସେଣ୍ଟ୍‌ର ମହକ ମଧ୍ୟ ଚହଟି ଆସିଲା । କିଛିସମୟ ପାଇଁ ସେ ମହକରେ ଘର ଭିତରର ସଂକୀର୍ଣ୍ଣ, ମଳିନ ଓ ଧୂଆଁଳିଆ ବାୟୁମଣ୍ଡଳ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଗଲା ।

 

“ନମସ୍କାର !” ଟିକକେ ଆହ୍ଲାଦିତ ହୋଇ ଉଠିବା ସାହିତ୍ୟିକ ସ୍ଵଭାବ ହୋଇଥିବା ଯୋଗୁ ବା ଅନ୍ୟ ଯେ କୌଣସି କାରଣରୁ ହେଉ ସ୍ତ୍ରୀଲୋକଟିକୁ ଅନ୍ଧାରରେ ଦେଖୁ ନ ଦେଖୁଣୁ ସେ ତାକୁ ଇଞ୍ଜିନିୟରଙ୍କର ପତ୍ନୀ ମନେ କରି ସମ୍ଭ୍ରମତାର ସହିତ ଅଭିବାଦନ ଜଣାଇବା ଉଦ୍ଦେଶ୍ୟରେ ଠିଆହୋଇ ପଡ଼ିଲା । କିନ୍ତୁ ନିଜର ଅଭିବାଦନ ଜ୍ଞାପନ କରିବା ସତ୍ଵେ ଅନ୍ୟ ପକ୍ଷରୁ କୌଣସି ପ୍ରତ୍ୟୁତ୍ତର ନ ଆସିବା ଦେଖି ଲେଖକଟି କିଞ୍ଚିତ୍ ଆଶ୍ଚର୍ଯ୍ୟ ତଥା ସାମାନ୍ୟ ଅପମାନିତ ମନେକରି ପୁଣି ନିଜ ଯାଗାରେ ବସି ପଡ଼ିଲା ।

 

ସ୍ତ୍ରୀଲୋକଟି ଇଞ୍ଜିନିୟରଙ୍କ ସାମ୍ନାରେ ଥୁଆ ହୋଇଥିବା ଖଣ୍ଡିଏ ସେଣ୍ଟର୍ ଟେବଲ୍‌ ଉପରେ ମହମବତୀ ଓ ଦିଆସିଲିଟିକୁ ରଖିଦେଇ ସ୍ଵାଭାବିକ ଢଙ୍ଗରେ ବଖରାର ଚତୁଃପାର୍ଶ୍ୱକୁ ବିଶେଷତଃ ନବାଗତ ଅତିଥିଟିକୁ କେତୋଟି କ୍ଷୀପ୍ର ଦୃଷ୍ଟିରେ ଦେଖିସାରି ପରଦା ଆଢ଼ୁଆଳକୁ ଚାଲିଗଲା । କିନ୍ତୁ ତା ସତ୍ଵେ ବଖରାଟି ଭିତରୁ ସେଇ ଅପୂର୍ବ ଆହ୍ଲାଦରେ ବାସ୍ନାଟି ବାୟୁମଣ୍ଡଳରେ ମିଳେଇ ଯିବା ପରିବର୍ତ୍ତେ ବାହାରେ, ଭୂଇଁ ଉପରେ ଆକାଶରୁ ଝୁଲନ୍ତା ଅବସ୍ଥାରେ ରହିଥିବା ଧୂମପଟଳଟିଏ ପରି ଘର ଭିତରେ ଝୁଲି ରହିଲା ।

 

ଏଥି ମଧ୍ୟରେ ଦିଆସିଲିମାରି ଇଞ୍ଜିନିୟର ବଖରାଟିକୁ ଆଲୋକିତ କରି ଦେଇ ସାରିଥିଲେ । ମହମବତୀରେ ନିଆଁ ଧରୋଉ ଧରୋଉ ସେ ଅଭିଯୋଗ କରି ଉଠିଲେ, ‘‘ଦିସ୍ ଡ୍ୟାମ୍‌ ଇଲେକ୍‌ଟ୍ରିସିଟି କମ୍ପ୍‍ନି !”

 

ମହମବତୀର ଆଲୋକରେ ବଖରାଟି ଆଲୋକିତ ହୋଇ ଉଠୁଥାଏ ଧୀରେ ଧୀରେ । ଇଂଜିନିୟର ତାଙ୍କର ଗାଳି ଶେଷ କରିବା ପାଇଁ ମହମବତୀଟିକୁ ଟେବଲ ଉପରେ ସିଧା ଠିଆ କରିବାର ଉପକ୍ରମ କରିବା ଭିତରେ କହିଲେ, ‘‘ଗଡ଼୍‌...ଗଡ଼୍‌... ସମସ୍ତେ ସେଇଆ କହୁଚନ୍ତି ଆଜିକାଲି । କାରଣ ସେ ଜିନିଷଟା ଖୁବ୍ ଶସ୍ତା । କିନ୍ତୁ, ଟେଲ୍ ମି, ଏ ଯୋଉ ଇଲେକ୍‌ଟ୍ରିକ୍‌ ଫେଲ୍ୟୁଅର୍ ଏଇକ୍ଷଣି ଘଟିଲା-ଏ କଣ ଗଡ଼୍‌ଙ୍କ ଭାଣ୍ଡାମି ? ନା ଆଉ କାହାର ?”

 

“ଗଡ଼୍‌ ଛଡ଼ା ଆଉ କିଏ ଏପରି ଭାଣ୍ଡାମି କରିପାରେ !”, ପରିବେଶକୁ ଅଳ୍ପ ଲଘୁ କରିଦେବା ଉଦ୍ଦେଶ୍ୟରେ ସେଭଳି ଉତ୍ତରଟିଏ ଦେବାକୁ ପହିଲେ ଇଚ୍ଛା କରିଥିଲା ଲେଖକ । କିନ୍ତୁ ସାଙ୍ଗେ ସାଙ୍ଗେ ସେ ପୁଣି ଗମ୍ଭୀର କରିଦେଲା ସନ୍ଧ୍ୟାଟିକୁ । ସେଇ ଲଘୁ ଉତ୍ତରଟି ସହିତ ଆଉ ପଦେ ଯୋଡ଼ିଦେଲା-

 

“ସେ ମହମବତୀଟାକୁ ଜଳେଇ ଲାଭ କ’ଣ ! ବୋଧହୁଏ ଚତୁର୍ଦ୍ଦିଗରେ ଅନ୍ଧକାର ଘୋଟିଯାଉ-ଭଗବାନଙ୍କ ଏଇ ଇଚ୍ଛା । ନଚେତ୍ ଭଗବାନଙ୍କ ନାଁ ପଡ଼ିବା ମାତ୍ରେ ଇଲେକ୍‌ଟ୍ରିକ୍ ଫେଲ୍ୟୁଅର ଘଟିଲା କାହିଁକି ଏ ଘରେ ! ମନେ ହଉଚି ବୋଧହୁଏ ଚତୁର୍ଦ୍ଦିଗରେ ଏଇ ମୁହୂର୍ତ୍ତରେ ଭଗବାନଙ୍କ ଚର୍ଚ୍ଚା ଆରମ୍ଭ ହୋଇଯାଇଚି । ଫଳରେ ଏ ଘର ଭଳି ଅନ୍ୟ ସବୁଠି ଇଲେକ୍‌ଟ୍ରିକ୍ ଫେଲ୍ୟୁଅର ଘଟିଚି । ଚାଲନ୍ତୁ–ମହମବତୀଟିକୁ ମଧ୍ୟ ଲିଭେଇ ଦିଅନ୍ତୁ । ବିଶୁଦ୍ଧ ପ୍ରାକୃତିକ ଅନ୍ଧକାରକୁ କିଛି ସମୟ ଉପଭୋଗ କରିବା ଆବଶ୍ୟକ । ନା କ’ଣ କହୁଛନ୍ତି ?”

 

ଅନ୍ଧାରରେ ବସିବା ପାଇଁ ଲେଖକଟିର ସେ ଅନୁରୋଧ ଇଞ୍ଜିନିୟରର ଋଚି ବହିର୍ଭୂତ ହୋଇଥିଲେ ସୁଦ୍ଧା ଭଦ୍ରତା ଖାତିରିରେ ସେ ଜଳନ୍ତା ମହମବତୀଟିକୁ ଫୁଙ୍କି ଲିଭେଇ ଦେବାକୁ ଉପକ୍ରମ କଲେ । କିନ୍ତୁ ଇତି ମଧ୍ୟରେ ଲେଖକର ମନ ପରିବର୍ତ୍ତନ ଘଟିଯାଇ ସାରିଥିଲା । ତେଣୁ ସେ ପୁଣି କହିଲା–

 

“ଠିକ୍ ଅଛି ! ଆଉ-ବତୀ ଜଳିଲେ, ବିଶେଷତଃ ମହମବତୀଟିଏ ଜଳିଲେ ଆମ ଆଲୋଚନା ବ୍ୟାହାତ ହେବାର ବେଶି କିଛି ସମ୍ଭାବନା ମୁଁ ଦେଖୁନାଇଁ । ଆଚ୍ଛା, ଆପଣ ସେ ପୂଜାସଂଖ୍ୟାର ସଂକ୍ଷିପ୍ତ ଉପନ୍ୟାସଟିକୁ ମୋର ତାହା’ଲେ ପଢ଼ି ପାରିଲେ ନାହିଁ । ଘର ଚମତ୍କାର ବିଷୟବସ୍ତୁ । ତେବେ ଭାଷା ବାଉରି କଣ୍ଡରାଙ୍କର ବୋଲି ଯାହା କହୁଛନ୍ତି ଆପଣ, ମୁଁ ଏକମତ ନୁହେଁ । ଓଡ଼ିଆ ଭାଷା ହିଁ ଓଡ଼ିଆ ଭାଷା । ସାଧାରଣ ଲୋକଙ୍କ ଭାଷାକୁ ଯଦି ବାଉରି କଣ୍ଡରାଙ୍କ ଭାଷା କହିବେ ତେବେ ମୁଁ ନାଚାର !

 

“ଛାଡ଼ନ୍ତୁ ସେ ଭାଷା କଥା । ଏବେ ଭାବ କଥା କୁହନ୍ତୁ !”, ଇଞ୍ଜିନିୟର ମହମବତୀଟିକୁ ଆଉ ଫୁଙ୍କି ଲିଭେଇ ଦବା ଉପକ୍ରମ ନ କରି ବରଂ ଖୁସିହେଇ ସେ ମଳିଚିଆ ଆଲୁଅକୁ ଚାହିଁ ଟିକେ ସ୍ମିତହାସ୍ୟ କଲେ । ତା’ପରେ କହିଲେ ସେ, “ଡୋଣ୍ଟ୍‌ଥିଙ୍କ୍ ଆଇ ଆମ୍ ଲେସ୍ ରିଲିଜିଅସ୍ । ମୁଁ ଜଣେ ଭୋରାସିଅସ୍ ରିଡ଼ର ଆପଣ ଜାଣନ୍ତି । ମତେ ଧର୍ମ ପୁସ୍ତକ ପଢ଼ିବାକୁ ସବୁଠୁଁ ବେଶି ଭଲଲାଗେ । ତଥାପି ମୁଁ ଆପଣଙ୍କ ମତ ସମର୍ଥନ କରିବି ନାଇଁ-ଟେଲ୍ ମି, ଆପଣଙ୍କ ଉପନ୍ୟାସରେ ସେ ଯୋଉ ଲୋକଟା ତା’ ନିଜ ଜିଭକୁ ନିଜେ କାଟି ପକେଇଲା-କ୍ୟାନ୍ ଇଟ୍ ବି ଟ୍ରୁ ? ଆଜିକାଲିକା ଲେଖକମାନେ ଏଭଳି ଅବାସ୍ତବ, ଆବ୍‌ସର୍ଡ଼ ପ୍ରୋପୋଜିସନ୍ ନେଇ ପାଠକଙ୍କ ଆଗରେ ଥୁଅନ୍ତି କାହିଁକି ? ସାହିତ୍ୟ ଓ ପୁରାଣ ଭିତରେ ଯୋଉ ପାର୍ଥକ୍ୟ ରହିବା କଥା-ସେତିକି ଭୁଲିଗଲେ ନା ସାହିତ୍ୟ ହବ ନା ପୁରାଣ ହବ । ଲୋକଙ୍କୁ ଆଉ ‘କକ୍ ଆଣ୍ଡ ବୁଲ ଷ୍ଟୋରି’ କହିବାର ଦିନ ନାହିଁ । ସାହିତ୍ୟ ବାସ୍ତବଧର୍ମୀ ହେବା ଦରକାର ।”

 

ଲେଖକଟି ଏପର୍ଯ୍ୟନ୍ତ ତାର ବନ୍ଧୁ ଇଞ୍ଜିନିୟରକୁ ଜଣେ ସାଧାରଣ ପାଠକ ରୂପେ ଗଣନା କରିଥିଲେ । ଲୋକଟିର ସାହିତ୍ୟ ଋଚି ସମ୍ପର୍କରେ ବେଶି କିଛି ସଚେତନ ହେବାର ସୁଯୋଗ ଆସି ନଥିବା ଯୋଗୁ ଇଞ୍ଜିନିୟରକୁ ଜଣେ ବିଶିଷ୍ଟ ପାଠକରୂପେ ସେ ଗଣି ନଥିଲା । କିନ୍ତୁ ସେ ସନ୍ଧ୍ୟାର ତାତ୍ଵିକ ଅଲୋଚନା ପାଇଁ ଲୋକଟିର ଅଚାନକ ବ୍ୟଗ୍ରତା ଅନୁଭବ କରିପାରି ଲେଖକଟି ଆଶ୍ଚର୍ଯ୍ୟ ହୋଇଯିବା ସ୍ଵାଭାବିକ ଥିଲା ।

 

‘‘ଭଗବାନଙ୍କର କ’ଣ ଏଇ ଇଚ୍ଛା ତା ହେଲେ ଆମେ ଆଜି ମୋ ଉପନ୍ୟାସ ଉପରେ ଗୋଟିଏ ତାତ୍ଵିକ ଆଲୋଚନାରେ ସମୟ ନଷ୍ଟ କରିବା ?” ହସିଦେଇ ଲେଖକ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲା ଥରେ ଇଞ୍ଜିନିୟରର ମୁହଁକୁ । ତା ପରେ ସାହସ କଲା ସେ ସଭା ପ୍ରଥମେ ଗୋଟିଏ ଅତି କଠୋର ବାକ୍ୟ ପ୍ରୟୋଗ କରିବାକୁ ‘‘ଆଲୋଚନା ଆରମ୍ଭ କରିବା ପୁର୍ବରୁ ଦୟାକରି କୁହନ୍ତୁ-ଏ ଯୋଉ ସୁବାସ ଏ ଘରେ ଭର୍ତ୍ତି ହୋଇ ଯାଇଚି, ଏ ସୁବାସ କ’ଣ ଆପଣଙ୍କ ଧର୍ମପତ୍ନୀଙ୍କ ବ୍ୟବହୃତ ସେଣ୍ଟ୍‌ରୁ ନା ଅନ୍ୟ କେହି– ?”

 

ଇଞ୍ଜିନିୟର ପ୍ରଶ୍ନଟିକୁ ଆଡ଼େଇ ଦେବା ପୂର୍ବରୁ ଭିତର ଘର କବାଟର ମୋଟା ପର୍ଦ୍ଦା । ସାମାନ୍ୟ ଚହଲି ଗଲା । ତା ପରେ ହାତରେ ଟ୍ରେ ଟିଏ ଧରି ପୂର୍ବୋକ୍ତ ଭଦ୍ରମହିଳା କୋଠରୀ ଭିତରକୁ ପଶି ଆସିଲେ । ଟ୍ରେ ଟିକୁ ସେଣ୍ଟର୍ ଟେବ୍‌ଲ ଉପରେ ରଖିବାକୁ ନଇଁପଡ଼ିଲାବେଲେ ମହମବତୀ ଆଲୁଅରେ ତାଙ୍କ ମୁହଁ ବେଶ୍ ଆଲୋକିତ ହୋଇ ଉଠିଲା । ଭଦ୍ରମହିଳା ଇଞ୍ଜିନିୟରଙ୍କର ପତ୍ନୀ ନୁହଁନ୍ତି-ଲେଖକ ବନ୍ଧୁଙ୍କୁ ବେଶି ସମୟ ଲାଗିଲା ନାହିଁ ତାଙ୍କୁ ଚିହ୍ନି ନବାକୁ । ସ୍ତ୍ରୀଲୋକଟି ମଧ୍ୟବୟସ୍କା ଓ ବେଶ୍ ସୌନ୍ଦର୍ଯ୍ୟବତୀ ମଧ୍ୟ । କିଏ ହେଇଥାଇ ପାରେ ? ଲେଖକର ଦୃଷ୍ଟି କିଛି ସମୟ ପାଇଁ ସ୍ତ୍ରୀ ଲେକଟି ଉପରେ ନିବଦ୍ଧ ହେଇ ରହିଲା । ତାରି ଭିତରେ ଭଦ୍ରମହିଳା ଦୁଇ ବନ୍ଧୁଙ୍କୁ ଗୋଟିଏ ଗୋଟିଏ ଚା’ କପ୍ ନିଜ ନିଜ ହାତରେ ଧରିବାକୁ ଅନୁରୋଧ କରି ଖାଲି ଟ୍ରେଟିକୁ ଉଠେଇ ନେଇ ସାରିଥିଲେ । ସେକେଣ୍ଡ କେତୋଟି ଭିତରେ ସେ ପୁଣି ପରଦା ଆଢ଼ୁଆଳରେ ଲୁଚି ଯାଇଥିଲେ ।

 

ଚା କପ୍‌ଟି ହାତରେ ଧରି ଲେଖକ କିଛି ସମୟ ସେଇ ପରଦାଆଡ଼କୁ ଚାହିଁ କ’ଣ ଭାବୁଥୁଲେ କେଜାଣି । ଇଞ୍ଜିନିୟର ତାଙ୍କର ଧ୍ୟାନ ଭାଙ୍ଗି ଦେବାପାଇଁ କହିଲେ, ‘‘ବର୍ତ୍ତମାନ ସେ ଜିଭ କାଟିବା ଘଟଣାଟା ଆଉ ଥରେ ବ୍ୟାଖ୍ୟା କର । ପ୍ରଥମେ କୁହ-ତୁମେ ଯେଉଁ ବିଷୟବସ୍ତୁ ଉପରେ ସେ ଉପନ୍ୟାସ ଲେଖିଛ ସେ ବିଷୟବସ୍ତୁ କ’ଣ ଆଧୁନିକ ? ମୋର ମନେ ହଉଚି ସେଥିରେ ତୁମେ ସ୍ଵାଧୀନତା ଗାନ୍ଧି ଫାନ୍ଧି ପ୍ରଭୃତି ବିଷୟରେ କ’ଣ ଗୁଡ଼ିଏ ଲେଖିଚ । ଏ ବିଷୟ ତମର କିଏ ଶୁଣୁଚି ? କିଏ ପଢ଼ୁଚି ? ଆମ ବୟସର ଲୋକଙ୍କର ତ ଧୈର୍ଯ୍ୟ ରହୁନାହିଁ-ଏ ଟୋକାମାନେ ନିଶ୍ଚିତ ଭାବେ ସେ ବିଷୟକୁ କାନାନ୍ତି ନାହିଁ । ତେବେ ଏଗୁଡ଼ାକ ଲେଖି ଲାଭ କ’ଣ ? ସାହିତ୍ୟର ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଆନନ୍ଦ ଦେବା । ତୁମର ଏ ସାହିତ୍ୟ ଲୋକଙ୍କୁ ଆନନ୍ଦ ଦଉଚି ?”

 

ଲେଖକର ନିଜର ଭିତରପଟ କବାଟଆଡ଼ୁ ଫେରି ଆସି ସେତେବେଳେ ବଖରାଟିର ଚାରିକାନ୍ଥକୁ ଅନ୍ୱେଷଣ କଲାପରି କେଇଥର ଘୂରିଆସି ଶେଷରେ ଠାଏ ସ୍ଥିର ହୋଇ ଆସୁଥାଏ । ସେଠି ରାମକୃଷ୍ଣଙ୍କର ଗୋଟିଏ ଛବି କାନ୍ଥରୁ ଝୁଲୁଥାଏ । ଛବିର ଫ୍ରେମ୍ କଡ଼ରୁ ଗୋଟିଏ ଝିଟିପିଟି ହୁଏତ ମୁହଁଟେକି ତାର ଖାଦ୍ୟର ଅନ୍ୱେଷଣରେ ରତ ଥାଏ । ଝିଟିପିଟିର ହଲଚଲ ଯୋଗୁଁ ମଝିରେ ମଝିରେ ସେ ଛବିଟି ଏଭଳି ହଲି ଯାଉଥାଏ ଯେ ପ୍ରାୟାନ୍ଧକାର ଭିତରୁ ଛବିରେ ରାମକୃଷ୍ଣଙ୍କର ରୂପ ମଧ୍ୟ ସାମାନ୍ୟ ଆନ୍ଦୋଳିତ ହେଲାଭଳି ଜଣା ଯାଉଥାଏ । ଲେଖକର ଦୃଷ୍ଟି ସେ ଆନ୍ଦୋଳନର ରହସ୍ୟ ଭେଦକରିବାକୁ ସମର୍ଥ ହେବା ପୂର୍ବରୁ ପ୍ରାୟ ଅଜାଣତରେ ସେ ଇଞ୍ଜିନିୟରର ପ୍ରଶ୍ନର ଉତ୍ତର ଦେଇ ସାରିଥାଏ–

 

“ପ୍ରଚୁର ଆନନ୍ଦ ଦେଉଚି । ବିଶେଷତଃ ଯୁବକମାନେ ବର୍ତ୍ତମାନ ଦେଶର ସ୍ଵାଧୀନତା ଆନ୍ଦୋଳନ ବିଷୟରେ ଯାହା ଭାବୁଚନ୍ତି ସେଭଳି ଚିନ୍ତା ବୟସ୍କମାନେ ମଧ୍ୟ କରୁନାହାନ୍ତି । ଆପଣ ସ୍ଵାଧୀନତା ଓ ଗାନ୍ଧୀନାମକୁ ବିକୃତକରି ବର୍ତ୍ତମାନ କହିଲେ । କିନ୍ତୁ ଟୋକାମାନେ ଏପରି ଶୁଣିଲେ ଆପଣଙ୍କୁ କ୍ଷମା କରିବେ ନାହିଁ । ସେମାନେ ଆପଣଙ୍କ ଜିଭ କାଟିଦେବେ ।”

 

“ହ୍ୱାଟ ?” ଇଞ୍ଜିନିୟର ଦାସ ସାହେବ୍ ବେଶ ବିରକ୍ତ ହୋଇ ଉଠିଲେ । ବିରକ୍ତ ହେଲେ ସ୍ଵଭାବତଃ ସେ ଯେମିତି ନିଜ ମୁହଁକୁ ରହସ୍ୟଜନକ ଭାବେ ଅଦୃଶ୍ୟ କରିଦେଇ ପାରନ୍ତି ଓ ତା ଫଳରେ ତାଙ୍କର ବିରକ୍ତି ଦୃଶ୍ୟମାନ ନ ହୋଇ ସୁଦ୍ଧା ଅପର ପକ୍ଷର ମନରେ ଭୀତି ସଂଚାର କରିପାରେ, ସେମିତି ଅଦୃଶ୍ୟ ହେଇଗଲା ତାଙ୍କ ମୁହଁର ସବୁ ହାବଭାବ କିଛି ସମୟ ପାଇଁ । ଚା’ କପରେ କେଇଥର ଓଠ ଲଗେଇ ନେଲେ ସେ ତା ଭିତରେ । କହିଲେ ତାପରେ-

 

“ମନେ ହେଉଚି–ଆଜି ଏ ଯୋଉ ସବୁ ପଲିଟିକାଲ୍ ହେର୍‍ଫେର୍‍ ଚାଲିଚି ଚତୁର୍ଦ୍ଦିଗରେ-ସେଥିରେ ଖୁବ୍ ସମ୍ପର୍କ ରଖିଚନ୍ତି ଆପଣ । ସ୍ଳୋଗାନ ମଙ୍ଗରିଂ-ଆଇ ସୁଡ଼୍‌ ସେ । ମୁଁ ବେଶ୍ ଶୁଣୁଚି ସେ ସବୁ । ଯୁବକମାନେ ପୁଣି ସ୍ୱର ଲେଉଟେଇଚନ୍ତି । ଗାନ୍ଧି-ଗାନ୍ଧି । କିନ୍ତୁ ଆପଣ ଯୁବକମାନଙ୍କୁ ଚିହ୍ନନ୍ତି ନାଇଁ-ମୁଁ କହୁଚି । ଦେ ଆର୍ ଲିଷ୍ଟ କନ୍‌ସରନ୍‌ଡ୍‌ ଉଇଥ୍‌ ଗାନ୍ଧି ଆର୍‌ ଏନିଥିଂ ଅଫ୍ ଦ୍ୟାଟ୍ ନେଚର । ତା ଛଡ଼ା ପଲିଟିକସ ନେସନ୍‌କୁ ପୁଇନ୍‌ଡ଼୍‌ କରି ଦେଇସାରିଚି । ପଲିଟିକ୍‌ସରେ ଆଉ କ’ଣ ଅଛି ଯେ ଯାହା ମଣିଷ ମନକୁ ଅପୋଜ ଦେବ ? ସାହିତ୍ୟର ମୁଖ୍ୟକାମ ମଣିଷ ମନକୁ ଅମୋଦିତ କରିବା । ପଲିଟିକସର ଆମୋଦ ଦେବା କ୍ଷମତା ଆଉ ନାହିଁ-ବୁଝୁଚନ୍ତି ତ ? ସେଗୁଡ଼ାକ ଟ୍ରାସ୍, ସାମ୍, ବିଷୟବସ୍ତୁ ପାଲଟି ସାରିଛି କୋଉଦିନୁ । ହ୍ୱାଇ ଟକ୍ ଅଫ୍ ଇଟ୍‍ ଏନି ମୋର ?

 

“ମୁଁ ରାଜି ନୁହେଁ–”, ଲେଖକର ଦୃଷ୍ଟି ଏଥିମଧ୍ୟରେ ରାମକୃଷ୍ଣଙ୍କ ଫଟୋ ଉପରୁ ଘୁଞ୍ଚିଆସି ମହମବତୀର ଜଳନ୍ତା ଶିଖା ଉପରେ ଟିକିଏ ସମୟ ରହି ପୁଣି ସେଇ ପରଦା ଉପରକୁ ଅବଲୀଳାକ୍ରମେ ରାତି କରିସାରିଥିଲା । ସେଠି କେତେ ସମୟ ସ୍ଥିର ରହିପାରିଲା ତା ଅନୁଭବ କରିବା ପୂର୍ବରୁ ତାର ମନେହେଲା ଯେମିତି ପରଦାଟି ସାମାନ୍ୟ ଘୁଞ୍ଚିଗଲା ଓ ଯୋଉ ଫାଙ୍କଟି ସୃଷ୍ଟି ହେଇଗଲା ସେ ଭିତରୁ ସେ ଘରର ଭିତରପଟର କିଛି ଅଂଶ ଦେଖି ପାରିଥିଲା । ଜଳନ୍ତା ମହମବତୀଟିଏ ହାତରେ ଧରି ସ୍ତ୍ରୀ ଲୋକଟି ଘର ଭିତରେ ଚଳପ୍ରଚଳ ହେବାର ଗୋଟିଏ କ୍ଷଣିକ ଚିତ୍ର ତା ଦୃଷ୍ଟିରେ ଖେଳିଯିବାରୁ ଲେଖକ ପକ୍ଷରେ ଆହୁରି ଅନୁସନ୍ଧିତ୍ସୁ ହୋଇପଡ଼ିବା ସ୍ଵାଭାବିକ ଥିଲା । କିନ୍ତୁ ଲୋକଲଜ୍ଜା ହେତୁ ସେ ବାଧ୍ୟ ହୋଇ ତେଣୁ ଆଖି ଫେରାଇ ଆଣି ସାମନାରେ ରହିଥିବା ଲୋକଟିର ମୁହଁକୁ ନିରୀକ୍ଷଣ କଲାପରି ଦେଖି ଲାଗିଲା । ତାପରେ ଆଲୋଚନାର ପୂର୍ବପର ସମ୍ପର୍କ ରକ୍ଷାକରି କହିଲା-

 

“ରାଜନୀତି ହିଁ ଯୁଗେ ଯୁଗେ ସାହିତ୍ୟର ଆଧାର । ରାମାୟଣ ମହାଭାରତ ତ ରାଜନୀତିର ବାପ’ ମା । ବାଇବେଲ, କୋରାନ ରାଜନୀତିର ମୂଳଶାସ୍ତ୍ର । ଏଗୁଡ଼ିକୁ ସେଇ କାରଣରୁ ଧର୍ମଗ୍ରନ୍ଥ କୁହାଯାଏ । ଉଚ୍ଚକୋଟିର ସାହିତ୍ୟ ମଧ୍ୟ କୁହାଯାଏ । ଆଜିର ପିଲା ରାଜନୀତି କରିବା ପାଇଁ ବ୍ୟାକୁଳ କାରଣ ତାର ଧର୍ମ ଓ ସାହିତ୍ୟ ଚେତନାର ପୁନରୁତ୍‌ଥାନ ସୁସ୍ପଷ୍ଟ । ପଲଟିକ୍‌ସ୍‌ର ଆମୋଦଦେବା କ୍ଷମତା ଆଉ ନାହିଁ-ମୁଁ ଆପଣଙ୍କର ଏ ତତ୍ୱକୁ ସମର୍ଥନ କରିପାରୁ ନାହିଁ । ଅବଶ୍ୟ ପଲିଟିକ୍‌ସ ପଚିସଢ଼ି ଗଲାଣି ବୋଲି ଆପଣ ଯାହା କହୁଚନ୍ତି ମୁଁ ମାନୁଚି କିନ୍ତୁ ଯେଉଁ ଦେଶର ରାଜନୀତି ଯେତିକି ପରେ ସେ ଦେଶର ଲୋକେ ସେତିକି ଧର୍ମ ସଚେତନ ହୋଇ ଉଠନ୍ତି ଆପଣ ଜାଣୁଥିବେ । ଭାରତର ଲୋକଙ୍କ ଅବସ୍ଥା ଭିନ୍ନ ନୁହେଁ । ନାଇନ୍‌ଟିନ୍‌ଥ ସେଞ୍ଚୁରିରେ ପଲିଟିକ୍‌ସ ପଚିସଢ଼ି ସେଥିରୁ ଲାଙ୍ଗୁଳାପୋକ ବାହାରିବାରୁ ଯାଇ ସ୍ଵାଧୀନତା ଆନ୍ଦୋଳନର ବୀର ପୁରୁଷମାନେ ଜନ୍ମ ହେଲେ । ଟ୍ୱେଣ୍ଟିଏଥ୍‌ ସେଞ୍ଚୁରିର ଅବସ୍ଥା ସେଇ ଆଡ଼କୁ ଗତି କରୁଚି । ବୀର ପୁରୁଷମାନେ ଜନ୍ମହେବା ଅନିର୍ବାର୍ଯ୍ୟ ସେମାନେ କୋଉଠୁ ଜନ୍ମିବେ ? ଏଇ ଲୋକମାନଙ୍କ ଭିତରୁ ତ ?”

 

“ଟୁ ବି ସିଓର ! କିନ୍ତୁ ୱେଟ୍ ଏ ମିନିଟ୍ । କନ୍‌ସିଡ଼ର ଜଷ୍ଟ୍‌ ହ୍ୱାଟ୍ ୟୁ ହାଭ୍ ସେଏଡ଼୍ । ରାମାୟଣ, ମହାଭାରତ, ବାଇବେଲ୍, କୋରାନ୍–ଏ ଗୁଡ଼ିକୁ ଆପଣ ସାହିତ୍ୟ ବୋଲି କହୁଛନ୍ତି ? ଧର୍ମ ପୁସ୍ତକ ଓ ବାସ୍ତବାନୁଭୂତି ମୂଳକ ଲେଖା ବା ସାହିତ୍ୟ ଭିତରେ ଆପଣ କିଛି ପ୍ରଭେଦ ଦେଖୁନାହାନ୍ତି ତା ହେଲେ ? ଆଇ କାଣ୍ଟ୍ ଏଗ୍ରି ଉଇଥ୍ ଦିସ୍ । ନେକ୍‌ସଟ୍- ‘ଆଜିର ପିଲା ରାଜନୀତି କରିବାକୁ ବ୍ୟାକୁଳ କାରଣ ତାର ଧର୍ମ ଓ ସାହିତ୍ୟ ଚେତନାର ପୁନରୁତ୍‌ଥାନ ସୁସ୍ପଷ୍ଟ-ଆପଣଙ୍କର ଏ ଅଭିମତ ବାସ୍ତବିକ୍ ଓ କଳ୍ପନା ପ୍ରେମୀ ଏଇଥିରୁ ଅନୁମାନ କରନ୍ତୁ । ଆଜି କାଲିକାର ଟୋକାମାନଙ୍କୁ ଆପଣ କିଛି କିଛି ଷ୍ଟଡ଼ି କରନ୍ତୁ-ଏଭଳି ମତାମତ ଦେବା ପୂର୍ବରୁ । ଦେ ଆର୍ ଲିଷ୍ଟ୍ କନ୍‌ସର୍‌ନଡ଼୍ ଉଇଥ୍ ୟୋର୍ ଥିଓରିଜ୍ । ଅନ୍ୟ ପକ୍ଷରେ ସେମାନେ କିଏ, କଅଣ ତାଙ୍କ ବିଷୟରେ ଅନ୍ୟମାନେ ଭାବନ୍ତି, ତା ଜାଣନ୍ତି ନାହିଁ ସେମାନେ । ଏ ରେସ୍ ଅଫ୍ ସୁପବ୍ ଇଗ୍‌ନୋରାନସ ଦେ ଅର୍ । ଏ ଦୁଇଟି ପଏଣ୍ଟ୍ ଛଡ଼ା ମୋର ଆହୁରି କହିବାର ଅଛି-ଆପଣ ଭାବୁଛନ୍ତି ଟ୍ୱେଣ୍ଟିଏଥ୍ ସେଞ୍ଚୁରିର ବୀରଗଣ ନାଇନ୍‍ଟିନ୍‌ଥ ଭଳି ପଚା ରାଜନୀତିରୁ ଜନ୍ମିବେ, ନାଇଁ ? ଫଲ୍‌ସ୍ ! ମିଛ, ଅସମ୍ଭବ ! ଏଗେନ୍ ରୋମାଣ୍ଟିସିଜମ୍ ! ମୋଟାମୋଟି ଗୁଡ଼ିଏ ଦିବାସ୍ଵପ୍ନ ହିଁ ଆପଣ ଦେଖୁଛନ୍ତି । ଫର୍‌ଗେଟ୍ ଏଭ୍ରିଥିଙ୍ଗ୍ । ୟୁ ଆର୍ ଇନ୍ ଦି ମିଡ଼୍‍ଷ୍ଟ ଅଫ୍ ଅନ୍ ପ୍ରିସିଡ଼େଣ୍ଟେଡ଼ ଫୋର୍‌ସେସ୍ ଅଫ୍ ହିଷ୍ଟ୍ରି ଟୁଡ଼େ । ଅତୀତକୁ ପୂରାପୂରି ଭୁଲି ଯାନ୍ତୁ । ଥିଙ୍କ୍ ଅଫ୍ ଇଟ୍ ଆଜ୍ ଏ ଡେଡ଼୍ ୱାଲ୍ । ପଛକୁ ଫେରିଯିବାକୁ ବାଟ ନାହିଁ ଆଉ । ଗାନ୍ଧି, ନେହେରୁ ଭୁଲିଯାନ୍ତୁ ସେମାନଙ୍କ କଥା । ନାଇନ୍‌ଟିନ୍‌ଥ ସେଞ୍ଚୁରି ୱାଜ୍ ନେଭର୍ ଦେଆର୍-ଜଷ୍ଟ‌ ଥିଙ୍କ୍ ଲାଇକ୍ ଦ୍ୟାଟ୍ ।”

 

ଇଞ୍ଜିନିୟର ଦାସ୍ ସାହେବଙ୍କ ଆନାଲିସିସ୍‌ର ଠିକ୍ ଶେଷ ଶବ୍ଦ ପାଖରେ ଦପ୍ କରି ଘର ଭିତରର ବିଜୁଳୀ ବତୀଟି ଜଳି ଉଠିଲା । ସେକେଣ୍ଡକ ପାଇଁ ଚତୁର୍ଦ୍ଦିଗ ଆଲୋକିତ ହୋଇଯିବା ମାତ୍ରେ ଲେଖକର ଆଖି ସ୍ୱତଃ ବଖରାଟିର ଚତୁର୍ପାଶ୍ୱକୁ ପୁଣି ଥରେ ନିଘା କରିବାରେ ଲାଗି ପଡ଼ିଲା ପ୍ରାୟ ଦଶ ଫୁଟରେ ଦଶ ଫୁଟ ଛୋଟ ବଖରାଟି ଭିତରେ ଯେଉଁ ସୋଫା ସେଟ୍‌ଟି ପଡ଼ିଥିଲା ଓ ଯାହାର ଦୁଇଟି ଚେୟାର କଥୋପକଥନରତ ମଣିଷ ଦୁଇଟି ଅଧିକାର କରିଥିଲେ ସେଇ ସେଟ୍‌ଟି ଛଡ଼ା ସେ ବଖରାରେ ଆଉ ବେଶି କିଛି ଆସବାବ ନଥିଲା । ତେବେ ଭଳି ମନେ ହେଉଥିଲା । ଉଦାହରଣ ସ୍ୱରୂପ କାନ୍ଥର ଗୋଟିଏ କଣକୁ ଗଦାଏ ଖବର କାଗଜ ଓ ମ୍ୟାଗାଜିନ୍ ଏତେ ଉଚ୍ଚକୁ ଜମି ଉଠିଥିଲା ଯେ ସଭା ଉପରେ ରଖାଯାଇଥିବା ମ୍ୟାଗାଜିନ୍‌ର କଭର ଚଉକିରେ ବସିଥିବା ଲୋକର ଆଖିରେ ସହଜରେ ପଡୁ ନ ଥିଲା । ଲେଖକର କୌତୁହଳ ସ୍ଵଭାବତଃ ସେଇ ମ୍ୟାଗାଜିନ୍ ଆଡ଼କୁ ଯିବା ହେତୁ ତାର ଆବିଷ୍କାର ସ୍ପୃହା ବଢ଼ି ଉଠିଲା । ଚଉକି ଉପରୁ ଅଳ୍ପ ଉହୁଙ୍କି ଉଠି ସେଇ ଅଦୃଶ୍ୟ ଜିନିଷଟିକୁ ଦେଖିବାକୁ ଚେଷ୍ଟା କଲା । ମ୍ୟାଗାଜିନ୍ କଭରଟା ପ୍ରଥମେ ତା ଆଖିରେ ପଡ଼ିବା ମାତ୍ରେ ସେ ବେଶ୍ ବୁଝି ପାରିଥିଲା କଭର ଭିତରେ ରହିଥିବା ପୃଷ୍ଠା ଗୁଡ଼ାକର ପ୍ରକୃତିକୁ କୌଣସି ସିନେମା ମାଗାଜିନ୍ ହୁଏତ-ଏଇଆ ଭାବି ସେ ପୁଣି ବସି ପଢ଼ୁଥିଲା ତା ଚେୟାରରେ । କିନ୍ତୁ ତା ଦେହର ପୁରା ଓଜନ ଚେୟାର ଉପରେ ଜମିଯିବା ପୂର୍ବରୁ ଇଞ୍ଜିନିୟର ଦାସ୍ ତାଙ୍କର ସ୍ଵତନ୍ତ୍ର ଠାଣିରେ ନିଜ ଶରୀରକୁ ଲମ୍ବେଇ ଦେଲେ ଓ ମ୍ୟାଗାଜିନ୍‌ଟାକୁ ଥାକ ଉପରୁ ଉଠେଇ ଆଣି ଲେଖକ ଆଗରେ ଧରି ରଖିଲେ । ‘‘ମୋ ପୁଅର ମ୍ୟାଗାଜିନ୍ ଏ”, କହିଲେ ସେ ।

 

ତାପରେ ତରବର ହୋଇ ପୃଷ୍ଠା ଗୁଡ଼ିକୁ ଓଲଟେଇ ପକଉ ପକଉ କହିଲେ ସେ ପୁଣି ଥରେ, ‘‘ମୋ ପୁଅର ମ୍ୟାଗାଜିନ୍ ଏ । ବର୍ତ୍ତମାନ ଦେଖନ୍ତୁ-ମୁଁ ଯାହା କହୁଥିଲି ୟା ପୂର୍ବରୁ, କେତେ ଦୂର ଠିକ୍ ସେକଥା । ନାଇନ୍‌ଟିନ୍‌ଥ୍ ସେଞ୍ଚୁରି ୱାକ୍ ନେଭର୍ ଦେୟାର୍-ଡିଡ଼୍‌ଣ୍ଟ ଆଇ ସେ ?”

 

ଇଞ୍ଜିନିୟରଙ୍କ ପୃଷ୍ଠା ଓଲଟାଇବା କିଛି ବାଟ ଦୃତ ଗତିରେ ଆଗେଇ ଗଲା ପରେ ପୁଣି ସେଇ ଭଳି ଦୃତ ଗତିରେ ପଛକୁ ଗତି କରି ଆସିଲା । ତାପରେ ପୁଣିଥରେ ମ୍ୟାଗାଜିନ୍‌ର ମଝି ଅଂଶରୁ ପଛ ଆଡ଼କୁ ପୃଷ୍ଠା ଓଲଟେଇ ଲାଗିଲେ ସେ । ନିଶ୍ଚିତ ଭାବେ ସେ କୌଣସି ଗୋଟିଏ ମଜା ଜିନିଷ ସେ ମ୍ୟାଗାଜିନ୍‌ରୁ କୋଉଦିନ ଲକ୍ଷ୍ୟ କରିଥିଲେ ।

 

“ବିଷୟଟା କଅଣ ? ନେକେଡ଼୍ ଛବି ତ ? –କୌଣସି ଷ୍ଟାରର ?” ଲେଖକ ବିଶେଷ କୌତୁହଳ ନ ଦେଖାଇ ଇଞ୍ଜିନିୟରଙ୍କର ପୃଷ୍ଠା ଓଲଟାଇବା ଭଙ୍ଗିକୁ ଲକ୍ଷ୍ୟ କରୁ କରୁ ଅଳ୍ପ ହସି କହିଲେ ।

 

“ୟେସ୍-ନେକେଡ଼୍ ପିକ୍‌ଚରସ୍-ଭେରି ନେକେଡ଼୍-ଲେଟ୍ ମି ସି ଦେମ୍ ଫାଷ୍ଟ ହୋଓ୍ଲେର୍ ଦେ ଆର୍ ?” ସ୍ଵାଭାବିକ ଭାବେ କହି ଚାଲିଥିଲେ ସେ । କିନ୍ତୁ ତାଙ୍କ କହିବା ଢଙ୍ଗରୁ ଗୋଟିଏ ପ୍ରକାର ତୀର୍ଯ୍ୟକ୍‌ତା ପ୍ରକାଶ ପାଉଥିଲା ଯେଉଁଥିରୁ ଲେଖକର କୌତୁହଳ ଟିକିଏ ଖୋରାକ ପାଇ ବଞ୍ଚି ରହିବା ସମ୍ଭବ ହେଉଥିଲା ।

 

“ମୋର ନେକେଡ଼୍ ପିକ୍‌ଚରସ୍ ଦେଖିବାର ସ୍ପୃହା ଅବିକା ବେଶୀ ନାହିଁ-ବାଇ ଦ ୱେ-ସେ ଭଦ୍ର ମହିଳାଟି କିଏ ଯେ ଏଠିକି... ?” ନିଜର କୌତୁହଳ ସେଇ ଅବସରରେ ପଦାକୁ ବାହାରି ଆସିବା ବିଶେଷ ଅପ୍ରାକୃତିକ ମନେ ହେଉଥିଲେ ମଧ୍ୟ ନିଜ ପାଟିରୁ ସେଇ ପ୍ରଶ୍ନଟି ବାହାରି ପଡ଼ିବା ମାତ୍ରେ ଲେଖକ ସତର୍କ ହୋଇଗଲା ଓ ତାର ପ୍ରତିକ୍ରିୟା କଅଣ ହେଉଚି ଜାଣିବା ପାଇଁ ପ୍ରସ୍ତୁତ ହୋଇଗଲା ।

 

କିନ୍ତୁ ଲେଖକର ପ୍ରଶ୍ନ ଶୁଣି ନ ଶୁଣିଲା ଭଳି ଇଞ୍ଜିନିୟର ବନ୍ଧୁଟି ପୁଅର ମ୍ୟାଗାଜିନ୍ ପୃଷ୍ଠା ଓଲଟ ପାଲଟ କରି ସେଇ ନିର୍ଦ୍ଦିଷ୍ଟ ଆବିଷ୍କାର ପଛରେ ଏଭଳି ମାତିଗଲା ଯେ ଲେଖକଟି ବାଧ୍ୟ ହୋଇ ଏକୁଟିଆ ବସିରହିଲା । ସେଇ ଅବସରରେ ତା ଆଖି ପୁଣିଥରେ ସାରା ବଖରାଟିର ଚାରିକାନ୍ଥ ଉପରେ ଘୂରି ଆସିଲା । ରାମକୃଷ୍ଣଙ୍କ ଫଟୋ ପଛପଟୁ ଝିଟିପିଟିଟି ଏଥି ମଧ୍ୟରେ ପୂରା ବାହାରି ଆସି କାନ୍ଥରେ ଚାଲୁଥିବା ଦେଖି ଲେଖକ ଆଉଥରେ ସେ ଫଟୋକୁ ଭଲକରି ଚାହିଁଲା । କିଛି ସମୟ ପରେ ତା ଦୃଷ୍ଟି ସ୍ୱତଃ ଘୂରିଗଲା ସେଇ ପରଦା ଆଡ଼କୁ-ଭିତର ଘର କବାଟ ଉପରକୁ । ହଠାତ୍ ଚଂ କରି ଲାଗିଲା କଅଣ ଗୋଟାଏ ନିଜ ଛାତି ଭିତରେ, ସେଇଭଳି ଅନୁଭବ କରିପାରି ଲେଖକର ହାତ ଅଜାଣତରେ ତା ଛାତି ଉପରକୁ ଚାଲି ଆସିଲା । ଭଗବାନ ! ଏ କ’ଣ ଦେଖୁଚି ! ମନେମନେ ବାରମ୍ବାର ଈଶ୍ୱରଙ୍କୁ ଡାକି ଥରକୁ ଥର ଆଖି ବୁଜି ପୁଣି ଖୋଲି ନିଜ ଦୃଷ୍ଟିର ସତ୍ୟତା ସେ ପରୀକ୍ଷା କରି ଲାଗିଲା । କିନ୍ତୁ ପ୍ରତିଥର ସେ ସେଇ ନିର୍ଦ୍ଦିଷ୍ଟ ଦୃଶ୍ୟଟିକୁ ହିଁ ପରଦା ଆଢ଼ୁଆଳରୁ ଦେଖିବାକୁ ପାଉଥିଲା ।

 

“ନାଓ-ଗଟ୍ ଇଟ୍ ! ସି-”, ଇଞ୍ଜିନିୟର ଦାସ ସାହେବଙ୍କ ଆବିଷ୍କାରର ପରିଣତି ଏଭଳି ପ୍ରଚଣ୍ଡ ସ୍ୱରରେ ଶୁଣାଗଲା ଯେ ଲେଖକଟି ସଙ୍କୁଚିତ ହୋଇଗଲା ଅଜଣା ଆଶଙ୍କାରେ !

 

“ସି-”, ଇଞ୍ଜିନିୟର ଗୋଟାଏ ଚଟକଣା ମାରିଲା ପରି ମ୍ୟାଗାଜିନଟାକୁ ପିଟିଦେଲେ, ଆଉ କହିଲେ, ‘‘ଲୁକ୍ ହିଅର୍ ! ହୁ ଓ୍ଵାଜ୍ ମହାତ୍ମା ଗାନ୍ଧି ? -ଏଇ ପ୍ରଶ୍ନର ଉତ୍ତର ସଂଗ୍ରହ କରାଯାଇଛି ଛ’ରୁ ବାର ବର୍ଷ ପିଲାଙ୍କଠାରୁ । ଉତ୍ତର କ’ଣ ମିଳିଚି ଶୁଣ-

 

ସଟ୍‌ପାଲ୍ ସିଂ ନାରଙ୍ଗ୍, ବୟସ ନ’ ବର୍ଷ, କହୁଛନ୍ତି–

 

‘ହି ଡିଡ଼୍, ଦ ଦଣ୍ଡି ମାର୍ଚ୍ଚ ଇନ୍ ଆଫ୍ରିକା । ଆଇ ହାଭ୍ ବିନ୍ ଟୁ ଗୁଜୁରାଟ୍ । ହି ୟୁଜ୍‌ଡ଼୍ ଟୁ ଲିଭ୍ ଦେଆର୍ ଆଣ୍ଡ୍ ନାଓ ଦେ ହାଭ୍ ମେଡ଼୍ ଇଟ୍ ଇଣ୍ଟୁ ଏ ଜୁ ହୋଓ୍ଵର୍ ଦେ କିପ୍ ଫଟୋଜ୍ ଆଣ୍ଡ୍ ପିପୁଲ୍ କମ୍ ଟୁ ସି ଦେମ୍...’

 

ସମୀର ଆରୋରା, ବୟସ ସାଢ଼େ ଦଶ ବର୍ଷ, କହୁଚନ୍ତି–

 

“ଗାନ୍ଧିଜ୍ ଫାଷ୍ଟ୍ ନେମ୍ ଓ୍ଵାଜ୍ ମହାତ୍ମା । ହି ହେଲ୍‌ପ୍‌ଡ଼ ଇଣ୍ଡିଆ ଟୁ ଗେଟ୍ ଫ୍ରିଡ଼ମ୍, ବଟ୍ ଆଇ ଡୋଣ୍ଟ୍ ନୋ ହାଓ । ଓ୍ଵାନ୍‌ସ୍ ହୋଓ୍ଵାର୍ ହି ଓ୍ଵାଜ୍ ଲିଭିଙ୍ଗ୍ ଦି ପ୍ଲେସ୍ ଓ୍ଵାଜ୍ ଫୁଲ ଅଫ୍ ମସ୍କିଟୋଜ୍ ସୋ ଗାନ୍ଧିଜି ଫେଲଟ ସିକ୍ । ଦି ଡକ୍‌ଟରସ୍ ଆଡ଼୍‌ଭାଇଜଡ଼୍ ହିମ ଟୁ ଟେକେ୍ ଏ ମସ୍‌କ୍ଵିଟୋ ନେଟ୍‍, ବଟ୍ ଗାନ୍ଧିଜି ଡିଡ଼୍‌ନଟ୍ ଓ୍ଵଣ୍ଟ୍ ଏନିଥିଂ ଦ୍ୟାଟ୍ ଅଦର ପିପୁଲ ଇନ୍ ଇଣ୍ଡିଆ କୁଡ଼୍ ନଟ ଗେଟ୍, ସୋ ହି ରବଡ଼୍ ହିଜ୍ ବଡ଼ି ଉଇଥ କିରୋସିନ୍ ଅଏଲ୍ ଆଣ୍ଡ ଟୁକ୍ ଏ ସିଟ୍ ଆଣ୍ଡ ସ୍ଳେପଟ !”

 

ରେନୁକା ରାମନାଥନ୍, ବୟସ ଛ’ବର୍ଷ, କହୁଚନ୍ତି–

 

“ଆଇ ହାଭ୍ ନେଭର୍ ହାର୍ଡ଼ ଅଫ୍ ଗାନ୍ଧିଜି । ଉଇ ହାଭ୍ ହିଷ୍ଟ୍ରି ଓନ୍‌ଲି ଇନ୍ ଥାର୍ଡ଼ ଷ୍ଟାଣ୍ଡାର୍ଡ଼ ଆଣ୍ଡ୍ ଆଇ ଆମ୍ ଇନ୍ ଦି ସେକେଣ୍ଡ !”

 

ଇଞ୍ଜିନିୟର ଦାସ୍ ସାହେବ ମ୍ୟାଗାଜିନ୍‌ଟିକୁ ଆଉ ଧୈର୍ଯ୍ୟର ସହିତ ପଢ଼ି ନ ପାରି ଲେଖକଙ୍କ ଆଡ଼କୁ ଫୋପାଡ଼ି ଦେଲେ । କହିଲେ, “ଟେକ୍ ଇଟ୍ । ଦ୍ୟାଟସ୍ ୟୋର୍ ଗାନ୍ଧି ଆଣ୍ଡ ଦ୍ୟାଟସ୍ ୟୋର୍ ଗ୍ରାଣ୍ଡ୍ ଚିଲଡ଼୍ରେନ୍ ଅଫ୍ ଗାନ୍ଧି...ଟେକ୍ ଇଟ୍ ।”

 

ମହମବତୀଟି ସେଣ୍ଟର୍ ଟେବଲର ଗୋଟିଏ କଣରୁ ତଥାପି ଜଳୁଥାଏ । ଇଲେକ୍‌ଟ୍ରିକ୍ ବତୀ ଜଳିବା ସତ୍ୱେ ସେଇଟିକୁ ଲିଭାଇ ଦେବାକୁ ଭୁଲି ଯାଇଥାନ୍ତି ସେମାନେ ।

 

ଖୋଲା ଝରକା ବାଟେ କେହି ଜଣେ ମୁହଁରେ ଫୁଙ୍କିଲା ଭଳି ଦମକାଏ ପବନ କୋଠରୀ ଭିତରକୁ ପଶି ଆସି ଭିତର ଘରକୁ ସଂଯୁକ୍ତ କରୁଥିବା କବାଟ ଉପର ପରଦା ଠେଲି ବାହାରି ଚାଲିଗଲା । ପବନରେ ଶୀତର ପ୍ରଭାବ ସାମାନ୍ୟ ପରିମାଣରେ ଥିବା ଭଳି ମନେ ହେଉଥିଲା । କିନ୍ତୁ ଲେଖକଟି ବିଚରା ଅସହ୍ୟ ଶୀତରେ ଥରିଗଲା ଭଳି ଜାକିଜୁକି ହୋଇ ବସି ପଡ଼ିଲା । ତାର ଆଖିର ଆକୃତି କ୍ରମଶଃ ବଢ଼ି ବଢ଼ି ଚାଲିଥିଲା ।

 

“ଡୁ ୟୁ ଫିଲ୍ କୋଲ୍‌ଡ଼୍ ?”, ଇଞ୍ଜିନିୟର ଥରେ ମାତ୍ର ଲେଖକ ଆଡ଼କୁ ଅନେଇ ଦେଇ ଅନ୍ୟମନସ୍କ ଭାବେ ମହମବତୀଟିକୁ ଫୁଙ୍କି ଲିଭେଇ ଦଉ ଦଉ କହିଲେ, ‘‘ପ୍ରୋବାବ୍‌ଲି ଦ ଓ୍ଵିଣ୍ଟର ହାଜ କମ୍ ଆଫ୍‌ଟର ଅଲ୍ । ବଟ୍ ଆଇ ଆମ ଆଜ୍ ହଟ୍ ଆଜ୍ ଏଭର୍ ।”

 

ମହମବତୀଟା ଲିଭିଯିବା ମାତ୍ରେ ଲେଖକର ଥରା ଆଖିଦୃଷ୍ଟିଆ ହୋଇ ଆରମ୍ଭ ହେଇଗଲା । ସେ କିଛି କହିବାକୁ ଚେଷ୍ଟା କରୁଥିଲା ହୁଏତ । କିନ୍ତୁ ଶୈତ୍ୟାଧିକ୍ୟ ହେତୁକେବଳ ତା ଦାନ୍ତରେ ଦାନ୍ତ ବାଡ଼େଇ ହେଇଯିବ ଶବ୍ଦ ସ୍ପଷ୍ଟ ଶୁଣାଗଲା । ତଥାପି ବହୁ କଷ୍ଟ କରି ନିଜକୁ ସ୍ଥିର କରି ସାରି ସେ କହିଲା–

 

“ଶୀତ ଆସିଗଲା ଇଞ୍ଜିନିୟର ସାହେବ୍-ମୁଁ ଏଥର ଯାଏ !”

 

“ନୋ-ଜଷ୍ଟ୍ ହୋଲଡ୍ ଅନ୍‌ ପ୍ଲିଜ୍ । ଆଇ ହାଭ୍ ଟୁ ସୋ ୟୁ ଆନାଦର ଏଭିଡେନ୍‍ସ ! ୟୋର ଗାନ୍ଧି ହାଜ୍‌ ଗନ୍‍ ଉଇଥ୍‌ ଦି ଉଇଣ୍ଡ ଫର୍‌ ଏଭର୍ ! ଜଷ୍ଟ ସି-”, ଇଞ୍ଜିନିୟର ତାଙ୍କ ଚଉକିରୁ ଏଡ଼େ ଜୋରରେ ଉଠି ପଡ଼ିଲେ ଯେ ଓଜନିଆ ଚଉକିଟା ପ୍ରାୟ ଟଳମଳ ହୋଇ ଓଲଟି ପଡ଼ୁପଡ଼ୁ ପୁଣି ରହିଗଲା । ସ୍ଵାଭାବିକ ଠାଣିରେ ଇଞ୍ଜିନିୟରଙ୍କ ନମନୀୟ ଶରୀର ମ୍ୟାଗାଜିନ୍‌ ଗଦା ଉପରକୁ ବଙ୍କେଇ ଗଲା । ସେ ବୋଧହୁଏ ଆଉ ଖଣ୍ଡିଏ କୌଣସି ମ୍ୟାଗାଜିନ୍‍ ଟାଣି ଆଣିବାକୁ ବସିଥିଲେ । କିନ୍ତୁ ହଠାତ୍‍ ଘର ଭିତରୁ କୌଣସି ଅସ୍ୱାଭାବିକ ଶବ୍ଦ ସହିତ ଏଭଳି ବିକୃତ ଆଶ୍ରାବ୍ୟ ଭାଷା ଶୁଣାଗଲା ଯେ ଇଞ୍ଜିନିୟର ଦାସ୍ ଚମକି ପଡ଼ିଲେ । ଚଉକି ଉପରୁ ଖପ କରି ଡେଇଁ ପଡ଼ି ଠିଆ ହେଇ ପଡ଼ିଲା ଲେଖକ ଓ ବାହାର କବାଟ ଖୋଲା ଥିବା ଦେଖି ଦଉଡ଼ି ପଳେଇବାକୁ ଗୋଡ଼ କାଢ଼ୁ କାଢ଼ୁ ଅଟକିଗଲା‍ ।

 

“ନୋ ଡୋଣ୍ଟ୍ ରନ୍ ଆୱେ !”, ଇଂଜିନିୟରର ହାତ ମୁଠା ଲେଖକର ଗୋଟିଏ ହାତର ମଣିବନ୍ଧ ଉପରେ ସ୍ୱୟଂଚାଳିତ ଭାବେ ଚିପି ହେଇଯାଇ ଦଉଡ଼ି ପଳାଇବାକୁ ଉଦ୍ୟମ ହେଉଥିବା ଲୋକଟିକୁ ସ୍ଥାଣୁ କରିଦେଲା ।

 

“ଦ୍ୟାଟ୍‌ସ୍‌ ମାଇଁ ୱାଇଫ୍ ଇନ ୱାନ୍ ଅଫ୍ ହର୍ ଫିଟସ୍ !”

 

ସେ ସ୍ଵର ଇଂଜିନିୟରଙ୍କର ବା ଅନ୍ୟ କାହାର ଜାଣିବା ପୁର୍ବରୁ ଲେଖକର କାନରେ ବାଜିଲା–“ଯୋଗିନୀଖିଆ, ଖଣ୍ଡିଆ, ଅଳପେଇଷା-କହୁଚି କ’ଣ ନା ଦ୍ୟାଟସ୍ ମାଇଁ ୱାଇଫ୍ । କିଏ ତୋ ୱାଇଫ୍‌ରେ ଛତରଖିଆ‌ । ଇଂରାଜୀ ଶୁଣୋଉଚୁ ମତେ ? ଆଜିକାଲି ଛୋଟଲୋକେ ଇଂରେଜୀରେ କଥା କହୁଛନ୍ତି । ଜାଣୁ ?”

 

ଲେଖକଟି ଇଂଜିନିୟରର ହାତ ମୁଠା ଭିତରେ ଥାଇ ପୂର୍ବ ପରି ଥରୁଥାଏ । କିନ୍ତୁ କୌଣସି କାରଣରୁ ସେ ଆଉ ଦଉଡ଼ି ପଳେଇ ଯିବାକୁ ଚେଷ୍ଟା ନକରି ଘଟଣାଟିକୁ ବୁଝିବାକୁ ଚେଷ୍ଟା କରୁଥାଏ ।

 

“ପ୍ଲିଜ୍ ସିଟ୍ ଡାଉନ, ପ୍ଲିଜ୍ ସିଟ ଡାଉନ୍-ଦ୍ୟାଟ୍ ଉଇଲ୍ ପାସ ଅଫ୍ ଇନ୍ ଏ ମିନିଟ୍ !”, ଇଂଜିନିୟର ଅତ୍ୟନ୍ତ ଅପ୍ରତିଭ ହୋଇ ପଡ଼ିଲେ ସୁଦ୍ଧା ଲେଖକଟିକୁ ସେଭଳି ଅପ୍ରୀତିକର ପରିସ୍ଥିତି ଭିତରେ ଘରୁ ଛାଡ଼ିଦେଇ ପାରିଲେ ନାହିଁ ।

 

ଲେଖକ ଅନନ୍ୟୋପାୟ ହୋଇ ଗୋଟିଏ ଚଉକିରେ ବସିପଡ଼ିଲା । ପ୍ରାୟ ସମକାଳୀନ ଭାବେ ଘର ଭିତରେ ପଟ ପରଦା ଫଟ୍‍ କରି ଉଠିଗଲା ଓ ଦୁଇଜଣ ସ୍ତ୍ରୀ ଲୋକ ଧରାପରା ହେଇ ଆସି ପହଞ୍ଚିଗଲେ କୋଠରୀ ଭିତରେ । ସେଥିମଧ୍ୟରୁ ଜଣକ ଦେହରେ ସୁତାଖିଏ ମଧ୍ୟ ଆବରଣ ଦିଶୁ ନ ଥିଲା । ଅନ୍ୟଟି ସେଇ କାରଣରୁ ତାକୁ ପଛରୁ ଭିଡ଼ି ଧରି ଘର ଭିତରକୁ ଟାଣି ନବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥାଏ । କିନ୍ତୁ ତାହା ସମ୍ଭବ ନ ହେଉ ଥିବାରୁ ନିରାଭରଣା ସ୍ତ୍ରୀ ଲୋକଟିକୁ ସେ ନିଜ ପଛପଟେ ରଖି ଆଗରେ ତାର ଠିଆ ହେଇ ପଡ଼ିବାକୁ ଚେଷ୍ଟା ମଧ୍ୟ କରୁଥାଏ । ସେଇ ସେ ଯାହାକୁ ପ୍ରଥମେ ଦେଖି ନମସ୍କାର କରିଥିଲା ଲେଖକ; କିନ୍ତୁ କୌଣସି ଉତ୍ତର ପାଇ ନ ଥିଲା ତାଠାରୁ । ସେ ସ୍ତ୍ରୀ ଲୋକଟି ଯେ ହେଉ ପଛକେ ଇଂଜିନିୟରଙ୍କ ପାଗଳୀ ପତ୍ନୀକୁ ଚିହ୍ନିବାକୁ ଆଉ ଡେରି ଲାଗିଲା ନାହିଁ ଲେଖକକୁ । କାରଣ ଗତ କେତେ ସମୟ ଧରି ପରଦା ଆଢ଼ୁଆଳରୁ ଯେଉଁ ଭୟଙ୍କର ଦୃଶ୍ୟ ଦେଖି ସେ କ୍ରମଶଃ ବିସ୍ମିତ ଓ ପରେ ଆତଙ୍କିତ ହୋଇ ଉଠିଥିଲା ସେ ଦୃଶ୍ୟ ମୂର୍ତ୍ତିମତି ହେଇ ବର୍ତ୍ତମାନ ଠିଆ ହୋଇ ପଡ଼ିଲା କୋଠରୀ ଭିତରେ ।

 

“ମତେ ରକ୍ଷା କର, ରକ୍ଷା କର ଏ ପଶୁ ହାତରୁ-”, ଇଂଜିନିୟର ଦାସ୍ ସାହେବଙ୍କ ବିମର୍ଷ ସ୍ଥାଣୁ ମୂର୍ତ୍ତିକୁ ଆଙ୍ଗୁଠି ଦେଖେଇ ବିଚାରି ସ୍ତ୍ରୀ ଲୋକଟି ଚିତ୍କାର କରି ଉଠିଲା, ‘‘ଏ ଧର୍ମଛଡ଼ା ମତେ ତା ସ୍ତ୍ରୀ ବୋଲି କହୁଛି । ମୁଁ ଯଦି ତା ସ୍ତ୍ରୀ ତେବେ ଏଇଟା କିଏ ?”

 

ନିଜ ପଣତ ତଳେ ବିଚାରି ଉଲଗ୍ନା ପାଗଳି ସ୍ତ୍ରୀ ଲୋକଟିକୁ ଯଥାସମ୍ଭବ ଘୋଡ଼େଇ ରଖିବାକୁ ଚେଷ୍ଟା କରୁଥିବା ମଧ୍ୟବୟସ୍କା ସୁନ୍ଦରୀ ଭଦ୍ର ମହିଳାଟିକୁ ବାରମ୍ବାର ଆଘାତ କରୁ କରୁ ଇଂଜିନିୟରଙ୍କ ପତ୍ନୀ ଅଭିଯୋଗ କୁଢ଼େଇ ଚାଲିଲେ । ସ୍ଥାଣୁ ଅବିଚଳିତ ମୂର୍ତ୍ତିଟିଏ ଭଳି ଇଂଜିନିୟର ଦାସ୍ ସାହେବ୍ ଚଉକି ଖଣ୍ଡିଏ ଉପରେ ବସିରହି ତଳକୁ ମୁହଁ ପୋତି ଦେଇଥିଲେ ।

 

କୋଠାରୀ ଭିତରେ ସେଇ ଭୌତିକ ବ୍ୟାପାର କେତେବେଳୁ ସେମିତି ଅଭିନୀତ ହେଲା ପରେ ପୁଣି ଥରେ ବାୟୁମଣ୍ଡଳ ଶାନ୍ତ ହୋଇ ଆସିଲା । ସ୍ତ୍ରୀ ଲୋକ ଦୁଇଟି ଘର ଭିତରକୁ ସେଇଭଳି ଭିଡ଼ା ଓଟରା ହେଇ ପଳେଇ ଗଲେ କବାଟ ବନ୍ଦ ହୋଇଗଲା ଧଡ଼ କରି ଓ ପରଦା ଆପଣାଛାଏଁ ଖସି ପଡ଼ିଲା ସେ ଭୟଙ୍କର ଦୃଶ୍ୟ ଉପରେ ।

 

ଅନେକ ବେଳ ମୂକ ଭଳି ବସି ରହିବା ପରେ ଦାସ୍ ସାହେବ୍‌ଙ୍କ ମୂର୍ତ୍ତି ସାମାନ୍ୟ ହଲ୍‌ଚଲ୍ ହେବା ଦେଖି ଲେଖକ ସ୍ତମ୍ଭୀଭୂତ ଅବସ୍ଥାରୁ ମୁକ୍ତି ପାଇଲା ପରି ଚଉକି ଛାଡ଼ି ଉଠି ଠିଆ ହେଲା । ନିର୍ବାକ୍ ହୋଇ ସେ ସେ ସ୍ଥାନ ଛାଡ଼ି ବାହାରକୁ ବାହାରି ଆସିଲା । ଘର ପିଣ୍ଡାରୁ ଓହ୍ଲେଇ ମୁକ୍ତାକାଶ ତଳେ ଠିଆ ହୋଇ ସେ ପ୍ରଥମେ ରାସ୍ତାର ଅବସ୍ଥାକୁ କଳନା କରିବାକୁ ଲାଗିଲା । ତାପରେ ଏକାକୀ ରାସ୍ତାକୁ ଗୋଡ଼ ବଢ଼େଇବା ବେଳେ ପଛକୁ ଥରେ ଚାହିଁ ଦେବା ମାତ୍ରେ ସେ ଦେଖିଲା ଦାସ୍ ସାହେବ୍ ତାକୁ ଅନୁସରଣ କଲାପରି ତରବର ହେଇ ପିଣ୍ଡା ତଳକୁ ଓହ୍ଲେଇ ଆସୁଚନ୍ତି । ତାଙ୍କ ପାଇଁ ଭଦ୍ରତା ଖାତିରିରେ ଆଉ ଅପେକ୍ଷା କରିବ କି ନା ଏହିପରି ଦୋଦୋପାଞ୍ଚ ହଉ ହଉ ସେ ଆସି ପହଞ୍ଚି ଗଲେ ଲେଖକଟିର ପାଖରେ ।

 

“ଏକ୍‌ସକ୍ୟୁଜ୍ ମି-ମୋର ମନେ ହେଲା ଯେମିତି କି ଆଉ ପଦେ କଥା ଆମ ଭିତରେ ବାକି ରହିଗଲା-”, କହିଲେ ସେ ତାଙ୍କର ସ୍ୱଭାବ ସୁଲଭ ଗମ୍ଭୀର ଅଥଚ ବ୍ୟଙ୍ଗାତ୍ମକ ନରମ କଣ୍ଠରେ-

 

ନ ଶୁଣିବା ଛଡ଼ା ଲେଖକର ଗତ୍ୟନ୍ତର ନ ଥିଲା ।

 

“ସେ ପାଗଳୀ ସ୍ତ୍ରୀ ଲୋକଟି ପ୍ରକୃତରେ ମୋ ସ୍ତ୍ରୀ ନୁହେଁ–”

 

“ତେବେ ?”

 

ପୌରୁଷର ଶୁକ୍ଳପକ୍ଷର ଚନ୍ଦ୍ର ଖୁବ୍ ସ୍ପଷ୍ଟ ହୋଇ ଆକାଶର ମଧ୍ୟଭାଗରୁ କିଛି ବାଟ ତଳକୁ ଢଳି ପଡ଼ି ପୃଥିବୀକୁ ଚାହିଁ ହସୁଥାଏ ବା କାନ୍ଦୁଥାଏ କିଏ ଜାଣେ । ଶୀତଦିନ ହୋଇଥିଲେ ମଧ୍ୟ ରାସ୍ତାରେ ସାଧାରଣ ଲୋକେ ଫୁଙ୍ଗୁଳା ଦିହରେ ଚାଲିଥାନ୍ତି ଥୋକେ ଥୋକେ । ସମସ୍ତଙ୍କ କଥାବାର୍ତ୍ତାରୁ ସେଇ ଗୋଟିଏ ଆଲୋଚନା ସ୍ପଷ୍ଟ ବୁଝା ପଡ଼ୁଥାଏ,ଏ ବର୍ଷ ଶୀତ ନ ହେବାର କାରଣ, ସଂସାରରେ ଅଧର୍ମ ବ୍ୟାପିଯିବା ଇତ୍ୟାଦି ।

 

ଇଂଜିନିୟର ଦାସ୍ ସାହେବ୍ ଗୋଟିଏ ଲମ୍ବା ଦମ୍ ଭିତରକୁ ଟାଣିନେଲେ । ସତେ କି ଗୋଟିଏ ଦୀର୍ଘ ବ୍ୟାଖ୍ୟା ପାଇଁ ସେ ନିଜକୁ ପ୍ରସ୍ତୁତ କରି ନେଉଥିଲେ । କିନ୍ତୁ ଅତି ସଂକ୍ଷେପରେ ସେ ତାଙ୍କର ବ୍ୟାଖ୍ୟା ଶେଷ କରିଦେଲେ ।

 

“ମୋ ଭଉଣୀ-ନିଜ ଭଉଣୀ-ବିଧବା ହୋଇ ଯିବା ପରେ ରହିଚି ଏଠି ଏ ଘରେ–”

 

“ଭଉଣୀ ?”, ଶିହରି ଉଠିଲା ଲେଖକଟି ଅସହ୍ୟ ଶୀତରେ । ଦାନ୍ତରେ ଦାନ୍ତ ବାଜିଯିବା ସତ୍ତ୍ୱେ ସେ ପ୍ରାୟ ଚିତ୍କାର କରି ଉଠିଲା–‘‘ଭଗବାନ୍ । କିନ୍ତୁ ଆପଣ ଏଇଖିଣା ନିଜ ସ୍ତ୍ରୀ ବୋଲି ତାର ପରିଚୟ ଦେଲେ ଯେ–”

 

ଇଂଜିନିୟର ଦାସ୍ ସାହେବ୍‌ଙ୍କ ସାବନା ମୁହଁରେ ପ୍ରତ୍ୟେକଟି ଅବୟବ ଅନ୍ଧାରରେ ଅଦୃଶ୍ୟ ହୋଇଯିବା ସତ୍ତ୍ୱେ କେବଳ ତାଙ୍କର ଦାନ୍ତ ଗୁଡ଼ିକ ସ୍ପଷ୍ଟ ଦୁଇଟି ଧାଡ଼ିରେ ପ୍ରକାଶିତ ହୋଇ ଉଠିଲା । ଅକୃତିମ ସ୍ଵରରେ କହିଲେ ସେ-

 

“ତାକୁ ବଞ୍ଚେଇ ରଖିବା ପାଇଁ ମୁଁ ଯେ କୌଣସି ଭାଷା ବ୍ୟବହାର କରିପାରେ–ତଥାପି ଦେଖିଲେ ତ ହାଉ ଅନ୍‌ହାପି ସି ଇଜ୍–କେତେ ଜେଲସ ସେ ମୋ ସ୍ତ୍ରୀ ପ୍ରତି ? ଆଇ ଡୋଣ୍ଟ୍ ମାଇଣ୍ଡ-! ଆଇ ଡୋଣ୍ଟ୍ ମାଇଣ୍ଡ–ମୁଁ ଜିଭ କାଟି ପାରିବି ନାହିଁ !”

 

ତାପରେ, ପୁଣି ଥରେ ସେ କହିଲେ–

 

“ତାକୁ ବଞ୍ଚେଇ ରଖିବା ପାଇଁ ମୁଁ ଯେ କୌଣସି ଭାଷା ବ୍ୟବହାର କରିପାରେ–”

 

ସମାବେଶ

Image

 

ଚିତ୍ରଂ ଜମ୍ବୁଦ୍ଵୀପଂ

 

ସ୍ଥାନୀୟ ଏନ୍. ଏ. ସି. ର ସ୍ୱିପର ଜମାଦାର ରସିକ ଚନ୍ଦ୍ର ଜଣେ ରସିକ ଲୋକ ବାସ୍ତବିକ୍-

 

ଦୁଇବର୍ଷ ତଳେ ଦିନେ ଏଇ ଭଳି ଏକ ଶରତ ଋତୁର ନିର୍ମଳ ସକାଳ ଗୋଟିଏ ବାଛି ସେ ଆବିର୍ଭୂତ ହୋଇଥିଲା ଆମ ସାଇରେ । ଗେଡ଼ା, ଚନ୍ଦାମୁଣ୍ଡ, ମୋଟା ବେକ ଆଉ ଭଙ୍ଗା ଚଷମାରେ ସୂତା ବାନ୍ଧି କାନରେ ଗୁଡ଼େଇ ଥିବା ଦୟନୀୟ ଚେହେରାଟିଏ ଘେନି, ଖାକି ପୋଷାକ ଆଉ ହାତରେ ଠେଙ୍ଗେଣି ବାଡ଼ିଟିଏ ଧରି ସେ ଯେତେବେଳେ ପଇଁତରା ଆରମ୍ଭ କରି ଦେଲା, ଆମ ରାସ୍ତାରେ କେତେଜଣ ଯୁବକ ସେତେବେଳେ ଅତର୍ଚ୍ଛା ହୋଇ ପଶିଗଲେ ଆମ ଘର ଭିତରେ, ଆଉ ବାଡ଼ି କବାଟ ବାଟେ ଖସି ପଳାଇଯିବା ପୂର୍ବରୁ ମତେ ସତର୍କ କରିଦେଇ ଗଲେ–”ପୁଲିସ୍ ! ଜୟନାରାୟଣ ବାବୁ, ଆପଣଙ୍କ ଘର ଆଗରେ ପୁଲିସ କାହିଁକି ଠିଆ ହେଲାଣି, ଯା’ନ୍ତୁ ଦେଖିବେ ।”

 

ସେଗୁଡ଼ାକ ଥିଲା ଦେଶରେ ଏମର୍ଜେନସିର ଦିନ । ତେଣୁ ଏନ.ଏ.ସି. ଖାକି ପୋଷାକ ପିନ୍ଧା ସ୍ଵିପର ଜମାଦାରକୁ ମଧ୍ୟ ଦେଶର ଯୁବକମାନେ ପୁଲିସ ମନେ କରି ଆଶ୍ରୟ ଖୋଜିବା କିଛି ଅସ୍ଵାଭାବିକ ନ ଥିଲା ସେଦିନ ।

 

ପିଲାଙ୍କ ସତର୍କବାଣୀରେ ମୁଁ ମଧ୍ୟ ଲୋକଟିକୁ ଦେଖି ଟିକିଏ ଦୋଦୋପାଞ୍ଚରେ ପଡ଼ି ଯାଇଥିଲି ସେଦିନ । କିନ୍ତୁ ରସିକ ଚନ୍ଦ୍ର ନିଜ ଆଡ଼ୁ ନିଜର ପରିଚୟ ଦେଲା ପ୍ରଥମେ ।

 

“ଆପଣଙ୍କ ସାଇ ସଫେଇ ପାଇଁ ଆସିଚୁ ଆଜ୍ଞା । ଦେଖୁଚନ୍ତି ନା କି ଅରମା ହୋଇଚି ଏ ରାସ୍ତା କଡ଼ ? ଲୋକ ଆମର ପଛରେ ଆସୁଚନ୍ତି ଯେ । ଭାବିଲି ଆପଣଙ୍କ ସାଥିରେ ଟିକେ ଦେଖା କରିଯିବି । ଏ ଘର ସାଥିରେ ଆମର ଭାରି ସମନ୍ଧ ସାର୍ !”

 

ଲୋକଟିକୁ ଆପାଦମସ୍ତକ ନିରୀକ୍ଷଣ କରିନେଇ ସାରିଥାଏ ମୁଁ ସେତେବେଳକୁ । ଖାକି ପୋଷାକ ଉପରେ ସରୁ ନାଲି ସୂତାରେ ଲେଖା ହୋଇଥାଏ ତିନୋଟି ଅକ୍ଷର–N.A.C. । ଦେଖିନେବାକୁ ବେଶୀବେଳ ତ ଲଗନ୍ତା ନାହିଁ ନିଶ୍ଚୟ । କିନ୍ତୁ ଆମ ଘର ସହିତ ଲୋକଟିର କି ସମ୍ବନ୍ଧ ଥାଇପାରେ...ଏଇ ସନ୍ଦେହରେ ପଡ଼ିଯାଇଥାଏ ମୁଁ ଟିକିଏ ।

 

ରସିକ ଚନ୍ଦ୍ର ସେତିକିବେଳେ ତାର ପ୍ରଥମ ରସିକତା ପ୍ରକାଶ କରିବାକୁ ପସନ୍ଦ କଲା ବୋଧ ହୁଏ । କହିଲା–

 

“ଆମେ ଜଟାୟୁ ପକ୍ଷୀ ସାର୍ ! ରାମାୟଣରେ ଜଟାୟୁ ସମ୍ପାତରେ ନାହିଁ ଆଜ୍ଞା ? ଦଶରଥଙ୍କ ସାଙ୍ଗ ଜଟାୟୁ କେମିତି ରାମଙ୍କୁ ଦେଖିଲା ମଲାବେଳେ ! ବାପାଙ୍କ ସାଙ୍ଗ ବୋଲି ଜାଣିବାରୁ ରାମ ଓଳଗି ହେଲେ, ମାଇନ କଲେ । ଆପଣଙ୍କର ବାପା ମୋର ଜଣେ ଭାରି ହିତକାରୀ ବନ୍ଧୁ ସାର୍ ! ଆମ ଗାଁରେ ମାଷ୍ଟର ଥିଲେ ସେ । ତାଙ୍କ ସାର୍ଟିଫିକେଟରେ ପୁଅ ମୋର ଚାକିରି ପାଇଲା । ସେଥିପାଇଁ ଯେତେବେଳେ ମୁଁ ଯାଏ ଏ ବାଟେ ଏ ଘରକୁ ଓଳଗି ହୁଏ । ଆମ ମାଷ୍ଟରଙ୍କ ଘର ପରାଏ ।”

 

ତାର ସେଇ ଆତ୍ମପରିଚୟ ଆରମ୍ଭ ହେବା ବେଳୁ ଲୋକଟିକୁ ଠଉର କରିବାକୁ ବେଶିବେଳ ଲାଗିଲା ନାହିଁ ମତେ ।

 

ବାପା ଆମର ସେତେବେଳେ ସହର ଘରେ ରହୁ ନ ଥିଲେ । ଗାଁରେ ରହି ମଝିରେ ମଝିରେ ଆସୁଥାନ୍ତି ସେ ସହରକୁ । ମନେ ପଡ଼ିଲା–ଥରେ ସେ କହୁଥିଲେ–

 

“ଏଠି ଜଣେ ଲୋକ ଅଛି । ସେ ମ୍ୟୁନିସିପାଲ୍‌ଟିରେ କାମ କରେ । ଲୋକଟା ସାରା ପୃଥିବୀ ବୁଲିଚି ଜାହାଜରେ ।”

 

ତା’ପରେ ହଠାତ୍ ଶିକ୍ଷକସୁଲଭ ଭାବପ୍ରବଣତାବଶତଃ ବାପା ସେ ଲୋକଟିର ଖୁବ୍ ପ୍ରଶଂସା କରି ଇଂରେଜୀରେ କହିବାକୁ ଆରମ୍ଭ କରିଥିଲେ–

 

“ହିଁ ଇଜ୍ ଦ ମ୍ୟାଜେଲାନ୍ ଅଫ୍ ଓରିଶା, ୟୁ ନୋ ? ......ଆଇ ଲର୍ଣ୍ଟ ଏ ଗ୍ରେଟ୍ ଲେସନ୍ ଇନ୍ ଜ୍ୟୋଗ୍ରାଫି ଫ୍ରମ୍ ଦ୍ୟାଟ୍ ମ୍ୟାନ୍ ।”

 

ବାସ୍ତବିକ୍ ସେଇ ମ୍ୟାଜେଲାନ୍‌ଙ୍କୁ ହିଁ ମୁଁ ଦେଖୁଥିଲି ସେତେବେଳେ ଲୋକଟିର ଚେହେରା ଭିତରେ ।

 

ଘର ପିଣ୍ଡା ଉପରକୁ ସାଦରେ ଡାକିନେଇ ତାଙ୍କୁ ଖଣ୍ଡିଏ ବେତଚେୟାରରେ ବସେଇ ସାରି ମୁଁ ତାଙ୍କ ପାଖରେ ବସିବା ପରେ ଲୋକଟିର କଅଣ ମନେ ହେଲା କେଜାଣି ହଠାତ୍ ଆରମ୍ଭ କରିଦେଲା ସେ–

 

“ଆଚ୍ଛା କହିଲ ବାପା, ଏ ରାଇଜରେ ଗଜରାଜା ବିରୁଦ୍ଧରେ କାହିଁକି ଚାଲିଚି ଏତେ ମିଛ କଥା ଖବକାଗଜରେ । ଶୁଣିଲଣି ନା ? ତମ ବାପା ଆମ ଗାଆଁରେ ଯୋଉ ଇସ୍କୁଲ କରିଥିଲେ, ସେଠି ଯୁଦ୍ଧ ଲାଗିଚି ବର୍ତ୍ତମାନ । ଗାଁରେ ହୁରି ପଡ଼ିଚି ଗଜରାଜା ଇସ୍କୁଲ ଘରକୁ ଭାଙ୍ଗିଦେବେ । ଆଉ ଗଲା ହପ୍ତାଏ ହବ ରାତିରେ ପୁଲିସ ଯାଇ ଛକି ବସୁଚି ଇସ୍କୁଲ୍ ହତାରେ–ତମ ବାପା ଯୋଉ ଆମ୍ବ ପଣସ ଗଛ ଲଗାଇଥିଲେ, ସେଇ ଗଛ ଡାଳରେ । ଏଥିରେ ପିଲା କେମିତି ଆସିବେ ଇସ୍କୁଲକୁ କହିଲ ? ରାତିଯାକ ଗଜରାଜାଙ୍କ ପିଙ୍କର ଆଉ ପୁଲିସଙ୍କ ବନ୍ଧୁକ ଢୁଢ଼ା । ପିଲାଏ ପାଠ ଛାଡ଼ିଲେ । ଗାଁ ଟା ଗଲା ଆମର ।”

 

ଲୋକଟିର ସେଇ ଅପ୍ରତ୍ୟାଶିତ ପ୍ରସଙ୍ଗ ଶୁଣି ମୁଁ କ’ଣ ବା ବୁଝନ୍ତି । କିନ୍ତୁ ତାର ସେଇ ସମସ୍ୟାକୁ ନିଜେ ସମାଧାନ କରିଦେଲା ପରି ବୁଝେଇ ଲାଗିଲା ସେ ମତେ–

 

“ଆମ ଘର ଏଇ ପାଖ ଗାଁରେ ଜାଣତ ବାବୁ । ଗଲା ମାସେ ହବ ଗଜରାଜା ବାହାରିଛନ୍ତି ବଣରୁ, ଆଉ ଆସୁଛନ୍ତି ଗାଁକୁ ଆମର । ଶୁଣୁଚି ତମେ କୋଉଠି କାଗଜରେ ଲେଖିଚ ‘ହାତୀ’ଙ୍କ ଉତ୍ପାତରେ ଆମ ଗାଁ ଶେଷ ହୋଇଗଲାଣି । ତମେ କେମିତି ଲେଖିଲ ଏ କଥା କାଗଜରେ ? ଗଜରାଜା ଆମର କି ଉପକାର କରୁଛନ୍ତି ତମେ ତ ଜାଣି ନ ମୋଟେ । ଲେଖିଲ କେମିତି ସେ କାଗଜରେ ?”

 

ବର୍ତ୍ତମାନ ଯାଇ କଥା ସ୍ପଷ୍ଟ ହୋଇ ପଶିଲା ମୋ ମୁଣ୍ଡରେ । ଦିନ କେତୋଟି ତଳେ ପାଖ ଗାଁରୁ ଦଳେ ଯୁବକ ଆସି ପହଞ୍ଚିଥିଲେ ମୋ ପାଖରେ । ସେମାନେ ଖବର ଆଣିଥିଲେ ଯେ ଗାଁରେ ତାଙ୍କର ପ୍ରବଳ ହାତୀ ଉତ୍ପାତ ଆରମ୍ଭ ହୋଇ ଯାଇଛି । ପାଖ ବଣରୁ ଦଳେ ହାତୀ ବାହାରି କେତେ କଣ ଲୋକଙ୍କୁ ମାରି ସାରିଲେଣି । ବିଲରୁ ଫସଲ ନଷ୍ଟ କରୁଚନ୍ତି ପ୍ରଚୁର । ଆଉ ସବୁଠୁଁ ମଜା କଥା–ତାଙ୍କର ସବୁଠୁଁ ବେଶୀ ରାଗ ସ୍କୁଲ ଘର ଉପରେ । ସ୍କୁଲଟାକୁ ଅଧାଅଧି ଭାଙ୍ଗି ସାରିଲେଣି ସେ ହାତୀ । ପ୍ରତିଦିନ ରାତିରେ ସେଇ ସ୍କୁଲ ହତା ହେଇଚି ତାଙ୍କର ଲୀଳା ଭୂଇଁ ।

 

ଗାଁର ଯୁବକମାନଙ୍କ ଅଭିଯୋଗ ପାଇ ହାତୀ ବିରୁଦ୍ଧରେ ବେଶ୍ ଗୋଟେ ଲେଖା ଲେଖିଥିଲି ମୁଁ ଖବରକାଗଜରେ । ସେଇ ଲେଖାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲି ମଧ୍ୟ ଶିକାରୀ ପଠେଇ ହାତୀଙ୍କୁ ମାରି ଦିଆଯିବାକୁ ।

 

ଲୋକଟି ନିଶ୍ଚିତ ଭାବେ ମୋର ସେଇ ସମ୍ବାଦର ପ୍ରତିବାଦ କରିବାକୁ ଆସିଚି ଆଜି ସକାଳେ ମୋ ଘରକୁ–ଏତକ ଜାଣିଲା ପରେ ମତେ ମୁହଁ ଖୋଲିବାକୁ ପଡ଼ିଲା ।

 

“ଦେଖ”, ବୁଝେଇ ଶୁଝେଇ କହିବା ଢଙ୍ଗରେ କହିବାକୁ ଆରମ୍ଭ କରିଥାଏ କେବଳ, ‘‘ହାତୀ ଗୁଡ଼ାକ ବଡ଼ ଉତ୍ପାତିଆ ଜନ୍ତୁ । ଶୁଣୁଚି ଦି’ ତିନୋଟି ମଣିଷ ମାରି ସାରିଲେଣି..... ।”

 

କିନ୍ତୁ ଲୋକଟା ମତେ ଆଉ ପାଦେ ଆଗେଇବାକୁ ନ ଦେଇ ସତର୍କ କରି ଦେଇ କହିଲା–

 

“ବାବୁ ଗଜରାଜାଙ୍କୁ ‘ହାତୀ’ କହିବେ ନାହିଁ ଆଦୌ ।” ତା’ପରେ ଚଉକିରୁ ଉଠିପଡ଼ି ସେ ଠିଆ ହୋଇ ପଡ଼ିଲା ଓ ଅତି କାକୁସ୍ଥ ହୋଇ ସତେକି ମୋର ଦୋଷ ଲାଗି କୌଣସି ଅଜଣା ଶକ୍ତି ନିକଟରେ ନିଜେ ଦୋଷ ମାଗିନେଇ କହିଲା–

 

“ତମ ବାପା ମୋର ପରମ ବନ୍ଧୁ, ବାବୁ । ଏ ଘରର କୌଣସି କ୍ଷତି କରେଇ ଦେବି ନାଇଁ ମୁଁ ବଞ୍ଚି ଥାଉଁ ଥାଉଁ । ତମେ ଗଜରାଜାଙ୍କୁ ସାମାନ୍ୟ ଜନ୍ତୁ ମନେକରି ଲେଖିଦେଲ ତାଙ୍କ ବିରୁଦ୍ଧରେ କାଗଜରେ ! ମୋ ବାପାଟା ପରା ଆଉ ଏ ଭୁଲ୍ କରିବ ନାହିଁ । ତମେ ତ ପିଲାଲୋକ । ସଂସାର କଥା ବୁଝି ନ ଆଦୌ । ଯାହା କଲଣି କଲଣି । ଗଜରାଜାଙ୍କୁ ‘ହାତୀ’ କହିବ ନାଇଁ ଟି ଆଉ-! ଜାଣିଚ ନା ଯୋଉ କେତେଜଣଙ୍କୁ ନିପାତ୍ କଲେଣି ଗଜରାଜ, ସେମାନେ ସମସ୍ତେ ଏଇ ଭୁଲ୍ କଲେ । ଭାବିଲେ ବୋଧେ ହାତୀ ଗୁଡ଼ାଏ ପଳେଇ ଆସିଚନ୍ତି ବଣରୁ । କିନୁ ଜାଣିଥାଅ ବାପ, ଗଜରାଜ ସେ । ଗଜମାନଙ୍କର ରାଜା । ତାଙ୍କୁ କିଛି ହେଲେ ଅଛପା ନାଇଁ । ମନେକର ଏଇଲେ ଆମେ ଏଠି ବସି ଗପୁଚୁ ତାଙ୍କ ବିଷୟରେ । କଣ ମନେ କରୁଚ ସେ ଶୁଣିପାରୁ ନାହାନ୍ତି କିଛି ? ଆଲୋ ମୋ ବାପା ଲୋ । ସେ ଭୁଲ କରିବ ନାହିଁଟି ? ଗଜରାଜା କିଛି ସାଧାରଣ ଜନ୍ତୁ ନୁହେଁ । ଅତି ନ୍ୟାୟବାନ୍ ସେ-। ଏଇ କେତେଦିନ ଭିତରେ ସେ ଯାହା ଯାହା କଲେଣି ସବୁ ନ୍ୟାୟ କାମ ଜାଣ !”

 

ଏଇଠି ହଠାତ୍ ଲୋକଟି ଆଉ ଗୋଟିଏ ଅଦ୍ଭୁତ ମନ୍ତବ୍ୟ ଦେଲା । ଚଉକିରେ ବସି ପଡ଼ୁ ପଡ଼ୁ କହିଲା–

 

“ବାବୁ, ପୃଥିବୀରୁ ମଣିଷ ବଂଶ ଲୋପ ପାଇଗଲେ କିଛି ଚିନ୍ତା ନାଇଁ । କିନ୍ତୁ ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟ ହବ ନାଇଁଟି ? ତମ ବାପା ଜଣେ ଶିକ୍ଷକ । ତାଙ୍କୁ ମୁଁ ଅନେକବାର କହିଚି ଏ କଥା । ମୁଁ ଯେତେବେଳେ ଜାହାଜରେ ସ୍ଵିପର ଥିଲି ଜଣେ ଜାପାନୀ ପଣ୍ଡିତ ମତେ କହିଥିଲେ ଏ କଥା–

 

“ପୃଥିବୀରୁ ମଣିଷବଂଶ ଲୋପ ପାଇବା ବେଳ ହୋଇଗଲାଣି । କିନ୍ତୁ ଦୁଃଖ କାହିଁକି ବାବୁ । ମଣିଷ ଫୁସୁକି ଗଲା ତ ଯାଉ । ହେଲେ ପ୍ରାଣୀ ଥାଆନ୍ତୁ । ମଣିଷଙ୍କଠୁ ଆହୁରି ବଢ଼ିଆ ଜନ୍ତୁ ତେଣେ ତିଆରି ଚାଲିଚି ଜନ୍ତୁ ଜଗତରେ । ଦିନେ ନା ଦିନେ ବାହାରିବ ସେ ପଦାକୁ ।”

 

ଲୋକଟା ବିବର୍ତ୍ତନବାଦର ବିଷୟ ଉତ୍‌ଥାପନ କରୁଚି ମୋ ଆଗରେ, ଏତିକି ବୁଝିଲା ପରେ ମୋର କୌତୂହଳ ବଢ଼ିଲା । ତାର ବାଙ୍ଗରା ଦେହ, ଚନ୍ଦାମୁଣ୍ଡ ଆଉ ଖାକି ପୋଷାକ ପ୍ରତି ଆଖି ନ ପକେଇ ବର୍ତ୍ତମାନ ମୁଁ ତୀକ୍ଷଣ ଦୃଷ୍ଟି ଦେଲି ଲୋକଟିର କଥାବାର୍ତ୍ତା ଚାଲିଚଲଣ ଆଡ଼ିକି । ପଚାରିଲି–

 

“ଜାପାନୀ ପଣ୍ଡିତ ତେବେ କ’ଣ ଏଇ ହାତୀମାନଙ୍କ କଥା କହୁଚନ୍ତି ? ମଣିଷଙ୍କଠୁଁ ଆହୁରି ବଢ଼ିଆ କ’ଣ ଏଇ ହାତୀ ? –ଯାହାଙ୍କ ଉତ୍ପାତ ବିଷୟ ତମ ଗାଁର ଯୁବକମାନେ କହିଚନ୍ତି ମତେ ?”

 

ଏନ୍.ଏ.ସି. ଜମାଦାର ରସିକ ଚନ୍ଦ୍ର ଭାର ସୂତା ଫ୍ରେମ୍ ଯୁକ୍ତ ଚଷମାର ମୋଟା ମୋଟା ଲେନ୍‌ସ ଯୋଡ଼ିକ ଭିତରୁ ମୋ ଆଡ଼କୁ ଇଷିତ୍ ବିରକ୍ତି ଆଉ ପ୍ରଚୁର ଅବିଶ୍ଵାସରେ ଚାହିଁବାର ସେ ଅପ୍ରୀତିକର ଅନୁଭୂତିକୁ ଏଡ଼େଇବା ପାଇଁ ମୁଁ ବାଧ୍ୟ ହୋଇ ମୁହଁ ବୁଲେଇ ନେଲି ଅନ୍ୟଆଡ଼େ ।

 

ଚମତ୍କାର ଶରତ୍ ସକାଳଟିଏ, ସେଇଠୁ ଆମ ପିଣ୍ଡା ତଳୁ ଆକାଶ ପର୍ଯ୍ୟନ୍ତ ସମୁଦାୟ ପରିବେଶକୁ ପରିପୁର୍ଣ୍ଣ କରିଥାଏ ସେତେବେଳେ । ରାସ୍ତା କଡ଼ର ଜାମୁକୋଳି ଗଛର ପତ୍ରଗୁଡ଼ିକ ଝଲସୁଥାଏ । ଅଶିଣ ମାସର ପରିଚ୍ଛନ୍ନ ବାୟୁମଣ୍ଡଳରୁ ଝରଝର ହେଇ ଝରି ପଡ଼ୁଥିବା ମୁକ୍ତ ସୂର୍ଯ୍ୟାଲୋକରେ । ଏପରି କେତେକ ସକାଳ ଓ ସକାଳର ଅନୁଭୂତି ବହୁ ବର୍ଷ ପର୍ଯ୍ୟନ୍ତ ଆସି ନ ଥାଏ ମୋ ମନକୁ । ତେଣୁ ସେଇ ଶରତ୍ ଋତୁର ମଧୁର ସକାଳଟି ଆଡ଼କୁ ମୋ ଦୃଷ୍ଟି କିଛି ସମୟ ରହିଗଲା ଜାଣତ ବା ଅଜାଣତରେ ।

 

ଇତିମଧ୍ୟରେ ଲୋକଟି ପୁଣି ଥରେ ଉଠିପଡ଼ି ଥାଏ ଚେୟାରରୁ ଆଉ ସେଇ ହାତୀମାନଙ୍କ ଉଦ୍ଦେଶ୍ୟରେ ପୁଣି କେଇଥର ନମସ୍କାର କରି ବସି ପଡ଼ିଥାଏ ଯଥା ସ୍ଥାନରେ । ତାପରେ ହଠାତ୍ ମୋ ଧ୍ୟାନ ଆକର୍ଷଣ କରିବାକୁ ସଂକଳ୍ପବଦ୍ଧ ହେଲା ପରି କହିଲା ସେ–

 

“ଆପଣ ସାଉଥ୍‌ ପ୍ୟାସିଫିକ୍‌ର ସେ ଅଦ୍ଭୁତ ଜନ୍ତୁଙ୍କ କଥା ଶୁଣି ନାହାଁନ୍ତି ତା’ ହେଲେ । ଆପଣଙ୍କ ବାପାଙ୍କୁ ପଚାରିବେ–କହିଚି ତାଙ୍କୁ କି ଜନ୍ତୁ ସେମାନେ । ନିଜ ଆଖିରେ ଦେଖିଚି ବାବୁ ! ସେମାନଙ୍କୁ ସ୍ଥାନୀୟ ଲୋକେ କହନ୍ତି ଭଗବାନ ଜନ୍ତୁ । ଜାଣନ୍ତି କଅଣ କରନ୍ତି ସେମାନେ ? ଯେତେବେଳେ ଆମେରିକାନ୍ ସୋଲ୍‌ଜର୍ ଆସି ଆଇଲାଣ୍ଡରେ ରେପ୍ ଆରମ୍ଭ କଲେ, ଏ ଭଗବାନ ଜନ୍ତୁ ବାହାରି ଆସିଲେ ବଣରୁ । କ’ଣ କଲେ କହନ୍ତୁ ନି ? ଗୋଟା ଗୋଟା ଆମେରିକାନ୍‌ଙ୍କୁ ଟେକି ନେଇ ପଳେଇଲେ ବଣକୁ । ପ୍ୟାସିଫିକ୍ ଆଇଲାଣ୍ଡରେ ବଣ କ’ଣ ଆପଣ ବୁଝିବେ ନାଇଁ ବାବୁ । ଆପଣଙ୍କ ବାପା କିଛି କିଛି ବୁଝନ୍ତି । ଶିକ୍ଷକ ସେ, ଭୂଗୋଳ ପଢ଼ାନ୍ତି ପିଲାଙ୍କୁ । ତେଣୁ ମୋ’ଠୁ ଅନେକ ଖବର ଟିପି ରଖିଛନ୍ତି ସେ । ହ ସେମିତିଆ ବଣ ସେ–ଯୋଉ ବଣ ଅଗେ ଥିଲା ଆମର ଏଠି ଜମ୍ବୁଦ୍ୱୀପରେ, ଯେଉଁଠି ଋଷି ମୁନି ରହୁଥିଲେ, ତପସ୍ୟା କରୁଥିଲେ । ସେମିତିକିଆ ବଣ ଏବେ ବି ଅଛି ସାଉଥ୍ ପ୍ୟାସିଫିକ୍‌‌ରେ, ବାବୁ ! ଏ ବଣରେ ସେ ଭଗବାନ ଜନ୍ତୁ ଏବେ ବି ଅଛନ୍ତି ବହୁ ବହୁ-। ଉତ୍ପାତିଆ ଆମେରିକାନ୍ ସୋଲଜରକୁ ଏ ବଣରେ ଭଗବାନ କିନ୍ତୁ କ’ଣ କରନ୍ତି କୁହନ୍ତୁ ନି ?” ଅଟକି ଗଲା ସେ କଥା ମଝିରେ ।

 

କିନ୍ତୁ, ସେତେବେଳେ ବାହାରର ଶରତ୍ ଋତୁର ପ୍ରକୃତି ଆଡ଼ୁ ମୋ ଦୃଷ୍ଟି ଲୋକଟାର ନିଜ ପ୍ରକୃତି ଆଡ଼କୁ ସଂପୂର୍ଣ୍ଣ ଆକୃଷ୍ଟ ହୋଇ ସାରିଚି ବୋଲି ନିଶ୍ଚିତ ହୋଇଗଲା ସେତିକିବେଳେ ଜଣେ ଖାଣ୍ଟି ରସିକ ଲୋକ ପରି ପୁଣି ହସିଦେଲା ସେ, ଆଉ କହିଲା–

 

‘‘ବୈଷ୍ଣମ୍ବ । ଆମେରିକାନ୍ ସୋଲ୍‌ଜର୍‌କୁ ସେ ଭଗବାନ ଜନ୍ତୁ ବୈଷ୍ଣମ୍ବ କରୁଛନ୍ତି ସାର୍ ବୁଝିଲେ ତ !”

 

ତା’ପରେ ନିଜର ଅଭିମତକୁ ଦୃଢ଼ତର କରିବା ଉଦ୍ଦେଶ୍ୟରେ ସେ କେଇବାର ଦୋହରେଇଲା ସେଇ ଶବ୍ଦଟିକୁ, ଆଉ କହିଲା–

 

‘‘ଭଗବାନ ଜନ୍ତୁ ଭଗବାନ ନୁହନ୍ତି ବାବୁ । ପ୍ରକାରେ ଜନ୍ତୁ ସେ । ମଣିଷଙ୍କଠୁଁ ବୁଦ୍ଧିରେ ଢେର ଛୋଟ । ଦିଶନ୍ତି କେମିତି କହିଲେ ? ଗୁଣ୍ଡୁଚି ମୂଷାଙ୍କୁ ଅତି ପାଖରୁ ଦେଖିଛନ୍ତି ? ତାଙ୍କ ମୁହଁ, ତାଙ୍କ ଆଖି ଦିଶେ କେମିତି ? ସେଥରେ ବୁଦ୍ଧି ବେଶି ନାହିଁ ଆଜ୍ଞା । ଅଛି–ବୋଧା । ସେଇ ବୋଧା ଏବେ ବାହାରିଲାଣି ସବୁ ଜନ୍ତୁଙ୍କ ମୁହରୁ । ଜାପାନୀ ପଣ୍ଡିତ ଏଇ ବୋଧା ପ୍ରାଣୀଙ୍କ କଥା କହୁଚନ୍ତି ଆଜ୍ଞା । ମଣିଷଙ୍କୁ ପ୍ରାଣୀମାନେ ଶିକ୍ଷାଦବା ବେଳ ଏବେ ଆସିଲା ଏ ପୃଥିବୀକୁ । ଆମ ଗଜରାଜ ସେଇ ଶିକ୍ଷାଦବା ପେଇଁ ଏବେ ବାହାରିଛନ୍ତି ବଣରୁ । ଇସ୍କୁଲ ଉପରେ ସେଇଥିପେଇଁ ତ ତାଙ୍କର ଚଢ଼ଉ । ଏଥିରେ ପୁଲିସ୍ କ’ଣ କରିବ, କିଏ କ’ଣ କରିବ କରୁଥାଉ ।”

 

ଏନ୍. ଏ. ସି. ଜମାଦାର ରସିକ ଚନ୍ଦ୍ର ଦ୍ଵିତୀୟ ଥର ପାଇଁ ଚଉକି ଧରି ନେଇଥାଏ ସେତେବେଳକୁ । ଲୋକଟିର ବ୍ୟକ୍ତିତ୍ଵ ସେଇ କେତୋଟି ମିନିଟ୍ ଭିତରେ କିଭଳି କେଜାଣି ଏତେ ବଢ଼ି ଯାଇଥାଏ ଯେ ମୁଁ ତା’ର ସେଇ ମୋଟା ବେକଟିକୁ ମିଶେଇ ଚନ୍ଦା ମୁଣ୍ଡ ଓ ଚଉଡ଼ା କପାଳକୁ କେତେବାର ଲକ୍ଷ୍ୟ କରି ସାରିଥାଏ ଏ ଭିତରେ । ଇତିମଧ୍ୟରେ ଘରୁ ଚା’ ସରଞ୍ଜାମର ଆବାଜ ମଧ୍ୟ ବାଜିଲାଣି କାନରେ ଓ ମତେ ଲାଗୁଥାଏ ଆଗନ୍ତୁକର ଗୁରୁତ୍ଵପୂର୍ଣ୍ଣ ଉପସ୍ଥିତି ମୋ ଆଗରୁ ଆମ ଘର ଲୋକେ ଢେର ଆଗରୁ ବୁଝି ସାରିଥାନ୍ତି କୌଣଷି ସୂତ୍ରରେ । ସେକେଣ୍ଡ କେତୋଟି ଭିତରେ ପତ୍ନୀ ସ୍ଵୟଂ ଚା’ କପ୍ ଧରି ଆମ ଆଗରେ ଉଭା ହେବାରେ ଲୋକଟି ସସମ୍ମାନେ ଉଠି ପଡ଼ିଥାଏ ଚଉକିରୁ ଆଉ ମୋ ବାପାଙ୍କ ଗୁଣ ସ୍ମରଣ କରି ଆମ ଘରକୁ ଆଶୀର୍ବାଦ କଲା ପରି କରିବା ଆରମ୍ଭ କରିଥାଏ–

 

“ଗଜରାଜାଙ୍କ ଶୁଭ ଦୃଷ୍ଟି ବରାବର ପଡ଼ିବ ଏ ଘର ଉପରେ ମା’ । ଏଇଲେ ଚାଲିଚି ଗାଁ ଗଣ୍ଡାରେ ବିପ୍ଳବ ଭଗବାନ ଜନ୍ତୁଙ୍କର, ଏ ବିପ୍ଲବ ଖେଳିଯିବ ଚାରିଆଡ଼େ । ସହର କିଛି ଦୂର ନୁହେଁ ଆଜ୍ଞା ! ବଣ ପାହାଡ଼ ଠୁଁ, ଆରମ୍ଭ ହବ ଚଢ଼ଉ । ବୁଦ୍ଧି ବୋଧାଙ୍କର ଲାଗିବ ଗୋଟେ ଯୁଦ୍ଧ ଏଠି । ସେତେବେଳେ ଯିବେ କୁଆଡ଼େ କିଏ ? ବୃଦ୍ଧିକୁ ଚଟଣି କରିବେ ଗଜରାଜା ତାଙ୍କ ପାଦତଳେ । ଶୁଣିଛନ୍ତି ତ ମଲା କେମିତି ଗୁଡ଼ିଆବୁଢ଼ା ଆମ ଗାଁରେ ?”

 

ପତ୍ନୀ ଅମମାନଙ୍କୁ ଚା’ ସର୍ଭ କଲେ, ଆଉ ଲୋକଟିର କଥା ଶୁଣିବା ପାଇଁ କାନ୍ଥକୁ ଆଉଜି ଠିଆ ହେଲେ ।

 

“ଆପଣ ବସନ୍ତୁ !” ମୁଁ ଅନୁରୋଧ କଲି ଠିଆ ହୋଇଥିବା ଲୋକଟିକୁ ।

 

“ଅସମ୍ଭବ !” ଲୋକଟି ସେଇ ପଦେ କଥାରେ ତାର ସ୍ଥୂଳ ଦେହକୁ ଏପରି ସୂକ୍ଷ୍ମଭାବେ ଝାଡ଼ିଦେଲା ଯେ, ତା’ ହାତର ଚା’ କପ୍ ଟିକିଏ ମାତ୍ର ନ ଚହଲିଲେ ବି ତା’ର ଖାକି ପୋଷାକ ଖଡ଼୍ ଖଡ଼୍ କରି ଉଠିଲା ପରି ଶବ୍ଦଟିଏ ଶୁଣାଗଲା ସେତେବେଳେ । ତା’ପରେ ଯାଇ କହିଲା ଯେ, ମହିଳାମାନଙ୍କୁ ଅସମ୍ମାନ କରି କରିକା ଏ ଦେଶରୁ ପୁରୁଷପଣିଆ ଗଲାଣି ଆଜ୍ଞା । ମୁଁ ଦେଖିଚି ଜାପାନୀମାନଙ୍କୁ, ଚୀନାମାନଙ୍କୁ ତେଣେ । ଓଃ କି ସମ୍ମାନ ତାଙ୍କର ସ୍ତ୍ରୀ ଲୋକମାନଙ୍କୁ । ମା’ ଆମର ଠିଆ ହେବେ, ଆମେ ବସିବା କେମିତି କୁହନ୍ତୁ ନି ?”

 

ଲୋକଟିର ଏ ଆକ୍ଷେପ ବେଶ୍‍ ବାଧିଲା ମତେ । ଉଠିପଡ଼ି ଘର ଭିତରୁ ଆଉ ଖଣ୍ତିଏ ଚଉକି ଆଣି ପିଣ୍ଡାରେ ପକାଇବା ଭିତରେ ଲୋକଟି ଆରମ୍ଭ କରି ଦେଇଥାଏ ସେଇ ହାତୀ ଗପ ପୁଣି ଥରେ ।

 

‘‘ଗୁଡ଼ିଆ ବୁଢ଼ା ଭାରି ଅତ୍ୟାଚାରୀ ଆଜ୍ଞା । ବୋହୂଟି ତା’ର ବିଧବା । ଯୁଆନ ବୟସ । ଜାଣୁଥିବେ ସବୁ କଥା । ଟିକିଏ ଦୋଷ ଦେଖିଲେ ତ ଶାଶୁ ଶଶୁର ଦିହେଁ ବେଢ଼ିଯିବେ ପିଲାଟାକୁ । ପିଟି ପିଟି ଲଂଘା କରି ପକେଇ ଦେବେ । ସେଥିରେ ମନ ମାନିବ ନାଇଁ, ଚିଆଁ ଦେବେ ତା’ ପିଚାରେ । ପିଲାଟାର କେହି ନାହିଁ ଆଜ୍ଞା । ମା’ ବାପ ମଲେଣି । ଭାଇମାନେ ପଚାରନ୍ତି ନାଇଁ । ପଡ଼ିଥାଏ କୁକୁର ଭଳି ଶାଶୁ ଶଶୁରଙ୍କ ପାଦ ତଳେ । ହଁ, ଗାଁ ଛାଡ଼ି ପଳାନ୍ତା ହୁଏତ ଆଉ କାହା ସାଙ୍ଗରେ । ଏଣେ ଛୋଟ ଛୋଟ ପିଲା ତିନୋଟି ଲାଗିଛନ୍ତି ପଛରେ । ଯିବ କୁଆଡ଼େ ? ଦିନେ ଗାଧୁଆ ତୁଠରେ କୋଉ ଲୋକ ସାଙ୍ଗରେ କଥା ପଦେ ହେଇଚି କି ନାଇଁ ନଜର ପଡ଼ିଗଲା ଲୋକଙ୍କର । କଥା ଏଭଳି ଆକାର ଧଇଲା ଯେ ସେଦିନ ଗୁଡ଼ିଆ ବୁଢ଼ା ଶାବଳ ଖଣ୍ଡିଏ ତତେଇ ଗେଞ୍ଜିଦେଲା ପିଲାଟା ଦିହରେ । ଆହା, ଖବରକାଗଜରେ ପଢ଼ିଥିବେ ଆଜ୍ଞା, ପୁଲିସ୍ ଏଇଲେ କି କାଣ୍ଡ କରୁଚି, ତେଣେ ଜେଲ୍ ଭିତରେ ରାଜନୈତିକ କଏଦୀଙ୍କ ଉପରେ । ମହିଳା କଏଦୀଙ୍କୁ ତେଣେ ପୁଲିସ୍ ଯୋଉ ହୀନସ୍ତା କରୁଚି, ଏଣେ ଗାଁ ଗଣ୍ଡାରେ, ସହରରେ ଘରେ ଘରେ ମଣିଷମାନେ କିଛି କମ୍ ହୀନସ୍ତା କରୁ ନାହାନ୍ତି ବାବୁ, ତାଙ୍କ ପିଲାପିଲିଙ୍କୁ । ସେଇଥିପାଇଁ ତ ପଣ୍ଡିତମାନେ କହୁଛନ୍ତି, ମଣିଷଙ୍କ ଶେଷ ବେଳା ପହଞ୍ଚିଗଲା । ଏଣିକି ଅଲଗା ଜନ୍ତୁ ବାହାରିବେ ପୃଥିବୀରେ ?”

 

ଘରୁ ଚଉକି ଆଣି ବାହାରେ ପକଉ ପକଉ ସ୍ତ୍ରୀର ମୁହଁ ଲାଲ ପଡ଼ିଗଲାଣି ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି ଟିକିଏ । କିନ୍ତୁ ମୋ ମୁହଁରୁ କଥା ବାହାରିବା ପୁର୍ବରୁ ଲୋକଟି ବୁଝେଇ ଦେଲା ମତେ ।

 

‘‘ଗୁଡ଼ିଆ ଘର ବୋହୂର ଏ ଦୁଃଖ ଖବର କାହିଁକି ବାହାରୁ ନାହିଁ ତ କିଛି ଆପଣଙ୍କ କାଗଜରେ, ଖାଲି ବାହାରିଲା ହାତୀ ଚକଟି ଦେଲେ ଜଣେ ଲୋକକୁ ସେ ଜାତିରେ ଗୁଡ଼ିଆ । ଆଜ୍ଞା, ଗଜରାଜ କ’ଣ ଗୁଡ଼ିଆ, ତେଲି, ବ୍ରାହ୍ମଣ, କରଣ, ହରିଜନ ବିଚାରି ମଣିଷଙ୍କୁ ଦଳୁଚନ୍ତି ତାଙ୍କ ପାଦରେ ! ମଣିଷର କଷ୍ଟ ମଣିଷ ବୁଝେ ନାଇଁ ଆଜ୍ଞା । ବରଂ ବୁଝନ୍ତି ଆଖ ପାଖର ଜନ୍ତୁ, ଜୁନ୍ତାମାନେ । କାରଣ ତାଙ୍କର ମୁଣ୍ଡରେ ବୃଦ୍ଧି କାମ କରୁନାଇଁ, କାମ କରୁଚି ବୋଧା । ଏଇ ବୋଧା ବଳରେ ଜାଣି ପାରନ୍ତି ସେ ଅନ୍ୟର କଷ୍ଟ । କୁହନ୍ତୁ ନି, ଗୁଡ଼ିଆ ବୁଢ଼ା ହାବୁଡ଼ରୁ କିଏ ଆଉ ରକ୍ଷା କରିବାକୁ ଥିଲା ସେ ବିଚାରୀ ମାଇପିଟିକୁ ! ଗାଁ ଲୋକେ ? ଗାଁ ଲୋକେ କ’ଣ ତା’ର ଦେଖିଲେ । ପୋଖରୀ ତୁଠରେ ମାଇପିଟିଏ ହସିଦେଲା ଜଣକୁ ଚାହିଁ, ୟାର ଦଣ୍ଡ କ’ଣ ଏଇଆ ? ଆଉ କହନ୍ତୁ ନାଇଁ କେଡ଼େ ଖୁସି ସେଦିନ ଗାଁରେ, ଯୋଉ ଦିନ ବୁଢ଼ା ଗୁଡ଼ିଆ ତାତିଲା ଶାବଳ ଖୋବିଲା ନେଇ ତା’ ନିଜ ବୋହୂ ଦିହରେ, ବୋହୂ ବିଚାରୀ ସମ୍ଭାଳନ୍ତା କେତେକ ? ତା’ ପାଟିରୁ ବାହାରି ପଡ଼ିଲା–‘ତମକୁ ହାତୀ ଚକଟୁ ।’

 

ଚାହା କପ୍‌ଟିକୁ ତଳେ ଆସ୍ତେ କିନା ଥୋଇ ଲୋକଟି ଶୁନ୍ୟକୁ ନମସ୍କାରଟିଏ କଲା । ତା’ପରେ ହାତକୁ କପ୍ ପୁଣି ଥରେ ନେଇ କହିଲା–

 

“ଗଜରାଜ୍ ସେଇଦିନଠୁ ପଶିଚନ୍ତି ଆସି ଆମ ଗାଁରେ ବାବୁ । ଗୁଡ଼ିଆ ବୁଢ଼ାକୁ ଚଟଣି କଲେ ସେ ସତରେ । ତିନିଜଣ ଲୋକଙ୍କୁ ଏମିତି ଚଟଣି କଲେଣି ସେ ଜାଣନ୍ତି ? ଦୋଷ ଗଜରାଜଙ୍କର ନୁହେଁ । ତାଙ୍କର କି ଦୋଷ । ନିତି ସଞ୍ଜବେଳକୁ ଗଜରାଜା ଗଜରାଣୀଙ୍କୁ ଧରି ଗଡ଼ୁଚନ୍ତି ପାହାଡ଼ରୁ । କ’ଣ କମି ସୁନ୍ଦର ସେ ଦୃଶ୍ୟ । ସଞ୍ଜ ରତରତ ହଉଥିବ । ଆପଣ ଆସି ଠିଆ ହେବେ ଆମ ଗାଁ ମୁଣ୍ଡେ । ଦେଖିବେ ସେ ଦୃଶ୍ୟ । ଓଃ, କି ଠାଣି ସେ ଚାଲିରେ । ରାଜା, ରାଣୀ, ମନ୍ତ୍ରୀ, ସୈନ୍ୟସାମନ୍ତ ଓହ୍ଲୋଉଥିବେ ପାହାଡ଼ରୁ । ପାହାଡ଼ ପାଦ ପାଖରେ ତୋଟାଟିଏ । ସେଇଠି ବିଚାର ପଡ଼ିବ, ଆଜି ପଶିବେ କୋଉ କ୍ଷେତରେ । ଆଶ୍ଚର୍ଯ୍ୟ ହେବେ ଆଜ୍ଞା, ସେ କେଡ଼େ ଜାଣିବା ଶୁଣିବାର ଜନ୍ତୁ ହେଇଗଲେଣି ଏ ଭିତରେ । ଭଗବାନଙ୍କ ଭଳି ବିଚାର କରୁଚନ୍ତି । ଯିବେ କାହା କ୍ଷେତକୁ । ଏତେ କ୍ଷେତ ବାଡ଼ି ଥାଉଁ ଥାଉଁ ଖାଲି ବାଛି ବାଛି ପଶୁଚନ୍ତି ସେ ଏଇଲେ ଆମ ଗାଁର ତାଙ୍କରି କ୍ଷେତରେ ଯାହାଙ୍କ ଅମାରରେ ଗଲା ସନର ଧାନ ଠିଲ୍ ମାରିଚି ଏ ଯାକେ !”

 

“ତା’ ମାନେ, ସିଲିଂ ବହିର୍ଭୁତ ଜମି ଅଛି ଯାହାର ଗଜରାଜା କେବଳ ତାଙ୍କୁ ଇ ଜବତ କରୁଚନ୍ତି ଏଇଲେ–” ଚାହା କପ୍ ଉପରେ ମୁହଁ ରଖି ମୁଁ ହସ ଚାପିବାକୁ ଚେଷ୍ଟା କରୁଥାଏ ସେତେବେଳେ ।

 

କିନ୍ତୁ ଏନ୍.ଏ.ସି. ଜମାଦାର ରସିକଚନ୍ଦ୍ରର ମୋଟା ଲେନ୍‌ସର ଚଷମା ଭିତରୁ ଦିଶୁଥିବା ତା’ର ଛୋଟ ଛୋଟ ଆଖି ଦୁଇଟିକୁ ଚାହିଁ ଦେବା ମାତ୍ରେ ମୋ ମୁହଁର ହସ ଆପେ ଚାପି ହୋଇଗଲା–ସେଇ ଏମର୍ଜେନସି ବର୍ଷର ଅଦ୍ଭୁତ ଶାରଦୀୟ ସକାଳଟିରେ । ଅବିକଳ ଗୋଟିଏ ବିଶାଳକାୟ ଦନ୍ତା ହାତୀର ବିରାଟ ମୁଣ୍ଡରେ ଜୁଳୁ ଜୁଳୁ କରୁଥାଏ ସେ ଛୋଟ ଆଖି ଯୋଡ଼ିକ ସତେ କି !

 

ମୋ ମନ୍ତବ୍ୟ ଶୁଣି ଲୋକଟି ବିରକ୍ତ ହେଲା ନାହିଁ ଅବଶ୍ୟ । ବରଂ ହସି ଦେଲା । କହିଲା–

 

“ଗଜରାଜାର ବିଚାରକୁ ବୁଦ୍ଧିରେ ଆପଣ କଳି ପାରିବେ ନାଇଁ, ସାର୍ । ବୁଦ୍ଧିରେ ତ କଥା ଚଳିଲା ନାହିଁ ବୋଲି ପ୍ରକୃତି ଭଗବାନ ଜନ୍ତୁ ତିଆରି କଲା ବାବୁ ! ଶୁଣିବେ ପଅର ଦିନ ଖବର ? ଏଇଥିରୁ ବୁଝିବେ ଗଜ କି ଜୀବ !”

 

ଚା’ କପ ଖାଲି ହୋଇ ଯାଇଚି ଦେଖି ଲୋକଟି ତାକୁ କୋଉଠି ଥୋଇବ ବୋଲି ଯାଗା ଖୋଜୁଥାଏ । ତା’ ହାତରୁ କପ୍‌ଟିକୁ ନେଇଯିବା ପୂର୍ବରୁ ସେ କିନ୍ତୁ ଆରମ୍ଭ କରି ଦେଇଥିଲା ତା’ର ମୌଳିକ ରସିକ ପଣିଆ–ଯୋଉ କାରଣରୁ ମୋ ବାପା ଏତେ ଭଲ ପାଉଥିଲେ ତାକୁ ।

 

“ହାତୀମାନେ ଓଡ଼ିଆ ଅପେକ୍ଷା ବଙ୍ଗଳା ଭାଷାକୁ ବେଶି ପସନ୍ଦ କରନ୍ତି ସାର, ଜାଣନ୍ତି ଆପଣ ?” ଗମ୍ଭୀର ହୋଇ ସେ ତା’ପରେ ଚାହିଁଲା ଥରେ ମୋ ମୁହଁକୁ ଆଉ ତା’ପରେ ମୋ ସ୍ତ୍ରୀର ମୁହଁକୁ । ସେ ଯେ କାହିଁକି ଏ କଥା କହିଲା ଆମେ ବୁଝି ପାରିଲୁ ନାହିଁ ହଠାତ୍ । କିନ୍ତୁ ମୁଁ ବେଶ୍ ଲକ୍ଷ୍ୟ କଲି–ଏଥର ହାତୀଙ୍କୁ ଗଜରାଜା ନ କହି ହାତୀ କହିବା ଦ୍ଵାରା ସେ ଆଉ ଶୁନ୍ୟକୁ ନମସ୍କାର ହେଲା ନାହିଁ ଆଦୌ । ହୁଏତ ହାତୀମାନଙ୍କ ସମ୍ପର୍କରେ ତା’ର ଲେସନ୍ ପୁରା ଦେଇ ସାରିଛି ସେ ଆମକୁ, ଏହିପରି ମନେକରି ତା’ର ସ୍ଵାଭାବିକ ଅବସ୍ଥାକୁ ଫେରି ସାରିଥାଏ ସେ–ଆମେ ଏଇଆ ମନେକଲୁ । ଲୋକଟି ମଧ୍ୟ ସେହିପରି ସ୍ଵାଭାବିକ ସ୍ଵରରେ କହି ଚାଲିଲା–

 

“ପଅରଦିନର ଖବର ଏ । ସଞ୍ଜବେଳ । ଷ୍ଟେଟ୍‌ବ୍ୟାଙ୍କ୍‌ର ଜଣେ କିରାଣୀ ବାବୁ ରହନ୍ତି ଆମ ଗାଁରେ–ଘର ଭଡ଼ା ନେଇ । ଅଫିସ୍ ସାରି ଫେରୁଥିଲେ ବସାକୁ । ସହର ରାସ୍ତାର ଶେଷ ବତୀଖଣ୍ଟଠୁଁ ଆଗକୁ ଅନ୍ଧାରିଆ ରାସ୍ତା ଯୋଉଠି ଆରମ୍ଭ ସେଠ ପଡ଼ିବ ବଣ ରାସ୍ତା ଆମ ଗାଁ ଯାକେ-। ଏ ରାସ୍ତାରେ ହାତୀ ଉପଦ୍ରବ ହୋଇଗଲାଣି କେଇବାର ଏ ଭିତରେ ଜାଣେ ସେ ବାବୁ ଜଣକ ଖୁବ୍ । କିନ୍ତୁ ସେ ତ ଆମ ଓଡ଼ିଆ ପିଲା ନୁହେଁ । ବଙ୍ଗାଳୀ ଜାତି, ଭାରି ଭକ୍ତ ଜାତି, ଜାଣନ୍ତି ଆପଣ । ବଡ଼ ବଡ଼ ସନ୍ଥ, ବଡ଼ ବଡ଼ କବି ଜନ୍ମିଛନ୍ତି ସେଠି ଆଜ୍ଞା । ସେମାନେ ଆମ ଭଳି ଜ୍ଞାନ ମିଶ୍ରା ନୁହଁନ୍ତି-। ଭକ୍ତ ସେମାନେ । କବି ସେମାନେ । କଅଣ ହେଲା ଶୁଣନ୍ତୁ ।”

 

ଏନ. ଏ. ସି. ଜମାଦାର ରସିକଚନ୍ଦ୍ର ମୋ ବାପାଙ୍କ ପରମ ବନ୍ଧୁ, ସେ ଅଦ୍ଭୁତ ମଣିଷଟି ହଠାତ୍ ଉଠି ପଡ଼ିଲା ଚଉକିରୁ ଆଉ ଏକ ଅପୂର୍ବ ଅଭିନୟ ଆରମ୍ଭ କରିଦେଲା ।

 

ପିଣ୍ଡା ତଳକୁ ଓହ୍ଲେଇ ପଡ଼ି ଯୋଡ଼ହସ୍ତ ହେଇ ଠିଆ ହେଇ ସେ କହିଲା, ‘‘ମନେ କରନ୍ତୁ ଆଜ୍ଞା ମୁଁ ସେଇ ବଙ୍ଗାଳି ଯୁବକ ଆଉ ଆପଣମାନେ ହେଲେ ଗଜରାଜ ଆଉ ଗଜରାଣୀ । ଟୋକାଟି ସହର ରାସ୍ତା ଛାଡ଼ି ବଣ ରାସ୍ତାକୁ ପଶିଚି କି ନାଇଁ ହଠାତ୍ ନଜର ପଡ଼ିଗଲା–ହାତୀ ପଲ ଠିଆ ହେଇଚନ୍ତି ରାସ୍ତା ମଝିରେ । ଆମେ ତୁମେ ହେଇଥିଲେ କ’ଣ କରିଥାନ୍ତେ କହନ୍ତୁ ନି ! କିନ୍ତୁ ଭକ୍ତ ଜାତିର ପିଲା ସେ । କବି ଜାତିର ପିଲା ସେ । କଅଣ କଲା କହନ୍ତୁ ନି ? ସାଇକେଲରୁ ଓହ୍ଲେଇ ପଡ଼ିଲା । ସିଧା ଛୁଟିଗଲା ଦଳ ଆଡ଼କୁ । ହାତୀ ଦଳ ସେ ଏଥର ଦେଖନ୍ତୁ ବୁଦ୍ଧି କଣ, ବୋଧା କଣ–ଯୋଉ କଥା କହୁଥିଲି ଟିକିଏ ଆଗରୁ ।

 

“ହାତୀ ଦଳ ଯେମିତି ଘେରି ଆସିଛନ୍ତି ଟୋକା ଠିକ୍ ଠାଉରେଇ ନେଲା–ଦଳ ଭିତରୁ ଅସଲ ରକ୍ଷାକର୍ତ୍ତୀ । ଯେ, ସେଇ ମାଈ ହାତୀକୁ । ସିଧା ଶୋଇ ପଡ଼ିଲା ଆଜ୍ଞା ଭୂଇଁ ଉପରେ ମାଈ ହାତୀର ପାଦତଳେ । ତୁଣ୍ଡରୁ ତା’ର ଆପଣା ଆପେ ବାହାରିଗଲା–କଣ କୁହନ୍ତୁ ନି ? କବିତା ଆଜ୍ଞା କବିତା ସେ–ଯାହାକୁ ମଣିଷ ବୁଝେ ଭଗବାନ୍ ଜନ୍ତୁ ଆଜ୍ଞା ! କହିଲା–

 

ମା’ ଗଜରାନୀ ! ତୁମି ଗଜରଜାର ରାନୀ, ଆମର ମା’ ! ମା ଗୋ ! ଆମର ବତ୍ସର ବତ୍ସର ଧରେ ହିଂସାତ୍ମକ ଚିନ୍ତାଏ ଆକ୍ରାନ୍ତ ହଏ ଅମାଦେର ଭାରତୀୟ ସଂସ୍କୃତି କେ ହରାଇ ଆଛି ମା’ ! ମା’ ଗଜରାନୀ ଆମାକେ ରକ୍ଷା କରୋ । ଆମାକେ ତୋମାର କୋଲେ...’’

 

ଆମେ ସ୍ତବଧ ହୋଇ, କାକୁସ୍ଥ ହୋଇ ଲକ୍ଷ୍ୟ କରୁଥାଉ । ଇତିମଧ୍ୟରେ ଲୋକଟି ଭୂଇଁ ଉପରେ ଲମ୍ବ ହୋଇ ଶୋଇପଡ଼ି ପୁଣି ଉଠିଲାଣି । ତା’ ଆଖିରୁ ଧାର ଧାର ଲୁହ ଝରି ପଡ଼ୁଥାଏ । କିନ୍ତୁ ସେ ମୁରୁକେଇ ମୁରୁକେଇ ହସୁଥାଏ ଆଉ ଆମର ଭାବାନ୍ତରକୁ ଲକ୍ଷ୍ୟ କରି କହୁଥାଏ...

 

“ଗଜରାଜ ଆଉ ଗଜରାଣୀ ଶବ୍ଦ ମୁଁ ସେଇ ଲୋକଠୁ ଶିକ୍ଷା କରିଛି, ବାବା । ଜାଣନ୍ତି କଅଣ ହେଲା ତା’ପରେ ?”

 

ଆଖିରୁ ଝରି ପଡ଼ୁଥିବା ଲୁହକୁ ଖାକି ଜାମାର କନାରେ ପୋଛି ନେଇ ସାରି ସେ କହିଲା–

 

“ସେଇଆ, ଯାହା ହେଇଥିଲା ସାଉଥ୍ ପ୍ୟାସିଫିକ୍ ଆଇଲାଣ୍ଡରେ । ସେଠିକା ଭଗବାନ୍ ଜନ୍ତୁ ଯେମିତି ଟେକି ନେଇ ପଳେଇଲା ଆମେରିକାନ ସୋଲଜର କୁ ବଣକୁ ଆଉ ଛ’ ମାସରେ ବୈଷ୍ଣବ ବନେଇ ଛାଡ଼ି ଦେଲା ଏ ଟୋକାକୁ ଗଜରାଣୀ ସେମିତି ଥିଲା ବୈଷ୍ଣବ ବନେଇ ଛାଡ଼ିଦେଲା । ଏ ଟୋକାକୁ ଚିହ୍ନନ୍ତି ନାଇଁ ଆପଣ । ମହା କମ୍ୟୁନିଷ୍ଟ ଆଜ୍ଞା । ମଣିଷମାରୁ କମ୍ୟୁନିଷ୍ଟ କହନ୍ତି ଯାହାକୁ । ସେଇ କମ୍ୟୁନିଷ୍ଟ ଥିଲା ଆଜ୍ଞା ସେ । ଆଉ ଅବିକା ? ଖୋଳ କରତାଳ ଧରି ବୁଲୁଚି ସେ ଆମ ଗାଁ ଦାଣ୍ଡରେ ।”

 

ମୋର ବିସ୍ମୟାଭିଭୂତ ଆଖି ଯୋଡ଼ିକ ଇତିମଧ୍ୟରେ ଟୁଳୁଟୁଳୁ ହୋଇ ଆସିଥାଏ । ଆଉ ମୁଁ ସେ ଲୋକଟିକୁ ଚାହିଁବା ଅବସ୍ଥାରେ ନ ଥାଏ ।

 

ଶାରଦୀୟ ସକାଳର ମୁହୂର୍ମୁହୁ ପରିବର୍ତ୍ତନଶୀଳ ଆକାଶର ରଙ୍ଗ ସାଥୀରେ ତାଳ ଦେଇ ପତ୍ରଗୁଡ଼ାକର ରଙ୍ଗ ମଧ୍ୟ ଅତି ଅଦ୍ଭୁତ ଭାବେ ବଦଳି ଯାଇଥାଏ ସେତେବେଳ । କିନ୍ତୁ ମୋ ଦୃଷ୍ଟି ସେ ରଙ୍ଗର ପ୍ରତିବନ୍ଧକ ଏଡ଼େଇ ଆହୁରି ଦୂରକୁ ଦୂରକୁ ଭେଦି ଯାଉଥାଏ ।

 

ଲୋକଟି ତଥାପି କ’ଣ ସବୁ କହି ଯାଉଥାଏ । କିନ୍ତୁ ମୋ କାନରେ ଆଉ ସେ ସବୁ କିଛି ପଡୁ ନଥାଏ । କେବଳ ଗୋଟିଏ ବାକ୍ୟର ଗୁଞ୍ଜନ ବାରମ୍ବାର ମୋତେ ଶୁଣା ଯାଉଥାଏ । ହିରଣ୍ୟବତୀ ନଦୀ ତଟର ଏକ ପର୍ବତ ଉପରୁ ତାଙ୍କର ପ୍ରିୟତମ ଜନ୍ମଭୂମି ଭାରତବର୍ଷର ମନୋରମ ପ୍ରକୃତି କୋଳରେ ସମ୍ପୁର୍ଣ୍ଣ ନିଜସ୍ଵ ରୀତିରେ ବିବର୍ତ୍ତିତ ହେଉଥିବା ମଣିଷମାନଙ୍କୁ ଦେଖୁ ଦେଖୁ ଏହି ବକ୍ୟଟି ଉଚ୍ଚାରଣ କଲା ପରେ ତଥାଗତ ମହାନିର୍ବାଣ ଲାଭ କରିଥିଲେ–

 

“ଚିତ୍ରଂ ଜମ୍ବୁଦ୍ଵୀପଂ ମନୋରମଂ ଜୀବିତଂ ମନୁଷ୍ୟାନାଂ ।” ପବନରେ ବହୁ ଦୂରରୁ ଭାସି ଭାସି ସେଇ ବାକ୍ୟଟି ମୂହୁର୍ମୁହୁ ଗୁଞ୍ଜରିତ ହେଉଥାଏ ମୋ କାନରେ :–

 

“ଚିତ୍ରଂ ଜମ୍ବୁଦ୍ଵୀପଂ ମନୋରମଂ ଜୀବିତଂ ମନୁଷ୍ୟାନାଂ”

Image

 

ଏକବିଂଶ ଶତାବ୍ଦୀ ପାଇଁ : ଗଳ୍ପ

 

“ଏକବିଂଶ ଶତାବ୍ଦୀ ଗୋଟିଏ ଭୟଙ୍କର ଶତାବ୍ଦୀ ହେବ । ଜଣେ ବୈଜ୍ଞାନିକ ଭାବେ ଅବଶ୍ୟ ମୁଁ ଭୟକୁ ମୂଳରୁ ହିଁ ଅସ୍ଵୀକାର କରେ ଓ କରୁଛି ମଧ୍ୟ । କିନ୍ତୁ ଏକବିଂଶ ଶତାବ୍ଦୀ ଏଭଳି ଗୋଟିଏ ଭୟଙ୍କର ଶତାବ୍ଦୀ ହେବ ବୋଲି ମୁଁ ଭବିଷ୍ୟବାଣୀ କରିପାରେ ଯାହା ଶୁଣିଲେ ଗର୍ଭବତୀ ନାରୀମାନେ ସେମାନଙ୍କ ଗର୍ଭରେ ଥିବା ଭବିଷ୍ୟତ ନାଗରିକମାନଙ୍କ ପ୍ରତି ହୁଏତ ଏପରି ଦୟାଶୀଳା ହୋଇ ପାରନ୍ତି ଯେ ଅନ୍ତତଃ ଆଗାମୀ ବର୍ଷଟି ପରିବାର କଲ୍ୟାଣ ଦୃଷ୍ଟିରୁ ଗୋଟିଏ ଅତି କଲ୍ୟଣୀୟ ବର୍ଷ ରୂପେ ଆମ ଆଗରେ ଦେଖା ଦେଇପାରେ ।”

 

ଏପରି ଆଲୋଚନାରେ ସେଦିନ ସନ୍ଧ୍ୟାଟି କଟି ଯାଇଥିଲା କୌଣସି ପ୍ରକାରେ । ମୋର ବନ୍ଧୁ ବୈଜ୍ଞାନିକ ପଟ୍ଟନାୟକ ସନ୍ଧ୍ୟା ଛ’ ରୁ ନ’ ଯାକେ ଦୀର୍ଘ ତିନିଘଣ୍ଟା ପ୍ରାୟ ଏକାକୀ ନିଜ ସହିତ ନିଜେ ହିଁ ଆଳାପ କରୁ କରୁ ସମୟତକ କଟେଇ ଦେଇଥିଲେ ଆମ ଘରେ । ତାଙ୍କର ସେଇ ଭୟଙ୍କର ଆତ୍ମାଳାପର ଶ୍ରୋତା ଥିଲୁ ଆମେ ଦୁଇଜଣ–ମୁଁ ଓ ମୋର ଗର୍ଭବତୀ ପତ୍ନୀ ତନୁଜା । ଡଃ ପଟ୍ଟନାୟକ କେଜାଣି କେମିତି ମୋ ଉପସ୍ଥିତିକୁ ସମ୍ପୂର୍ଣ୍ଣ ଭୁଲିଯାଇ ପାରିଥିଲେ ।

 

“ଏକବିଂଶ ଶତାବ୍ଦୀର ମଣିଷମାନେ ନିଶ୍ଚିତଭାବେ ଅତି ମେଧାବୀ ହେବେ, କିନ୍ତୁ, ଡଃ ପଟ୍ଟନାୟକ ସେଦିନ ରାତି ନ’ ରେ ଆମ ଘରୁ ବିଦାୟ ନେଇଯିବା ପୂର୍ବରୁ ତାଙ୍କର ଦୀର୍ଘ ଭାଷଣର ସାରାଂଶଟିକୁ ତାଙ୍କର ସ୍ଵଭାବସୁଲଭ ହାସ୍ୟଗମ୍ଭୀର କହିବ ଠାଣିରେ ଏହିପରି ଆରମ୍ଭ କରୁ କରୁ କାହିଁକି କେଜାଣି ସେତିକିରେଇ ସମାପ୍ତ କରିଦେଲେ ଓ ହଠାତ୍ ହୁଏତ ସେତିକିବେଳେ ସେ ପ୍ରଥମ କରି ତନୁଜାର ଅସ୍ତିତ୍ଵ ସମ୍ପର୍କରେ ସଚେତନ ହୋଇପଡ଼ିଲେ, ସେହିପରି ଆଶ୍ଚର୍ଯ୍ୟ ବିମର୍ଷ ହୋଇଗଲେ । ତାଙ୍କର ଗୋରା ତକତକ ମୁହଁରେ କେଜାଣି କେତେ ଭୟ, ଆଶଙ୍କା, ଲଜ୍ଜ୍ୟା ଅନୁଶୋଚନା ଏପରି କି ତୀବ୍ର ପ୍ରଚଣ୍ଡ କ୍ରୋଧର ଆଜ୍ଞାତ ରଙ୍ଗ ଓ ରେଖାସବୁ ଖେଳିଗଲା । ଅପ୍ରତିଭ ହୋଇ ଶେଷରେ ସେ ଯେତେ ଶୀଘ୍ର ପାରନ୍ତି ସେତେ ଶୀଘ୍ର ଆମଠାରୁ ବିଦାୟ ନେଇ ଚାଲିଯିବାପାଇଁ ଅନୁମତି ଚାହିଁଲେ ଓ ଚାଲିଗଲେ ମଧ୍ୟ । କିନ୍ତୁ ତାରି ପରେ ପରେ ଆରମ୍ଭ ହୋଇଗଲା ସେଇ ବିଚିତ୍ର ନାଟକ ଆମ ଘରେ ।

 

ତନୁଜା ଯଥାରୀତି କିଚିନ୍ ଭିତରେ ପ୍ରବେଶ କଲା । ରାତି ପାଇଁ ଖାଇବା ପ୍ରସ୍ତୁତ କରିବା ଛଡ଼ା ସେବା କ’ଣ କରିଥାନ୍ତା ସେତେବେଳେ । ବାସନକୁସନର ଝଣଝାଣ୍, ଟ୍ୟାପ୍‌ରୁ ପାଣି ବାହାରିବାର ଆୱାଜ ଓ ପାଣି ବନ୍ଦ ହେବା ଆୱାଜ ସାଥୀରେ ତାର ଶାଢ଼ୀର ସ୍ଵାଭାବିକ ଖସ୍ ଖସ୍ ଶବ୍ଦ ମୋତେ ନିଃସନ୍ଦେହ କରିଥିଲେ ତା’ ସମ୍ପର୍କରେ । ଡିନର ପାଇଁ ଅପେକ୍ଷା କରୁ କରୁ ରେକର୍ଡ଼ ପ୍ଲେୟାର ଅନ୍ କରି ମୋର ପ୍ରିୟ ସଙ୍ଗୀତଜ୍ଞ ବଡ଼େ ଗୁଲାମ ଅଲ୍ଲିଙ୍କର ଗୋଟିଏ ଠୁମ୍‌ରୀ ଆରମ୍ଭ କରିବା ଛଡ଼ା ମୋର ଆଉ କ’ଣ କର୍ତ୍ତବ୍ୟ ସେତେବେଳେ ।

 

କିନ୍ତୁ ରେକର୍ଡ଼ ପ୍ଲେୟାରର ଷ୍ଟୋରିଓ ପିକ୍‌ଅପ୍ ଏଲ୍.ପି.ର ବ୍ଳାଙ୍କ ଫେସ୍ ସ୍ପର୍ଶ କରୁ ନ କରୁଣୁ ଗୋଟିଏ ଅତି ଅସ୍ଵାଭିକ ଶବ୍ଦ ବାହାରିବାକୁ ଶୁଣି ମୁଁ ଚମକି ପଡ଼ିଲି ।

 

ସେ ଶବ୍ଦ କ’ଣ ରେକର୍ଡ଼ରୁ ବାହାରିଲା ? ସ୍ତବ୍‍ଧ ହୋଇ କାନ ଡେରୁ ଡେରୁ ମୋର ଖିଆଲ ହେଲା–ସେ ଶବ୍ଦର ଉତ୍ସ ରେକର୍ଡ଼ରେ ନଥାଇ ପ୍ରକୃତରେ ଥିବା କେଉଁଠି ସମ୍ଭବପର, ସେଥିପ୍ରତି ।

 

ପିକ୍‌ଅପ୍‌ଟାକୁ କ୍ରାଡ଼ଲ ଉପରକୁ ଫୋପାଡ଼ି ଦେଇ ଗୋଟାଏ ଡିଆଁରେ ଯାଇ କିଚିନ୍ ଭିତରେ ଠିଆ ହୋଇପଡ଼ିବା ଛଡ଼ା ମୋର ଗତି ଆଉ ଥିଲା କ’ଣ ସେତେବେଳେ ? ସେ ଉଚ୍ଚ ଚିତ୍କାର ଯେ ତନୁଜାର ଓ ତା’ ଛଡ଼ା ଅନ୍ୟ କାହାର ହୋଇ ନପାରେ–କେହି ଅପ୍ରମାଣ କରିପାରିଥାନ୍ତି କିପରି ?

 

କିନ୍ତୁ ମୋର ସେ ଅଦ୍ଭୁତ ଡିଆଁ ହୁଏତ ଭୟାର୍ତ୍ତ ଚେହେରା ଦେଖିବାକ୍ଷଣି ତନୁଜା ନିଜେ ଶଙ୍କିତ ହୋଇଯିବ କଣ ଓଲଟି ଫିସିକିନା ଟିକେ ହସିଦେଇ ପୁଣି ଗମ୍ଭୀର ହୋଇଗଲା–ସତେକି ସେ ସେତେବେଳେ କେବଳ କହିବାକୁ ଚାହୁଁଥିଲା: ଏତେ ତରବର କାହିଁକି ? ଅପେକ୍ଷା କର । ଏଇତ ପାଞ୍ଚ ମିନିଟରେ ସବୁ ସରିଯିବ । ବଢ଼ା ହେଲେ ଡାକିବି ନାହିଁ କି । ଯାଅ ଗୀତ ଶୁଣିବ ଯାଅ ନା ।

 

ତାର ଏଇ ଅସଲଗ୍ନ ସ୍ଥିର ସ୍ୱାଭାବିକ ହିଁ ମତେ ଆହୁରି ଚମକଇ ଦେଇଥିଲା ସେତେବେଳେ । ତେବେ ସେ ଚିତ୍କାର ତନୁଜାର ନଥିଲା । ମୁଁ ତେବେ ଭୁଲ ଶୁଣିଲି ? ଏହିପରି ସନ୍ଦେହ ଯୋଗୁଁ ମୁଁ ଦ୍ଵିଗୁଣ ଆଶଙ୍କିତ ହୋଇ ଚତୁର୍ଦ୍ଦିଗକୁ ଆଖି ବୁଲାଇ ଦେଖି ଲାଗିଲି । କିନ୍ତୁ କାହିଁ-? ମଣିଷର ସ୍ୱର ସେ ଘରେ ତୃତୀୟ କାହିଁ ? ଟିକିଏ ପୂର୍ବରୁ ମୁଁ ଯୋଉ ପ୍ରାୟ ଏକ ଆର୍ତ୍ତଚିତ୍କାର ଭଳି କିଛି କଅଣ ଶୁଣିଲି ସେ ତେବେ ତନୁଜାର ଗଳାରୁ ବାହାରି ନାହିଁ ? –କେମିତି ବିଶ୍ୱାସ କରିଥାନ୍ତି ।

 

‘ମତେ ଡାକିଲ ?’ କୌତୁହଳ ସମ୍ଭାଳି ନପାରି ମନରୁ ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ମୁଁ ତନୁଜାକୁ ହସିବାର ଛଳନା କରି ପଚାରିଲି, କାରଣ ତା ନ କରିଥିଲେ ହୁଏତ ସେ ମୋ ଠାରୁ ଆହୁରି ବେଶୀ ଭୟ ପାଇ ଯାଇଥାନ୍ତା ଓ ତାର ମନ୍ଦ ଫଳ ତା’ ଉପରେ ଯେଭଳି ପଡ଼ିଥାନ୍ତା ତାହା ଆମକୁଇ ଭୋଗିବାକୁ ପଡ଼ିଥାନ୍ତା ।

 

କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେବାଠାରୁ ମୁଁ ଯେଭଳି ପାଇଲି ସେଥିରେ ମୋର ସମସ୍ତ ହସର ଛଳନା ଉଭେଇ ଯିବାକୁ ବାଧ୍ୟ ହେଲା ।

 

‘ମୁଁ ତମକୁ ଡାକିଲି ? ତନୁଜାର ସ୍ଵାଭାବିକ ସୁନ୍ଦର ବଡ଼ ବଡ଼ ଆଖିଯୋଡ଼ିକ ମୋ ଆଡ଼କୁ ଏଥର ବାସ୍ତବିକ୍ ଭୟ ଓ ସନ୍ଦେହଦୃଷ୍ଟିରେ ଅନେଇବାକୁ ଲାଗିଲା । କିନ୍ତୁ କ୍ଷଣକପରେ ସେ ଚାହାଣୀ ସାଧାରଣ ଅବସ୍ଥାକୁ ଫେରିଗଲା ।

 

‘ଯାଅ, ଗୀତ ଶୁଣିବ ଯାଅ’ ସେ ମତେ ତା’ପରେ ସାନ୍ତ୍ଵନା ଦେବା ଢଙ୍ଗରେ ହିଁ କହୁ କହୁ ପ୍ରକୃତ ଘଟଣାଟି ଆପେ ବାହାରିଗଲା ତା’ ପାଟିରୁ–

 

“ହଁ, ମୁଁ ତମକୁ ଡାକିଚି ଯେ, କିନ୍ତୁ... ମାତ୍ର ?” ତନୁଜାର ଆଖିଯୋଡ଼ାକ ଏତେବେଳେ ଯାଇ ତାର ପ୍ରକୃତ ମନୋଭାବ ପ୍ରକାଶ କରିବାକୁ ସମର୍ଥ ହେଲା । ତାର କପାଳ ତଳୁ ଆଜିକୁ ପାଞ୍ଚବର୍ଷ ଧରି ଯୋଉ ସୁନ୍ଦର ଓ ଯୋଡ଼ିଏ ଗଙ୍ଗାକୂଳିଆ କାଗେଜିଲେମ୍ବୁ ପରି ବଡ଼ ବଡ଼ ଆଖି ଯୋଡ଼ିକୁ ମୁଁ ଏଯାକେ ଦେଖି ଆସିଥିଲି ହଠାତ୍ ସେ ଯୋଡ଼ିକ କୁଆଡ଼େ ଉଭେଇଗଲା । ସେତେବେଳେ ତା’ ସ୍ଥାନରେ ସେ ଯୋଉ ଅନ୍ୟ ଆଖିହଳକ ଦେଖିବାକୁ ମିଳିଲା ତାହା ଆକାରରେ ଏତେ ଛୋଟ ବେଢ଼ଙ୍ଗ ଆଉ ଅସୁନ୍ଦର ଯେ କ୍ଷଣକ ପାଇଁ ମୋ ସ୍ତ୍ରୀ ତନୁଜାକୁ ଚିହ୍ନି ପାରିନଥିଲି ମୁଁ । କିନ୍ତୁ ଭାବନାକୁ ଘେନି ମଣିଷର ରୂପ ପରିବର୍ତ୍ତନ ଘଟେ–ଏହି ସାନ୍ତ୍ଵନା ମନକୁ ଦେଇ ମୁଁ ଅତ୍ୟନ୍ତ ମନୋଯୋଗୀ ହୋଇ ତନୁଜାର ସେ ରୂପ ପରିବର୍ତ୍ତନକୁ ଲକ୍ଷ୍ୟ କରିବା ସାଥେ ସାଥେ କେତେକାଂଶରେ ତାର ସଫେଇକୁ କାନ ଦେଇଥିଲି । ତାରି ଫଳରେ ହିଁ ଘଟଣାର ପ୍ରକୃତ ଅର୍ଥ ବୁଝିବାକୁ ମୁଁ ଅବଶ୍ୟ ସମର୍ଥ ହୋଇଥିଲି ।

 

“ହଁ, ମୁଁ ତମକୁ ଡାକିଚି, କିନ୍ତୁ ମୁଁ ତ ପାଟିକରି ଡାକି ନାହିଁ । ତୁମେ ମୋ ପାଟି ଶୁଣି ପାରିଲ ? ଇମ୍‌ପସିବ୍‌ଲ ! ତେବେ କ’ଣ ? ଓଃ !”

 

ତନୁଜା କିଚିନର ଗୋଟିଏ କଣରେ ପଡ଼ିଥିବା ଖଣ୍ଡେ ବେତ ଘୋଡ଼ିଆ ଉପରେ ବସି ପଡ଼ୁଥିଲା । ତାର ଆଖିଯୋଡ଼ାକ ତଥାପି ସେଇଭଳି ଅସ୍ଵାଭାବିକ ସଂକୀର୍ଣ୍ଣତାରୁ ସେ ପର୍ଯ୍ୟନ୍ତ ମୁକ୍ତ ହୋଇ ନ ଥାଏ । ତେଣୁ ମୁଁ ତାକୁ ସେଭଳି ଅବସ୍ଥାରେ ସେଠି କିଚିନ୍‌ଟା ଭିତରେ ବସି ରହିବାକୁ ଦେବା ଉଚିତ ମନେ କଲିନାହିଁ । ତାର ହାତ ଧରି ଆସ୍ତେ ବସିବା ଯାଗାରୁ ଉଠାଇ ଦେଇ ଛାତିରେ ଚାପି ଧଇଲି କିଛି ସମୟ ପାଇଁ । ସେତିକିବେଳେ ତନୁଜାର ଛାତିର ଦ୍ରୁତ ସ୍ପନ୍ଦନ ଅନୁଭବ କରିଥିଲି ମୁଁ ଯେଉଁଥିରୁ ମୋର ହୃତ୍‌ସ୍ପନ୍ଦନର ମାତ୍ରାଧିକ୍ୟତା ହଠାତ୍ ବଢ଼ି ଯାଇଥିଲା ଓ ତଦ୍ଦ୍ୱାରା ମୋ ମନର ଅବସ୍ଥା ନିଶ୍ଚିତ ଭାବେ ସଂକ୍ରମିତ ହୋଇଥିବ ତନୁଜା ପ୍ରତି–ତାହା ବୁଝିବାକୁ ଡେରି ଲାଗି ନ ଥିଲା ।

 

ତନୁଜାକୁ ସେଭଳି ଜାକି ଧରିବା ଦ୍ଵାରା ମୁଁ ତାର କେତେ କ୍ଷତି କଲି ଏକଥା ବୁଝିବା ପୂର୍ବରୁ ହଠାତ୍ ମତେ ତା’ଠାରୁ ଜୋର୍‌କରି ଦୂରକୁ ପେଲିଦେଲା ସେ । ଆଉ ଏତେବେଳ ଧରି ନୀରବରେ ମନ ଭିତରେ ଯେଉଁଭଳି ଚିତ୍କାର କରି କ’ଣସବୁ ଗପି ଲାଗିଥିଲା ସେ ତାର ଗୋଟିଏ ସଂକ୍ଷିପ୍ତ ଅଂଶ ଅଜାଣତରେ ବା ଜାଣତରେ ବାହାରି ପଡ଼ିଲା ତା ମୁହଁରୁ–

 

ହିପୋକ୍ରାଇଟ୍ ! ଭଣ୍ଡ । ସ୍ପାଇ । କିଏ ତମକୁ ଅଧିକାର ଦେଲା ? ଏତେବର୍ଷ ଧରି ତେବେ ଗୋଟାଏ ଗୁପ୍ତଚର ସାଥିରେ ମୁଁ ରହୁଚି । ହେ ଭଗବାନ ! ହେ ଭଗବାନ ! ...

 

ତନୁଜା ମତେ ସ୍ପାଇ ବା ଗୁପ୍ତଚର ବୋଲି ସନ୍ଦେହ କରିବାର ସେଇ ମାତ୍ର ପ୍ରଥମ ଅବକାଶ ଘଟିଥିଲା ଆମର ବୈବାହିକ ଜୀବନରେ । ଅବଶ୍ୟ ଗୁପ୍ତଚର ବୃତ୍ତି ନା ଥିଲା ମୋର ପେଶା ନା ମୋର ସ୍ଵଭାବ । କିନ୍ତୁ ମତେ ଗୁପ୍ତଚର ମନେକରି ମୋଠାରୁ ଯେତେଦୂର ସମ୍ଭବ ଦୂରେଇ ରହିବା; ସର୍ବୋପରି ନିଜର ଚିନ୍ତାକୁ ଯେତେଦୂର ସମ୍ଭବ ମୋଠାରୁ ଲୁଚେଇ ରଖିବା ପାଇଁ ତନୁଜାର ପ୍ରବୃତ୍ତି ସେଇ ଘଟଣା ପରଠାରୁ କ୍ରମଶଃ ବଢ଼ିବାକୁ ଲାଗିଲା ।

 

ମୋ ସ୍ତ୍ରୀ ସହିତ ମୋର ସେପରି ଭାବଗତ ପାର୍ଥକ୍ୟ ବୃଦ୍ଧିର ଅବଶ୍ୟମ୍ଭାବୀ ପରିଣତି ଆଉ କ’ଣ ହୋଇଥାନ୍ତା ? ତନୁଜା ପ୍ରତି ମୋର ପ୍ରଗାଢ଼ ପ୍ରେମ ସତ୍ତ୍ୱେ ତା ସହିତ ମୋର ସେଇ ନୂଆ ସମ୍ପର୍କଟା ବାସ୍ତବିକ ଅଧିକରୁ ଅଧିକ ଭୟଙ୍କର ହେବାକୁ ଆରମ୍ଭ ହୋଇଗଲା । ତା ପ୍ରତି ମୁଁ କ୍ରମଶଃ ଏତେଦୂର ଆସକ୍ତ ହୋଇପଡ଼ିଲି ଓ ତା’ ମନଭିତରର ଯାବତୀୟ ଗୁପ୍ତ ଖବର ଜାଣିବାରେ ମୋର ଆଗ୍ରହ ଏତେ ମାତ୍ରାରେ ବଢ଼ିବାକୁ ଲାଗିଲା ଯେ ମୁଁ ସତକୁ ସତ ଜଣେ ଡିଟେକ୍‌ଟିଭ ପାଲଟିଗଲି ଓ ଦିନ ପରେ ଦିନ ମୋର ପ୍ରାଣପ୍ରତିମ ପତ୍ନୀ ତନୁଜାକୁ ଗୋଟିଏ ଆନ୍ତର୍ଜାତିକ ଦସ୍ୟୁଦଳର ନାୟିକା ପରି ମନେ ମନେ ଗୋଡ଼ାଇବାକୁ ଲାଗିଲି ।

 

ସମୟ କଟିଯାଉଥିଲା ।

 

ଇତିମଧ୍ୟରେ ସ୍ଥାନୀୟ ଡାକ୍ତରଖାନାରେ ତନୁଜାର ଗର୍ଭପାତ କରାଇବା ପାଇଁ ମୁଁ ଓ ତନୁଜା ଉଭୟ ସମ୍ମତ ହୋଇଥିଲୁ । ଯଦିଓ ସେ ସନ୍ତାନଟି ଆମର ସର୍ବପ୍ରଥମ ସନ୍ତାନ ହୋଇ ଜନ୍ମ ହୋଇଥାନ୍ତା ତେବେ ମଧ୍ୟ ଆମକୁ ସେ ଅତୀବ ମର୍ମନ୍ତୁଦ କର୍ତ୍ତବ୍ୟଟିକୁ ସମ୍ପାଦିତ କରାଇବାକୁ ପଡ଼ିଥିଲା । ଅବଶ୍ୟ ଆମର ଏଇ କର୍ତ୍ତବ୍ୟ ପାଳନ ପଛରେ ଅଜାତ ସନ୍ତାନଟି ପ୍ରତି କୌଣସି ଆବିଳତା ଆମ କାହାରି ମନରେ ସ୍ଥାନ ପାଇନଥିଲା । କାରଣ ତାକୁ କେନ୍ଦ୍ର କରି ତନୁଜା ଓ ମୋ ଭିତରେ କୌଣସି ସନ୍ଦେହ ବା ମନୋମାଳିନ୍ୟର ଅବକାଶ ନ ଥିଲା । ଆମର ପରସ୍ପର ପ୍ରତି କ୍ରମବର୍ଦ୍ଧିଷ୍ଣୁ ସନ୍ଦେହ ଏପରିକି ଘଟଣାର କାରଣ ଥିଲା ଅନ୍ୟତ୍ର । ତାହା ଥିଲା ଆମର ସେଇ ଅକସ୍ମାତ୍ ଆବିଷ୍କୃତ ଅଦ୍ଭୂତପୂର୍ବ କ୍ଷମତା ଯାହାଫଳରେ କି ଆମେ ଦିନ ପରେ ଦିନ ପରସ୍ପରର ମାନସିକ ଗୋପନୀୟତାର ଗନ୍ତାଘରକୁ ପରସ୍ପରର ଅଲକ୍ଷ୍ୟରେ ପ୍ରବେଶ କରି ପାରୁଥିଲୁ । ତନୁଜା ସମ୍ପର୍କରେ ଅନେକ କିଛି ଦୁର୍ଭାଗ୍ୟଜନକ ସତ୍ୟତା ସେତେବେଳକୁ ମୋର ହସ୍ତଗତ ହୋଇ ସାରିଥିଲା । ସେହିପରି ମୋ ସମ୍ପର୍କରେ ମଧ୍ୟ ସେ ଆହୁରି ଅନେକ କୁତ୍ସିତ ସତ୍ୟ ଆବିଷ୍କାର କରିଥିଲା ।

 

ପରସ୍ପରର ସମ୍ବନ୍ଧରେ ଆମେ ସେତେବେଳକୁ ଯେତେ ଯାହା ଜାଣି ସାରିଥିଲୁ ସେଥିରେ ଆମ ହାତରେ ଏଭଳି କିଛି ଯୁକ୍ତିର ଉପାଦାନ ପଡ଼ିଯାଇଥିଲା ଯାହାର ପରିଣତି ସ୍ୱରୂପ ହୁଏ ତ ଆମେ ପରସ୍ପର ଠାରୁ ଡିଭୋର୍ସ ମାଗିବାକୁ କୌଣସି କୋର୍ଟର ଆଶ୍ରୟ ନେଇ ପାରିଥାନ୍ତୁ କିମ୍ବା ଅତି ସହଜରେ ଘୃଣା କିମ୍ବା ଆଶଙ୍କା ପରିଚାଳିତ ହୋଇ ଆମେ କେହି କାହାକୁ ହେଲେ ବି ଆଗତୁରା ଖାଇବା ଜିନିଷରେ ବିଷ ଦେଇ ଅନ୍ୟ ପକ୍ଷକୁ ହତ୍ୟାକରି ପାରିଥାନ୍ତୁ ।

 

କିନ୍ତୁ, ଆମେ ସେପରି କିଛି କରି ନ ଥିଲୁ । ଡିଭୋର୍ସ ବା ହତ୍ୟାପାଇଁ (କିମ୍ବା ଆତ୍ମହତ୍ୟା ପାଇଁ) ପ୍ରବଳ ଇଚ୍ଛା ସତ୍ତ୍ୱେ ଆମେ ଯେ ତଥାପି କାହିଁକି ଏକାଠି, ସେଇ ଗୋଟିଏ ଘର ଭିତରେ, ସ୍ୱାମୀ ସ୍ତ୍ରୀ ପରି ଅନ୍ତତଃ ଛଳନା କରି ରହିବାକୁ ଚାହିଁଥିଲୁ ତାର କାରଣ ଆମକୁ ଅବଶ୍ୟ ଜଣାନଥିଲା । ଏଭଳି ପରିସ୍ଥିତିରେ ତନୁଜା ଓ ମୁଁ ଉଭୟଙ୍କର ସମ୍ମତି କ୍ରମେ ସେଇ ଭାବୀ ସନ୍ତାନଟିକୁ ଆମଠାରୁ ଦୂରେଇ ଦେବା ବ୍ୟତୀତ ସଂସାର ପ୍ରତି ଆଉ ଅଧିକ ମଙ୍ଗଳଦାୟକ କର୍ତ୍ତବ୍ୟ ଅବା ଆମେ ଆଉ କିଭଳି ଚିନ୍ତା କରି ପାରିଥାନ୍ତୁ ।

 

ତାହା ହିଁ ହେଲା ।

 

ଗର୍ଭପାତର ପରବର୍ତ୍ତୀ କେତୋଟି ମାସ ତନୁଜା ଏପରି ଅବସ୍ଥାରେ ସାଧାରଣ ମା ବା ସ୍ତ୍ରୀ ଲୋକମାନଙ୍କ ପରି ଅତ୍ୟନ୍ତ ବିଚଳିତ ଓ ମୁହ୍ୟମାଣ ହୋଇ ପଡ଼ିଲା । ତାକୁ ଯଥାସମ୍ଭବ ସାନ୍ତ୍ୱନା ଦେବାକୁ ଯାଇ ମୁ ମଧ୍ୟ ଗୋଟିଏ ସାଧାରଣ ବାପ ବା ପୁରୁଷ ପରି ବ୍ୟବହାର କାରିବାକୁ ଲାଗିଲି । କିନ୍ତୁ ସେ ପରିସ୍ଥିତି ଅତି ଶୀଘ୍ର ବଦଳି ଗଲା । ତନୁଜା ଓ ମୋ ଭିତରେ ପରସ୍ପର ପ୍ରତି ଯେଉଁ ଚୋର ଡିଟେକ୍‌ଟିଭର ଖେଳର ସୂତ୍ରପାତ ହୋଇ ଆମର ଏପରି ଦଶା ହୋଇଥିଲା ତାହା ହିଁ ବଳବତ୍ତର ରହିଲା ।

 

“ଦେଖ !” ଦିନେ ରାତିରେ ସେ ମୋତେ ହଠାତ୍ ଧମକେଇଲା ପରି କହିବାକୁ ଲାଗିଲା, “ମୁଁ ତମ ବିଷୟରେ ଯାହା ଜାଣେ ସବୁ ଟିପି ରଖିଚି ଗୋଟାଏ ଖାତାରେ । ଯଦି ତମକୁ ମୋ ସ୍ୱାମୀଭାବେ ପରିଚୟ ଦେଇ ସେତକ ବିଷୟକୁ ଖଣ୍ଡେ ବହି କରି ପ୍ରକାଶ କରି ଦେବି ତେବେ କ’ଣ ହେବ ଜାଣ ?”

 

ମୁଁ ବିରକ୍ତିବଶତଃ ଗୋଟାଏ ଶକ୍ତ ଚାପୁଡ଼ା କଷି ଦେବାପାଇଁ ହାତ ଉଠେଇଲି–ତନୁଜାର ଗାଲରେ ।

 

କିନ୍ତୁ ତାକୁ ଆଘାତ କରିବା ପରିବର୍ତ୍ତେ କଅଁଳେଇ କରି କହିଲି, “ଡୁ ଇଟ୍ । ପ୍ଳିଜ୍... ।” ତାପରେ ଗୋଟିଏ କୁତ୍ସିତ ହସ ମୋ ମୁହଁରୁ ବାହାରି ଆସିଲା ଯାହା ମୋ ମନକଥା ପ୍ରକାଶ କରି ଦେଇଥିଲା ତନୁଜା ନିକଟରେ । ତାର ପ୍ରତିକ୍ରିୟା ସ୍ୱରୂପ ତା ହାତ ପାହାନ୍ତାରେ ଥିବା କୌଣସି ଗୋଟାଏ ଓଜନିଆ ଜିନିଷ ସେ ଏତେ ଜୋରରେ ଆଉ ଏଭଳି ଅଚାନକ ଫୋପାଡ଼ିଦେଲା ମୋ ମୁଣ୍ଡ ଉପରକୁ ଯେ ସେ ମାଡ଼ରେ ମୋ ମୁଣ୍ଡ ଘୂରିଗଲା ଓ ମୁଁ ଅଚେତ ହୋଇ ପଡ଼ିଲି ।

 

ବୋଧହୁଏ ମୋର ସେଇ ଅଚେତନ ଅବସ୍ଥାରେ ମତେ ତା ହାତରେ ସଂପୂର୍ଣ୍ଣ ଏକାକୀ କରି ପାଇବାଥିଲା ତା ଜୀବନର ସେଇ ପ୍ରଥମ ସୁଯୋଗ ଓ ଚରମ ଦୁର୍ଯ୍ୟୋଗ ମଧ୍ୟ । କାରଣ ମତେ ସେଭଳି ଅବସ୍ଥାରେ ପାଇଯିବା ଦ୍ୱାରା ଅନେକ ବର୍ଷ ପରେ ମୋର ତା ପ୍ରତି ନିତ୍ୟପ୍ରବୃତ୍ତ ବର୍ତ୍ତମାନର ବିଚକ୍ଷଣ ଗୁପ୍ତଚର ଦୃଷ୍ଟିରୁ ଅବ୍ୟାହିତ ପାଇଥିଲା ସେ ପ୍ରଥମ କରି । ବୋଧହୁଏ ସେଇ ସୁଯୋଗବଶତଃ ସେ ସେଇ ସ୍ୱାଧୀନ ଓ ଅତୀବ ମୂଲ୍ୟବାନ ଏକାନ୍ତ ନିଜସ୍ୱ ଚିନ୍ତାଗୁଡ଼ିକୁ ଏକତ୍ର କରି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଡିସିସନ ନେବାକୁ ଯଥେଷ୍ଟ ସମୟ ପାଇ ଯାଇଥିଲା । ତା ଫଳରେ ପୃଷ୍ଠା ପରେ ପୃଷ୍ଠା ସେ ପ୍ରାୟ ଦିସ୍ତାଏ କାଗଜରେ କଅଣ ସବୁ ଲେଖିଦେଇ ପାରିଥିଲା । ସେଇ କାଗଜଗୁଡ଼ିକୁ ଗୋଟିଏ ବିଡ଼ା କରି ବାନ୍ଧି ରଖି ଦେଉଥିଲା ସେ ମୋ ପାଖରେ ସେଇଠି ଯୋଉଠି ଅଚେତ ହୋଇ ପଡ଼ିରହିଥିଲି ମୁଁ ସେ ଦିନ ରାତିରେ–କେଜାଣି କେତେ ଘଣ୍ଟା ।

 

ପ୍ରାୟ ପାହାନ୍ତିଆ ଆଡ଼କୁ ମୋର ଚେତା ଫେରି ଆସିଥିଲା । ଦେହରେ ଥଣ୍ଡା ପବନ ବାଜିବାରୁ ହେଉ ବା ଅନ୍ୟ କେଉଁ କାରଣରୁ ହେଉ ମୋ ଦେହ ଅତ୍ୟଧିକ ଶୀତେଇ ଉଠିବା ଯୋଗୁ ଯେତେବେଳେ ମୁଁ ଉଠି ବସିଲି ଓ ଚାରିଆଡ଼କୁ ଚାହିଁଲି ସେତିକିବେଳେ ପ୍ରଥମ ମୋ ଆଖି ପଡ଼ିଲା ସେଇ କାଗଜ ବଣ୍ଡିଲ୍‌ଟି ଉପରେ । ତା ସହିତ ଟୁକୁରା କାଗଜ ଖଣ୍ଡ ମଧ୍ୟ ରହିଥିବା ଦେଖିଲି । କୌତୁହଳବଶତଃ ସେଇ କାଗଜ ଖଣ୍ଡକୁ ସକାଳର ସିନ୍ଦୂରା ଫାଟି ଆସୁଥିବା ଆକାଶର ଆଲୁଅରେ ଖୋଲି ଦେଖିଦେବା ମାତ୍ରେ ମୋ ଦେହ କମ୍ପିବା ପରିବର୍ତ୍ତେ ନିଆଁ ହୋଇଗଲା । ଆଉ, ମତେ ବୁଝିବାକୁ ବାକି ରହିଲା ନାହିଁ–ତନୁଜା, ମୋ ସ୍ତ୍ରୀ, ମତେ ପ୍ରକୃତରେ ଠକିଦେଇ ଚାଲି ଯାଇଥିଲା । ମୋର ସମସ୍ତ ଡିଟେକ୍‌ଟିଭ ଦୃଷ୍ଟିକୁ ଫାଙ୍କିଦେଇ ସେ ‘ଦସ୍ୟୁ ନାୟିକା’ଟି ପ୍ରକୃତରେ ଖସି ଚାଲି ଯାଇଥିଲା ।

 

ତନୁଜାର ମୃତ ଦେହକୁ ଖୋଜିବା ପାଇଁ ମତେ ବେଶୀ ଅନୁସନ୍ଧାନ କରିବାକୁ ପଡ଼ି ନ ଥିଲା । ଥଣ୍ଡା ମାର୍ବଲର ମୂର୍ତ୍ତିଟିଏ ପରି ସେ ଅନ୍ୟ ଗୋଟିଏ ବଖରାରେ ଖାଲି ଚଟାଣ ଉପରେ ଶୋଇ ପଡ଼ିଥିଲା । ତାର ନିର୍ଜୀବ ଶରୀରକୁ ଛୁଇଁବାକୁ ସାହାସ ନ ଥିଲା ମୋର ସେତେବେଳେ । କିନ୍ତୁ ମୋର ପ୍ରକୃତ ଭୟ ଜୀବନ୍ତ ବା ମୃତ ତନୁଜା ପ୍ରତି ବାସ୍ତବିକ୍ ନଥିଲା ଆଦୌ ସେତେବେଳେ । ମୋ ହାତରେ ସେତେବେଳେ ଯେଉଁ କାଗଜ ବାଣ୍ଡିଲଟି ଆସି ପଡ଼ିଥିଲା ହୁଏତ ସେଇଥିଲା ମୋ ଭୟର ଅସଲ କାରଣ ।

 

ତନୁଜାର ସମସ୍ତ କୃତ୍ୟ ଯଥାବିଧି ସମାପ୍ତ କରିଥିଲି ମୁଁ ସେଦିନ । କିନ୍ତୁ କାହିଁକି କେଜାଣି ସେଇ କାଗଜ ବଣ୍ଡିଲଟିକୁ ଖୋଲି ଏକାକୀ ସେଥିରୁ କିଛି ପଢ଼ିବା ମୋ ପକ୍ଷରେ ମୃତ୍ୟୁ ଭୟଠାରୁ ଆହୁରି ଭୟଙ୍କର ହୋଇ ପଡ଼ିଥିଲା । ମୁଁ ମୋର ସେପରି ମାନସିକ ଅବସ୍ଥାରେ ମୃତ୍ୟୁକୁ କରିବାର କୌଣସି କାରଣ ଦେଖିପାରୁ ନ ଥିଲି ଅବଶ୍ୟ । ମୋ ଜୀବନରେ ଆଉ ବଞ୍ଚି ରହିବାର କି ଉଦ୍ଦେଶ୍ୟ ବା ଥାଇପାରେ ବା ସମ୍ଭାବନା ଥିଲା । ତନୁଜାର ପ୍ରଦର୍ଶିତ ମାର୍ଗରେ କିଛି ନିଦ ବଟିକାର ଓଭରଡୋଜ୍ ପାଟିକି ପକେଇଦେଲେ ନିଶ୍ଚିନ୍ତରେ ଶୋଇପଡ଼ିବାଠାରୁ ଆଉ ସହଜ ଏବଂ ଯୁକ୍ତିଯୁକ୍ତ ଆନନ୍ଦ ଦାୟକ ପନ୍ଥା ବା କ’ଣ ଥାଇପାରେ ଆଉ ।

 

କିନ୍ତୁ ମୋର ଅଚେତନ ଅବସ୍ଥାରେ ଲେଖା ହୋଇଥିବା ତନୁଜାର ସେଇ ଶେଷ ଲେଖା ଗୁଡ଼ିକୁ ପଢ଼ିବା ପୂର୍ବରୁ ଓ ମୋ ସମ୍ପର୍କରେ ମୋ ସ୍ତ୍ରୀର ଶେଷ ଅଭିବ୍ୟକ୍ତି ଗୁଡ଼ିକ କି ପ୍ରକାର ହୋଇ ଥାଇପାରେ ତାହା ଜାଣିବା ପୂର୍ବରୁ ମାନନୀୟ ସଂସାରର ବନ୍ଧନରୁ ଚୋରି ପରି ଖସି ପଳାଇବା ମୋ ପକ୍ଷରେ କେବଳ କାପୁରୁଷତା ନୁହେଁ ମହାଭୟର କାରଣ ମଧ୍ୟ ଥିଲା ।

 

ମୋ ସମ୍ପର୍କରେ ତନୁଜାର ଅଭିବ୍ୟକ୍ତି କେତେଦୂର ସତ୍ୟ ବା ମିଥ୍ୟା ତାହା ଜାଣିବାକୁ ମୋ ମନ ଛକପକ ହେବାକୁ ଲାଗିଲା । କିନ୍ତୁ ଯେ କୌଣସି କାରଣରୁ ହେଉ ପଛକେ ସେ କାଗଜ ବିଡ଼ାଟିକୁ ଏକାକୀ ଫିଟେଇ ପଢ଼ିବା ମୋ ପକ୍ଷେ ଏକାନ୍ତ ଅସମ୍ଭବ ହୋଇଥିଲା । ତେଣୁ ଅନେକ ଦିନ ସେହିପରି ଛକା ପଞ୍ଚାରେ କାଗଜ ବିଡ଼ାଟାକୁ ସେହିପରି ପାଖରେ ରଖି ମଧ୍ୟ ତାହାକୁ ସ୍ପର୍ଶ କରିବା ମୋ ପକ୍ଷରେ ଆଦୌ ସମ୍ଭବ ନଥିଲା ।

 

ଏହି ପରିସ୍ଥିତିରେ ଦିନେ କେଜାଣି କାହିଁକି ମୋ ମୁଣ୍ଡରେ ଗୋଟିଏ ଅତି ଭୟଙ୍କର, ବୁଝିବସିଲେ ପ୍ରକାରେ ଆସୁରିକ ଦୁର୍ବୁଦ୍ଧିର ଉଦୟ ଘଟିଲା । କି ସାହସ ବା ଦୁଃସାହସ ସେତେବେଳେ ମତେ ଗ୍ରାସ କରି ବସିଲା କେଜାଣି । ସେଦିନ ସଞ୍ଜବେଳେ ସ୍ଥାନୀୟ ଏକ ନାମଜାଦା ଦୈନିକ ପତ୍ରିକାର ଅଫିସ ଆଡ଼େ ମୁଁ ବୁଲିବାକୁ ବାହାରିଥିଲି । କିନ୍ତୁ ମୋର ସମ୍ପୂର୍ଣ୍ଣ ଜ୍ଞାତସାରରେ ମୋ କୋଟ ପକେଟରେ ଯେଉଁ ବଣ୍ଡିଲକ ପାଣ୍ଡୁଲିପି ମୁଁ ମତେ ଲୁଚେଇଲା ପରି ଗୁଞ୍ଜିଦେଇ ଘରୁ ବାହାରି ପଡ଼ିଥିଲି, ତାହା ମୋର ସ୍ଵର୍ଗତା ପତ୍ନୀ ତନୁଜାର ସେଇ ଅଜ୍ଞତ ଉଇଲ୍ ବା ମୃତ୍ୟୁକାଳୀନ ଆତ୍ମଘୋଷଣା ବା ଡାଏରୀ ବା କେଜାଣି କ’ଣ–ସେଇଟି ଛଡ଼ା ଆଉ କ’ଣ ବା ହୋଇଥାଇ ପାରିଥାନ୍ତା ସେ କାଗଜ ବିଡ଼ାଟା ।

 

ଖବର କାଗଜ ଅଫିସରେ ପହଞ୍ଚିଲା ପରେ ପତ୍ରିକାର ସମ୍ପାଦକଙ୍କ ଅଫିସ ଆଡ଼କୁ ମୋ ପାଦ ନୁହେଁ ମୋର ସମସ୍ତ ଇଚ୍ଛା ଶକ୍ତି ହିଁ ମତେ ଟାଣି ନେଇଗଲା ।

 

ସମ୍ପାଦକ ମୋର ଜଣେ ପରମ ବନ୍ଧୁ–ଏହା ମୁଁ ଅସ୍ଵୀକାର କରିବାର ଉପାୟ ନ ଥିଲା । ବୋଧହୁଏ ସେହି କାରଣରୁ ଯେତେବେଳେ ମୁଁ ତାଙ୍କ ଟେବୁଲ ଉପରେ କାଗଜବିଡ଼ାକ ପକେଟରୁ କାଢ଼ି ରଖିଦେଇ ଅଳ୍ପ ଅଳ୍ପ ହସୁ ହସୁ କହିଲି–ଖୋରାକ ! –ଆଗାମୀ ହପ୍ତା ପାଇଁ । ନିଅ । ପ୍ରକାଶ କରିଦିଅ । ମୁଁ ତ୍ରାହି ପାଏଁ । ସେତେବେଳେ ବନ୍ଧୁ ସମ୍ପାଦକ ସେ କାଗଜ ବିଡ଼ାଟାକୁ ଛୁଉଁ ଛୁଉଁ ସୁଦ୍ଧା ତାଙ୍କ ମୁହଁ ଲଜ୍ଜା ବା କ୍ରୋଧରେ ଲାଲ ପଡ଼ିଗଲା । ସେତେବେଳେ ବିଜୁଳି ବେଗରେ ମୋ ସ୍ମୃତିରେ ଆଉ ଗୋଟିଏ ଏକାପରି ମୁହଁର ରଙ୍ଗ ଅବଶ୍ୟ ସ୍ପଷ୍ଟ ହୋଇ ପଡ଼ି ଯାଇଥିଲା । ଆଉ, ମୁଁ ଠିକ୍ ମନେ ପକେଇ ପାରିଥିଲି ସେ ମୁହଁଟାକୁ । ଆମ ପରିବାରର ବନ୍ଧୁ ଡଃ ପଟ୍ଟନାୟକଙ୍କ ସେଦିନ ସଞ୍ଜର ମୁହଁଟିକୁ ମୁଁ ଆଉ ଭୁଲିପାରିଥାନ୍ତି ବା କେମିତି ? ଏକବିଂଶ ଶତାବ୍ଦୀର ମଣିଷମାନଙ୍କର ନିର୍ଦ୍ଦୟ ପ୍ରକୃତି ଓ ସେମାନଙ୍କ ସତ୍ୟାନୁସନ୍ଧାନ ପ୍ରବୃତିର ମାରାତ୍ମକ ପରିଣତି ସମ୍ପର୍କରେ ସେ ଯେଉଁ ତିନି ଘଣ୍ଟିଆ ବକ୍ତୃତା ଦେବା ପରେ ପରେ ମୋର ବ୍ୟକ୍ତିଗତ ଜୀବନ ଓ ମୋ ପରିବାରର ଯାହା କିଛି ଭୟଙ୍କର କ୍ଷୟକ୍ଷତି ଘଟିଯାଇଥିଲା ତାକୁ ଆଉ ମୁଁ ଭୁଲିଥାନ୍ତି କିପରି ?

 

ସେତେବେଳକୁ ସମ୍ପାଦକଙ୍କ ଦୃଷ୍ଟି ତନୁଜାର ପାଣ୍ଡୁଲିପି ଉପରେ ମାଛରଙ୍କା ଚଢ଼େଇ ପାଣିକୁ ଡୁବ ମାରିଲାପରି ଅନବରତ ଡୁବ ମାରି ଚାଲିଥିଲା । ତାଙ୍କର ମୁହଁର ରଙ୍ଗ ସେତେବେଳକକୁ କପାଳ ଓ ଗଳା ଆଡ଼କୁ ମଧ୍ୟ ଚହଟି ଯାଇଥିଲା ।

 

କେତେ ସମୟ ପରେ ପାଣ୍ଡୁଲିପିରୁ ମୁହଁ ଉଠେଇ ସେ ମୋତେ ଏଭଳି ଆଖିରେ ଚାହିଁଲେ ଯହିଁରେ ମୁଁ ତାଙ୍କ ଆଖିକୁ ଗୋଟିଏ ନିର୍ବୋଧ ଶିଶୁ ଅଥବା ବୁଢ଼ାଭାଡ଼ୁଆ ପରି ହୁଏତ ଦେଖାଯାଇ ପାରିଥିବି । କିନ୍ତୁ ତଦ୍ଦ୍ଵାରା ମୋର ବା ଆଉ କ’ଣ ଭଲ ବା ମନ୍ଦ ହେବାର ଥିଲା ?

 

“ତମେ ପଶ୍ଚାତାପ କରିବ ନାହିଁ ତ ?”, ଶେଷରେ କେବଳ ଏତିକି ପଚାରି ସେ ବଣ୍ଡିଲଟିକୁ ତାଙ୍କ ଡ୍ରୟର ଭିତରେ ଥୋଇ ତାଲା ପକାଇ ସାରିଥିଲେ । ମୁହଁର ରଙ୍ଗ ତାଙ୍କର ଯଥେଷ୍ଟ ସ୍ଵାଭାବିକ ହୋଇସାରିଥିଲା ସେତେବେଳକୁ ଅବଶ୍ୟ । କିନ୍ତୁ ତାଙ୍କ ମନ ଭିତରେ ଯେଉଁ କ୍ରୁର ବାସନାଗୁଡ଼ିକରେ ସେତେବେଳେ ନିଆଁ ଧରିଆସିଥିଲା ତାକୁ ଲୁଚାଇବା ଆଉ ସମ୍ଭବପର ନ ଥିଲା ତାଙ୍କ ପକ୍ଷରେ ।

 

“ତମେ ସମାଜରେ ଆଉ ମୁହଁ ଟେକି ପାରିବ ନାହିଁ–ବୁଝୁଚ ତ ଫଳାଫଳ–ଯଦି ଏ ଡାଏରୀଟି ପ୍ରକାଶ ପାଏ ?”, ପଚାରିଲେ ସେ ଏକପ୍ରକାର ଖୁସିରେ ଯାହା ବିଂଶ ଶତାବ୍ଦୀର ଚରମ ଆନନ୍ଦ ରୂପେ ଗଣାଯାଉଥିଲା ସେଇସବୁ ମଣିଷମାନଙ୍କର ଯେଉଁମାନେ ଆଉ ବର୍ଷ କେଇଟାପରେ ଏକବିଂଶ ଶତାବ୍ଦୀର ସେଇ ଘୋର ଭୟଙ୍କର ଦୁଃଖ ଭିତରକୁ ଗୋଡ଼ଟେକି କହିଥିଲେ ଡଃ ପଟ୍ଟନାୟଙ୍କ ପରି ଫ୍ୟୁଚରୋଲଜିଷ୍ଟ ବୈଞ୍ଜାନିକମାନେ ମଣିଷକୁ ସତର୍କ କରିବାରେ ଲାଗିପଡ଼ିଥିଲେ-

 

“ସତେ ! ଏଭଳି କିଛି ଭୟଙ୍କର କଥା ରହିଛି ସେଥିରେ ?” ସମ୍ପାଦକଙ୍କୁ ମୋ ସ୍ଵର ନିଶ୍ଚିତ ଭାବେ ଆହୁରି ନିର୍ବୋଧ–ପାଗଳର ପ୍ରଳାପଭଳି ଶୁଣାଯାଇଥିବ ସେତେବେଳେ ଯେତେବେଳେ ମୁଁ ସେଇ ସ୍ଵୀକାରୋକ୍ତିଟି କରିଥିଲି ଅବଶେଷରେ–“ମୁଁ ତ ସେଇଥିପାଇଁ ଏକୁଟିଆ ସେଭଳି ଭୟଙ୍କର କଥା ପଢ଼ିପାରିବି ନାହିଁ ବୋଲି ଆପଣଙ୍କୁ ଦେଇଛି ଆପଣଙ୍କ ପତ୍ରିକାରେ ପ୍ରକାଶ କରିଦେବା ପାଇଁ ।”

 

ତାପରେ ସମ୍ପାଦକଙ୍କ ସହିତ ମୋର ବା ଆଉ ସମ୍ପର୍କ ଥିଲା କଣ ?

 

ସେଦିନ ଖବରକାଗଜ ଅଫିସ୍‌ରୁ ଫେରିଆସି ମୁଁ ସିଧାଯାଇ ପହଞ୍ଚିଥିଲି ଡଃ ପଟ୍ଟନାୟକଙ୍କ ଘରେ ।

 

“ଏକବିଂଶ ଶତାବ୍ଦୀର ମଣିଷର ପ୍ରାଇଭେସି ରହିବ ନାହିଁ ତେଣୁ ସେ ଉଲଗ୍ନ ହୋଇ ସମାଜ ଓ ରାଷ୍ଟ୍ରର ଆଖି ଆଗରେ ସର୍ବଦା ଉଦବାସ୍ତୁ ହେଇ ବୁଲିବ–ଆପଣମାନେ ଏଇ ଭୟ ଦେଖୁଛନ୍ତି ଆଗରେ, ନା ?” ମୋର ସେପରି ଉଦ୍‌ଭ୍ରାନ୍ତ ଉକ୍ତିରେ ଡଃ ପଟ୍ଟନାୟକଙ୍କ ପରି ବୈଞ୍ଜାନିକ କଣ ମନେ କରିଥିବେ କେଜାଣି । କିନ୍ତୁ ଯେତେବେଳେ ମୁଁ ତାଙ୍କୁ କହିଦେଲି, “ତନୁଜାର ଡାଏରୀ ଆଗାମୀ କାଲି ସନ୍ଧ୍ୟା କାଗଜରେ ଆପଣମାନେ ପାଇଯିବେ ବୋଧହୁଏ”, ସେ ଆଉ ସ୍ଥିର ରହିପାରିଲେ ନାହିଁ ।

 

“ବଂଶୀ !”, ଚିତ୍କାର କରି ଉଠିଲେ ସେ ଆଉ ପ୍ରାୟ ମୋ ବେକଟିକୁ ଚିପିଦେବା ପାଇଁ ଯୋଡ଼ାଏ ହାତ ବଢ଼େଇ ଧାଇଁ ଆସିଲେ ।

 

ତାଙ୍କର ସେ ଚିତ୍କାର, ବିରକ୍ତି, କ୍ଷୋଭ ବା ଭୟର କାରଣ ମୁଁ ବା ଜାଣିଥାନ୍ତି କିପରି ।

 

ପରଦିନ ସଞ୍ଜବେଳେ ଘରେ ଏକାଟିଆ ବସି ମୁଁ ତନୁଜାର ଜିନିଷପତ୍ରଗୁଡ଼ିକୁ ସଜାଡ଼ିବାରେ ଲାଗିଥାଏ । ଜାଣେନା କାହିଁକି ତାର ସେଇ ସେଇ ପୁରୁଣା ଶାଢ଼ୀ, ବ୍ଲାଉଜ୍, ଗହଣାଗାଣ୍ଠି, ବହିପତ୍ର, ଚିଠି ପ୍ରଭୃତିକୁ ମୁଁ ଏତେ ଘାଣ୍ଟୁଛି ଏବେ ଏବେ । ସତେ କଣ ତାକୁ କେବେ ଭଲ ପାଇଥିଲି ମୋ ଜୀବନରେ ? ତେବେ କାହିଁକି ? କ’ଣ ମୁଁ ଖୋଜୁଚି ଏତେ ତାର ଏଇ ସାମଗ୍ରୀଗୁଡ଼ିକ ଭିତରୁ ?

 

ହଠାତ୍ ମୋ ପ୍ରଶ୍ନର ଉତ୍ତର ମିଳିଲା ପରି ବାହାରେ ଖବରକାଗଜ ହକରର ଡାକ ଶୁଭିଲା–

 

ତନୁଜାର ଡାଏରୀ ! “ମୋ ପ୍ରତି ଜଣେ ପିଶାଚ ।”

 

ମୁହୂର୍ତ୍ତକ ପାଇଁ ମୋ ଛାତି ଭିତରେ କିଏ ଯେମିତି ରୁଟ୍ କରି କାମୁଡ଼ିଦେଲା । କିନ୍ତୁ ପରମୁହୂର୍ତ୍ତରେ ଏକ ଅଦ୍ଭୁତ ଶିଶୁସୁଲଭ ସରଳ ଆନନ୍ଦ ମୋ ରକ୍ତ ସ୍ରୋତରେ ଛୁଟିଗଲା । ଦଉଡ଼ିଯାଇ କାଗଜଖଣ୍ଡିକ ଆଣି ମୁଁ ତନୁଜାର ମୋ ସମ୍ପର୍କରେ ସେଇ ଶେଷ ଅଭିମତଟିକୁ ପଢ଼ିବାକୁ ବ୍ୟଗ୍ର ହୋଇଉଠିଲି ।

 

ମୁଁ ଜାଣେନା କାହିଁକି ଖବରକାଗଜ ସମ୍ପାଦକ ନିଜ ମନକୁ ମୋ ବିଷୟରେ ସେଇ ଶିରୋନାମାଟି ତନୁଜାର ଡାଏରୀ ଶୀର୍ଷକଟି ତଳେ ଛପେଇଥିଲେ । କାରଣ ସେ ଡାଏରୀରେ ଯାହା ପ୍ରକାଶିତ ହୋଇଥିଲା ତହିଁରେ କେଉଁଠିହେଲେ ମୋର ପିଶାଚପଣିଆର ଏତେ ଟିକେ ମଧ୍ୟ ସୂଚନା ନଥିଲା ।

 

ପତ୍ରିକାରେ ପ୍ରକାଶିତ ତନୁଜାର ଡାଏରୀର ପ୍ରଥମାଂଶଟିକୁ ମୁଁ ମନଯୋଗ ସହକାରେ ପଢ଼ି ଲାଗିଲି । ବାରମ୍ବାର ପଢ଼ି ଲାଗିଲି । ମଝିରେ ଠାଏ ମୋ ଆଖିରୁ ଟପ୍ ଟପ୍ ହୋଇ ଲୁହ ଗଳି ପଡ଼ିଥିଲା ଏହା ମଧ୍ୟ ମୁଁ ଲକ୍ଷ୍ୟ କରିଥିଲି । ବିଶେଷତଃ ଯେଉଁଠି ଡଃ ପଟ୍ଟନାୟକଙ୍କ ଶରୀରର ରଙ୍ଗକୁ ତନୁଜା ଲକ୍ଷ୍ୟକରି ରାମଚରିତ ମାନସର ଭାଷାରୁ ଗୋଟିଏ ଦୁଇଟି କିଛି ଶବ୍ଦ ହୁଏତ ତା ଅଲକ୍ଷ୍ୟରେ ବ୍ୟବହାର କରି ଦେଇଥିଲା ସେଇଠି ମୋ ଛାତି ତନୁଜା ପ୍ରତି ଶ୍ରଦ୍ଧାରେ ଆହୁରି ବିସ୍ଫୋରିତ ହୋଇଗଲା ପରି ଲାଗିଥିଲା ।

 

ଖବରକାଗଜଟିକୁ ପୁଣିଥରେ ପଢ଼ିବି ବୋଲି ସାଇତି ରଖୁ ରଖୁ ମୁଁ ତନୁଜାର ଟ୍ରଙ୍କ ଭିତରେ ସଜଡ଼ା ହୋଇ ରଖାଯାଇଥିବା ତାର ଜିନିଷଗୁଡ଼ିକୁ ଆଉ ଥରେ ଚାହିଁଲି । ହଠାତ୍ ସେତିକିବେଳେ ମୋ ପ୍ରତି ସମ୍ପାଦକଙ୍କର ସେଇ ନିର୍ଦ୍ଦୟ ‘ପିଶାଚ’ ଶବ୍ଦଟିର ପ୍ରୟୋଗର ତାତ୍ପର୍ଯ୍ୟ କେମିତି କେଜାଣି ମୋ ମନକୁ ମନ ଧରା ପଡ଼ିଗଲା । ଅନେକ ବର୍ଷତଳେ ବୋଧହୁଏ ତନୁଜା ସହିତ ମୋର ବିବାହର ପ୍ରଥମ କେତୋଟି ଦିନ ଭିତରେ ମୁଁ ତା ମୁହଁରୁ ସେଇ ଅଦ୍ଭୁତ ପ୍ରଶ୍ନଟି ଶୁଣିଥିଲି ଯହିଁରେ ହୁଏତ ସେ ପିଶାଚ ଶବ୍ଦର ସୂଚନା ପ୍ରଚୁର ପରିମାଣରେ ଭରି ରହିଥିଲା ।

 

“ଭଗବାନ ସବୁ ଦେଖିପାରନ୍ତି ବୋଲି ତମେ କୁହ । କିନ୍ତୁ ସେ ମଣିଷର ଭୁଲ୍‌କୁ ଦେଖି ମଧ୍ୟ ସଜାଡ଼ି ଦିଅନ୍ତି ନାହିଁ କାହିଁକି ?”

 

ମୋର ମନେପଡ଼ୁଚି ତାର ସେ ପ୍ରଶ୍ନର ଉତ୍ତରକୁ ଗୋଟିଏ ସାଧାରଣ ଦାର୍ଶନିକ ପ୍ରଶ୍ନ ମନେକରି ମୁଁ କେବଳ ଥଟ୍ଟାରେ ଥଟ୍ଟାରେ ତାର ଉତ୍ତର ଦେଇଥିଲି–

 

“ଭୁଲକୁ ଦେଖିବାମାତ୍ରେ ସଙ୍ଗେ ସଙ୍ଗେ ପ୍ରଘଟ କରିବା ବା ସଜାଡ଼ି ବସିବା ମଣିଷର କାମ–କ୍ଷୁଦ୍ର ମଣିଷର କାମ । ଭଗବାନ ତ ଏତେ ଛୋଟ ନୁହଁନ୍ତି ।’’

Image

 

ମା’ ଆସିଲେଣି

 

‘‘ମା ଆସିଲେଣି !”

 

ଖବରଟି ପ୍ରଥମେ ଘରର ପୁଝାରୀ ଘୋଷଣା କଲେ । ସ୍ଵରରେ ତାର କିଛ ଆନନ୍ଦ ଥିଲା ନିଶ୍ଚୟ । କାରଣ ପ୍ରାୟ ତିନି ବର୍ଷ ପରେ ସେ ଘରେ ପୁଣିଥରେ ସେ ମିଠା ଶବ୍ଦଟି କେବଳ ସେଇ ପୁଝାରୀ ଚାକର ଶ୍ରେଣୀର ଲୋକଙ୍କ ମୁହଁରେ ପ୍ରତିଧ୍ଵନିତ ହେବାର ଲକ୍ଷ୍ୟ କରାଯାଇଥିଲା ।

 

କିନ୍ତୁ, ସେ ଘର ମା’ଙ୍କର ନୁହେଁ, ଡାଡ଼ି ମମୀଙ୍କର ନିଶ୍ଚୟ । ତେଣୁ ମା’ ଶବ୍ଦର ଧ୍ଵନି ପ୍ରତିଧ୍ଵନିରେ ଘରର କୌଣସି ଖୁଣ୍ଟ ନିଜ ଯାଗାରୁ ଇଞ୍ଚେ ଏପଟ ସେପଟ ହେବାର ନ ଥିଲା ।

 

ବିରାଟ ସରକାରୀ ବଙ୍ଗଳାର ବଖରାଗୁଡ଼ିକର କବାଟଗୁଡ଼ିକ ସେପର୍ଯ୍ୟନ୍ତ ସବୁ ଖୋଲି ନଥାଏ । ସକାଳ ଆଠଟା ମାତ୍ର ସେଇକ୍ଷିଣା ବାଜିଥାଏ, ଭିତର ପାଖ ବାରଣ୍ଡାରେ ଝୁଲୁଥିବା ସେଇ ବଡ଼ କାନ୍ଥ ଘଡ଼ିରେ ।

 

ମେମ୍ ସାହେବଙ୍କ ଶୋଇବା ବଖରାରୁ ଧୀର ଗଭୀର ସୁଶୁପ୍ତିର ନିଶ୍ଵାସ ସବୁ ତଥାପି ଘରଟିର ନିସ୍ତବଧତାକୁ ଆକ୍ରାନ୍ତ କରୁଥାଏ । ପାଖ ବଖରାରୁ ସାହେବଙ୍କର ସ୍ଵର ଏଇ ମାତ୍ର ଶୁଭିଲା-

 

‘‘ଚନ୍ଦ୍ରମଣି ! କିଏ ଆସିଲେ !”

 

ଚନ୍ଦ୍ରମଣି–ସେଇ ପୁଝାରୀ ଯେ ପ୍ରଥମେ ଘୋଷଣାଟି ଜାହିର କରିଥିଲା, ମା’ ଆସିଲେଣି–ଆଉ ଥରେ ଘୋଷଣାଟି ଶୁଣେଇ ଦେଲା–

 

‘‘ଆଜ୍ଞା, ମା’ ଆସିଚନ୍ତି !”

 

ଚୂଡ଼ାମଣି ସାହେବ ଜଣେ ବିଲାତ ଫେରନ୍ତା ଅଫିସର; କିନ୍ତୁ ସାହେବ ହେଲେ ମଧ୍ୟ ଓଡ଼ିଶାର ଗାଁ ଗଣ୍ଡାର ଲୋକଙ୍କ ବୋଲି ସହିତ ସେ ଖୁବ୍ ପରିଚିତ । ତେଣୁ ନିଦ ଭାଙ୍ଗିବା ମାତ୍ରେ ପୁଝାରୀ ଚନ୍ଦ୍ରମଣିର ସେ ବୋଲିଟି ତାଙ୍କ କାନରେ ବାଜିବା କ୍ଷଣି ସେ ଚମକି ପଡ଼ିଲେ । ତାଙ୍କୁ ଜଣାପଡ଼ିଲା ସତେକି କେହି ବିକଳ ସ୍ଵରରେ କୋଉଠି ଆର୍ତ୍ତନାଦ କରି କହୁଥିଲା–ରାଜ୍ୟରେ ହଇଜା ବସନ୍ତ ବ୍ୟାପୀ ଗଲାଣି !

 

ଚୂଡ଼ାମଣି ଆଖି ଖୋଲିଲେ । କାନପାରି ଶୁଣିଲେ । କୌଣସି ଅଜ୍ଞାତ ସ୍ତ୍ରୀଲୋକର ସ୍ଵର ଘର ଭିତରୁ ଶୁଣିପାରି ସେ ଆହୁରି ବଡ଼ ବଡ଼ ଆଖିରେ ଅନ୍ଧାରିଆ ବେଡ୍‌ରୁମ୍‌ର କାନ୍ଥଗୁଡ଼ାକୁ ଚାହିଁଲେ ।

 

ଇତିମଧ୍ୟରେ ଚନ୍ଦ୍ରମଣି ଆଉ ଥରେ ଘୋଷଣା କରି ସାରିଥାଏ–

 

‘‘ମା’ ଆସିଗଲେ ! ହେଇଟି, ଉଠ ସମସ୍ତେ !”

 

ଚୂଡ଼ାମଣିଙ୍କର ପବ୍ଲିକ ସ୍କୁଲ ଫେରନ୍ତା ସୁଶୁପ୍ତ ପୁଅ ଝିଅ ଦୁଇଟିଙ୍କ ପାଇଁ ଚନ୍ଦ୍ରମଣିଙ୍କର ଏ ଡାକଟି ଅବଶ୍ୟ ଉଦ୍ଦିଷ୍ଟ ଥିଲା ଏଥର ।

 

ଏହାପରେ ପିଲାମାନେ ଧଡ଼୍‌ପଡ଼୍ ହୋଇ ଉଠି ବସିବା, ତା’ପରେ ବାଥରୁମ୍‌ର ଫ୍ଲାସ୍‌ରୁ ପାଣି ପଡ଼ିବା ଆଉ ତାପରେ ପିଲାଙ୍କ ଘର କବାଟି ଖୋଲିବା ଶବ୍ଦଗୁଡ଼ିକ ଗୋଟି ଗୋଟି ହୋଇ ଡାଡ଼ି ଚୂଡ଼ାମଣିଙ୍କ କାନରେ ପଡ଼ି ସାରିଲାଣି ଏଇ କେତୋଟି ମିନିଟ ଭିତରେ । କିନ୍ତୁ ସେ ତଥାପି ତାଙ୍କର ସେଇ ବିଚିତ୍ର ଧାରଣା, ହଇଜା ବସନ୍ତର ଅହେତୁକ ଆଶଙ୍କାରୁ ନିଜ ମନଟାକୁ ମୁକ୍ତ ସଚେତନ କରିପାରୁ ନଥିଲେ ।

 

ତେବେ ସେଦିନ ସକାଳଟି ଚୂଡ଼ାମଣି ପରିବାର ପାଇଁ ଗୋଟିଏ ଖୁସିବାସିର ସକାଳ ବୋଲି ମନେ କରାଯିବାରେ କୌଣସି ଅସ୍ଵାଭାବିକତା ଦେଖା ଦେଇ ନଥିଲା ନିଶ୍ଚୟ ।

 

ଚୂଡ଼ାମଣିଙ୍କର ମା’ ଜଣେ ଉଚ୍ଚ ଶିକ୍ଷିତା ଉଦ୍ରମହିଳା । ଯଥା ବୟସରେ ବିଧବା ହେବାପରେ ସେ ସହର ଛାଡ଼ି ଗତ କେତେବର୍ଷ ହେବ ଏକାକି ଗାରେ ରହୁଥିଲେ । ମୃତ୍ୟୁ ପୂର୍ବରୁ ସ୍ଵାମୀ ତାଙ୍କ ଲାଗି ପ୍ରଚୁର ଧନସମ୍ପତ୍ତି କେବଳ ଛାଡ଼ିଯାଇ ନଥିଲେ, ତାଙ୍କୁ ଅଠରଟି ସୁଯୋଗ୍ୟ ପୁତ୍ର କନ୍ୟାଙ୍କର ମାତାର ଗୌରବମୟ ଅସନରେ ମଧ୍ୟ ଅଧିଷ୍ଠିତ କରି ଯାଇଥିଲେ । କିନ୍ତୁ ଭଦ୍ରମହିଳାଙ୍କୁ ଏସବୁ କିଛି ବାନ୍ଧିପାରି ନଥିଲା ।

 

‘‘ମୁଁ ଗାଁରେ ଅଛି, ବେଶ୍ ଖୁସିରେ ଅଛି । ମୋ ଲାଗି କେହି ଚିନ୍ତା କର ନାଇଁରେ ପିଲେ-!” ବୁଢ଼ୀ ପୁଅ ଝିଅମାନଙ୍କୁ ଏପରି ଅଶ୍ୱାସନା ଦିଏ ।

 

ପିଲାମାନେ ମଧ୍ୟ ବୁଢ଼ୀକୁ ବେଶୀ ବଳାନ୍ତି ନାହିଁ ।

 

‘‘ୱେଷ୍ଟରେ ବୁଢ଼ାବୁଢ଼ୀମାନେ ହୋମ୍‌ରେ ରହନ୍ତି । ଇଷ୍ଟରେ ବାନପ୍ରସ୍ଥରେ ରହନ୍ତି । ତେବେ ଆମେ ବହୁବାର ଅନୁରୋଧ କରିଚୁ ମା’କୁ ଆମ ପାଖରେ ରହିବାକୁ କିନ୍ତୁ ସେ କ’ଣ ରହିବ-! ରହିପାରିବ ? ଆପଣ ଚିହ୍ନନ୍ତି ନାହିଁ ଆମ ମା’କୁ । ପିକ୍ୟୁଲିଆର୍ ଉଇମ୍ୟାନ୍ ! ଅମ ସାଥିରେ ରହିବାରେ ତାର ସର୍ତ୍ତ କଣ ଜାଣନ୍ତି ?” ଚୂଡ଼ାମଣିଙ୍କ ଭାଇମାନେ ପରସ୍ପର ବନ୍ଧୁବାନ୍ଧବଙ୍କୁ ନିଜ ମା’ର ଚରିତ୍ର ସମ୍ପର୍କରେ ବୁଝାନ୍ତି, ‘‘ପ୍ରତ୍ୟେକଟି ମିଲ୍ ପାଇଁ ସେ ଚାହେଁ ଆମେ ତାକୁ ଗୋଟିଏ ବିଲ୍ ଦେବୁ ଆଉ ସେ ଆମର ଜଣେ ଗରାଖ ପରି ଆମ ଘରେ ରହିବ ! ଆଚ୍ଛା, କହିଲେ ଆମେ କଣ ତା’ ପାଇଁ ନିଜ ଘରେ ଗୋଟିଏ ହୋଟେଲ୍ ଖୋଲିବୁ ?”

 

ଚୂଡ଼ାମଣିଙ୍କର ମା’ ବାସ୍ତବିକ ଜଣେ ଅବାଗିଆ ଭଦ୍ରମହିଳା । ତାଙ୍କର ଧାରଣା ସଂସାରରେ କାହାର ପାଖରେ ଧାରୁଆ ହୋଇ ଯେ ବଞ୍ଚେ ସେ ମଲା ପରେ ତା’ ପାଖରେ କୁକୁର ହୋଇ ପୁଣିଥରେ ଜନ୍ମ ହୁଏ । ବୋଧହୁଏ ଏହି କାରଣରୁ ଭଦ୍ରମହିଳା ତାଙ୍କ ସ୍ଵାମୀଙ୍କ ନିକଟରେ ସୁଦ୍ଧା ଧାରୁଆ ହୋଇ ନ ରହିବାକୁ ଇଚ୍ଛା କରିଥିଲେ ଓ ସେହି କାରଣରୁ ବର୍ଷ ପରେ ବର୍ଷ ଗର୍ଭଧାରଣ କରି ଅଠରଟି ସନ୍ତାନ-ସନ୍ତନ୍ତି ସ୍ଵାମୀଙ୍କୁ ଉପହାର ଦେଲା ପରେ ଦିନେ ମୁହଁ ଫିଟେଇ କହି ଦେଇଥିଲେ-

 

‘‘ଯଥେଷ୍ଟ ! ଏହାପରେ ଆଉ ମତେ ଋଣୀ କର ନାହିଁ । କାରଣ ସନ୍ତାନ ଉତ୍ପାଦନ ଆଉ ମୋ ପକ୍ଷରେ ସମ୍ଭବ ନୁହେଁ । ତା ଛଡ଼ା ମୁଁ କୁକୁର ଜନ୍ମ ନେବାପାଇଁ ଆଦୌ ଆଗ୍ରହୀ ନୁହେଁ । ବିଶେଷତଃ ତମପରି ମାଲିକ ପାଖରେ ।”

 

ଚୂଡ଼ାମଣିଙ୍କର ବାପା ଜଣେ ଉଚ୍ଚକୋଟୀର ଲୋକ ଥିଲେ । ତାଙ୍କ ପ୍ରତି ସ୍ତ୍ରୀର ଏଭଳି ମନୋଭାବରେ ସେ ବ୍ୟଥିତ ହୋଇପଡ଼ିବା ସ୍ଵାଭାବିକ ।

 

‘ମୁଁ ମଲାପରେ ତମେ ତେବେ ରହିବ କୋଉଠି ? ମୋ ପିଲାମାନଙ୍କ ପାଖରେ ତ ?”, ବୁଢ଼ା ହସିହସି ପଚାରିଥିଲେ ଆଉ ପରିହାସରେ କହିଥିଲେ, ‘‘ସେମାନଙ୍କ ପାଖରେ କୁକୁର ହେବାରେ ତମର କ’ଣ କିଛି ଆପତ୍ତି ନାହିଁ ?”

 

ଚୂଡ଼ାମଣିଙ୍କର ମା’ ଜଣେ ଅତି ସ୍ପର୍ଶକାତରା ସ୍ତ୍ରୀ ଲୋକ ନିଶ୍ଚୟ । ସ୍ଵାମୀଙ୍କର ସେଇ ପଦେ ପରିହାସକୁ ମନେ ରଖିଲେ ସେ ଚିରକାଳ ପାଇଁ । ଏଇଥିପାଇଁ ସ୍ଵାମୀଙ୍କ ମୃତ୍ୟୁ ଅନ୍ତେ ପିଲାମାନଙ୍କ ଘରେ ନ ରହିବାକୁ ସେ ବହୁ ଦିନୁ ସଂଙ୍କଳ୍ପବଦ୍ଧ ହୋଇଥିଲେ । ବୋଧହୁଏ ଏଇଥିପାଇଁ ତାଙ୍କ ସମ୍ପର୍କରେ ପିଲାମାନେ ଯେଉଁ ଆକ୍ଷେପ କରନ୍ତି, ଯେ ମା’ ସେମାନଙ୍କ ଠାରୁ ପ୍ରତ୍ୟେକ ମିଲ୍ ପାଇଁ ବିଲ୍ ମାଗେ ତାହା ଅସମ୍ଭବ ମନେହୁଏ ନାହିଁ ।

 

କିନ୍ତୁ ସେଦିନ ସକାଳୁ ଚୂଡ଼ାମଣିଙ୍କ ମା’ ପୁଅ ଘରେ ପହଞ୍ଚୁ ନ ପହଞ୍ଚୁଣୁ ନାତି ନାତୁଣୀଙ୍କ ନିକଟରେ ତାଙ୍କର ଗୋଟିଏ ଘୋଷଣା ଗୁପ୍ତରେ ଜାହିର କରିଦେଇ ସାରିଥିଲେ–

 

“ମୁଁ ଆସିଲି । ଏଥର ରହିବି ଏଠି । କିନ୍ତୁ ଚୁପ୍ ! କାହାକୁ କହିବ ନାଇଁ । ଯଦି କହିଚ–ତେବେ ଏଇ ଦେଖ ମୋ ସୁଟ୍‌କେଶ୍, ସିଧା ବାହାରି ଚାଲିଯିବି ଗାଁକୁ ବୁଝିଲ ?”

 

ଚୂଡ଼ାମଣିଙ୍କ ପୁଅ ଝିଅ ପବ୍ଲିକ୍ ସ୍କୁଲର ପିଲା ହେଲେ ମଧ୍ୟ ମଣିଷ । ବିଶେଷତଃ ବୁଢ଼ାବୁଢ଼ୀମାନଙ୍କର ‘ସେଣ୍ଟିମେଣ୍ଟ’ ସମ୍ପର୍କରେ ତାଙ୍କର ସମ୍ମାନବୋଧ ଗୋଟିଏ ଦୁର୍ଲଭ ସହଜାତ ଗୁଣ ଭାବେ ସେମାନଙ୍କୁ ପ୍ରାପ୍ତ ହୋଇଥାଏ । ବୋଧହୁଏ ଏଇ କାରଣରୁ ଅନ୍ୟାନ୍ୟ ଗାଉଁଲୀ ପିଲାଙ୍କ ପରି ଛୁଆ ଦୁଇଟା ବୁଢ଼ୀ ମୁହଁରୁ ‘ରହିବି’ ପଦ ଶୁଣିଲା ମାତ୍ରେ ଖୁସିରେ ଉଚ୍ଛନ୍ନ ହୋଇ ଡାଡ଼ି ମମୀଙ୍କ ପାଖକୁ ଦଉଡ଼ି ଯାଇ ଘୋଷଣାଟି ପ୍ରଘଟ କରି ଦେଇପାରି ନଥିଲେ । ବରଂ ଭଦ୍ର ଭାବରେ ହସି ହସି ସେମାନେ ତାଙ୍କ ଜେଜେମା’ଙ୍କୁ ପ୍ରଶ୍ନ କରିଥିଲେ–

 

“ତେବେ ଏଥର ପ୍ରତି ମିଲ୍ ପାଇଁ ବିଲ୍ ଦାବୀ କରିବ ନାଇଁ ତ ଜେଜେମା’ ?”

 

ବୁଢ଼ୀ ପ୍ରଥମେ ଅବାକ୍ ହୋଇ ଯାଇଥିଲା ପିଲା ଯୋଡ଼ିଙ୍କର ସେଭଳି ପ୍ରଶ୍ନରେ । କିନ୍ତୁ ମିଠା ହସଟିଏ ହସିଦେଇ ସେ ପୁଣି ଉଡ଼େଇ ଦେଲା ନିଜ ଆଖିରୁ ସେ ଅବାକ୍ ଚଢ଼େଇ ଯୋଡ଼ିଙ୍କୁ ଫୁର୍‌କିନା, ଆଉ କହିଲା ।

 

“ନାଇଁରେ ! ଏଥର ପରା ମୁଁ ଆସିଛି କୁକୁର ହେବି ବୋଲି ଖାସ୍ ତମ ଦିଇଟାଙ୍କ ପାଖରେ !”

 

ଚୂଡ଼ାମଣିଙ୍କର ପିଲା ଦୁହେଁ ଜେଜେମା’ଙ୍କୁ ସତକୁସତ ସେଇକ୍ଷିଣା ଗୋଟିଏ କୁକୁର କରିଦେଲେ ନିଜ ପାଖରେ । ସକାଳ ପହର ଗୋଟାକ ଯାକ ବୁଢ଼ୀ କୁକୁର ଭଳି ଗୋଡ଼େଇଥାଏ ଘର ଦୁଆର ବାଡ଼ି ଚତୁର୍ଦ୍ଦିଗ, ସେଇ ବିରାଟ ସରକାରୀ ବୋଂଲୋର ଏକର ଏକର ଜମିର ହତା ଭିତରେ ।

 

ଚୂଡ଼ାମଣି ସାହେବ ଶେଯରୁ ଉଠି ମା’କୁ ସଙ୍ଖୋଳି ସାରି ନିତ୍ୟକର୍ମ ଶେଷ କରିବାକୁ ବାଥ୍‌ରୁମକୁ ପଶିଲା ପରେ ମିସେସେ୍ ଚୂଡ଼ାମଣି ପୁଝାରୀକୁ ଡାକି ବରାଦ କରିଥିଲେ–

 

“ମା ଆସିଚନ୍ତି । ମସଲା ଦୋଷା ତାଙ୍କୁ ଭଲ ଲାଗେ । ବୁଝିଲ ?”

 

ପୁଝାରୀ ଚନ୍ଦ୍ରମଣି ସାଇକେଲ ଧରି ବାହାରି ଗଲା ପଦାକୁ । ମସଲା ଦୋଷା ଖରିଦ୍ କରିବାକୁ ଅନ୍ତତଃ ଦୁଇମାଇଲ ବାଟ ସାଇକେଲ ମାରିବାକୁ ପଡ଼ିବ ତାକୁ ଜାଣିଥିଲା ସେ; କିନ୍ତୁ ଆଜି ତାର କାମକୁ ପରୁଆ ଥିଲା ପରି ମନେ ହେଉ ନଥିଲା । କାରଣ ବହୁଦିନ ପରେ ଚୂଡ଼ାମଣି ସହାବର ମେମ୍ ସାହାବ ତୁଣ୍ଡରେ ସେ ସେଇ ଅଦ୍ଭୁତ ଶବ୍ଦଟିଏ ଶୁଣିଥିବାରୁ ତାକୁ ସବୁକଥା ବଡ଼ ଆପଣାର ମନେ ହେଉଥିଲା ।

 

“ମା ଆସିଚନ୍ତି !”, ସେ ଆହୁରି କେତେବାର ଦୋହରେଇ ସାରିଥାଏ ସେ କଥାଟିକୁ । ଆଉ ମନେ କରୁଥାଏ ସତେକି ସେକଥା ନୂଆକରି ସେ ଶୁଣିଲା ତା ମୁଣ୍ଡରେ କାନ ଯୋଡ଼ାକ ଉଠିଲା ପରଠାରୁ ।

 

ଇତି ମଧ୍ୟରେ ମେମ୍ ସାହେବ ନିଜେ ପଶିଥିଲେ କିଚିନ୍ ଭିତରକୁ ଓ ବ୍ରେକ୍‌ଫାଷ୍ଟ୍ ଏବଂ ତାପରେ ଲଞ୍ଚ୍ ଲାଗି ଗୋଟିଏ ସୁଚିନ୍ତିତ ପ୍ଲାନ୍ କରିବାରେ ମନୋନିବେଶ କରିସାରିଥିଲେ ସେ ।

 

ଚୂଡ଼ାମଣି ସାହେବ ବାଥ୍‌ରୁମରୁ ବାହାରିଥିଲେ ଯଥା ସମୟରେ । ଏହାପରେ ଅନ୍ତତଃ ଘଣ୍ଟାଟିଏ ଚଣ୍ଡୀପୂଜା କରିବା ତାଙ୍କର ଏକ ଦୈନନ୍ଦିନ ନୀତି–ଘରର ସମସ୍ତେ ଜାଣନ୍ତି । ତେଣୁ କେତେବେଳେ ପରେ ପୂଜା ଘରୁ ଚୂଡ଼ାମଣିଙ୍କର ଗମ୍ଭୀର ସ୍ୱରରୁ ଯେତେବେଳେ ଶୁଣାଗଲା ।

 

“ତ୍ରୟାଣାଂ ଦେବାନାଂ ତ୍ରିଗୁଣ ଜନିତାନାଂ ତବ ଶିବେ

ଭବେତ୍ ପୂଜା ପୂଜା ତବ ଚରଣୟୋର୍ଯା ବିରଚିତା ତଥାହି”

 

ମିସେସ୍ ଚୂଡ଼ାମଣି ହାତଘଡ଼ି ଦେଖିଲେ ଓ ଗମ୍ଭୀର କଣ୍ଠରେ ଡାକଟିଏ ଦେଲେ–

 

“ଚନ୍ଦ୍ରମଣି ! ବ୍ରେକ୍‌ଫାଷ୍ଟ୍ ଲଗା । ସା’ବ ପୂଜାରୁ ଉଠିଲେଣି ।”

 

ବ୍ରେକ୍‌ଫାଷ୍ଟ୍ ବେଳେ ଟେବୁଲ୍‌ରେ ମା’ଙ୍କୁ କେନ୍ଦ୍ରକରି ପୁଅ ବୋହୂ ନାତି ନାତୁଣୀମାନେ ବସି ସାରିଥିଲେ । ଚନ୍ଦ୍ରମଣି ଗୋଟିକ ପରେ ଗୋଟିଏ ସରଞ୍ଜାମ ଆଣି ଥୋଇ ଦେଇଥାଏ । ଦୋଷା, ସାମୋସା, ସ୍ଵିଟ୍‌ସ୍, ଫ୍ରୁଟ୍‌ସ୍ । ଏ ସମସ୍ତ ସରଞ୍ଜାମରେ ଟେବୁଲ୍ ଭରପୁର ହୋଇଗଲା ପରେ ଚନ୍ଦ୍ରମଣି କଫି ତିଆରି କରିବାକୁ ବାହାରିଗଲା କିଚିନ୍ ଆଡ଼କୁ ।

 

‘‘ବୋଉ, ଜାଣିଲୁଣିନା ?”, ଚୂଡ଼ାମଣିଙ୍କର ପୁଅ ଯେ ଏତେବେଳ ଧରି କ’ଣ କହିବ କହିବ ବୋଲି ଚାରିଆଡ଼କୁ କନ୍ କନ୍ ହୋଇ ଚାହୁଁଥିଲା ସକାଳର ସବୁଠୁ ବଡ଼ ଖବରଟି ହଠାତ୍ ସେଇ ଆଗତୁରା ପ୍ରଘଟ କରିଦେଲା । କହିଲା, “ମା ଆସିଚନ୍ତି ରହିବେ ଏଥର ।’’

 

ମିସେସ୍ ଚୂଡ଼ାମଣିଙ୍କ ହାତରୁ ତାଜା ମସଲା ଦୋଷାର ଖଣ୍ଡେ ବଡ଼ଅଂଶ କଣ୍ଟା ଅଗରେ ଅଳ୍ପ ଉପରକୁ ଉଠୁ ଉଠୁ ପୁଣି ଖସି ପଡ଼ିଲା ।

 

ଚୂଡ଼ାମଣିଙ୍କ ନିବୁଜ ପାଟି ଭିତରେ ମନ୍ଥିତ ହେଉଥିବା ଅନ୍ୟ ଖଣ୍ଡେ ଦୋଷାର ଶେଷାଂଶଟି ମଧ୍ୟ କିଞ୍ଚିତ୍ ଦୃଶ୍ୟମାନ ହୋଇ ପୁଣି ଅଦୃଶ୍ୟ ହୋଇଗଲା ।

 

କିନ୍ତୁ ଚୂଡ଼ାମଣିଙ୍କର ପବ୍ଲିକ୍‌ସ୍କୁଲ ଫେରନ୍ତା ପୁଅ ଝିଅ ଦୁଇଟି ବାପ ମା’ଙ୍କର ସେଇ କ୍ଷଣସ୍ଥାୟୀ ଅଥର୍ବତା ସମ୍ପର୍କରେ ଆଦୌ ସଚେତନ ଥିଲା ପରି ମନେ ହେଉ ନ ଥାଏ । ଏଥର ପୁଅର ବାହାଦୂରୀକୁ ବଳିଯିବାକୁ ଚେଷ୍ଟାକରି ଝିଅଟି ହସି ହସି ଖାଣ୍ଟି ଓଡ଼ିଆରେ କହିଲା–

 

“ହଁ ବାପା ! ମା’ ଏଥର ଖର୍ଚ୍ଚ । ଦେବେ ନାଇଁ ଖାଇବାର !”

 

ଚୂଡ଼ାମଣି, ମିସେସ୍ ଚୂଡ଼ାମଣିଙ୍କ ଆଡ଼କୁ କେମିତି ଗୋଟିଏ ଆଖିରେ ଚାହିଁ ହସିଦେଲେ ସାମାନ୍ୟ । ତାପରେ ମୁହଁଫିଟେଇ ପଚାରିଲେ ସେ ମଧ୍ୟ–

 

“କଣ ମା’ ? ରହିବୁ ତ ଏଥର ?”

 

ଚନ୍ଦ୍ରମଣି କଫି ସରଞ୍ଜାମ ଘେନି ପହଞ୍ଚୁଥାଏ ସେଇ ମାତ୍ର ।

 

ମିସେସ୍ ଚୂଡ଼ାମଣି ପଟ୍‌ରୁ କଫି ଢାଳି କପ୍ ଗୁଡ଼ିକରେ ଆବଶ୍ୟକୀୟ ଦୁଧ ଆଉ ଚିନି ମିଶେଇ ଫେଣ୍ଟିବାରେ ମନୋନିବେଶ କରି ଆସୁଥାନ୍ତି ସେତେବେଳେ ।

 

ହଠାତ୍ ଚୂଡ଼ାମଣିଙ୍କର ମା’ ପାଖରେ ଠିଆ ହୋଇଥିବା ପୁଝାରୀ ଚନ୍ଦ୍ରମଣି ଆଡ଼କୁ ହାତଠାରି ଡାକିଲେ । ଲୋକଟି ନଇଁପଡ଼ି ବୁଢ଼ୀର ମୁହଁ ପାଖେ କାନ ରଖି କଅଣ ଶୁଣିଲା । ତାପରେ କିଛି ସମୟ ଚୁପ୍ ରହି କେବଳ କାନ କୁଣ୍ଡେଇବାରେ ମଗ୍ନ ରହିଲା ।

 

ମିସେସ୍ ଚୂଡ଼ାମଣି କଫି କପ୍ ଗୁଡ଼ିକୁ ଟ୍ରେରୁ ଓହ୍ଳାଇ ସର୍ଭ କରିବାରେ ବ୍ୟସ୍ତ ରହିଥାନ୍ତି ।

 

ଚନ୍ଦ୍ରମଣିକୁ ଚାହିଁ ବୃଦ୍ଧା ଭଦ୍ରମହିଳା ଏଥର ସାମାନ୍ୟ ବିରକ୍ତ ହେଲାପରି ପଚାରିଲେ, ‘‘କିରେ, ତୋ ଅଙ୍କ କଷା ସଇଲା ?”

 

ଲୋକଟା ବିଚଳିତ ହୋଇ ପଡ଼ିଲା । ଚୋରଙ୍କ ପରି ସେ କେତେଥର ମଧ୍ୟ ନିଘା କରିବାକୁ ଚେଷ୍ଟା କରିଥିଲା । ପ୍ରଥମେ ମେମ୍ ସାହେବଙ୍କ ଆଖିକୁ ପରେ ସାହେବଙ୍କ ଆଖିକୁ କିନ୍ତୁ କୌଣସି ଆଡ଼ ସମର୍ଥନ ନପାଇ ଅବଶେଷରେ ସେ ତା ପକେଟ୍‌ରୁ କାଗଜ ଖଣ୍ଡିଏ ଓ ତା ସହିତ ପେନ୍‌ସିଲଟିଏ ମଧ୍ୟ କାଢ଼ିଲା ।

 

ପୁଅ ବୋହୂ ଓ ନାତି ନାତୁଣୀଙ୍କ ସହିତ କୌଣସି ଏକ ମଜାଦାର ଗପରେ ସେଇ ସକାଳଟିକୁ ବିତେଇବା ଭିତରେ ବୃଦ୍ଧା ଭଦ୍ରମହିଳା ଅନ୍ୟୂନ ଆଉ ତିନି କପ୍ ବେଶୀ କଫି ଗଳାଧଃକରଣ କରିଥିଲେ ବୋଲି ଚନ୍ଦ୍ରମଣିର ଶେଷ ହିସାବ ଫର୍ଦ୍ଦଟି ଯୋଡ଼ା ହୋଇସାରିବା ଭିତରେ ବୁଢ଼ୀ ପାଇଁ ରିକ୍‌ସାଟିଏ କେହି ଜଣେ ଡାକି ଆଣି ସାରିଥିଲା ।

 

ଚୂଡ଼ାମଣି, ମିସେସ୍ ଚୂଡ଼ାମଣି ଓ ତାଙ୍କର ପିଲା ଦୁହେଁ ଫାଟକ ପର୍ଯ୍ୟନ୍ତ ଆସି ମା’ଙ୍କୁ ବଳେଇ ଦେଇଗଲେ । ଟିକିଏ ଦୂରଛଡ଼ା ହୋଇ ଠିଆହୋଇ ଚନ୍ଦ୍ରମଣି ସମେତ୍ ଘରର ଚାକର ପୁଝାରୀମାନେ ସେ ଅଦ୍ଭୁତ ଦୃଶ୍ୟଟିକୁ ଦେଖୁଥାନ୍ତି । ଆଉ କ’ଣ କଥାବାର୍ତ୍ତା ହେଉଥାନ୍ତି ନିଜ ଭିତରେ ସେମାନଙ୍କୁ ଜଣା ।

 

ମା’ଙ୍କୁ ରିକ୍‌ସାରେ ବସେଇ ସାରିବାର ପ୍ରାୟ ପନ୍ଦର ମିନିଟ୍ ପରେ ଟେଲିଫୋନ୍ ବାଜିଲା । ଚୂଡ଼ାମଣି ନିଜେ ରିସିଭର୍ ଉଠେଇ ଶୁଣିଲେ–

 

“ଆପଣଙ୍କ ମା କାଲିଠୁଁ ଏଠି ମରି ପଡ଼ିଚନ୍ତି । ଗାଁରେ ଭୀଷଣ ହଇଜା । ... ମୁଁ ପାଖ ପବ୍ଲିକ୍‌କଲ୍ ଅଫିସ୍‌ରୁ କହୁଚି...”

 

ଗଳ୍ପତରଙ୍ଗ, ପୁଜା, ୧୯୭୮

Image

 

Unknown

ସନ୍ନ୍ୟାସୀ ଓ କୁକୁର ବ୍ୟାପାର

 

କରୁଣାକର ମୋର ଜଣେ ବନ୍ଧୁ–ପରମ ବନ୍ଧୁ । ମଣିଷ ହିସାବରେ ସେ ଯେତେ ଭଲ ନୁହନ୍ତି, ଜଣେ ଉପକାରୀ ବନ୍ଧୁ ଭାବେ ସେ ଯେ ନିଶ୍ଚେ ଜଣେ ଭଲ ଲୋକ ଏ କଥା ଅସ୍ଵୀକାର କରି ହେବ ନାହିଁ ।

 

କରୁଣାକର ଜଣେ ଉପକାରୀ ବନ୍ଧୁ କହିବା ମାତ୍ରେ ଏହାର ଗୋଟିଏ ପ୍ରାଞ୍ଜଳ ଉଦାହରଣ ନ ଦେଇ ରହି ହେବ ନାହିଁ । ଥରେ କରୁଣାକର ଅତି ବିଚଳିତ ଅବସ୍ଥାରେ ଆସି ପହଞ୍ଚିଲେ ଆମ ଘରେ । ସେତେବେଳେ ମୁଁ କୌଣସି ଏକ କଲେଜରେ ଅଧ୍ୟାପନା କରୁଥାଏ । କରୁଣାକର ମଝିରେ ମଝିରେ ଆସୁଥାନ୍ତି ଆମ ଘରକୁ । ସ୍ଥାନୀୟ ସେକ୍ରେଟେରିଏଟ୍‌ରେ ସେତେବେଳେ ସେ ଥାନ୍ତି ଜଣେ ହେଡ଼୍‌ଆସିଷ୍ଟାଣ୍ଟ । କୌଣସି କାରଣରୁ ଗତ କେତେଦିନ ଧରି ସେ ବଡ଼ ଅସୁଖୀ ଜୀବନଯାପନ କରୁଥାନ୍ତି । ତାଙ୍କର ଏ ଅସୁଖର ମୂଳ କାରଣ ହୋଇଥାଏ–ଅଫିସ୍ । ପ୍ରତିଥର ଦେଖାହେବା ମାତ୍ରେ ସେ ତାଙ୍କର ଅଫିସ ବ୍ୟାପାରଗୁଡ଼ିକ ଉଠାନ୍ତି । ଦେଶ, ଜାତି, ଗଣତନ୍ତ୍ର, ସ୍ଵାଧୀନତା ପ୍ରଭୃତି କେତୋଟି ଶବ୍ଦକୁ ସେ ଏଭକି ଦ୍ରୂତଗତିରେ ଚକ୍ରାକାରରେ ମୋ ଆଗରେ ଘୂରାନ୍ତି ଯେ, ମୋ ମୁଣ୍ଡ ବିଗଡ଼ିଯାଏ ।

 

“କରୁଣାକର, କିଛି ନୂଆ କଥା କାଢ଼ ଭାଇ ତମ ମୁଣିରୁ ! ସେ ଘଷରା ପୁରୁଣା କଥା ସବୁ ଆଉ ପକାଅ ନାହିଁ । ମୁଣ୍ଡ କ’ଣ ହେଇଯାଉଚି ।” ମୁଁ କହେ ।

 

କରୁଣାକର ବଡ଼ ଧୈର୍ଯ୍ୟବନ୍ତ ପୁରୁଷ । କିନ୍ତୁ ତାଙ୍କର ସେଇ ଷ୍ଟକ୍ ଫ୍ରେଜ୍ ବା ଦେଶ-ଜାତି-ଗଣତନ୍ତ୍ର ପ୍ରଭୃତି ପଦାବଳୀକୁ ପୁରୁଣା ଘଷରା କହିଲେ ସେ ସହି ପାରନ୍ତି ନାହିଁ ।

 

“ଆଉ କ’ଣ କହିବି ?” କରୁଣାକର ରାଗିଯାନ୍ତି ଆଉ ଦିଗ୍‌ଦାର୍ ସ୍ୱରରେ କହନ୍ତି, “ତମେ ସବୁ ଅଧ୍ୟାପକମାନେ ପଞ୍ଝାଏ ଗବଗାଣ୍ଡୁ । ଖାଲି ନିଜ କଥା, ନିଜ ଦରମା ବଢ଼ିବା କଥା ଛଡ଼ା ଆଉ କିଛି ଚିନ୍ତା ନାହିଁ ତମର । ବର୍ତ୍ତମାନ ଦେଶର ଅବସ୍ଥା ବୁଝୁଛ ? ଏ ଜାତିର ଯୁବକ ସମାଜ ବର୍ତ୍ତମାନ କିପରି ଆଦର୍ଶହୀନ, ଉଦ୍‌ଭ୍ରାନ୍ତ–”

 

“ପୁଣି ସେଇ ଦେଶ, ଜାତି...କରୁଣାର !”, ମୁଁ ମୁରୁକେଇ ମୁରୁକେଇ ହସେ, ବନ୍ଧୁଟିର ଦୟନୀୟ ଆଦର୍ଶବାଦୀ ବିଶ୍ୱ ମଙ୍ଗଳାକାଙ୍‌କ୍ଷୀ ଆଖିଯୋଡ଼ିକୁ ଅନେଇ ଅନେଇ ।

 

କରୁଣାକର ଅବଶ୍ୟ ଆଉ ବେଶି ରାଗିପାରେ ନାହିଁ । ମୋ ମୁରୁକି ହସ ସହିତ ସହଯୋଗ କଲା ପରି ଅଳ୍ପ ହସି ଦିଏ ସେ । ବନ୍ଧୁତାର ସମ୍ବନ୍ଧ ସେତେବେଳକୁ ଗାଢ଼ତର ହୋଇ ଆସିଥାଏ ଅନେକେ । ସେତେବେଳେ ତାଙ୍କୁ ତୁମେ ବଦଳରେ ତୁ ସମ୍ବୋଧନ କଲେ ମଧ୍ୟ ସେ କିଛି ମନେ କରନ୍ତି ନାହିଁ । ତଥାପି ନିଜ ଅଫିସ ବ୍ୟାପାରରୁ କ୍ଷଣେ ମୁକ୍ତ କରି ପାରନ୍ତି ନାହିଁ ସେ ନିଜକୁ । ସନ୍ଧ୍ୟାଗୁଡ଼ାକ ସେଇ ବାଜେ କଥାରେ କଟାଇବାକୁ ବାଧ୍ୟ କରନ୍ତି ସେ ମତେ । କୋଉ ଅବାଗିଆ ଆଇ.ଏ.ଏସ୍. ଅଫିସର, ପୁଣି ଅବିବେକୀ ଆଇ.ଏ.ଏସ୍. କମିଶନର–ଏଇମାନଙ୍କ ନିତିଦିନିଆ ଚାଲିଚଳଣ ହାବଭାବ କାରବାରକୁ ନେଇ ସେ ଆରମ୍ଭ କରିଦିଅନ୍ତି ଲମ୍ବା ଆଲୋଚନା ଓ ତାରି ସହିତ ଦେଶ-ଜାତି ସ୍ଵାଧୀନତା-ଗଣତନ୍ତ୍ର ପ୍ରଭୃତି ଶବ୍ଦକୁ ଫେଣେଇ ଫେଣେଇ ଶେଷକୁ ଏଭଳି ଅବସ୍ଥାକୁ ଆଣନ୍ତି ସେ, ନିଜକୁ ଯେ ଅସ୍ଥିର ହୋଇ ଉଠି ଦିନେ ଦିନେ ଗୋଟାଏ ଗୋଟାଏ ରଡ଼ିଛାଡ଼ନ୍ତି ସେ ।

 

“ହେ ଧର୍ମ ! ହେ ଧର୍ମ ! ଏ ଦେଶକୁ ରକ୍ଷା କର ବ୍ୟୁରୋକ୍ରାଟ୍‌ଙ୍କ ପ୍ରାଦୁର୍ଭାବରୁ !”

 

ବର୍ଷ ପରେ ବର୍ଷ କରୁଣାକରର ଏଇ ଧର୍ମଡ଼ାକ ଶୁଣିବାରେ ଆମ ଘରେ ସମସ୍ତେ ଅଭ୍ୟସ୍ତ ହୋଇ ସାରିଥାନ୍ତି । ତେଣୁ ଯେଉଁ ସନ୍ଧ୍ୟାରେ ତାଙ୍କର ଏ ପ୍ରକାର ପାଗଳାମିର ଡାକ ଶୁଭେ ଆମ ଡ୍ରଇଁରୁମ୍‌ରୁ ଆମ ଘରର କେବଳ ଜଣକଛଡ଼ା ଅନ୍ୟ ସମସ୍ତେ କାଲ ପରି ଯେଝା କାମରେ ରହି ଡାକଟିକୁ ଶୁଣି ମଧ୍ୟ ପାରନ୍ତି ନାହିଁ । ଖାଲି ଆମର ପୋଷା କୁକୁରଟି କାହିଁକି କେଜାଣି ହଠାତ୍ ଉତ୍ତ୍ୟକ୍ତ ହେଲାପରି ଭୋ ଭୋ ରଡ଼ି କେତୋଟି ଛାଡ଼େ । ଏହାପରେ ‘ଓ ଓ’ ହୋଇ କେତୋଟି ମୁହୂର୍ତ୍ତ ଲାଗି ଆମ ଘର ଏକ କୁକୁର କାନ୍ଦଣାରେ ମୁଖରିତ ହୋଇ ଉଠେ ।

 

“ହ୍ୟାସୁ ହ୍ୟାସୁ”–ରୋଷେଇ ଘରୁ ନାରୀକଣ୍ଠର ବିରକ୍ତି ପ୍ରକାଶରେ ହିଁ କୁକୁରଟା ଶେଯରେ ଚୁପ୍ ହୋଇଯାଏ ।

 

ସେତେବେଳକୁ କରୁଣାକର ମଲା ସାପଟିଏ ପରି ଫାଗାଳି ପଡ଼ି ଯାଇଥାନ୍ତି ସୋଫା ଉପରେ । କିଛି ସମୟ ପରେ ସେ ଉଠନ୍ତି–ଘରକୁ ଫେରିବା ଲକ୍ଷ୍ୟରେ ।

 

“କରୁଣାକର ବାବୁ”, ଲୋକଟି କାନ୍ଧରେ ଥରେ ଦୁଇଥର ଥାପୁଡ଼େଇ ଦେଇ ମୁଁ ତାଙ୍କୁ ବାଟ ବଳେଇ ଦେଇ ଆସେ । ଯିବା ପୂର୍ବରୁ ଆଉ ଥରେ ତାଙ୍କୁ ପରାମର୍ଶ ଦିଏ, “ଆପଣ ଏକ କାମ କରନ୍ତୁ । ଓକିଲାତି ପରୀକ୍ଷାଟିଏ ଦିଅନ୍ତୁ । ଚାକିରି ଛାଡ଼ି ଦିଅନ୍ତୁ । ଆପଣଙ୍କ ପରି, ଆଦର୍ଶବାଦୀମାନେ ଆଜିକାଲି ସରକାରୀ ଚାକିରିରେ ତିଷ୍ଠିବା ଅସମ୍ଭବ କରୁଣାକର ବାବୁ !”

 

କରୁଣାକର ଜଳ ଜଳ ହୋଇ ଅନାନ୍ତି ମୋ ମୁହଁକୁ । ଦୀର୍ଘ ନିଃଶ୍ୱାସ ଛାଡ଼ନ୍ତି । ମଲା ସାପ ବହୁ ସମୟ ପବନରେ ପଡ଼ି ଜୀଇଁ ଉଠିଲା ପରି ଧୀରେ ଧୀରେ ଆମ ଘରୁ ବାହାରିଯିବା ବେଳେ ଧୀର ଗଳାରେ ଜବାବ ଦିଅନ୍ତି–

 

“ଓକିଲାତି ? କୋଉ ଓକିଲ ଆଉ ଅଛନ୍ତି ଏ ଦେଶରେ ! ସମସ୍ତେ ଚାକର–ଚାକର ସମସ୍ତେ ଏଇଲେ ବ୍ୟୁରୋକ୍ରାଟଙ୍କ୍‌ର । ତମେ ମାଷ୍ଟର ପଞ୍ଝାକ କିଛି ଜାଣନା । ସ୍ଵାଧୀନ ଭାରତର ଓକିଲମାନେ ହାକିମଙ୍କ ଦରବାରରେ କିଭଳି ନୁଙ୍ଗୁ ନୁଙ୍ଗୁ ହଉଛନ୍ତି ଯାଅ ଦେଖିବ । ଆଉ କ’ଣ ସେ ଯୁଗ ଅଛି ? ଗାନ୍ଧୀ–ନେହେରୁ ଯୁଗ ? ଓକିଲ ଥିଲେ ତ ପୁଣି ସେଇମାନେ ।”

 

କରୁଣାକର ଆମ ମାଷ୍ଟ୍ରପଞ୍ଝାଙ୍କୁ ଗାଳି ଦେଲାବେଳେ ମୋ ମନ କଷ୍ଟ ହୁଏ, ପୁଣି ହୁଏ ନାହିଁ ମଧ୍ୟ । ସ୍ଵାଧୀନ ଭାରତରେ କେବଳ ବ୍ୟୁରୋକ୍ରାଟ୍‌ମାନେ ଯେ ଅତ୍ୟାଚାରୀ ହୋଇ ଉଠିଛନ୍ତି, ଓକିଲମାନେ ମ୍ୟାଜିଷ୍ଟ୍ରେଟ୍‌ଙ୍କ ପାଖେ ନୁଙ୍ଗୁ ନୁଙ୍ଗୁ ହୁଅନ୍ତି ତା ନୁହେଁ । ଆମ ମାଷ୍ଟ୍ର, ଅଧ୍ୟାପକଙ୍କ ଲଗାଏତ୍‌ ବିଶ୍ଵବିଦ୍ୟାଳୟର ବଡ଼ ବଡ଼ ପ୍ରଫେସର ଆଉ କୁଳପତିମାନେ କମି ଅତ୍ୟାଚାର କରନ୍ତି ନାହିଁ ବା କମି ନୁଙ୍ଗୁ ନୁଙ୍ଗୁ ହୁଅନ୍ତି ନାହିଁ–ଜାଣେ ମୁଁ । ତେଣୁ କରୁଣାକରଙ୍କ କଥାରୁ ମାନ ଅପମାନର ବିଷୟ ନ ଧରି ଲୋକଟାର ମୂଳ ଦୁଃଖ ସହିତ ସେତେବେଳେ ସାମାନ୍ୟ ସହଯୋଗୀ ହୁଏ ମୁଁ । ବନ୍ଧୁଟିକୁ ରାତି ଅନ୍ଧାର ଭିତରେ ବିଦାୟ ଦେଉ ଦେଉ ଆଉ ପଦେ କହେ ମୁଁ ।

 

“ତେବେ ଓକିଲ ନହୁଅ–ସମାଜ ସେବକ ରାଜନୀତିକ ହୁଅ ! ଚାକିରି ତମ ଦେହି ଆଉ ହବା ଭଳି ଦିଶୁ ନାହିଁ ବନ୍ଧୁ !”

 

ଅନ୍ଧାରରୁ କରୁଣାକରର ‘ହୁଁ’ ଶବ୍ଦଟିଏ ବାଜେ କେବଳ କାନରେ ମୋର ସେତେବେଳେ-। ଲୋକଟା ମୋ ପ୍ରସ୍ତାବରେ ରାଜି ବା ଅରାଜି କିଛି ଠଉରାଇବା ସମ୍ଭବ ହୁଏ ନାଇଁ ସେ ଶବ୍ଦରୁ-। ସେଇ ହକାରଟି ଦେଇ ମିଶିଯାନ୍ତି ସେ ଅନ୍ଧାରରେ । ମୁଁ ଫେରି ଆସେ ଘରକୁ । ତା ପରେ ଅନେକ ଦିନ ପର୍ଯ୍ୟନ୍ତ ଆଉ ଦେଖା ହୁଏ ନାହିଁ ତାଙ୍କ ସାଥିରେ ମୋର । ଦେଶ, ଜାତି, ଗଣତନ୍ତ୍ର ଓ ବ୍ୟୁରୋକ୍ରାଟ୍‌ଙ୍କୁ ନେଇ ତାଙ୍କର କି କି ଦୁର୍ଦ୍ଦଶା ଘଟୁଥାଏ ତେଣେ ତାଙ୍କ ଅଫିସ୍‌ରେ ବା ଦୈନଦିନ ଜୀବନରେ ଜାଣିପାରେ ନାହିଁ ମୁ । ଏହାପରେ ପୁଣି ଦିନେ ସନ୍ଧ୍ୟାରେ ଅଚାନକ ଆବିର୍ଭାବ ହୁଏ ତାଙ୍କର ଆମ ଘରେ । ଏହାପରେ ପୁଣି ଦିନେ ସନ୍ଧ୍ୟାରେ ଅଚାନକ ଆଲୋକ ହୁଏ ତାଙ୍କର ଆମ ଘରେ । ପୁଣି ଶୁଣାଯାଏ ତାଙ୍କର ହା–ଧର୍ମ ହା–ଧର୍ମ ଡାକ ଆମ ଡ୍ରଇଂରୁମରେ । ସେଇଠୁ ଆରମ୍ଭ ହୁଏ ଆମ ପୋଷା କୁକୁରର କାନ୍ଦଣା ଆଉ ତାର ପ୍ରତିକ୍ରିୟା–“ହ୍ୟାସୁ...ହ୍ୟାସୁ” ଆମ ରୋଷେଇ ଘର-। ସନ୍ଧ୍ୟା ବିତେ ପୂର୍ବପରି–ବିବାକ୍ ଏକା ପ୍ରକାରେ ।

 

ଏହିପରି ରୁଟିନ୍‌ ଭିତରେ ଦିନେ ସନ୍ଧ୍ୟାରେ ଅଚାନକ ଆବିର୍ଭାବ ଘଟିଲା କରୁଣାକରଙ୍କର । ଶୀତଦିନ, କନକନିଆ ଥଣ୍ଡା ପବନ । ଗୋଟିଏ ନୂଆ ଗରମସୁଟ୍ ତିଆରି କରିଥାଏ ମୁଁ ସେ ବର୍ଷ । କଲେଜରୁ ଫେରି ସେଇମାତ୍ର ପହଞ୍ଝିଥାଏ ମୁଁ ଘରେ ଓ ତରବର ହେଉଥାଏ ସପରିବାରେ ସେଇ ସନ୍ଧ୍ୟାରେ ପୂର୍ବ ନିର୍ଦ୍ଧାରିତ ଏକ ସିନେମା ଯିବା ପ୍ରୋଗାମ୍ ଲକ୍ଷ୍ୟରେ । ତେଣୁ, ହଠାତ୍‌ ସେ ପରିସ୍ଥିତିରେ କରୁଣାକରଙ୍କ ଆବିର୍ଭାବ ଦେଖି ମୋର ବନ୍ଧୁବତ୍ସଳତାରେ କିଞ୍ଚିତ୍‌ କୃତ୍ରିମତା ପ୍ରକାଶ ପାଇବା ଥିଲା ସ୍ୱାଭାବିକ ।

 

“ଆରେ, କରୁଣାକର ବାବୁ ଯେ ! ଆସନ୍ତୁ ଆସନ୍ତୁ...” କହି ମୁଁ ଚାଲିଗଲି ଭିତର ଘରକୁ-। କିନ୍ତୁ ଅଳ୍ପ ସମୟ ଭିତରେ ଫେରି ଆସି ବୈଠକଖାନାରେ କରୁଣାକରଙ୍କୁ ଭୋଟୁ ଭୋଟୁ ମୁଁ ଅନ୍ଦାଜ କରି ସାରିଥିଲି ଯେ ସମ୍ଭବତଃ ସେଦିନ ସନ୍ଧ୍ୟାରେ ଆମ ପରିବାରରେ ସିନେମା ଦେଖା ପ୍ରୋଗାମ୍ ରୁମ୍ ।

 

“ଶୁଣନ୍ତୁ !”, ମତେ ଦେଖୁ ଦେଖୁ କରୁଣାକର ଆରମ୍ଭ କରି ଦେଲେ, “ଆପଣଙ୍କ ପ୍ରସ୍ତାବ ଅନୁସାରେ ଇତିମଧ୍ୟରେ ମୁଁ ଓକିଲାତି ପରୀକ୍ଷାଟିଏ ଦେଇ ସାରିଛି । କିନ୍ତୁ ପରୀକ୍ଷାଫଳ ଆପଣଙ୍କ ହାତରେ । ଶୁଣୁଛି ଆପଣଙ୍କ ଶଶୁର ଜଷ୍ଟିସ୍‌ ଖାତା ପାଇଛନ୍ତି ଆମର । ଲ’ରେ ଶତକରା ପଚାଶ ମାର୍କ ନ ରଖିଲେ ଫେଲ୍‌ । ଅନ୍ୟାନ୍ୟ ପପେରର–ଯାହା ଯେମିତି ହବାର ହେଇଗଲା । ବର୍ତ୍ତମାନ ଆପଣଙ୍କ ଶଶୁରଙ୍କ ହାତରେ ଜୀବନ-ନାଟିକା । ଯେ କୌଣସି ପ୍ରକାରେ କାମଟିକୁ ହାସଲ କରିବାକୁ ପଡ଼ିବ–ସମୀର ବାବୁ !”.

 

“ଠିକ୍ ଅଛି, ଠିକ୍ ଅଛି–ମତେ ଆପଣଙ୍କ ରୋଲ୍ ନମ୍ବରଟା ଦେବେ–ମୁଁ ଦେଖିବି, ନିଶ୍ଚୟ ଦେଖିବି ।” କହ ମୁଁ ତରବରରେ ତାଙ୍କଠାରୁ ବିଦାୟ ନେବାପାଇଁ ଦୁଇ କପ ଚା’ ଶୀଘ୍ର ପଠେଇବାକୁ ଡାକଟିଏ ମାରିଲି ଆଉ କରୁଣାକର ବାବୁଙ୍କୁ ମୋ ହାଲତ୍ ବୁଝେଇ କହିଲି, “ସିନେମା–ଏଇ ତ ବାହାରିଥିଲୁ, ଆସିଗଲେ ଆପଣ ।”

 

କିନ୍ତୁ କରୁଣାକର ହଠାତ୍ ଧରି ପକେଇଲେ ମୋ ହାତଟିକୁ ଆଉ କହିଲେ, “ଅସମ୍ଭବ ! ଆସନ୍ତୁ, ଆସନ୍ତୁ–ଏମିତି ବାହାରିଯିବା ଆପଣଙ୍କ ଶଶୁରଙ୍କ ଘରଆଡ଼େ । ଆଜି ଶେଷଦିନ । ସେ କାଲି ଫେରେଇ ଦଉଛନ୍ତି ତାଙ୍କ ଖାତାଗୁଡ଼ାକୁ ଭଲକରି ଜାଣେ ମୁଁ ।” ସେଇଠୁ ଆଉଟିକେ ଛଳେଇ କରି କହିଲେ ମଧ୍ୟ “ଦେଖନ୍ତୁ, ମୁଁ ଯାହା କରିବାକୁ ଯାଉଛି ସେଥିରେ ଅନ୍ୟାୟ ନାହିଁ । ମଣିଷର ବଡ଼, ସବୁଠୁଁ ବଡ଼ କଥା ହେଲା ସ୍ୱାଧୀନତା । ଏ ସରକାରୀ ଚାକିରିରେ ବିଶେଷତଃ ଏ ବ୍ୟୁରୋକ୍ରାଟ୍‌ଗୁଡ଼ାଙ୍କ ପାଖରେ କୁକୁରଭଳି ଆଉ ବଞ୍ଚିପାରିବି ନାଇଁ ମୁଁ । ମତେ ସ୍ୱାଧୀନ ହେବାକୁ ପଡ଼ିବ । ଓକିଲାତି କରିବାକୁ ପଡ଼ିବ । ତା’ପରେ–ରାଜନୀତି ।”

 

“କିନ୍ତୁ ଆପଣ ତ ଓକିଲମାନଙ୍କୁ ନୁଙ୍ଗୁ ନୁଙ୍ଗା କହୁଥିଲେ ସେଦିନ ।” ହାତଘଡ଼ି ଦେଖି ସନ୍ଧ୍ୟା ସୋ’ର ସମୟ ସ୍ମରଣ କରୁ କରୁ ଚେତେଇଦେଲି ମୁଁ ।

 

“ତା ଠିକ୍, କିନ୍ତୁ ମୁଁ ତ ଓକିଲ ହେବାକୁ ଯାଉ ନାହିଁ–ଯାଉଛି ରାଜନୀତିକୁ !” ଢେଗା ଢେଗା ଆଖିରେ ଯଥେଷ୍ଟ ବିରକ୍ତି ପ୍ରକାଶ କରି ସେ ଅନେଇଲେ ମୋ ଆଖିକୁ ଓ ସତେ କି କହିବାକୁ ଚାହୁଁଥିଲେ ଯେ ଆମେ ଆଧ୍ୟାପକମାନେ ଗତକାଲି ଯେପରି ମୂର୍ଖ ଥିଲୁ ଆଜି ବି ଅଛୁ ସେହିପରି ଏବଂ ଆଗାମୀ ଯୁଗରେ ମଧ୍ୟ ସେହିପରି ମୂର୍ଖ ରହିବୁ ଏଥିରେ ତାଙ୍କର ସନ୍ଦେହ ନ ଥିଲା ଆଦୌ ।

 

ଚା’ ଆସିଯାଇଥାଏ । ତର ତର ହୋଇ ଚା’ ପିଇଦେଲି ମୁଁ । ଉଠି ଠିଆ ହେଲି । କରୁଣାକର ବାବୁ ଟିକିଏ ଡେରି କଲେ ଅବଶ୍ୟ ଉଠିବାକୁ । କିନ୍ତୁ, ସେଦିନ ସନ୍ଧ୍ୟାରେ ସୌଭାଗ୍ୟବଶତଃ ଆମ ପରିବାର ସିନେମା ଦେଖା ସୌଭାଗ୍ୟରୁ ବଞ୍ଚିତ ହେଲେ ନାହିଁ ନିଶ୍ଚୟ । କରୁଣାକରଙ୍କଠାରୁ ତାଙ୍କ ରୋଲ୍ ନମ୍ବରଟି ସଂଗ୍ରହ କରି ପ୍ରତିଶ୍ରୂତି ଦେଲି ସେ ବ୍ୟାପାରରେ ଯାହା କରାଯିବା ସମ୍ଭବ ତାହା କରିବାକୁ ।

 

ଏହାର ମାସ କେତୋଟି ପରେ କରୁଣାକରଙ୍କ ଆବିର୍ଭାବ ଘଟିଥିଲା ଆମ ଘରେ ଏକ ବସନ୍ତ ପବନ ଉଚ୍ଛୁଳା ସନ୍ଧ୍ୟାରେ । ହସ ହସ ମୁହଁରେ କରୁଣାକର ପଶିଆସିଲେ ବୈଠକଖାନାକୁ ଆଉ କହିଲେ–

 

“ମୁକ୍ତି, ଓଃ ମୁକ୍ତି–ରେଜଲଟ୍ ବାହାରିଗଲା ସମୀରବାବୁ ! ଧନ୍ୟବାଦ ଆପଣଙ୍କୁ, ଆପଣଙ୍କ ଶଶୁରଙ୍କୁ । ଯଦି ସେଇ ଗୋଟାଏ ପେପରରେ...”

 

କଥାଟି ବୁଝିଗଲି ମୁଁ । କରୁଣାକର ଲ’ ପାଶ୍ କରିଗଲେ । ଏଥର ଆରମ୍ଭ ହେବ ତାଙ୍କର ସ୍ୱାଧୀନ ଜୀବନ । ଓକିଲାତି କରିବେ । ରାଜନୀତି କରିବେ । ମନ୍ତ୍ରୀ ହେବେ । ଇତ୍ୟାଦି ।

 

ତେବେ, କରୁଣାକରଙ୍କ ସଫଳତାରେ ମୁଁ କମ୍‍ ଖୁସି ହେଇ ନ ଥିଲି ସେଦିନ । ଲୋକଟା ଯେ ଗୋଟାଏ ନାରକୀୟ ଚାକିରି ଜୀବନରୁ ଉଦ୍ଧାର ପାଇଗଲା କୌଣସି ପ୍ରକାରେ, ଏଥର ସେ ଓକିଲାତି କରୁ ନ କରୁ, ମନ୍ତ୍ରୀ ହେଉ ନ ହେଉ, କିନ୍ତୁ ତ୍ରାହି–ତାର ପ୍ରଧାନ ଶତ୍ରୁ ସେ ବ୍ୟୁରୋକ୍ରାଟ୍‌ଗୁଡ଼ାଙ୍କ ନିର୍ଯ୍ୟାତନାରୁ ତ୍ରାହି ପାଇଗଲା ସେ–ଏଇଥିଲା ଘୋର ଆନନ୍ଦ । ବାସ୍ତବ ବନ୍ଧୁବତ୍ସଳତାର ସିନ୍‌ସିଅର ଖୁସିଟାଏ ସେ ।

 

ଆଗାମୀ ମୁକ୍ତଜୀବନ ସମ୍ପର୍କରେ ଆମେ ମାତ୍ର କେଇଟି ମୁହୂର୍ତ୍ତ କଥାବାର୍ତ୍ତା ହୋଇଥିଲେ ହୋଇଥିବୁ ସେଦିନ ସନ୍ଧ୍ୟାରେ । କିନ୍ତୁ ତା ପରଠୁ କଥା ଯେଉଁଆଡ଼କୁ ମୁହେଁଇଲା ସେଥିରେ କରୁଣାକରଙ୍କ ସହିତ ମୋ ମନରେ ବି ଏକ ନୂଆ ଆଶଙ୍କା ଉଦୟ ହୋଇଗଲା ସତରେ ।

 

“ଜାଇଁଲେ !”, ସେ ଆରମ୍ଭକଲେ ତାଙ୍କର ପରବର୍ତ୍ତୀ ଉଦ୍‌ବେଗର ବିଷୟବସ୍ତୁ, ‘‘ମୋ ମୁଣ୍ଡରେ ଆଉ ଏକ ବୋଝ–ଚାକିରିଟା ଛାଡ଼ିବା କେମିତି !”

 

“କାଇଁକି ?”, ବିସ୍ମିତ ହୋଇ ପଚାରିଲି ମୁଁ, “ଆପଣ ତ କାଲିଯିବେ ଅଫିସ୍‌କୁ । ଆପଣଙ୍କ ଅଫିସରଙ୍କ ପାଖରେ ଇସ୍ତଫାପତ୍ରଟି ଦାଖଲ କରିଦେବେ । କଥା ଶେଷ ଆଉ, ଚିନ୍ତା କ’ଣ ?”

 

“ନା, ନା–”, କରୁଣାକରଙ୍କ ମୁହଁ ଶଙ୍କାକ୍ଳିଷ୍ଟ ହୋଇସାରିଥାଏ ସେତେବେଳକୁ । ମୁହଁରୁ ଝାଳପୋଛି କହିଲେ ସେ, ‘‘ମତେ ପେନ୍‌ସନ ନେବାକୁ ପଡ଼ିବ । ନ ହେଲେ ଚଳିବି କେମିତି ମୁଁ ? ଶୁଖିଲା ଓକିଲାତିରେ ବର୍ଷ ପରେ ବର୍ଷ ପ୍ରାକ୍‌ଟିସ୍ ନ ଜମିବା ପର୍ଯ୍ୟନ୍ତ ଖାଇବି କ’ଣ ମୁଁ । ପିଲାଛୁଆ ବଞ୍ଚିବେ କେମିତି ?”

 

“ତେବେ ପେନ୍‌ସନ ନିଅନ୍ତୁ, ରିଟାୟାର୍ କରନ୍ତୁ । ଆପଣଙ୍କର ଯେତିକି ପ୍ରାପ୍ୟ ସେତକ ତ ସରକାର ଦବାକୁ ବାଧ୍ୟ–”

 

“ହେଃ ଯାଃ–ମାଷ୍ଟରିଆ ଲୋକ !”, କରୁଣାକର ଚିଡ଼ି ଉଠିଲେ । କହିଲେ, “ଆପଣ କ’ଣ ଜାଣନ୍ତି ପେନ୍‌ସନ୍‌ ନିୟମ ! ମୋର ଯେତିକି ବର୍ଷ ଚାକିରି ସେଥିରେ କିଛି ମିଳିବ ନାହିଁ ମତେ । କେବଳ ଇସ୍ତଫା ଦେଇ ଚାକିରିରୁ ପଳେଇଯିବା ଛଡ଼ା ବାଟ ନାହିଁ ବର୍ତ୍ତମାନ । ତେବେ ଉପାୟ ଅଛି ଗୋଟିଏ–ଯଦି ମୁଁ ପ୍ରମାଣ ଦିଏ ଯେ ଶାରୀରିକ ବା ମାନସିକ ଅକ୍ଷମତା ଯୋଗୁଁ ମତେ ଚାକିରିରୁ ଅବ୍ୟାହତି ନବା ଦରକାର ତା ହେଲେ ଅସୁବିଧା ନାହିଁ ନିଶ୍ଚୟ । କିନ୍ତୁ–”

 

କରୁଣାକର ବଡ଼ କରୁଣଭାବେ ତାଙ୍କର ସୁସ୍ଥ ଶରୀରଟିକୁ ମୋ ଆଗରେ ପ୍ରଦର୍ଶନ କରିବାକୁ ଲାଗିଲେ । ହସିଦେଲେ । କହିଲେ, “ଏ ଶରୀରକୁ ଅକ୍ଷମ ପ୍ରମାଣ କରିବା ଯେମିତି ? ହଁ, ଡାକ୍ତରକୁ ଧରାଧରି କରାଯାଇପାରେ । କିନ୍ତୁ ଏ ସରକାରର ମୁଣ୍ଡଗଣ୍ଡି ନାହିଁ । ଚାହିଁଲେ ମେଡ଼ିକାଲ ବୋର୍ଡ଼ ବସେଇ ଦେଇପାରେ ।”

 

“ତେବେ ମାନସିକ ଅକ୍ଷମତା–”, ହସିଲି ମୁଁ ଅବଶ୍ୟ ।

 

“ଧେତ୍ ମାଷ୍ଟରିଆ–”, କରୁଣାକର ପୁଣି ବିଗିଡ଼ିଗଲେ । ତେବେ ମୋର ମାନସିକ ଅକ୍ଷମତାକୁ କ୍ଷମା ଦେଲାପରି କହିଲେ,” “ଯେ ସରକାରୀ ଚାକିରି ଛାଡ଼ି ଓକିଲ ହବ, ପୁଣି ସେଠୁ ମନ୍ତ୍ରୀ–ଜାଣୁ ଜାଣୁ ନିଜକୁ ମାନସିକ ଅକ୍ଷମ ବୋଲି ଡାକ୍ତର ସାର୍ଟିଫିକେଟ୍ ନବ ସେ ? ବୁଝୁନ ଏତକ !”

 

ଜିଭ କାମୁଡ଼ି ପକେଇଲି ମୁଁ । ସତ ସତ ବୋକାଟିଏ ପରି ହସିହସି ଚାହିଁଲି ତାଙ୍କ ମୁହଁକୁ-। ତେବେ, ପୁଣି ବୁଦ୍ଧି କାଢ଼ି କହିଲି, “ତା’ ହେଲେ ଅଫିସରକୁ ଟିକିଏ ଖୋସାମତି କରାଯାଉ-। ତାକୁ ବୁଝେଇ ଦିଆଯାଉ–ଆପଣ ମୁକ୍ତ ହେଲେ କ’ଣ କରିବେ । ଯଦି ମନ୍ତ୍ରୀ ହୁଅନ୍ତି ତେବେ ତ ସେ ଅଫିସର ପୁଣି ଆପଣଙ୍କୁ ଖୋସାମତି କରୁ କରୁ ଦିନଯିବ ନା ତାର ! ନା କ’ଣ କହୁଛନ୍ତି-?”

 

କରୁଣାକର ଅଫିସର ଗୋଷ୍ଠୀକୁ ଭୀଷଣ ଘୃଣା କରନ୍ତି, ଏହା ଜଣାଶୁଣା । ବିଶେଷତ୍ଵ ସେଇମାନଙ୍କର ଦୌରାତ୍ମ୍ୟରୁ ରକ୍ଷା ପାଇବାକୁ ତ ସେ ଜୀବନର ପଣ କରିଛନ୍ତି ଆରମ୍ଭରୁ । ତଥାପି ଅଫିସରଙ୍କୁ କୁହାବୋଲା କରି ଆଗ ଚାକିରିରୁ ମୁକ୍ତି ପାଇବା ପରେ ମନ୍ତ୍ରୀ ହେଇ ତାଙ୍କର ଚୁଟି ଧରିବାର ସମ୍ଭାବନା ମୋ ପ୍ରସ୍ତାବରୁ ବେଶ୍ ମନକୁ ପାଇଲା ହୁଏତ ତାଙ୍କର ।

 

“ଆଚ୍ଛା, ଦେଖାଯାଉ–”, କହି କରୁଣାକର ବିଦାୟ ନେଲେ ସେ ସନ୍ଧ୍ୟାରେ ।

 

ବାହାରେ ସାଇଁ ସାଇଁ ଦକ୍ଷିଣ ପବନ । କରୁଣାକର ମୁକ୍ତ ନିଶାଚର ଚଢ଼େଇଟିଏ ପରି ଧରିନେଲେ ସେ ପବନକୁ ତାଙ୍କ ଧୋତୀ ପଞ୍ଜାବୀରେ । ଉଡ଼ିଗଲେ ।

 

ପ୍ରାୟ ଚାରିହପ୍ତା ବିତିଗଲା । କରୁଣାକର ବିଷୟରେ ବେଶି କିଛି ଖବର ନେବା ସମ୍ଭବ ହୋଇ ନ ଥିଲା ମୋ ପକ୍ଷରେ । ତେବେ ତାଙ୍କର ପରିଚିତ ବନ୍ଧୁ ମହଲରୁ ଶୁଣିବାକୁ ମିଳୁଥାଏ କଥାଟିଏ । “କରୁଣା ଖୁବ୍ ଚେଷ୍ଟା କରୁଛି ଉଇଥ୍ ‌ପେନ୍‌ସନ୍‌ ଚାକିରି ଛାଡ଼ି ମନ୍ତ୍ରୀ ହେବା ପେଇଁ । ତେବେ ଆମେ ଛାଡ଼ୁ ନାହୁଁ । ଶଳାର କି ବେମାରି ଅଛି ଯେ ଇନ୍‌ର୍ଫାମିଟି ପେନ୍‌ସନ୍ ମିଳିବ ତାକୁ ! ପୁଣି ଏଠୁ ଯାଇ ଓକିଲାତି କରିବ, ସେଠୁ ମନ୍ତ୍ରୀ ! ଦେଖାଯାଉ, ବେଟା ଖସିବ କେମିତି ସରକାରର ହାତମୁଠାରୁ !”

 

କରୁଣାକର ବନ୍ଧୁମାନେ ତାଙ୍କୁ ଭଲ ପାଆନ୍ତୁ କି ନ ପାଆନ୍ତ ଘଟଣାର ତାତ୍ପର୍ଯ୍ୟ ସେଠି ନାହିଁ ବୋଲି ବେଶ୍ ବୁଝି ପାରିଥିଲି ମୁଁ ସେମାନଙ୍କ କଥାରୁ । ତାଙ୍କ ସାଙ୍ଗରେ ଜଣେ ଚାକିରି ଛାଡ଼ିଦେବାକୁ ତିଆର ଓ ସେଠୁ ମନ୍ତ୍ରୀ ହବାକୁ ତିଆର–ଏଇ ବିଷୟଟା ବେଶି ବିରକ୍ତ କରୁଥିଲା ସେମାନଙ୍କୁ ।

 

ସେଦିନ ଘରକୁ ଫେରୁ ଫେରୁ ଟିକିଏ ବେଶି ଡେରି । ବସନ୍ତଋତୁ ଇତିମଧ୍ୟରେ ପରିବର୍ତ୍ତିତ ହୋଇ ବେଶ୍ ଗରମ ପଡ଼ିଲାଣି ସହରରେ । ହାଲୁକା ପୋଷାକରେ ବାହାରି ଯାଇଥିଲି ପଦାକୁ । କିନ୍ତୁ ଘରକୁ ଫେରିବା ମାତ୍ରେ ବୈଠକଖାନାରେ ଜଣେ ଆପାଦମସ୍ତକ ସଂପୂର୍ଣ୍ଣ ଗୈରିକବସ୍ତ୍ରଧାରୀ ବାବାଜୀଙ୍କୁ ଝାଳ ସରସର ହେଇ ବସିଥିବାର ଦେଖି ଚମକି ପଡ଼ିଲି ମୁଁ । ଆମ ଘରକୁ କୌଣସି ବାବାଜୀ କେବେ ଆସନ୍ତି ନାହିଁ । ଆମେ ସେ ମାର୍ଗର ଲୋକ ମଧ୍ୟ ନୋହୁଁ । ତେବେ ବାବାଜୀ ଜଣଙ୍କ ଯେ କରୁଣାକର ବାବୁ–ଚିହ୍ନିବାକୁ ବେଶି ସମୟ ଲାଗିଲା ନାହିଁ ମତେ ।

 

‘କରୁଣାକର ବାବୁ ! ଆପଣ ? ଏ ବେଶରେ ?’ ଆଶ୍ଚର୍ଯ୍ୟ ହୋଇ କେତେବେଳ ଅନେଇ ରହିଲି ମୁଁ ତାଙ୍କୁ ।

 

କିନ୍ତୁ କରୁଣାକର ଗୁମ୍‌ମାରି ବସିଥାନ୍ତି ସେମିତି । ନିର୍ବାକ୍‌, ନିଷ୍ପନ୍ଦ ଆଉଁ ଝାଳ ଜୁଡ଼ୁବୁଡ଼ୁ ।

 

‘ଆପଣ ତେବେ ଓକିଲ ହେଲେ ନାଇଁ କି ମନ୍ତ୍ରୀ ହେଲେ ନାଇଁ–ବାବାଜୀ ହେଇଗଲେ ଶେଷରେ ?’ ତାଙ୍କର ଆପାଦମସ୍ତକକୁ ଆବୃତ କରିଥିବା ସେଇ ଗୈରିକ ପୋଷାକଟିକୁ କବାଟ ପାଖରୁ ସେଇଭଳି ସବିସ୍ମୟେ ନିରୀକ୍ଷଣ କରୁଥାଏ ମୁଁ ଓ ମଝିରେ ମଝିରେ ପଚାରୁଥାଏ ଏମିତି ସାଂସାରିକ ପ୍ରଶ୍ନ ଗୋଟିଏ ଗୋଟିଏ ।

 

କରୁଣାକର ସମ୍ଭବତଃ ଜଳ ଜଳ ଚାହିଁଥାଇ ସୁଦ୍ଧା ଗଭୀର ଧ୍ୟାନମଗ୍ନ ହୋଇ ରହିଥିଲେ ସେତେବେଳେ । କିଛି ସମୟ ପରେ ତାଙ୍କର ଧ୍ୟାନ ଭଗ୍ନ ହେଲା ନିଶ୍ଚୟ । ହାତଠାରି ମୋତେ ପାଖକୁ ଆସିବାକୁ ନିର୍ଦ୍ଦେଶ ଦେଲେ ସେ ।

 

କିଞ୍ଚିତ୍ ଭୟ, ବିସ୍ମୟ ଓ ଭକ୍ତି ସହକାରେ ମୁଁ ଧୀରେ ଧୀରେ ଅଗ୍ରସର ହେଲି ତାଙ୍କ ଆଡ଼କୁ । ଯାଇ ଦୁମ୍ କରି ବସିପଡ଼ିଲି ତାଙ୍କ ପାଖ ଚେୟାରରେ ।

 

ଏହାପରେ ଏକ ଗମ୍ଭୀର ସ୍ଵର ଶୁଣାଗଲା ତାଙ୍କ ମୁହଁରୁ,

 

‘ହା ଧର୍ମ ! ହା ଧର୍ମ !’

 

ହଠାତ୍ ଘର ଭିତରୁ ମୋ କୁକୁରର କାନ୍ଦଣା ସହିତ ପରିଚିତ ହ୍ୟାସୁ ହ୍ୟାସୁ ଶବ୍ଦର ରେଳା ମିଶିଗଲା ତାଙ୍କ ସ୍ଵର ସାଥିରେ । ସେ ରେଳାରେ ଭୟଙ୍କର ଚିଡ଼ିଉଠିବା ଥିଲା ଅତି ସ୍ଵାଭାବିକ ମୋ ପକ୍ଷରେ ସେତେବେଳେ । ସେମିତି ଚିଡ଼ିଚିଡ଼ା ଗଳାରେ କ’ଣ ସେତେବେଳେ କହିଲି ମୁଁ କେଜାଣି ।

 

ହଠାତ୍ କରୁଣାକର ଉଠିପଡ଼ିଲେ । କହିଲେ, ‘ଚାଲିଲି ମୁଁ । ଆଉ ହୁଏତ ଦେଖା ନ ହେଇପାରେ ତମ ସହିତ ଏ ଜୀବନରେ ।’

 

ମୁଁ ମଧ୍ୟ ଉଠିପଡ଼ିଲି । କିନ୍ତୁ, କରୁଣାକରଙ୍କ ବାଟ ଓଗାଳି ଠିଆ ହୋଇ ପଡ଼ିଲି । କହିଲି, ‘ନା, ଏତେ ଶୀଘ୍ର ନୁହଁ । ଆଗ ଘଟଣାଟା କ’ଣ–କହିଦେଇଯାଅ ବାବାଜୀ !

 

ହୋ ହୋ ହେଇ ହସିଉଠିଲେ କରୁଣାକର । ମୋ ହାବୁଡ଼ରୁ ବାହାରିଯିବା ପାଇଁ ବାଟ ଖୋଜୁ ଖୋଜୁ କହିଲେ, ‘ବାବାଜୀ ନୁହେଁ–କହ କୁକୁର !

 

ତାଙ୍କର ସେ ବ୍ୟଙ୍ଗୋକ୍ତି ବୁଝିବା ସମ୍ଭବ ନ ଥିଲା ସେତେବେଳେ ମୋ ପକ୍ଷରେ । ବୋଧହୁଏ ତାଙ୍କର ‘ହା–ଧର୍ମ ହା–ଧର୍ମ’ ଡାକକୁ ଆମ ଘରର ପୋଷା କୁକୁର ଓ ମୋ ସ୍ତ୍ରୀ ଉଭୟ ସବୁବେଳେ ବ୍ୟଙ୍ଗ କରୁଥିବାରୁ ବିରକ୍ତ ହୋଇଯାଇଥିଲେ ସେ–ଏଇଆ ମନେହେଲା ମୋର । ତେଣୁ ଆମ ଘରର ଦୋଷଲାଗି କ୍ଷମା ମାଗିବାକୁ ତାଙ୍କ ହାତ ଧରିପକେଇ ମୁଁ ଅଳ୍ପ ଜୋର କଲି ତାଙ୍କ ଉପରେ ଓ ଏକ ଆରମ ଚଉକିରେ ବସେଇ ଦେଇ ବିନୟର ସହିତ କହିଲି–‘ନାରୀ ଓ ପୋଷା କୁକୁରଙ୍କ ଦୋଷ ଧରନ୍ତୁ ନାହିଁ କରୁଣାକର ବାବୁ ! ଆପଣ ତ ସନ୍ନ୍ୟାସଧର୍ମ ଗ୍ରହଣ କରିନେଲେଣି–’

 

‘ମୁଁ କିଛି ଗ୍ରହଣ କରି ନାହିଁ–’, ଚିତ୍କାର କଲେ ସେ । ସେଇ ଚିତ୍କାରର ପୁଚ୍ଛାଂଶରେ ହଠାତ୍ ମନ୍ତବ୍ୟଟିଏ ଦେଲେ ସେ, ‘ସବୁ ତ୍ୟାଗ କରିଥିବା ଲୋକ ସନ୍ନ୍ୟାସୀ ନୁହେଁ–ସମୀର ବାବୁ ! ସେ ଆନନ୍ଦମାର୍ଗୀ... ବିପ୍ଳବୀ... ପରଶୁରାମ ସେ ।’

 

ତାଙ୍କର ସେ ସ୍ଵୀକାରୋକ୍ତିରେ ଚମକି ପଡ଼ିଲି ମୁଁ । ଆମ କୁକୁରଟା ଆହୁରି ଜୋର ଭୁକିଉଠିଲା । ରୋଷେଇଘରୁ ହ୍ୟାସୁ ହ୍ୟାସୁ ଶବ୍ଦ ପ୍ରେସରକୁକ୍‌ର୍‌ର ସୁ-ସୁ ଶବ୍ଦ ପରି ଶୁଣାଗଲା ।

 

‘ଆପଣ ତେବେ ଶେଷରେ ଆନନ୍ଦମାର୍ଗରେ ଯୋଗଦେଲେ କରୁଣାକର ବାବୁ ! ଓକିଲାତି, ମନ୍ତ୍ରୀ... ସବୁ ଛାଡ଼ି ଶେଷରେ... ?

 

‘ୟେସ୍ ! ...ମୋର ପ୍ରତିଜ୍ଞା ପରଶୁରାମ ପରି ଏକୋଇଶବାର ନିକ୍ଷାତ୍ର କରିବି ଏ ମହୀ’, ହସି ଦେଲେ ସେ ଆଉ ସ୍ଵରର ଗାମ୍ଭୀର୍ଯ୍ୟ ଅପରିବର୍ତ୍ତିତ ରଖି କହିଲେ, ‘ଅନ୍ତତଃ ଏ ରାଜ୍ୟକୁ ନିକ୍ଷାତ୍ର-ନିଃ ବ୍ୟୁରୋକ୍ରାଟ, ନିଃ ଆଇ.ଏ.ଏସ. କରିବି ମୁଁ ଏକୋଇଶ ଥର ! ଏକୋଇଶ ଥର !’

 

‘କିନ୍ତୁ କାହିଁକି ? ଆଇ.ଏ.ଏସ. ଙ୍କ ଉପରେ ଆପଣଙ୍କର ଏ ବ୍ରହ୍ମତାପ କାହିଁକି ? କାରଣ କ’ଣ କରୁଣାକର ବାବୁ ?’

 

‘କାରଣ ? କାରଣ କ’ଣ ଜାଣିବାକୁ ଚାହୁଁଚ ସମୀର !’ ସନ୍ନ୍ୟାସୀ କରୁଣାକର ଥପ୍ କରି ବସିପଡ଼ିଲେ ଆମ ବୈଠକଖାନା ଚଉକି ଉପରେ । ତାଙ୍କର ଆଖି ଯୋଡ଼ାକ ଜଳୁଥାଏ ଦପ୍ ଦପ୍ । ବ୍ରହ୍ମତାପ ବା ସେଇଭଳି କିଛି ଭୟଙ୍କର ତାପ ନିର୍ଗତ ହେଉଥାଏ ସେଥିରୁ । ସେ ଆଖିକୁ ସେତେବେଳେ ଅନେଇବାର ସାହସ ନ ଥାଏ ମୋର । ସେକ୍ରେଟେରିଏଟ୍‌ର ଜଣେ ସାମାନ୍ୟ ଆସିଷ୍ଟାଣ୍ଟ ଘଟଣାଚକ୍ରରେ ସନ୍ନ୍ୟାସୀ ପାଲଟିଗଲେ ତାର ଏତେ ଶକ୍ତି ଆସିଯାଏ, ଏତେ ପ୍ରଚଣ୍ଡ ରୁଦ୍ରତାପ ବାହାରେ ତାର ମଲା ଶୁଖିଲା ଆଖି ଦୁଇଟାରୁ କଳ୍ପନା କରିପାରି ନ ଥିଲି ମୁଁ । ଲୋକଟା ନିଶ୍ଚେ ଅପମାନିତ ହୋଇଥିବ ଭୟଙ୍କର–ତା ଆତ୍ମାକୁ କେହି ବଡ଼ ଅଫିସର ଗୋଇଠାଟିଏ ପକେଇଚି ହୁଏତ–ଆଶଙ୍କା କରୁଥାଏ ମୁଁ ଏହିପରି ।

 

‘କାରଣ ପଚାରୁଚ ତ ଶୁଣ !’, ଚଉକି ଉପରେ ମୂହୁର୍ତ୍ତ କେଇଟି ପଡ଼ିଯିବା ପରେ କରୁଣାକରଙ୍କ ଆଖି ଦୁଇଟିର ଜ୍ୟୋତି ସାମାନ୍ୟ ଶୀତଳ ହୋଇ ଆସିଥାଏ ସେତେବେଳକୁ । ସେ ଶୀତଳତାକୁ ସାହାଯ୍ୟ କରିବାକୁ ଦୁଇବୁନ୍ଦା ଲୁହ ମଧ୍ୟ ଚକ୍ ଚକ୍ କଲାଣି ଇତିମଧ୍ୟରେ ତାଙ୍କର ମଧ୍ୟମ ସାଇଜର ଦୁଇଟିର କଣରେ ।

 

‘ଶୁଣ ! ମତେ ସରକାରୀ ଚାକିରି ଛାଡ଼ିବା ପାଇଁ ଶେଷରେ ଏକ ହୀନ, ଜଘନ୍ୟ ଅଭିନୟ କରିବାକୁ ପଡ଼ିଲା ସମୀର୍ !’ କହୁ କହୁ ଆଖି କଣରେ ଉଙ୍କି ମାରି ଆସୁଥିବା ଲୁହ ବୁନ୍ଦା ଦୁଇଟା ଯୋଡ଼ାଏ ଲମ୍ବା ମୋଟା ଧାର ପାଲଟିଗଲା । କରୁଣାକରଙ୍କ ମୁହଁର ଉଚ୍ଚା ଉଚ୍ଚା ହନୁହାଡ଼ ଅକ୍ଳେଶରେ ଆରୋହଣ କରି ସରୁଆ ଗାଲ ଯୋଡ଼ିକର ଉପତ୍ୟକାକୁ ଅବତରଣ କରି ଆସିଲା ସେ ଧାର ଯୋଡ଼ିକ । ମୁଁ ସେଇ ଲୁହଧାର ହଳକର ଗତିକୁ ଅନୁସରଣ କରୁଥାଏ । କରୁଣାକର କହୁଥାନ୍ତି–

 

‘ମତେ ଶେଷକୁ ଗୋଟିଏ କୁକୁରର ଅଭିନୟ କରିବାକୁ ପଡ଼ିଲା ସମୀର ବାବୁ ।’

 

‘ଚଟାକ୍ କରି ଲୁହାକୁ ଛାଡ଼ି ତାଙ୍କ ଆଖିକୁ ଲୁହର ଉତ୍ସକୁ ଉଠିଗଲା ମୋ ଦୃଷ୍ଟି ସେଇ ଶବ୍ଦ କୁକୁର ଶବ୍ଦଟି କାନରେ ପଡ଼ିବା ମାତ୍ରେ ।

 

‘କେମିତି ? କାହିଁକି ? ଚାକିରି ଛାଡ଼ିବା ପାଇଁ କୁକୁର ଅଭିନୟ ! କି କଥା କହୁଛନ୍ତି ଆପଣ–କରୁଣାକର ବାବୁ !’, ବ୍ୟଥିତ ସ୍ୱରରେ ସହାନୁଭୂତି ନୁହେଁ; ବିସ୍ମୟ ଓ ବିରକ୍ତି ପ୍ରକାଶ ପାଇଗଲା ଅନେକ ମୋ କଣ୍ଠରୁ । କରୁଣାକର ପ୍ରକୃତରେ ସହାନୁଭୂତି ଆଶା କରୁ ନ ଥିଲେ ମୋଠାରୁ । ତେଣୁ ମୋ କଥା କେଇପଦ ଶୁଣିବା ମାତ୍ରେ ତାଙ୍କର ସେ ତିକ୍ତ ସ୍ମୃତି ଆହୁରି ତିକ୍ତ ବିଷାକ୍ତ ହୋଇ ଏକ ସଂପୂର୍ଣ୍ଣ ବାସ୍ତବ ଅଭିନୟରେ ପରିଣତ ହୋଇଗଲା ।

 

ହଠାତ୍ ଚଉକି ଉପରୁ ଏଭଳି ଢଙ୍ଗରେ ଏଭଳି ଆକସ୍ମିକ ଭାବରେ ଦୁଇହାତ ଓ ଦୁଇ ଗୋଡ଼ରେ ତଳକୁ ଡେଇଁପଡ଼ି ଏକ ଶ୍ଵାନମୂର୍ତ୍ତି–ଅବିକଳ ଶ୍ଵାନଟିଏର ଆକୃତି ଓ ପ୍ରକୃତି ଧରି ନେଇ ପାରିବେ କରୁଣାକର–ମୋ ଆଖି ଆଗରେ ବସିଥିବା ସେ ସନ୍ନ୍ୟାସୀ କରୁଣାକର, କିଭଳି ବିଶ୍ୱାସ ବା କରିଥାନ୍ତି ମୁଁ ! କିନ୍ତୁ ମୁହୂର୍ତ୍ତକ ଭିତରେ କରୁଣାକର ଆଉ ନ ଥିଲେ ମୋ ଆଖି ସାମ୍ନାରେ–ସେ ଉଭେଇ ଯାଇଥିଲେ । ତାଙ୍କର ସ୍ଥାନ ଅଧିକାର କରି ନେଇଥିଲା ସେତେବେଳେ ସେ ଶ୍ଵାନ ରୂପଟି ତାଙ୍କର ।

 

କୁଁ କୁଁ...କୁଁ କୁଁ...ସଦ୍ୟ ଛୁଆ ଜନ୍ମ କରିଥିବା ମାଈ କୁକୁରଟିଏ ଯେମିତି କୁଁ କୁଁ ଶବ୍ଦ କରୁଥାଏ ଓ ନବଜାତ ଶିଶୁମାନଙ୍କୁ ଗେହ୍ଲାକରି ଚାଟି ପକାଉଥାଏ, ଅବିକଳ ସେହିଭଳି ଶବ୍ଦ ସାଥିରେ କରୁଣାକର ହଠାତ୍ ମୋ ଗୋଡ଼ ଯୋଡ଼ାକୁ ମାଡ଼ି ବସିଲେ ଓ ଗେହ୍ଲାରେ ଚାଟି ପକାଇବାକୁ ଲାଗିଲେ ।

 

‘କରୁଣାକର ! ସନ୍ନ୍ୟାସୀ କରୁଣାକର ! ଏ କ’ଣ କରୁଛ ?’ ଶରୀରରେ କିଂଭୂତ ଅନୁଭୂତିର ପ୍ରବଳ ପରାକ୍ରମବଶତଃ ମୁଁ ଡେଇଁ ପଡ଼ିଲି ଚଉକି ଉପରୁ ଓ ଦୂରଛଡ଼ା ହେଇ ଠିଆ ହେବାକୁ ଚେଷ୍ଟା କଲି । କିନ୍ତୁ କରୁଣାକର ଗୋଡ଼େଇବାକୁ ଲାଗିଲେ ମତେ । ଘରଯାକ ଗୁରୁଣ୍ଡୁଥାନ୍ତି ସେ ଆଉ କୁଁ କୁଁ ଶବ୍ଦ କରୁଥାନ୍ତି ।

 

ଏହିପରି ବହୁ ସମୟ ତାଙ୍କର ଅଭିନୟରେ ମତେ ଆକ୍ରାନ୍ତ କରିସାରିବା ପରେ କରୁଣାକର ସ୍ଥିର ହୋଇ ରହିଗଲେ ଠାଏ । ତଥାପି ଦୁଇଆଣ୍ଠୁ ଓ କହୁଣି ଦୁଇଟା ତାଙ୍କର ଲାଗିଥାଏ ଭୂଇଁ ଉପରେ । ସମ୍ଭବତଃ ଥକି ପଡ଼ିଥାନ୍ତି ଟିକିଏ ସେ ସେତେବେଳକୁ । ଟିକିଏ ପରେ, ଦମ୍ ଫେରିଲେ, ସେ ଯେ ପୁଣି ଅରମ୍ଭ ନ କରି ଦେବେ ତାଙ୍କ ସୁଆଙ୍ଗ ମୋ ସାଥିରେ କେମିତି ଜାଣିଥାନ୍ତି ମୁଁ ! କାରଣ ତାଙ୍କ ଆଖି ଦୁଇଟା ତଥାପି ରହିଥାଏ ମୋ ପାଦ ଯୋଡ଼ାକ ଉପରେ–ମୋ–କୁକୁର ତାର ସଦ୍ୟଜାତ ଛୁଆ ଯୋଡ଼ିଙ୍କୁ ଗେହ୍ଲା କରିବାକୁ ଛକି ବସିଲା ଭଳି ।

 

‘ହେ ଭଗବାନ ! ହେ ଭାରତମାତା ! ହେ ଆର୍ଯ୍ୟଋଷିଗଣ ! ହେ ବିବେକାନନ୍ଦ, ଗାନ୍ଧୀ, ରବୀନ୍ଦ୍ର, ଅରବିନ୍ଦ, ସୁଭାଷ...’, ଆତ୍ମରକ୍ଷାପାଇଁ ଅନନ୍ୟୋପାୟ ହୋଇ ଏହି ନାମଗୁଡ଼ିକୁ ମନେ ମନେ ସଂକୀର୍ତ୍ତନ କରୁ କରୁ ମୋ ପାଦ ଯୋଡ଼ିକୁ ଲୁଚାଇବା ପାଇଁ ସଚେଷ୍ଟ ହେଉଥାଏ ମୁଁ । ଶେଷରେ ଆଣ୍ଠୁମାଡ଼ି ବସିପଡ଼ିଲି ମୁଁ ନିଜେ । ମୋ ଆଖିର ଦୃଷ୍ଟିରେଖା ଅବଶେଷରେ ସନ୍ନ୍ୟାସୀ କରୁଣାକରଙ୍କ ଦୃଷ୍ଟିରେଖା ସମକକ୍ଷ ହୋଇ ଆସିଲାଣି ସେତେବେଳକୁ ।

 

‘ବୁଝିଲ ? ଏଥର ବୁଝିଲ କେମିତି ମୁଁ ଅବ୍ୟାହିତ ପାଇଲି ସେ ମାରାତ୍ମକ ବନ୍ଧନରୁ ?’ କରୁଣାକର ସେଇ ଛକିଲା ଶ୍ଵାନ ଅବସ୍ଥାରେ ରହି ପୁଚ୍ଛା କଲେ ଅବଶେଷରେ ତାଙ୍କ କଣ୍ଠରୁ ମଣିଷର ସ୍ୱର ଓ ଭାଷା ଶୁଣି ମୋର ଭୟ, ନୈରାଶ୍ୟ କଟି ଆସୁଥାଏ ଟିକେ ଟିକେ ।

 

ଆମ ବିଭାଗ ସେକ୍ରେଟେରୀଙ୍କୁ ସେମାନେ ଯାଇ କହିଲେ, ‘ସାର୍ କରୁଣା ବାହାରିଚି ମନ୍ତ୍ରୀ ହବାକୁ ! ଆଗ ଓକିଲ ହବ, ସେଇଠୁ ମନ୍ତ୍ରୀ ! ବୁଝିଲେ ? ଆମେ ଏଇଠି ପଡ଼ିଥିବୁ ସେ ମନ୍ତ୍ରୀ ହବ ସାର୍ ? ପୁଣି ଆପଣମାନଙ୍କ ଉପରେ ଯାଇ ବସିବ ସେ ମୋଟାବୁଦ୍ଧିଆ କରୁଣାଟା ସାର୍ ? ଆପଣ ତାକୁ ରିଲିଭ୍ କରିଦେବେ ! ଏତେ ସହଜରେ ରିଲିଭ କରିଦେବେ ?’ କରୁଣାକର ସେତେବେଳକୁ ଉଠି ବସିଲେଣି ଚଟାଣ ଛାଡ଼ି ଚଉକି ଉପରେ । ଅନେକ ଆଶ୍ୱସ୍ତ ଓ ଅଣନାଟକୀୟ ହୋଇ ଆରମ୍ଭ କଲେଣି ସେ କଥାବାର୍ତ୍ତା । ତାଙ୍କର ଏ ଭାବାନ୍ତର ମତେ ରିଲିଭ୍ କଲା ଅବଶ୍ୟ ଅନେକ ଦୁଶ୍ଚିନ୍ତାରୁ । ମୁଁ ମଧ୍ୟ ଆଣ୍ଠେଇବା ଛାଡ଼ି ଯାଇ ବସିଲି ଚଉକି ଉପରେ । କିନ୍ତୁ ମୋ ଛାତି ଭିତରଟା ଭୟଙ୍କର ଓଜନିଆ ହେଇ ଆସୁଥାଏ ସେତେବେଳକୁ ।

 

‘ସମୀର୍ ବାବୁ, ଆପଣ ବୁଝି ପାରିବେ ନାହିଁ ଚାକିରି ବନ୍ଧନର ଯନ୍ତ୍ରଣା–ପ୍ରାଣାନ୍ତକ ଯନ୍ତ୍ରଣା–ଅନ୍ତତଃ ଥରେ ହେଲେ ମୁକ୍ତିର ଚିନ୍ତା ଉଦୟ ନ ହେଲେ ଆପଣଙ୍କ ହୃଦୟରେ !’, ଗୈରିକ ବସନଧାରୀ ସନ୍ନ୍ୟାସୀ କରୁଣାକର ଅବଶେଷରେ ଉପସ୍ଥାପନ କଲେ ତାଙ୍କର ମୁକ୍ତିଦିବସର ସେଇ ଯନ୍ତ୍ରଣାର କାହାଣୀଟିକୁ । ଗଭୀର ଶ୍ୱାସ ଓ ଏକ ପ୍ରକାର ହୁ ହୁ ପ୍ରଜ୍ଜ୍ଵଳିତଭାବ ଘେନି ସେ କହିଲେ ।

 

ସେଦିନ ଅଫିସର ଅଫିସକୁ ଆସିବା ପୂର୍ବରୁ ମୁଁ ଯାଇ ବସିଲି ତାଙ୍କ ସେକ୍ରେଟେରିଏଟ୍ ଟେବ୍ଲର ଏକ ଅନ୍ଧାରିଆ କଣରେ । ସ୍ୱିପର ଝାଡ଼ୁ ମାରିଦେଇ ଚାଲିଗଲା । ଦେଖିନାଇଁ ମତେ । ଏହାପରେ କାନ୍ଥ ଘଣ୍ଟାରୁ ଶୁଭିଲା ଠନ୍ ଠନ୍‌ ହୋଇ ଦଶଟା । ମୁଁ ବସିଥାଏ । ମୋର ଲକ୍ଷ୍ୟ ଅନ୍ୟ କିଛି ନୁହେଁ । ଆଜି ଯେ କୌଣସି ପ୍ରକାରେ ରିଲିଭ ହେବି ମୁଁ ଚାକିରିରୁ । ଏହାପରେ ଲାଇସେନ୍‌ସ ନେବି ଓକିଲାତି ପାଇଁ । ସେଇଠୁ ପାଞ୍ଚବର୍ଷ ପରେ...କିନ୍ତୁ ଏସବୁ ପାଇଁ ମତେ ଏକ କୌଶଳ ଅବଲମ୍ବନ କରିବାକୁ ପଡ଼ିବ ଆଜି, ସେଥିପାଇଁ ପ୍ରସ୍ତୁତ ହେଉଥାଏ ମୁଁ ।

“ଅଫିସ୍‌ ଘଣ୍ଟାରେ ଏଗାରଟା ବାଜିଲା । ମୁଁ ପ୍ରସ୍ତୁତ । ପ୍ରାୟ ଏଇ ସମୟରେ ପଶନ୍ତି ‘ସେ’ ଅଫିସରେ । ଜଣେ ଭାରି ବଦରାଗୀ ଲୋକ ସେ–ଜାଣେ ମୁଁ ତାଙ୍କୁ । ତାଙ୍କ ବଶ କରିବାକୁ ମୋର ମାସାଧିକ କାଳ ଚାଲିଗଲାଣି ସେତେବେଳକୁ । ଲୋକଟାକୁ ବହୁ ଏମ୍.ଏଲ୍‌.ଏ. ମନ୍ତ୍ରୀ ଜରିଆରେ ମଧ୍ୟ ଖବର ଦିଆଯାଇଥାଏ । କିନ୍ତୁ ନା, ଏକା ଜିଦ । ରିଲିଭ୍ କରିବ ନାହିଁ–କରିବ ନାହିଁ-। ଆଇନର ହଜାରେ ଦଫା ଦେଖେଇ ଖାଲି ମୋ ଗର୍ବ ଚୁନା କରିବା ଲକ୍ଷ୍ୟରେ ଅଟକାଇଥାଏ ମତେ । କହୁଥାଏ–ଦେଖିବା ! କେମିତି ଖସିଯିବ ! କେମିତି ରିଲିଭ୍ ହବ ! ତା ନାଁରେ ପଚାଶ ମକଦ୍ଦମା ଯୋଡ଼ । ଡାଉନ୍‌ କରିଦିଅ ତା ମରାଲ୍‌ ! ସେ ଜାଣୁ ଏଠୁ ଖସିବାକୁ ଚେଷ୍ଟା କରିବା ଅର୍ଥ ମନ୍ତ୍ରୀ ନୁହେଁ ଜେଲ୍‌ ହବ ତାକୁ ଜେଲ୍‌ ! –ଏଇ ଆମର ବ୍ୟୁରୋକ୍ରାଟ୍ ଓ ବ୍ୟୁରୋକ୍ରାଟିକ୍ ଆଇନ୍‌ ସମୀର ବାବୁ !”

‘ସେଇଠୁ ?’ ଘଟଣାଟାର ଅନ୍ତ ଜାଣିବାକୁ ଅତ୍ୟଧିକ ବ୍ୟଗ୍ରତାଵଶତଃ ମୋ ପାଟିରୁ ବାହାରିଗଲା, ‘ଆପଣ ଏଇ କାରଣରୁ କୁକୁର ପାଲଟିଗଲେ କରୁଣାକର ବାବୁ ! କାହିଁକି ? ହ୍ଵାଇ ଡିଡ଼ ୟୁ ନଟ୍ ସୁଟ ହିମ୍ ଡାଉନ୍‌ ?’

‘ସୁଟ୍ ହିମ୍ ଡାଉନ୍‌ ?’ ଜିଭ କାମୁଡ଼ି ପକେଇଲେ କରୁଣାକର । ଜୋରରେ ହସିଲେ । କହିଲେ, ‘ଟ୍ରାଇ ଇଟ୍ ! ଚେଷ୍ଟା କର ! ଦେଖିବ ଶେଷରେ ତମେ ବି ନିଜର ମୁକ୍ତି ପାଇଁ ମୋରି ପରି ଅଭିନୟ କରିବ ସମୀର ବାବୁ ! ସେଦିନ କ’ଣ କଲି ମୁଁ ଜାଣନ୍ତି ? ହାକିମ ଅଫିସ୍‌ରେ ପଶିବା ମାତ୍ରେ ମୁଁ ଗୋଟିଏ ମାଈକୁକୁର ପାଲଟି ଗଲି । ପୁଣି ହାକିମ ଚଉକିରେ ବସିବା ମାତ୍ରେ ମୁଁ ଗୋଟିଏ ମାଈ କୁକୁର ପାଲଟି ଗଲି । ଲୋକଟାର ଚକ୍ ଚକ୍ କଲା ଯୋତାଦୁଇଟା ଅବିକଳ ଦିଶିଗଲେ ମତେ ଯୋଡ଼ିଏ ଛୁଆ–କୁକୁର ଛୁଆ–ମୋର ଛୁଆପରି ସମୀର୍ ବାବୁ । ମୁଁ ତାଙ୍କୁ ଗେହ୍ଲା କରି ଲାଗିଲି । କୁଁ କୁଁ ଶବ୍ଦ କଲି । ହାକିମ ଚମକି ପଡ଼ିଲା । ଗୋଡ଼ ଛଡ଼େଇ ଦେଲା । ଘରଯାକ ଦଉଡ଼ିଲା । ମୁଁ ଏମିତି ଗୋଡ଼େଇଲି ତାକୁ, ତା ଯୋତା ଯୋଡ଼ାକୁ, ଯେମିତି ଗୋଡ଼େଇଥିଲି ଟିକେ ଆଗରୁ ତମକୁ ବୁଝିଲ ?’

କରୁଣାକରଙ୍କ ଆଖିରେ ଲୁହ ଫୁଅ ଆଉ ନ ଥାଏ । ରାଗ ବା ବ୍ରହ୍ମତାପ ମଧ୍ୟ ନ ଥାଏ । ସେ ଦିଶୁଥାନ୍ତି ଶାନ୍ତ । ଅବିକଳ ସନ୍ନ୍ୟାସୀ ପରି ଶାନ୍ତ ମୁକ୍ତ ଓ ପ୍ରବୃଦ୍ଧ ।

‘ତେବେ ଏଇ ହିଁ ମୁକ୍ତିର ଜନ୍ମ ଯନ୍ତ୍ରଣା ସନ୍ନ୍ୟାସୀ ? ମୁକ୍ତିପାଇଁ ସମସ୍ତଙ୍କୁ କୁକୁର ହେବାକୁ ପଡ଼ିବ ଶେଷରେ ?’

ବିନୀତ ଶିଷ୍ୟଟିଏ ପରି ପ୍ରଶ୍ନ କଲି ମୁଁ ।

କରୁଣାକର ଉତ୍ତର ଦେଲେ ନାହିଁ । ଉଠିଲେ । ଅଳ୍ପ ସମୟ ଉତ୍ତାରେ ଏକ ଅନ୍ଧକାରାଚ୍ଛନ୍ନ ରାତି ଭିତରେ ମିଶିଗଲେ । ତାଙ୍କର ସଂକଳ୍ପବଦ୍ଧ ଚାଲିରୁ ମୁଁ ବୁଝିଥିଲି ସେ ସତରେ ଆଉ ଫେରିବେ ନାହିଁ ଯେଉଁ ମାର୍ଗ ଧରିଛନ୍ତି ସେଥିରୁ ।

ଏହାର ମାତ୍ର ଅଳ୍ପ କେତେବର୍ଷ ପରେ ଭିନ୍ନ କାରଣରୁ ସରକାରୀ ଚାକିରି ଛାଡ଼ିବାକୁ ପଡ଼ିଲା ମତେ । ଏଥିପାଇଁ ମତେ କୁକୁର ଅଭିନୟ କରିବାକୁ ପଡ଼ି ନାହିଁ ଅବଶ୍ୟ ।

 

ମୋର ପରମ ଉପକାରୀ ବନ୍ଧୁ ସନ୍ନ୍ୟାସୀ କରୁଣାକର ଏଥିପାଇଁ ମତେ ସାହାଯ୍ୟ କରିଥିଲେ ନିଶ୍ଚୟ । ଆମ ହାକିମଙ୍କ ପାଖକୁ ଗୋଟିଏ ଟେଲିଫୋନ୍‌ କଲ୍‌ କରିଥିଲେ ସେ କେଉଁ ଅଜଣା ଫୋନରୁ । ବାସ୍ । ସେତିକି ଯଥେଷ୍ଟ ।

 

ଧରିତ୍ରୀ, ନଭେମ୍ବର ୧୯୭୯

Image

 

ମାଧବ ଡାକ୍ତର

 

ମାଧବ ଡାକ୍ତର ଜଣେ ଅଦ୍ଭୁତ ଡାକ୍ତର । ଯଦି କେହି ରାତି ଅଧରେ ବି ଧାଇଁ ଧାଇଁ ଆସି ପହଞ୍ଚିଯାଏ ତାଙ୍କ ଘରେ, ଆଉ ରଡ଼ିକରି କାନ ଫଟାଇଲା ପରି କହେ, “ଡାକ୍ତର ବାବୁ ! ଡାକ୍ତର ବାବୁ ! ମରିଗଲା...ମରିଗଲା...”, ତେବେ ଏହା ସୁନିଶ୍ଚିତ ମାଧବ ଡାକ୍ତର ତାଙ୍କ କବାଟ ଖୋଲୁ ନ ଖୋଲୁଣୁ ବୈଠକଖାନା ଘରେ ଶୋଇଥିବା କମ୍ପାଉଣ୍ଡର ରଘୁନାଥକୁ ଆଗ ଆଦେଶ ଦେବେ, “ରଘୁନାଥ ! ଉଠ ବାପ ! କଲ୍‌ ଆସିଗଲା କଲ୍ ! ଚା’ କେଟଲ୍‌ରେ ପାଣି ବସା ତ ଚୁଲିରେ ବାପ !”

 

ମାଧବ ଡାକ୍ତର କଲ୍ ଆଟେଣ୍ଡ୍ କରିବାକୁ ବାହାରିବା ପୂର୍ବରୁ ଚା କପେ ଖାଇବାକୁ ଇଚ୍ଛା କରନ୍ତି ବୋଲି ନୁହେଁ, ପ୍ରଥମେ କଲ୍ ଘେନି ଆସିଥିବା ଲୋକକୁ ସୁସ୍ଥସାଷ୍ଟାମ କରିବା ଲକ୍ଷ୍ୟରେ ଚା’ ଜଳଖିଆ ଖୁଆଇ ପରେ ତା ସାଥିରେ ଅଧଘଣ୍ଟାଏ ଖୁସିଗପକରି ତା’ପରେ ରୋଗୀର ହାଲ୍‌ ଜିଜ୍ଞାସା କରିସାରି ସଭାଶେଷରେ ଯାଇ ବାହାରନ୍ତି ଘରୁ, ଟୁର୍‌ରେ । ଡାକ୍ତରମାନଙ୍କର ଏ ପ୍ରକାର ଉଦ୍‌ବେଗ-ରହିତ ବ୍ୟବହାର ସହିତ ରୋଗୀର ଆତ୍ମୀୟବର୍ଗ ସଚରାଚର ଅସହଯୋଗୀ ଓ ସ୍ଥଳ ବିଶେଷରେ ଡାକ୍ତରମାନଙ୍କର ଏ ଅସଂପୃକ୍ତ ମନୋଭାବକୁ ଅନେକେ, ‘ଶଳା ଡାକ୍ତରଟା, ଡାକ୍ତର ନୁହଁ ହୋ-ଗୋଟାଏ ଯମ, ଯମ’, ବୋଲି କହିବା ସତ୍ତ୍ଵେ ସର୍ବତ୍ର ଡାକ୍ତରଘରକୁ କଲ୍‌ ଘେନି ଆସୁଥିବା ଲୋକେ ଅତି ଅସହାୟତାବଶତଃ ଡାକ୍ତରଙ୍କ ସାମନାରେ ଅତି ବିନୟ ଭଦ୍ର ଅବଲୟମାନ କରିବା ଦେଖାଯାଇଥାଏ । ମାଧବ ଡାକ୍ତରର ପେସାଣ୍ଟ୍ ବା ସେମାନଙ୍କ ସମ୍ବନ୍ଧରେ ଆତୁର ସମ୍ବାଦ ବହନ କରି ଆସିଥିବା ଲୋକେ ଏ ପ୍ରକାର ଅବଲୟରୁ କ୍ଷାନ୍ତ ନ ହେବା ସ୍ୱାଭାବିକ । କିନ୍ତୁ, ମାଧବ ଡାକ୍ତର ଜଣେ ଅଦ୍ଭୁତ, ଅସମ୍ଭବ ଡାକ୍ତର । ରୋଗୀ ବା ରୋଗର ସମ୍ବାଦ ଘେନି ଆସୁଥିବା ଯେ କେହି ବ୍ୟକ୍ତି ସେ ହୁଅନ୍ତୁ ନା କାହିଁକି ମାଧବ ଡାକ୍ତର ପହିଲେ ସେ ଜାତିର ଲୋକକୁ ହାବୁଡ଼ରେ ପାଇବାକ୍ଷଣି ତା ସହିତ ଏକ ଅପୂର୍ବ ସମ୍ବନ୍ଧ ସ୍ଥାପନ କରିବାକୁ ବ୍ୟଗ୍ର ହୋଇପଡ଼ନ୍ତି । ଏହି ସମ୍ବନ୍ଧ ସ୍ଥାପନର ପ୍ରଥମ ଲକ୍ଷଣ ହେଲା ସେଇ ଡାକ–“ରଘୁନାଥ ! ...ଚା କେଟିଲ୍‌ରେ ପାଣି ବସା ତ ଚୁଲିରେ ବାପ !”

 

ରଘୁନାଥ, ମାଧବ ଡାକ୍ତରର ବହୁବର୍ଷର ପୁରୁଣା କମ୍ପାଉଣ୍ଡର । ଡାକ୍ତରଖାନାରେ ଆଲ୍‌କାଲାଇନ୍‌ ମିକ୍‌ସଚର୍ ତିଆରିଠୁଁ ଚା’ ଜଳଖିଆ ମାଉଁସ ସୋରୁଆ ପ୍ରଭୃତି ତିଆରି କାମରେ ସେ ଜଣେ ଦକ୍ଷ ଲୋକ । ତେବେ ରଘୁନାଥର ମୂଳକାମ ଆଉ ଔଷଧପତ୍ର ଇଞ୍ଜେକ୍‌ସନ୍‌ ପ୍ରଭୃତିକୁ ଘେନି ଯେତେ ନୁହେଁ କଲ୍ ଦାତା ମାନଙ୍କ ଲାଗି ଚା’ ଜଳଖିଆର ଆୟୋଜନରେ ସେତେ ବୋଲି ସେ ନିଜେ ଗର୍ବର ସହିତ ସ୍ୱୀକାର କରିବାର ଶୁଣାଗଲାଣି–ଗଲା କେତେ ବର୍ଷ ହେବ । ଏହା ସହିତ ସେ ମଧ୍ୟ ତା’ ଗୁରୁ ମାଧବ ଡାକ୍ତରର ପ୍ରଶଂସା ଲକ୍ଷ୍ୟରେ କେତେବାର କହିବାର ଶୁଣାଗଲାଣି ଇତିମଧ୍ୟରେ ।

 

“ଡାକ୍ତର ତ ଆଉ ଡାକ୍ତରୀ କରୁନାହାନ୍ତି ! ସେ ପରା ତିଆର ହଉଚନ୍ତି ଆଗାମୀ ନିର୍ବାଚନ ପାଇଁ–ଜାଣିନ କିଓ !”

 

କିନ୍ତୁ, ଏ ସବୁ ସତ୍ଵେ, ମାଧବ ଡାକ୍ତର ଯେ ଜଣେ ସିଦ୍ଧହସ୍ତା ଡାକ୍ତର ଆଉ ଭାରି ସ୍ନେହୀଲୋକ ଏବଂ ଏହି କାରଣରୁ ତାଙ୍କ ରୋଗୀ ଦେଖିବା ପ୍ରଣାଳୀ ଅନ୍ୟ ଡାକ୍ତରଙ୍କଠୁଁ ଭିନ୍ନ ଏ ବିଷୟରେ କାହାରି ସନ୍ଦେହ ନ ଥାଏ । ସମ୍ଭବତଃ ଏହି କାରଣରୁ ବଡ଼ ବଡ଼ ଡାକ୍ତରଙ୍କ ଅପେକ୍ଷା ସାଧାରଣ ଲୋକେ କଣ୍ଠାଗ୍ରତ କାଳରେ ରୋଗୀ ଦେଖିବାପାଇଁ ଅନ୍ୟ କାହାରି ନାଁ ସ୍ମରଣ ନ କରି ସ୍ମରଣ କରିଥାନ୍ତି ସେଇ ଲୋକଟିର ନାଁ–ମାଧବ ଡାକ୍ତର । ସେଇ ଲୋକଟି ପାଖରେ, ତେଣୁ, ଭିଡ଼ ଲଗାନ୍ତି ସେମାନେ ବିଶେଷତଃ ଅତି ଅବେଳରେ ଯଥା–ରାତି ଅଧରେ, ଝଡ଼ିବର୍ଷା ଦିନ ଗୁଡ଼ିକରେ, ହଇଜା ବସନ୍ତ ପ୍ରଭୃତି ଠାକୁରାଣିଆ ୠତୁରେ କିମ୍ବା ଅତ୍ୟନ୍ତ ନୈରାଶ୍ୟକର ଦୈବୀ ଦୁର୍ଘଟଣାରେ ।

 

ମାଧବଡାକ୍ତରଙ୍କ ସହିତ ଆମ ପରିବାରର ଘନିଷ୍ଠତା ବହୁ ବର୍ଷର । ଆମ ବାପା କହନ୍ତି ତାଙ୍କ ବାପାଙ୍କ ଅନ୍ତିମକାଳ ପହଞ୍ଚିବାବେଳେ ଏଇ ମାଧବ ଡାକ୍ତର ହୋଇଥାନ୍ତି ଆମ ବାପାଙ୍କ ବୟସର ଯୁବକ ମାତ୍ର । ସଦ୍ୟ ଏଲ୍‌.ଏମ୍.ପି. ବା ସେଇଭଳି କିଛି ଡାକ୍ତରୀ ଡିପ୍ଳୋମା ଧରି ସେ ଆରମ୍ଭ କରୁଥାନ୍ତି ଗାଁ ଗହଳରେ ତାଙ୍କ ବ୍ୟବସାୟ ।

 

ଏତିକିବେଳେ, ଦିନେ ଭୟଙ୍କର ଝଡ଼ ରାତିରେ (ସେଥର ସେ ଝଡ଼ ପୁରା ଛ’ ଦିନ ଆଉ ସାତ ରାତି ଧରି ଓଡ଼ିଶାର ଉପକୂଳ ଅଞ୍ଚଳକୁ ଆକ୍ରାନ୍ତ କରିଥିଲା ଓ ସେଭଳି ଝଡ଼ ଗଲା ପଚାଶ ବର୍ଷ ଭିତରେ ଦେଖାନାହିଁ ବୋଲି ବାପା ବରାବର ମନେ ପକାନ୍ତି ସେ କଥା ପଡ଼ିଲେ) ବୁଢ଼ାଙ୍କର କାଳବେଳା ଉପଗତ ହେବାର ଜଣାଯିବାରୁ ମାଧବ ଡାକ୍ତରଙ୍କୁ ‘କଲ୍’ ଦବା ପାଇଁ ଘରେ ଅନ୍ୟ କେହି ପାରିବାର ଲୋକ ନ ଥିବାରୁ ଝଡ଼ବର୍ଷା ସତ୍ଵେ ବାପାଙ୍କୁ ବାହାଯିବାକୁ ପଡ଼ିଲା । ମାଧବଡାକ୍ତରଙ୍କ ଘର ଆମ ଗାଁଠୁଁ ପାଞ୍ଚ ଛ’ ମାଇଲ ଦୂର ଅନ୍ୟ ଗୋଟିଏ ଗାଁରେ । ମଝିରେ ରାସ୍ତାର ଅବସ୍ଥା ସେତେ ଭଲ ନୁହେଁ । ତା’ ସାଙ୍ଗକୁ ବର୍ଷା ପବନ । ତଥାପି ବାପାଙ୍କ ଅବସ୍ଥା ଲକ୍ଷ୍ୟ କରି ଆମ ବାପା ବାହାରି ପଡ଼ିଥିଲେ–ସାଇକେଲ୍ ଖଣ୍ଡିଏ ସହ ରାସ୍ତାକୁ । ଗଲାବେଳେ ରାତିବିକାଳି ଭୟଭୀତ କାରଣରୁ ବା ଅନ୍ୟ କେଉଁ କାରଣରୁ ସାଙ୍ଗରେ ବାଡ଼ି ଖଣ୍ଡିଏ ନବାକୁ ମନସ୍ଥ କରି ସେ ଧଇଲେ ଖଣ୍ଡିଏ ସରୁ ରୁଲ୍‌ବାଡ଼ି ହାତରେ, ଆଉ ବର୍ଷା ପବନ କିଛି ନ ମାନି ଛୁଟିଗଲେ ମାଧବ ଡାକ୍ତର ଘର ମୁହାଁ ।

 

“ମାଧକୈ ! ମାଧକୈ !”, ଡାକ୍ତରଙ୍କ କବାଟରେ ଦୁଇଥର ରୁଲ୍‌ବାଡ଼ି ଠୋକର ନ ବାଜୁଣୁ ନିର୍ଦ୍ଦିଷ୍ଟ ଜବାବ ଆସିଲା, “କିଏ ? ନାରଣ କିରେ ? ଆ, ଆ ! ମାଉଁସଝୋଳ ଚୂଲିରେ ବସିଚି ଖାଇବୁ ଆ !”

 

ସେଇଠୁ ଆମ ବାପାଙ୍କ କୋହ ଆଉ ଚାପି ହେବାର ନୁହେଁ । ତେଣେ ବାପେ ପଡ଼ିଚନ୍ତି ଯିବେ ଯିବେ ହେଇ ଏଣେ ଡାକ୍ତର କହୁଚି ମାଉଁସ ଝୋଳ ଗରମ ହଉଚି ଖାଇବୁ ଆ–ଏଇ ଦ୍ଵନ୍ଦ୍ଵ ଆଉ ଅଦୃଷ୍ଟର ପରିହାସରେ ଚିରି ହେଇଗଲା ପରି ବାପା ଆମର ରଡ଼ି କରି ଉଠିଲେ–“ମାଧକୈ ! ଗେଲ କଥା ନୁହଁ–ମୋ ବାପା ! ଏ ଝଡ଼ ବର୍ଷାରେ ଏତେ ରାତିରେ ଆସିଚି ମୁଁ–ଅତିଥି ନୁହଁ । ବୁଝୁଚ ତ ହାଲ ? ବାହାର ଶୀଘ୍ର ! ଆଉ ଡେରି କରନାଇଁ କକେଇ, କଥା ସରିଯିବ, ଅନାଥ ହେଇଯିବି ମୁଁ... ଅନାଥ ହେଇଯିବି...”

 

କିନ୍ତୁ ମାଧବ ଡାକ୍ତର ଅଜବ ଡାକ୍ତର । ବାପାଙ୍କୁ ଶୀଘ୍ର ଓଦାଲୁଗା ବଦଳେଇବା ପାଇଁ ତାଙ୍କ ହାତକୁ ଖଣ୍ଡିଏ ଧୋବଲୁଗା ବଢ଼େଇ ଦେଇ ଆଦେଶ ଦେଲେ ସେ, “ଆ ବ ! ଖାଇସାରିବା ଯିବା !”

 

ମାଧବ ଡାକ୍ତରଙ୍କ ନବବିବାହିତା ପତ୍ନୀ ଦୁହିଁଙ୍କ ପାଇଁ ଭାତ ମାଉଁସ ବଢ଼ାବଢ଼ି କରିଦେଲେ ଆଉ ବ୍ୟସ୍ତ ହୋଇ ପଚାରିଲେ, “ଏ ବର୍ଷା ପବନରେ ଯିବ ଏଇଲେ କେମିତି ଏତେ ବାଟ ଯେ ?”

 

ମାଧବ ଡାକ୍ତର କିଛି ଉତ୍ତର ଦେଲେ ନାହିଁ ସେ ପ୍ରଶ୍ନର । ଚୁପ୍‌ଚାପ୍ ଖିଆପିଆ ସଇଲା । ରୋଗୀ ଦେଖିବାକୁ ସେଇ ବର୍ଷାରେ ବର୍ଷାରେ ବାହାରିଲେ ସେ ରାତିରେ ସେ ଦି’ଜଣ ମଣିଷ ଦି ଖଣ୍ଡ ସାଇକେଲ୍‌ରେ । ଅଧାବାଟରେ ବାପାଙ୍କୁ ଚମକେଇ ଦେଲାଭଳି ପଚାରିଦେଲା ସେ ଡାକ୍ତର ଏମିତି ସ୍ଵରରେ ସତେ କି ପୁରା ଅଚିହ୍ନା–

 

“ଆରେ ! ମାଉଁସ ଝୋଳ କେମିତି ଲାଗିଲା ?”

 

ଆମ ବାପାଙ୍କ ସାଇକେଲ୍ ଚକ ଦାଉଁକିନା ଗଳି ପଡ଼ିଲା ରାସ୍ତା ମଝି ଗୋଟାଏ ଖମା କି କଅଣ ଭିତରେ କେଜାଣି–ବାପା ଛାଟିହେଇ ପଡ଼ିଲେ ସାଇକେଲ୍‌ରୁ ।

 

ମାଧବ ଡାକ୍ତର ବାପାଙ୍କ ହାତ ଧରି କାଦୁଅପାଣିରୁ ଉଠେଇ ନେଲେ । ସେତିକିବେଳେ ଧୀରେ, ସାନ୍ତ୍ୱନା ଦେଲା ପରି କଅଁଳ କରି କହିଲେ, “ଆରେ ! ଡାକ୍ତର ଘରକୁ ବାଡ଼ି ଧରି ଆସିବାକୁ ତତେ କିଏ କହିଲା ! ଆଉ ଦିନେ ଆସିବୁ ନାଇଁ ସେମିତି–ଜାଇଁଲୁ !”

 

ସେଦିନ ରାତିରେ ଡାକ୍ତର ଧରି ଘରେ ପହଞ୍ଚିଲା ବେଳକୁ କାନ୍ଦବୋବାଳି ଶୁଣାଯାଉଥାଏ । ମାଧବ ଡାକ୍ତର ବାଟଯାକ ଯେଉଁପରି ସ୍ଵରରେ ସାନ୍ତ୍ୱନା ଦେଇ ବାପାଙ୍କୁ ଜୀବନ ଓ ମୃତ୍ୟୁର ତତ୍ତ୍ଵ ସହିତ ସେମାନଙ୍କର ଅଦ୍ଭୁତ ଲକ୍ଷଣ ସମ୍ବନ୍ଧରେ ବୁଝେଇ ବୁଝେଇ ଆମ ବାପାଙ୍କ ମନକୁ ଏକ ଅବଶ୍ୟମ୍ଭାବୀ ପରିଣତି ପାଇଁ ପ୍ରସ୍ତୁତ କରି ଆସୁଥିଲେ ସେହି ସୁର ଅବ୍ୟାହତ ରଖି କହିଲେ,

 

“ମୁଁ ଜାଣିଥିଲି । ଏଇଆ ହେବ । ଡାକ୍ତର ଘରକୁ ବାହାରି ଆସିଲୁ ବାଡ଼ିଟିଏ ଧରି । ଏଇଆ ହବ । ଜାଣିଥିଲି ମୁଁ...”

 

ଅମ ବାପାଙ୍କର କାନ୍ଦ ଆରମ୍ଭ ହେଇ ନ ଥାଏ ସେ ପର୍ଯ୍ୟନ୍ତ । ଘଟଣାର ପରିଣତି ଏପରି ଏକ ଟ୍ରାଜେଡ଼ି ରୂପେ ତାଙ୍କ ଜୀବନରେ ଚିରକାଳ ପାଇଁ ଲେଖା ହୋଇ ରହିବ କଳ୍ପନା କରିପାରି ନ ଥିଲେ ସେ । ତାଙ୍କର ତତ୍କାଳୀନ ମନୋଭାବ ପିତୃଶୋକ ଜନିତ ଚିତ୍କାରରେ ପରିଣତ ନ ହୋଇ ମାଧବ ଡାକ୍ତର ପ୍ରତି ଏକ ଭୟଙ୍କର କ୍ରୋଧ ପାଲଟିଗଲା । ତାଙ୍କ ଚିତ୍କାରରେ ସଦ୍ୟ ଶୋକ ବିଦଗ୍‌ଧ ସମଗ୍ର ପରିବାରଟି ସ୍ତବ୍‌ଧ ହୋଇଗଲା । ସମସ୍ତେ କାବା ହେଇ କାନେଇଲେ । ବାହାରେ, ଝଡ଼ର ସୁ ସୁ ଭିତରେ କିଏ ଜଣେ ଆର୍ତ୍ତ ଚିତ୍କାର କରୁଥିଲା–

 

“ଆରେ ଶଳା ମାଧ ଡାକ୍ତର । ମତେ ତୁ ମାଉଁସ ଖୁଆଇ ଦେଲୁ ।”

 

ଘର ଲୋକେ କବାଟ ଫିଟେଇ ଦେଲେ ।

 

ଅମ ବାପାଙ୍କର କ୍ରୋଧ ତଥାପି ଶୋକରେ ପରିଣତ ହୋଇ ନ ଥାଏ । ମାଧବ ଡାକ୍ତରକୁ ଯାବଚ୍ଛ ଭାଷାରେ ଶୋଧି ଲାଗିଥାନ୍ତି ସେ । ଏଣେ ତାଙ୍କ ବାପାଙ୍କର ଶବଟି ପରମ ଶାନ୍ତରେ ନିଦ୍ରା ଯିବା ପରି ଶୋଇ ରହିଥାଏ । ତାଙ୍କର ଆତ୍ମା ଅନନ୍ତ ପଥରେ ଯାତ୍ରା କରି କେତେ ଦୂର ପଥ ଅଗ୍ରସର ହୋଇ ସାରିଥାଏ କେଜାଣି ବାପାଙ୍କର ସେ ଗାଳି ବର୍ଷଣ ଅନ୍ତରାଳରେ ।

 

ଆମ ବାପାଙ୍କର ରାଗ ଶାନ୍ତ ହେବାକୁ ବେଶୀ ସମୟ ଲାଗି ନ ଥିଲା ଅବଶ୍ୟ ସେଦିନ । କିନ୍ତୁ, କ୍ରୋଧବଶତଃ ସେ ଏତେଗୁଡ଼ାଏ ଭାବାବେଗ କ୍ଷୟ କରି ସାରିଥିଲେ ଯେ ଏହାପରେ କାନ୍ଦିବା ପରିବର୍ତ୍ତେ ଗମ୍ଭୀର ହୋଇ ବସିଗଲେ ସେ ଅନେକ ବେଳ ।

 

ବାପାଙ୍କ ଗର୍ଜନ ଆରମ୍ଭରୁ ତାଙ୍କର ଗାମ୍ଭୀର୍ଯ୍ୟ ପର୍ବ ପର୍ଯ୍ୟନ୍ତ ମାଧବ ଡାକ୍ତର ଚୁପ୍ ହେଇ ଠିଆ ହେଇଥାନ୍ତି ତାଙ୍କ ଓଦା ସଢ଼ସଢ଼ ଧୋତି କାମିଜଟି ଭିତରେ । ତାଙ୍କ ହାତରେ ୱାଟରପ୍ରୁଫ୍‍ ଡାକ୍ତରୀ ବ୍ୟାଗ୍ । କିନ୍ତୁ, ଏସବୁ କିଛି ନୁହଁ । ତାଙ୍କ ମୁହଁରେ ଏକ ଅଜବ ଧରଣର ହସ କି କଅଣ ସେ କେଜାଣି ! ଆଜିକାଲି ରାଜନୀତି କରୁଥିବା ଲୋକେ ପାଇଥିବା ମନ୍ତ୍ରୀପଦ ସଦ୍ୟ ହରାଇ ସାରି ପୁଣି କୌଣସି ନୂଆ ଉତ୍ସାହ ଘେନି ପରବର୍ତ୍ତୀ ଘଟଣାକୁ ଗଭୀର ଆସ୍ଥା ସହକାରେ ଅପେକ୍ଷା କରୁଥିବା ବେଳେ ତାଙ୍କ ଆଖି ଓ ଓଠର ଅବସ୍ଥା ଯାହା ମାଧବ ଡାକ୍ତରର ଚେହେରା ସମ୍ଭବତଃ ସେକାଳରେ ବି ଦିଶୁଥିବ ଯେମିତି ହୁଏତ । ନଚେତ୍ ସବୁ ଶେଷ ହେଇଗଲା ପରେ ମଧ୍ୟ ମାଧବ ଡାକ୍ତର ଆମ ବାପାଙ୍କର ଯାବତ ଅପମାନସୂଚକ ଗାଳିକୁ ଉପେକ୍ଷା କରି, ତାଙ୍କ କାନ୍ଧରେ ନିଜର ହାତଟାକୁ ନରମଭାବେ ଥାପି କହି ନ ଥାନ୍ତେ ।

 

“କଥାଟିକୁ ଆଉଥରେ ଭାବି ଦେଖ ନାରାୟଣ ବାବୁ ! ଏହାପରେ ତମକୁ ଶୋକ ପାଳିବାକୁ ପଡ଼ିବ । ବାପା ଗଲେ–ଆଉ ଫେରିବେ ନାଇଁ ନିଶ୍ଚୟ । ତାଙ୍କୁ ବଞ୍ଚେଇବାକୁ ଶେଷ ଚେଷ୍ଟା କଲ ତମେ । ଏ ଝଡ଼ ରାତିରେ ଡାକ୍ତର ଡାକିବାକୁ ଗଲ । ଗଲାବେଳେ ସାଥିରେ ବାଡ଼ି ଖଣ୍ଡିଏ ଧରି ଗଲ । ଏହାର ଅର୍ଥ ତୁମେ ବୁଝ ନା, ଆମେ ବୁଝୁ, ଅନ୍ତତଃ ମୁଁ ବୁଝେ । ତମକୁ ଦେଖିଲାବେଳୁ ମତେ ଜଳଜଳ ଦିଶିଲାଣି ଏ ଘଟଣା । ମୃତ୍ୟୁର କଳାଛାଇ ତମକୁ ସେତେବେଳକୁ ଗ୍ରାସ କରି ସାରିଲାଣି ସଂପୂର୍ଣ୍ଣ । ମତେ ବୁଝିବାକୁ ବାକି ନ ଥିଲା ଏହାପରେ ଆରମ୍ଭ ହବ ତମର ଘୋର ଶୋକର ଦିନ । ଏଭଳି ଶୋକବେଳେ ଆହାର ନିଦ୍ରା ମୈଥୁନ ବ୍ୟତୀତ ଅନ୍ୟ କିଛି ସୁଖକର ନୁହେଁ ମଣିଷ ଶରୀରର । ଏ କଥା କେହି ବୁଝନ୍ତି ନାହିଁ, ବୁଝିବେ ନାହିଁ ନାରାୟଣବାବୁ, କେବଳ ଜଣେ ଦରଦୀ ଡାକ୍ତର ବନ୍ଧୁ ! ସମସ୍ତେ ଅପେକ୍ଷା କରିଥିବେ, ଛକି ଛକି ଉଣ୍ଡି ଦେଖୁଥିବେ–ତମେ କିଭଳି ପାଳୁଛ ସେ ଶୋକ; କିଭଳି ନିୟନ୍ତ୍ରିତ କରୁଚ ତମର ସେ ପ୍ରବୃତ୍ତି–ଅତି ଆବଶ୍ୟକୀୟ ସେ ପ୍ରବୃତ୍ତି ତିନୋଟିକୁ–ଆହାର ନିଦ୍ରା ମୈଥୁନ । ଜଣେ ଡାକ୍ତର ହିସାବରେ ମୁଁ ତମ ଶରୀର ପ୍ରତି ମୋର ଯଥାସାଧ୍ୟ କର୍ତ୍ତବ୍ୟ କରିଛି, ନାରାୟଣ । ତମକୁ ମାଉଁସ ଝୋଳ ଖୁଏଇଛି, ତୁମ ସାଥିରେ ଏଭଳି ଝଡ଼ ବର୍ଷାରେ ପାଞ୍ଚ ମାଇଲ ବାଟ ସାଇକେଲ୍‌ରେ ତିନ୍ତିବୁଡ଼ି ଆସିଛି–ସାଙ୍ଗଟିଏ ଭଳି, ତମର ନୁହଁ; ତମ ଶରୀରର । ଏବେ ବୁଝୁଚ ତ ! ମତେ ଖଣ୍ଡିଏ ଶୁଖିଲା ଲୁଗା ଦିଅ । କପେ ଚା’ ଦିଅ । ଆଉ ମୋ ଫିସ୍ ବାବତ...”

 

ସମାବେଶ, ସେପଟେମ୍ବର (ପୂଜା),୧୯୭୯

Image

 

ଗାନ୍ଧି ଭବନର ଭୂତ

 

“ମଶାୟ ! ଏଖାନେ ଗାନ୍ଧି ଭବନଟା କୋଥାଏ ?”

 

ଟୁରିଷ୍ଟ ଦଳଟି ସେତେବେଳକୁ ହତା ଭିତରକୁ ପ୍ରାୟ ପଶି ଆସି ସାରିଲେଣି । ଭୁବନେଶ୍ଵରର ସଚିବାଳୟ ମାର୍ଗର ବିଭିନ୍ନ ଦର୍ଶନୀୟ ସ୍ଥାନ ଭିତରୁ ସେକ୍ରେଟେରିଏଟ୍, ଆସେମ୍ବଲି, ରବୀନ୍ଦ୍ର ମଣ୍ଡପ, ଜୟଦେବ ଭବନ ପ୍ରଭୃତିର କୋଠାଗୁଡ଼ିକର ବାହାର ଭିତର ସମ୍ପର୍କରେ ସେମାନେ ସେତେବେଳକୁ କି ଧାରଣା ନେଇ ଆଗେଇ ଆସିଥାନ୍ତି ଭଗବାନଙ୍କୁ ଜଣା । କିନ୍ତୁ, କୌଣସି କାରଣରୁ ଓଡ଼ିଶାର ‘ଗାନ୍ଧି ଭବନ’ ଦର୍ଶନ କରିବାକୁ ସେମାନଙ୍କର ବଳବତୀ ଇଚ୍ଛା ଦଳଟିକୁ ଟାଣି ଆଣିଥାଏ ବର୍ତ୍ତମାନର ଡି.ପି.ଆଇ. ଅଫିସର ମୁଖ୍ୟ ଫାଟକ ପର୍ଯ୍ୟନ୍ତ । ପ୍ରାୟ କୋଡ଼ିଏ ପଚିଶ ଜଣ ଭଦ୍ର ମହିଳା, ଭଦ୍ରଲୋକ । ତେବେ ଅଧିକାଂଶ ଭଦ୍ର ମହିଳା–ବିଭିନ୍ନ ବୟଃକ୍ରମର । ସମ୍ଭ୍ରାନ୍ତ ବେଶ ପୋଷାକ । ଚେହେରା ଇଣ୍ଟେଲେକ୍‍ଚ୍ୟୁଆଲ, ଇଣ୍ଟେଲେକ୍‍ଚ୍ୟୁଆଲ । ଚାହାଣି–ବିଗତ ଶତାବ୍ଦୀର ନୁହେଁ; ଚଳିତ ଶତାବ୍ଦୀର । ସତୁରୀ ଦଶନ୍ଧି ସୁଦ୍ଧା ଓଡ଼ିଶାର ପ୍ରତିବେଶୀମାନେ ଯେଉଁ ଦୃଷ୍ଟିରେ ଏ ରାଜ୍ୟର ହୀରାକୁଦ, ପାରାଦୀପ ପ୍ରଭୃତି କୀର୍ତ୍ତି ସୌଧଗୁଡ଼ିକୁ ପୁରୀ-କୋଣାର୍କ-ଲିଙ୍ଗରାଜର ପ୍ରାତ୍ନତାତ୍ତ୍ୱିକ ଧ୍ୱନ୍ୟାଲୋକର ପରିଦର୍ଶନ କରି ବିମୁଗ୍‌ଧ ହୁଅନ୍ତି ଓ ପରିଶେଷରେ ବହୁ କଷ୍ଟାର୍ଜିତ ବିତ୍ତର ବେଶ୍ ଗୋଟିଏ ବଡ଼ ଅଂଶ ବ୍ୟୟ କରି ଯଥେଷ୍ଟ ଆୟାସସାଧ୍ୟ ପଥଶ୍ରମ ସ୍ଵୀକାର ପୂର୍ବକ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଯାଇ ପ୍ରଥମେ ସ୍ଥାନୀୟ ଟୁରିଷ୍ଟ ଗାଇଡ଼୍‌ଙ୍କଠାରୁ ଏ ସହରର ଦର୍ଶନୀୟ ସ୍ଥାନଗୁଡ଼ିକର ତାଲିକା ସଂଗ୍ରହ କଲାବେଳେ ଆଶାୟୀ ନୟନରେ ଚତୁର୍ଦ୍ଦିଗକୁ ଚାହିଁ ପ୍ରଶ୍ନ କରନ୍ତି–

 

“ମଶାୟ ! ଶୁନେଛିଲାମ୍ ଏଖାନେର ସଚିବାଲୟଟା ଏକ୍‌ଟା ଚମତ୍କାର ବିଲ୍‌ଡ଼ିଂ ଯାକେ ବିଧାନ ରାୟ ବଲେଛିଲେନ୍‌ ନବ ଉତ୍କଳେର୍ ସ୍ଵର୍ଣ୍ଣତରା–ସେଟା କୋଥାଏ ?”

 

-ବ୍ୟାପାରଟା ପ୍ରାୟ ସେଇଭଳି ।

 

ବେଳ ପ୍ରାୟ ୫ଟା । ଶୀତ ଦିନ । ସନ୍ଧ୍ୟା ପ୍ରାୟ ଆସିଗଲାଣି–ରାସ୍ତାଧାରର ବଡ଼ ବଡ଼ ଗଛଗୁଡ଼ାକର ମୂଳ ପର୍ଯ୍ୟନ୍ତ । ଗଛ ଅଗରେ ଡାହାଣିଆ ଖରାର ଆଖିମିଟିକା ଟିକିଏ ଟିକିଏ କେବଳ ।

 

ଡି.ପି.ଆଇ. ଅଫିସରେ କର୍ମଚାରୀଗଣ ଘରମୁହାଁ ଛୁଟିବା ସମୟ । ଏତେବେଳେ “ମଶାୟ ! ଏଖାନେ ଗାନ୍ଧି ଭବନଟା କୋଥାଏ ?” ପ୍ରଶ୍ନର ଉତ୍ତର ଦେବାକୁ ବେଳ ଅଛି କାହାର ?

 

ଅଫିସ୍‌ ବହିର୍ଗତ ଦଳ ଦଳ କର୍ମଚାରୀଙ୍କର ତ୍ଵରାନ୍ୱିତ ଲେଉଟାଣି ଘରମୁହାଁ ଯାତ୍ରାକୁ ଟୁରିଷ୍ଟ ଦଳଟି ଲକ୍ଷ୍ୟ କରି ସାରିଲେଣି ସେତେବେଳକୁ । କିନ୍ତୁ ଚମତ୍କାର ଆଧୁନିକ ଆର୍କିଟେକ୍‌ଚରାଲ–ବିଜ୍ଞାନସମ୍ମତ ଅଟ୍ଟାଳିକାଟି ଯେ ଗାନ୍ଧି ଭବନ ନୁହେଁ, ଗୋଟିଏ ଅଫିସ୍‌ ମାତ୍ର, ସେମାନେ କଳନା କରି ପାରିନଥାନ୍ତି ନିଶ୍ଚୟ । କାରଣ ସେମାନଙ୍କ ଭିତରୁ କେତେକ ବ୍ୟସ୍ତ ହେବାକୁ ଆରମ୍ଭ କରି ସାରିଲେଣି ସେତେବେଳକୁ । ନିଜ ନିଜ ଭିତରେ କଥାବାର୍ତ୍ତା କଲେଣି ଯେ ଗାନ୍ଧି ଭବନ ବନ୍ଦ ହେବାକୁ ବସିଲାଣି–ଭିଜିଟର୍‌ସ ଆଉଆର ଖତମ୍ !

 

ସେଥିପାଇଁ ବହିରାଗତ ଟୁରିଷ୍ଟମାନେ ଶୀଘ୍ର ଶୀଘ୍ର ପାଦ ପକେଇଲେ ଆଗକୁ । ଅବରୁଦ୍ଧ ଅଫିସରୁ ଦିନକର କାମ ସାରି ସଦ୍ୟମୁକ୍ତ ଆକାଶତଳକୁ ଓହ୍ଲାଇ ଆସୁଥିବା ଆଉ ଗୋଟିଏ ଦଫା ଘରମୁହାଁ କର୍ମଚାରୀଙ୍କର ଦଳକୁ ଅତିକ୍ରମ କରି ସେମାନେ ପହଞ୍ଚିଲେ ଗାନ୍ଧି ଭବନର ପୋର୍ଟିକୋ ତଳେ ।

 

ଭବନର ମୁଖ୍ୟଶାଳା ବା ଏନ୍‌ଟ୍ରାନ୍‌ସ ହଲ୍‌ ଭିତରଟା ସେତେବେଳକୁ ପୂର୍ଣ୍ଣଗ୍ରାସ କରିବାକୁ ବସିଲାଣି ସନ୍ଧ୍ୟାର ପ୍ରାୟାନ୍ଧକାର । ଦ୍ୱାରଦେଶରେ ଦରଖୋଲା ଏକ ବିରାଟ କୋଲାପ୍‌ସିବ୍ଲ ଗେଟ୍‌ର ଫାଙ୍କ ଦେଇ ଜଣେ ଅଧେ କେହି ହୁଏତ ବାହାରକୁ ବାହାରୁଥାନ୍ତି ବା ଭିତରକୁ ଯାଇ ଅଦୃଶ୍ୟ ହେଉଥାନ୍ତି ସେଇ ପ୍ରାୟାନ୍ଧକାର ଗର୍ଭରେ । ଟୁରିଷ୍ଟ ଦଳଟି କିଛି ସମୟ ପର୍ଯ୍ୟନ୍ତ ବାହାର ପୋର୍ଟିକୋରେ ଅପେକ୍ଷାମାଣ ଅବସ୍ଥାରେ ଠିଆ ହୋଇ ରହିଲେ ଓ ଭିତରକୁ ଅନୁସନ୍ଧିଚ୍ଛୁ ଦୃଷ୍ଟିରେ କିଛି ସମୟ ଚାହିଁସାରି ଦ୍ରୁତ ପ୍ରତ୍ୟାବର୍ତ୍ତନ ନିମିତ୍ତ ପ୍ରସ୍ତୁତ ହେଉଥିଲେ । କିନ୍ତୁ ହଠାତ୍‌ ଗୋଟିଏ ଅତି ମାରାତ୍ମକ ଶବ୍ଦ–କଅଁଳ ପିଲାର ଚିରିଚିରା କାନ୍ଦଣା ଗାନ୍ଧି ଭବନ ଭିତରୁ ବାହାରିବା ଶୁଣି ଚମକି ପଡ଼ିଲେ ସମୁଦାୟ ଦଳଟି । ସ୍ତମ୍ଭୀଭୂତ ହୋଇଗଲେ । ଆଉ, ପ୍ରାୟ ସମକାଳୀନ ଭାବେ ଶୁଣାଗଲା ଅନ୍ୟ ଏକ ଚିତ୍କାର ।

 

“ଓ ମା !”, ଟୁରିଷ୍ଟଦଳ ଭିତରୁ ଜଣେ କେହି ଚିରିଚିରେଇ ଉଠିଲା, “ଭୁତ୍‌, ଭୁତ୍‌, ବାଚ୍ଚାଟା ମେରେ ଗେଲରେ ମେରେ ଗେଲ–ଆମାର ବାଚ୍ଚାଟା...”

 

ଏବଂ, ତା ସହିତ ଧାଇଁଗଲେ ସେ–ଜଣେ ଭଦ୍ର ମହିଳା–ସିଧା ଗାନ୍ଧି ଭବନ ଭିତରକୁ–କେଶବାସ ବିପର୍ଯ୍ୟସ୍ତ ଅବସ୍ଥାରେ ଧସେଇ ପଶିଗଲେ ସେ । ସମ୍ଭବତଃ ସେଇ ସେ, ଯେ ପର୍ଯ୍ୟଟକ ଦଳଟିର ସଭା ଆଗରେ ପଶି ଆସିଥିଲେ ହତା ଭିତରକୁ ପଚାରି ପଚାରି “ମଶାୟ, ଏଖାନେ ଗାନ୍ଧି ଭବନଟା କୋଥାଏ ?” ସେଇ ଭଦ୍ର ମହିଳା ସେ ।

 

୧୯୭୫-୭୬ର ସେଇ ମାରାତ୍ମକ ଶୀତ ସନ୍ଧ୍ୟାଟିକୁ ସହଜେ ଭୁଲିଯାଇ ହୁଏନା । ସେତେବେଳେ ସାରା ଦେଶଟା ଏମର୍ଜେନ୍‌ସିର ଭୂତ ଭୟରେ ଥରହର । ଏପରି ସମୟରେ ସନ୍ଧ୍ୟାର ଅନ୍ଧାରରେ ବାଟବଣା ହୋଇଥିବା ଶିଶୁ ବା ନାରୀଟିଏ ଚିରିଚିରେଇ କାନ୍ଦିବା ବା ଭୟରେ ମୂର୍ଚ୍ଛା ଯିବା ଘଟଣାକୁ ଏକ ମାରାତ୍ମକ ଘଟଣା ବୋଲି କେହି କହନ୍ତା ନାହିଁ ବା ଭାବନ୍ତା ନାହିଁ ଅବଶ୍ୟ । କିନ୍ତୁ ଏବପରି ସେଦିନ ମଧ୍ୟ ଓଡ଼ିଶାର ଗାନ୍ଧି ଭବନ ବା ଡି.ପି.ଆଇ. ଅଫିସ୍‌ର ପ୍ରବେଶ ଦ୍ଵାରରେ ଏକ ଜଗୁଆଳ ସ୍ଵରୂପ ଅବସ୍ଥାପିତ ସେଇ ଚୂନ ଧଉଳା କୁଟା ଓ ମାଟିର ଗାନ୍ଧି ମୂର୍ତ୍ତିଟାକୁ ସନ୍ଧ୍ୟାରେ ପ୍ରାୟାନ୍ଧକାରରେ ଭେଟଣା ହୋଇଯାଇ ଦେଢ଼ ବା ଦୁଇବର୍ଷର ମଣିଷ ପିଲାଟିଏ ଚିରିଚିରେଇ ଉଠିଲେ ଘଟଣାସ୍ଥଳର ଆଖପାଖରେ ଉପସ୍ଥିତ ନରନାରୀ ପ୍ରଥମେ ବିସ୍ମିତ ହୋଇ ହାଉଳି ଖାଇବା ଓ ପରେ ଘଟଣାର ପ୍ରକୃତ ଅର୍ଥ ହୃଦୟଙ୍ଗମ କରି ହସି ହସି ଗଡ଼ିବା ଥିଲା ଅତ୍ୟନ୍ତ ସ୍ଵାଭାବିକ ।

 

ତଥାପି ଓଡ଼ିଶାର ‘ଗାନ୍ଧି ଭବନ’ ଦର୍ଶନାଭିଳାଷ ଘେନି କଲିକତାରୁ ଆସିଥିବା ଟୁରିଷ୍ଟ ଦଳଟି ପକ୍ଷରେ ସେଦିନର ଘଟଣାଟି ଥିଲା ହସ କାନ୍ଦ ହାଉଳିଠାରୁ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ ଏକ ଅଲୌକିକ ବ୍ୟାପାର ।

 

ଗାନ୍ଧି ଭବନ ଭିତରକୁ ଟୁରିଷ୍ଟ ଦଳଟି ନିଜର ନେତ୍ରୀ ପଛେ ପଛେ ଧସେଇ ପଶିଯିବା ପରେ ସେ ଅଲୌକିକ ବ୍ୟାପାରର ଏକ ସମ୍ପୂର୍ଣ୍ଣ ଅଭାବିତ ରୂପ ସର୍ବପ୍ରଥମେ ଦୃଷ୍ଟି ପଥାରୂଢ଼ ହୋଇଥିଲା ସେମାନଙ୍କର । ଛୋଟ ପିଲାଟିର ଚିରିଚିରା ପାଟି ବନ୍ଦ ହୋଇ ସାରିଥାଏ ସେତେବେଳକୁ । କିନ୍ତୁ ତା ବଦଳରେ ଗାନ୍ଧି ଭବନର ଗୋଟିଏ ଅନ୍ଧାରିଆ କଣରୁ ଶୁଣା ଯାଉଥାଏ ଆଉ ଏକ ଭୟଙ୍କର ଶବ୍ଦ । ସତେକି ଗର୍ଭ ବେଦନାରେ ଆଉଟୁପାଉଟୁ ହେଉଥିବା ଆସନ୍ନପ୍ରସବା ସ୍ତ୍ରୀ ଲୋକଟି ସେଇ ଅନ୍ଧାରିଆ କଣକୁ ଏନ୍ତୁଡ଼ିଶାଳ ଭଳି ଆଦରି ନେଇ ଗଭୀର ପ୍ରସବ ବେଦନାରେ ଉହୁଁ ଉହୁଁ ଶବ୍ଦ କରି ଶୂଳ ଖାଇବାକୁ ଆରମ୍ଭ କରିଥାଏ । ସେଇ ଅଭାବିତ ବିଚିତ୍ର ଶବ୍ଦକୁ ଅନୁସରଣ କରି ଟୁରିଷ୍ଟ ଦଳର ଦୃଷ୍ଟି ‘ଭବନ’ର ଏକ ନିର୍ଦ୍ଦିଷ୍ଟ କଣକୁ ଆକର୍ଷିତ ହେବା ମାତ୍ରେ ପ୍ରାୟାନ୍ଧକାର ଭିତରୁ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ଅବଶେଷରେ ପଡ଼ିଲା ଆଖିରେ ତାଙ୍କର ।

 

“ଓ ମା !” ଦଳର ଆଗୁଆ ହୋଇ ଏଯାବତ୍ ସଭା ଆଗରେ ଠିଆ ହୋଇଥିବା ନେତ୍ରୀଟି ପଛେଇ ଆସିଲା ସବୁରି ପଛକୁ ଆଉ ଗଛ କାଟିଲା ପରି ତଳେ ପଡ଼ିଯିବା ମାତ୍ରେ ଏତେଗୁଡ଼ାଏ ଅଚିହ୍ନା ଲୋକଙ୍କୁ ଅନେଇ ଅବାକ୍ ହୋଇ ଯାଇଥିବା ଶିଶୁଟି ପୁଣି ଥରେ ଚିରିଚିରେଇ ଉଠିଲା ।

 

ପ୍ରାୟ ଦଶମିନିଟ୍ ପର୍ଯ୍ୟନ୍ତ ସେଦିନ ସନ୍ଧ୍ୟାରେ ଗାନ୍ଧି ଭବନର ମୁଖଶାଳା ବା ଏନ୍‌ଟ୍ରାନ୍‌ସ୍ ହଲ୍‌ଟି ଏକ ଭୌତିକ ଅନ୍ଧକାର ତଥା ଧ୍ୱନ୍ୟାଲୋକରେ ଆଲୋକିତ ହୋଇ ଉଠିଥିବା ସମ୍ବାଦ ପରଦିନ ଅଫିସ୍ ଆଉଆର୍‌ରେ ନାନା ସତମିଛ ଗପର ଆଧାର ରୂପେ ଅନ୍ତତଃ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ କର୍ମଚାରୀ ମହଲର ସ୍ମୃତିରେ ଜୀବିତ ହୋଇ ରହି ପାରିବାର କ୍ଷମତା ହାସଲ କରି ପାରିଛି ବୋଲି ଆଜିବି ଶୁଣାଯାଏ ।

 

ପ୍ରମାଣ ସ୍ଵରୂପ ଏଇ ଦିନ ପନ୍ଦରଟା ତଳେ ଡି.ପି.ଆଇ. ଅଫିସ୍‌ର ଜଣେ ନିମ୍ନବେତନ ଭୋଗୀ କର୍ମଚାରୀର ସ୍ତ୍ରୀ ସ୍ଥାନୀୟ ଜନୈକ ଭଦ୍ରବ୍ୟକ୍ତିଙ୍କ ଘରେ ପାଇଟିଆଣୀ କାମରେ ମୁକରିର ହେବାର ସୁଯୋଗ ଗ୍ରହଣ କରି ଭଦ୍ରବ୍ୟକ୍ତିଙ୍କ ପତ୍ନୀଙ୍କୁ ଏକାନ୍ତରେ କହିବାର ଶୁଣାଯାଏ, “ମା, ଜାଣିଚ ନା ! ଡେପିଆଇ ଅଫିସର ଏବେ ଗୋଟାଏ ଭୂତ ବୁଲୁଚି ରାତିରେ । ପଅରଦିନ ରାତିରେ ମୋ ନାତୁଣୀ ପଶିଯାଇଥିଲା ତା ଭିତରକୁ ଯେ ଚିରିଚିରେଇ କାନ୍ଦି କାନ୍ଦି ଗୋଟାପଣେ କଳା ପଡ଼ିଗଲା ଲୋ ମା ! ସମିତେ କହୁଚନ୍ତି–ସେ ଭୂତ କୋଉ ମାଇକିନିଆର । ଘର ତାର ବଲାଙ୍ଗୀର କି କୁଆଡ଼େ । ତା ଘଇତା ମାଷ୍ଟର ହୋଇଥିଲା କୋଉ ଉସୁକୁଲୁରେ କେଜାଣି । ମରିଗଲା । ମାଇପ ତାର ଛୁଆଟିଏ ସାଥିରେ ନେଇ ଆଇଥିଲା ଡେପିଆଇ ଅଫିସକୁ ପଇସା କଉଡ଼ି ଆଦାୟ କରିବାକୁ ଯେ ସାତଦିନ କାଳ ଭୋକ ଓପାସରେ ଅଧିଆ ପଡ଼ିଲା । ଅଫିସ୍ ଭିତରେ ଗାନ୍ଧି ମହାତ୍ମାଙ୍କ ମୂର୍ତ୍ତି ଆଗରେ ଶୋଇଲା । ତା କଥା କେହି ଶୁଣିଲେ ନାହିଁ । ଆଖର ଦିନେ ସଞ୍ଜବୁଡ଼େ କିଏ ତାକୁ ମାଡ଼ି ବସିଲା । ସମସ୍ତେ କହୁଚନ୍ତି ସେଇ ଗାନ୍ଧୀ ବୁଢ଼ା ମାଡ଼ି ବସିଲା । ପରଦିନ ଦେଖ ଦେଖ ଗାନ୍ଧି ବୁଢ଼ାର ମୂର୍ତ୍ତି ଉପରେ ଅସଭ୍ୟ କଥା ଗୁଡ଼ାଏ ନେଖା ହେଇଚି ମ ! ତା ଦିହ ମୁଣ୍ଡରେ ପାନ ପିକ ପଡ଼ିଚି ମେଞ୍ଚା ମେଞ୍ଚା ! ସେଇଦିନୁ ତ ଛୁଆଙ୍କୁ ଦେଖିଲେ ଗୋଡ଼ଉଚି ସେ ବୁଢ଼ା ! ପଅରଦିନ ମୋ ନାତୁଣୀକି ନାଗିଲା । ଗୁଣିଆ ଡକା ହେଲା । ପୂଜାଉଜା ହେଲା । ଗୋଟାଏ କଳା କୁକୁଡ଼ା ବଳି ଦିଆଗଲା । ପିଲା ମୋର ଯାଇ ସାଷ୍ଟାମ ହେଲା ।”

 

ଗଳ୍ପଝର, ସେପ୍‌ଟେମ୍ବର (ପୂଜା),୧୯୭୯

Image

 

ପ୍ରୋଜେକ୍‌ଟ ଟାଇଗର

 

ପୃଥିବୀରୁ ବାଘ ସଂଖ୍ୟା ଯଥେଷ୍ଟ କମି ଯାଉଥିବା ଘେନି ଯେଉଁ ବୈଜ୍ଞାନିକମାନେ ସେଦିନ ସବୁଠାରୁ ବେଶୀ ଚିନ୍ତିତ ହୋଇପଡ଼ିଥିଲେ ସେମାନେ ଏତେ ବେଶୀ ସଂକଳ୍ପବଦ୍ଧ ଭାବେ ସେ କାମଟି କରିଥିଲେ ଯେ ସମଗ୍ର ଅରଣ୍ୟ ପ୍ରଦେଶରେ ଗୋଟିଏ ହୁଲୁସ୍ତୁଲୁ ଆରମ୍ଭ ହୋଇଗଲା ।

“ସାର୍ ! ଆଉ ବଞ୍ଚିହେବ ନାହିଁ–ବାଘମାନେ ପୁଣି ଲେଉଟିଲେଣି ଏ ଜଙ୍ଗଲକୁ !”, ମାଈ ସେକ୍ରେଟେରୀ ଠେକୁଆର ସେ ବିକଳ କାନ୍ଦଣା ଅଫିସ୍ ଆରମ୍ଭରୁ ହିଁ ଶୁଣାଗଲା ସେଦିନ ।

ଗଲା କେଇବର୍ଷ ଧରି ଅରଣ୍ୟର ଯାବତୀୟ ବ୍ୟାପାର ବୁଝାମଣା ଦେଖାରଖା କରିବାପାଇଁ ଗଭୀର ଅରଣ୍ୟର ନିଶ୍ଚଳତମ ଅଞ୍ଚଳରେ ଗୋଟିଏ ଅଫିସ୍ ଖୋଲି ଦେଇ ମାଙ୍କଡ଼ଟି ‘ବନ୍ୟଜନ୍ତୁଙ୍କର ଡାଇରେକ୍‌ଟର’ ନାମକ ଗୋଟିଏ ମସ୍ତବଡ଼ ଦପ୍ତରର ପରିଚାଳନା ତଥା ନିର୍ଦ୍ଦେଶନା ଦାୟିତ୍ୱର ବିରାଟ ବୋଝ ମୁଣ୍ଡେଇ ସେଇ ବରଗଛଟି ଉପରେ ଆସି ବସେ ପ୍ରତିଦିନ ସକାଳ ଠିକ୍ ଦଶଟା ବେଳେ । ଦଶରୁ ପାଞ୍ଚ ବଜରା ସାତଘଣ୍ଟା କଠିନ ଅଫିସ କାମ ତୁଲେଇବା ପରେ ମାଙ୍କଡ଼ଟି ସେ ଗଛରୁ ଓହ୍ଲେଇ ପଡ଼େ । ତା’ପରେ ସେ ଯଥାରୀତି ଫେରିଯାଏ ନିଜର ପ୍ରସାଦତୁଲ୍ୟ ସେଇ ଜଙ୍ଗଲୀ ଆମ୍ବତୋଟାଟି ଭିତରକୁ । ଏତେ ବଡ଼ ତୋଟାରେ ପୂର୍ବେ ଯେଉଁଠି ଗୋଟିଏ ବିରାଟ ବାନର ପରିବାର ବସତି ସ୍ଥାପନ କରି ପାଖ ଆଖ ଅରଣ୍ୟକୁ ଚିରାଚରିତ ସାମନ୍ତବାଦୀ ହୁଂକାରରେ ପ୍ରକମ୍ପିତ କରୁଥିଲେ ଆଜି ସେଠି ଅବଶ୍ୟ ଗୋଟିଏ ନିସନ୍ତାନା ବାନରୀ ବ୍ୟତୀତ ବାନର ପରିବାରର ଅନ୍ୟ କାହାର ସ୍ୱର ଶୁଣିବାକୁ ମିଳେ ନାହିଁ । ଅବଶ୍ୟ ସେଇ ଛୋଟ ଆଉ ସୁଖୀ ପରିବାରର ସ୍ରଷ୍ଟା ଥିଲା ନିଜେ ସେଇ ‘ଡାଇରେକ୍‌ଟର ମଙ୍କି’

ଯେ ଗଲା କେତେବର୍ଷ ଭିତରେ ବନ୍ୟଜନ୍ତୁମାନଙ୍କୁ ଶିକ୍ଷିତ ଓ ପାରିବାରିକ ଦୃଷ୍ଟିରୁ ସୁ-ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଏପରି ମହତ୍ତ୍ୱପୂର୍ଣ୍ଣ କେତେକ ପ୍ରୋଜେକ୍‌ଟ କାର୍ଯ୍ୟକାରୀ କରିପାରିଥିଲା ଯେ ତଦ୍ୱାରା ଅରଣ୍ୟରୁ ପ୍ରଥମେ ମର୍କଟ ବଂଶ ଲୋପ ପ୍ରାୟ ହେଇଯିବା ହେତୁ ଗୋଟିଏ ଐତିହାସିକ ମର୍କଟ-ବିଦ୍ରୋହର ସୂତ୍ରପାତ ଘଟିଥିଲା । ଆମ୍ବତୋଟାର ବିରାଟ ବାନର ପରିବାର ତଦ୍ଵାରା ଛିନ୍‌ଛତର ହୋଇ ଯାଇଥିଲା ।

“ନଅରକୁ ଯାଅ ତମେ ସାମନ୍ତବାଦୀ ପଞ୍ଜାକ !” ଡାଇରେକ୍‌ଟର ମଙ୍କିର ସେଇ ଶେଷ ହୁଙ୍କାରରେ ଆମ୍ବ ତୋଟାରୁ ମାଙ୍କଡ଼ ବଂଶ ବିଲୁପ୍ତ ହୋଇଗଲା ପରେ ବଣର ଅନ୍ୟାନ୍ୟ ଜନ୍ତୁମାନେ ମାଙ୍କଡ଼ଟିର ନିଃସ୍ୱାର୍ଥପରତା ବିଷୟରେ ଆଉ ସନ୍ଦିହାନ ହେବାର ବାଟ ନ ପାଇ ଶେଷରେ ଏକଜୁଟ ହୋଇ ଆମ୍ବ ତୋଟାରେ ପହଞ୍ଚିଲେ ।

“ଶିକ୍ଷା ଓ ପରିବାର ନିୟନ୍ତ୍ରଣ ଏ ଅରଣ୍ୟରେ ବର୍ତ୍ତମାନ ଏକମାତ୍ର ଯୋଜନା ହେବା ଆବଶ୍ୟକ–ଏଥିରେ ଆମର ସନ୍ଦେହ ନାହିଁ ଗୁରୁଦେବ !” ସେ ଥିଲା ସେଇ ବିଶାଳ ଗଜ-ଗୋଷ୍ଠୀର ମୁଣ୍ଡିଆଳ ଦନ୍ତାହାତୀର ଅନୁରୋଧ ଯାହାଫଳରେ ନିବଂଶିଆ ମାଙ୍କଡ଼ଟିକୁ ଅବଶେଷରେ ‘ବନ୍ୟ ଜନ୍ତୁଙ୍କ ଡାଇରେକ୍‌ଟର’ ସର୍ବୋଚ୍ଚ ଶାସକର ପଦବୀଟି ପ୍ରାପ୍ତ ହୋଇଥିଲା ।

“ଧନ୍ୟବାଦ ! କିନ୍ତୁ ଏ ଡାଇରେକ୍‌ଟରର ପ୍ରଥମ କର୍ତ୍ତବ୍ୟ ହେବ ଆସନ୍ତା କାଲି ଏ ଅରଣ୍ୟରୁ ହାତୀ ସଂଖ୍ୟା ଯଥେଷ୍ଟ ପରିମାଣରେ ନିୟନ୍ତ୍ରିତ କରିବା ପାଇଁ ଏକ ସୁପରିକଳ୍ପିତ ଯୋଜନାରେ ଶୁଭ ଦେବା–ଏଥିରେ ଆପଣ ସମ୍ମତ ତ ?” ନିର୍ବାଚିତ ଡାଇରେକ୍‌ଟର ମଙ୍କିର ହାତୀମାନଙ୍କ ପ୍ରତି ସେପରି ତର୍ଜନୀ ଗଜଗୋଷ୍ଠୀ ମଧ୍ୟରେ ଗୋଟିଏ ମୃଦୁ ବିପ୍ଳବ ଦେଖାଦେବାରେ ଅସ୍ଵାଭାବିକତା ଅବଶ୍ୟ କିଛି ନ ଥିଲା । ପ୍ରଥମେ ପ୍ରଥମେ ହାତୀମାନେ ଏତେ ଉତ୍‌କ୍ଷୀପ୍ତ ହୋଇ ପଡ଼ିଲେ ସେମାନଙ୍କୁ ନିୟନ୍ତ୍ରିତ କରିବା ଆଦୌ ସହଜସାଧ୍ୟ ମନେ ହେଉ ନଥିଲା । ଅରଣ୍ୟର ବହୁ ବଡ଼ ବଡ଼ ଗଛ ଆଖି ପିଛୁଡ଼ାକେ ତଳେ ଶୋଇଗଲା । ଏପରିକି ଡାଇରେକ୍‌ଟର ମଙ୍କିର ନିଜ ପ୍ରସାଦ ସ୍ଵରୂପ ହୋଇ ଆମ୍ବତୋଟାର ଅନେକ ଅଂଶ ସେ ବିପ୍ଳବରେ ଛିନ୍‌ଭିନ୍ ହୋଇଗଲା । କିନ୍ତୁ ଇତିହାସ ତଥା ଜୀବ ବିବର୍ତ୍ତନର ସ୍ଵାଭାବିକ ଗତି ଓ ତାର ଧାରାକୁ ସାମାନ୍ୟ ହାତୀ ହାତୁଣୀମାନେ ବଦଳେଇ ଦେଇ ପାରିଥାନ୍ତେ ଅବା କିପରି !

ବହୁ ଧ୍ଵଂସ ନାଶନପରେ ଯେତେବେଳେ ଅରଣ୍ୟରେ ପୁଣି ଶାନ୍ତି ଫେରି ଆସିଲା ସେତେବେଳକୁ ଗୋଟିଏ ସଂପୂର୍ଣ୍ଣ ଅପ୍ରମାଣିତ ଅଦ୍ଭୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଇତିମଧ୍ୟରେ ଅରଣ୍ୟରେ ଉତ୍ପାତ ଘଟୁଥିବା ଦେଖି ଜୀବବିଜ୍ଞାନୀମାନେ ବହିର୍ଜଗତରୁ ସେ ଯେଉଁ ବାଣୁଆ ଦଳଟିକୁ ଜଙ୍ଗଲକୁ ପଠାଇଥିଲେ ସେମାନଙ୍କ ବନ୍ଧୁକରେ କେତୋଟି ମୂର୍ଖ ଓ ଗୁଣ୍ଡା ହାତୀ ମରି ଶୋଇ ଯାଇଥିଲେ । ସେତିକିରେ ହାତୀ ମାନଙ୍କର ବିପ୍ଳବରେ ପୂର୍ଣ୍ଣଛେଦ ପଡ଼ିଥିଲା ।

ଅରଣ୍ୟକୁ ଶାନ୍ତିର ପ୍ରତ୍ୟାବର୍ତ୍ତନ ପରେ ଡାଇରେକ୍‌ଟର ମଙ୍କି ଗଜଗୋଷ୍ଠୀର ମୁଣ୍ଡିଆଳକୁ ତା ଅଫିସକୁ ଡକାଇ ଆଣିଥିଲା ଓ ଉପଦେଶ ଦେବା ଛଳରେ ନିର୍ଧୂମ ଶୋଧାଟିଏ ଶୋଧିଥିଲା–“ଶୁଣ !” ତୁମେ କ୍ୟାପିଟାଲିଷ୍ଟମାନେ ଯଦି ସଂସାରରେ ବଞ୍ଚି ରହିବାକୁ ଚାହଁ ତେବେ ଗୋଟିଏ କାମ କର । ପ୍ରଥମେ ନିଜର ଖାଦ୍ୟ ନିଜେ ନିୟନ୍ତ୍ରିତ କର ଯେପରିକି ତମର ଏ ଅନାବଶ୍ୟକ ଆକୃତି ଆଉ କାହାରି ଆଖିରେ ନ ପଡ଼େ । ତଦ୍ୱାରା ତମର ଉଚିତ୍ ଶିକ୍ଷା ଆରମ୍ଭ ହେବ । ବଞ୍ଚି ରହିବାକୁ ହେଲେ ଆକୃତି ଅପେକ୍ଷା ପ୍ରକୃତି କେତେ ଉପଯୋଗୀ ତାହା ତୁମେ କ୍ୟାପିଟାଲିଷ୍ଟବର୍ଗ ଆଦୌ ଶିକ୍ଷା କରିନାହଁ । ମୁଁ ତୁମକୁ ପାଞ୍ଚବର୍ଷ ସମୟ ଦେଲି, ଯାଅ–ପ୍ରଥମେ କ୍ଷୁଦ୍ର ହୁଅ । ଅତଃପର ପରିବାର ନିୟନ୍ତ୍ରଣର ଯୋଜନା ଆରମ୍ଭ ହେବ ।”

 

ମୁଣ୍ଡିଆଳ ଦନ୍ତାହାତୀଟି ବାସ୍ତବିକ୍ ଡାଇରେକ୍‌ଟର ମଙ୍କିର ସେଇ ମୃଦୁ ଭର୍ତ୍ସନାରେ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଲା । ନିଜ ଦଳକୁ ଫେରି ଆସି ସମସ୍ତଙ୍କୁ ଡାକି ସେ ମର୍କଟର ଉପଦେଶ ଶୁଣାଇ ଓ ତା’ପରେ ହଠାତ୍ ଖାଦ୍ୟପେୟ ପରିତ୍ୟାଗ ପୂର୍ବକ ଗୋଟିଏ ସ୍ଥାନରେ ସ୍ଥିର ହୋଇ ଠିଆ ହୋଇ ରହିଲା । ସ୍ୱ ପରିବାର ତଥା ଅରଣ୍ୟର ଅନ୍ୟାନ୍ୟ ଶୁଭେଚ୍ଛୁ ପ୍ରାଣୀମାନଙ୍କର କୌଣସି କାକୁତିମିନତିକୁ କାନ ନ ଦେଇ ସେ ଅନାହାରରେ ଦୀର୍ଘ ଚବିଶ ଘଣ୍ଟା ଖାଡ଼ା ଖାଡ଼ା ଠିଆ ହୋଇ ରହିଲା ଉତ୍ତାରେ ଭୂତଳଶାୟୀ ହେବାକୁ ବାଧ୍ୟ ହେଲା । ପରବର୍ତ୍ତୀ ଚବିଶ ଘଣ୍ଟା ଭିତରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତ୍ୟୁ ପୂର୍ବରୁ ସେ ନିଜ ଗୋଷ୍ଠୀ ଜୀବମାନଙ୍କୁ ସେଇ ବାକ୍ୟଟିକୁ ବାରମ୍ବାର କହିଥିଲା–“କ୍ଷୁଦ୍ର ହୁଅ ! ସଂସାରରେ ବଞ୍ଚିବାକୁ ହେଲେ କ୍ଷୁଦ୍ର ହୁଅ ।”

 

ମୁଣ୍ଡିଆଳର ମରଣକାଳୀନ ଉପଦେଶ ଗଜଗୋଷ୍ଠୀକୁ ବାସ୍ତବିକ ମୂହ୍ୟମାଣ କରିଥିଲା । ତା’ର ପରିଣତି ଏତେ ଫଳପ୍ରଦ ହେବ ବୋଲି ପ୍ରଥମେ କେହିହେଲେ ସନ୍ଦେହ କରି ପାରି ନ ଥିଲେ-

 

ବନ୍ୟଜନ୍ତୁଙ୍କ ଡାଇରେକ୍‌ଟରେଟରେ ଯଥା ସମୟରେ ସେ ଶୁଭ ସମ୍ବାଦଟି ଆସି ପହଞ୍ଚିଥିଲା ।

 

“ସାର୍ ! ଗୋଟିଏ ମାଈହାତୀ କାଲି ରାତିରେ ଅରଣା ମଇଁଷି ଛୁଆଟିଏ ଜନ୍ମ କରିଛି ! ଯାହା ମନେ ହେଉଛି ଏଣିକି ଏ ଅରଣ୍ୟରେ ହାତୀମାନେ ଅଲଗା ଅରଣା ମଇଁଷିଠୁଁ ଆଉ ବେଶୀ ବଡ଼ ଆକାରର ହେବ ନାହିଁ ।”

 

ସେକ୍ରେଟେରୀ ଠେକୁଆଠୁଁ ସେଇ ଶୁଭସମ୍ବାଦ ଶୁଣି ଡାଇରେକ୍‌ଟର ମଙ୍କି ଆନନ୍ଦରେ ଗୋଟିଏ ହୁଙ୍କାର ମାରି ବରଗଛର ଦପ୍ତରକୁ ଖୁବ୍ ଜୋର୍‌ରେ ଦୋହଲେଇ ଦେଇ କହିଲା–

 

“ଏଥର ଦେଖିବାକୁ ପଡ଼ିବ ଅରଣା ମଇଁଷୀମାନଙ୍କୁ । ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାର ବେଳ ଆସିଗଲା ।”

 

ଡାଇରେକ୍‍ଟର ମଙ୍କିର ସେଇ ଅପୂର୍ବ ଆନନ୍ଦରେ ମାଈ ସେକ୍ରେଟେରୀ ଠେକୁଆଟି ପ୍ରଥମେ ଆନନ୍ଦିତ ପରେ ସାମାନ୍ୟ ଭୀତ ଏବଂ ଶେଷରେ ଚକିତ ହୋଇ ତାର କାନ ଯୋଡ଼ିକୁ ପ୍ରଶ୍ନବାଚକ ଚିହ୍ନ ପରି ବଙ୍କେଇ ଦେଇଥିଲା ।

 

ଦପ୍ତରରେ ସାମାନ୍ୟ ପ୍ରଶାନ୍ତିର ସୂଚନା ଦେଖାଯିବା ପରେ ଛୋଟ ଦମ୍‍ଟିଏ ନେଇ ସେକ୍ରେଟେରୀ ଠେକୁଆ ତା ମନରେ ବହୁବେଳୁ ଜାତ ହୋଇସାରିଥିବା ସେ ଯୋଡ଼ିକ ପ୍ରଶ୍ନରୁ ପ୍ରଥମଟିକୁ ଯୁକ୍ତି କରିବାକୁ ସମର୍ଥ ହୋଇଥିଲା–

 

“ସାର୍ ! ଅରଣା ମଇଁଷୀମାନଙ୍କୁ କୌଣସି ଶିକ୍ଷା ଦେବା କ’ଣ ଏତେ ସହଜ ହେବ ? ସେମାନେ ତ କୌଣସି ଶିକ୍ଷା ନିଅନ୍ତି ନାହିଁ ବୋଲି ବଣର ଅନ୍ୟାନ୍ୟ ପଶୁମାନେ ପ୍ରାୟ ପ୍ରତିଦିନ ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୁଦ୍ଧରେ !”

 

ଡାଇରେକ୍‍ଟର ମଙ୍କିର ମୁହଁର ସ୍ଵାଭାବିକ କଳାରଙ୍ଗ କାହିଁକି କେଜାଣି ଆହୁରି କଳା ଦେଖାଗଲା ସେକ୍ରେଟେରୀର ସେଇ ପ୍ରଶ୍ନରେ । ତାର ପ୍ରକୃତି ସୁଲଭ ବିଷାଦ ସ୍ପଷ୍ଟ ହୋଇ ଉଠିଲା ସେଇ କଳା ମୁହଁଟି ଭିତରେ ମିଟିମିଟି କରୁଥିବା ଯୋଡ଼ିଏ ଚିନ୍ତାଶୀଳ ଚକ୍ଷୁର ଡୋଳାରେ ।

 

ଡାଇରେକ୍‌ଟରଙ୍କର ସେଇ ବିଷାଦଭାବ ସହିତ ସେକ୍ରେଟେରୀର ଯଥେଷ୍ଟ ପରିଚୟ ଥିବା ସତ୍ଵେ ସାମାନ୍ୟ ଅରଣା ମଇଁଷୀ ପ୍ରସଙ୍ଗରେ ଯେ ସେପରି ବିଷାଦ ଦିଶେ ଏଡ଼େ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କୁ ଏପରି ଆକ୍ରାନ୍ତ କରିବ ମାଈ ଠେକୁଆଟି କାହିଁକି ବା ସନ୍ଦେହ କରିପାରିଥାନ୍ତା ! ହୁଏତ ସେଇ କାରଣରୁ ନିର୍ବୋଧ ସେକ୍ରେଟେରୀ ଠେକୁଆଟି ତାର ନାରୀସୁଲଭ ପ୍ରକୃତିକୁ ସଂଯତ ନକରି ପାରି ମନରେ ଗୁଲୁଗୁଲୁ ହେଉଥିବା ତାର ଦ୍ଵିତୀୟ ପ୍ରଶ୍ନଟିକୁ ଖାଲାସ କରିଦେଲା–

 

“ସାର୍ ! ଇତିହାସ କହୁଚି ପୂର୍ବେ ଏ ଅରଣ୍ୟ କେବଳ ଅରଣା ମଇଁଷୀମାନଙ୍କର ଏକଚାଟିଆ ବାସଭୂମି ଥିଲା । ସେମାନଙ୍କ ପ୍ରକୋପରେ କୌଣସି ପ୍ରାଣୀ ସୁଖରେ ଏ ବଣରେ ରହି ପାରୁ ନଥିଲା । ସେମାନଙ୍କୁ ଶିକ୍ଷା ଦେବାପାଇଁ ଓ ନିୟନ୍ତ୍ରିତ କରିବାପାଇଁ ଗୋଟିଏ ବଣ ବିରାଡ଼ିକୁ ଉପଯୁକ୍ତ ତାଲିମ ଦେବାପାଇଁ ଏ ବଣର ଜନ୍ତୁମାନେ ତାକୁ ବିଦେଶକୁ ପଠାଇବାକୁ ବହୁକଷ୍ଟରେ ସମ୍ମତ କରିଥିଲେ । ମାତ୍ର ବର୍ଷ ଯୋଡ଼ିଏ ତାଲିମ୍‌ ଉତ୍ତାରେ ବଣ ବିରାଡ଼ି ବିଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲା । ସେଇ ସମୟକାଳ ଭିତରେ ବଣ ବିରାଡ଼ି ଏଥର ଶିକ୍ଷାପ୍ରାପ୍ତ ହୋଇଥିଲା ଯେ ତାର ଆଖି ଯୋଡ଼ିକ ନିଆଁ ପରି ଝଟକିବା ସାଥେ ସାଥେ ତାର ଭୁରୁ ଯୋଡ଼ିକ ବହୁ ଉଚ୍ଚକୁ ଟେକି ହେଇଯାଇ ପ୍ରାୟ ମଥା ଉପରେ ପହଞ୍ଚି ଯାଇଥିଲା । ଉଚ୍ଚ ଶିକ୍ଷିତ ବନବିରାଡ଼ି ବିଦେଶରୁ ପ୍ରତ୍ୟାଗମନ କରିବା ପରେ ତାକୁ ବନ୍ୟଜନ୍ତୁମାନେ ଶିକ୍ଷକ ଶିରୋମଣି ଉପାଧି ପ୍ରଦାନ କରିଥଲେ ଏବଂ ତତ୍‌କାଳୀନ ଅତ୍ୟନ୍ତ ଜରୁରୀ ସମସ୍ୟାର ଆଶୁ ସମାଧାନ ପାଇଁ ନିବେଦନ କରିଥିଲା । ଶିକ୍ଷକ ଶିରୋମଣି ବନ ବିଡ଼ାଳ ସମାସାହତାର କାର୍ଯ୍ୟ ଆରମ୍ଭ କରିଥିଲା ଅବଶ୍ୟ । ଅରଣା ମଇଁଷୀର ସାମ୍ରାଜ୍ୟ ଅଚିରେ ଭୁଷୁଡ଼ି ପଡ଼ିଥିଲା । କିନ୍ତୁ ସାର୍ ! ତାର ପରିଣତି କଅଣ ହେଲା ଜାଣନ୍ତି ତ ! ଶିକ୍ଷକ ଶିରୋମଣି ବନ ବିଡ଼ାଳ ଏକଦା ଏଇ ଆପଣଙ୍କ ଆସନରେ ଆସୀନ ହୋଇଥିଲା । ସେତେବେଳେ ଅବଶ୍ୟ ଏ ପୋଷ୍ଟର ନାମ ଥିଲା ଭିନ୍ନ ପ୍ରକାର । ତା’ଛଡ଼ା ସେତ ଥିଲା ସେଇ ମଧ୍ୟଯୁଗୀୟ ସାମନ୍ତବାଦୀ ପରମ୍ପରାର ଶାସନକାଳ । ବନ ବିଡ଼ାଳ ସମୟକ୍ରମେ ତାର ଶିକ୍ଷକ ଶିରୋମଣି ଉପାଧି ପରିତ୍ୟାଗ କରି ପ୍ରଧାନ ଶାସକ ବ୍ୟାଘ୍ରର ଆସନ ଗ୍ରହଣ କରି ନେଇଥିଲା ! ଇତିହାସର ଅଭିପ୍ରାୟ ଭିନ୍ନ ଅବଶ୍ୟ । କୌଣସି କାରଣରୁ ବ୍ୟାଘ୍ରମାନେ ଏ ଅରଣ୍ୟରୁ ଅବଲୁପ୍ତ ହୋଇଗଲେ । ଆସିଲା ଏଇ ନୂଆଯୁଗ ଯେଉଁଥିରେ ଆପଣଙ୍କୁ ହିଁ ଆରଣ୍ୟକଗଣ ବରଣ କରିଚନ୍ତି ଆପଣଙ୍କ ଯୋଗ୍ୟ ଆସନ ଏଇ ଡାଇରେକ୍‍ଟର ପଦବୀରେ ।

 

ବର୍ତ୍ତମାନ ମୋର ପଚାରିବାର କଥା–ହାତୀମାନଙ୍କୁ ଅରଣା ମଇଁଷୀରେ ପରିଣତ କରିବା ଦ୍ଵାରା ଇତିହାସର ପୁନରାବୃତ୍ତି ହେବ ନାହିଁ ତ ? ସେ ଦୁର୍ଦ୍ଦାନ୍ତ ମୁର୍ଖମାନଙ୍କୁ କିଏ ଶାସନ କରିପାରିବ କୁହନ୍ତୁ ତ !”

 

ମାଈ ସେକ୍ରେଟେରୀ ଠେକୁଆର ସେଇ ଦୀର୍ଘ ବିଶ୍ଲେଷଣାତ୍ମକ ଯୁକ୍ତି ସହିତ ଉତ୍‌ଥାପିତ ପ୍ରଶ୍ନଟି ବାସ୍ତବିକ ଡାଇରେକ୍‌ଟର ମଙ୍କିର ମସ୍ତିଷ୍କକୁ ବିଚଳିତ କରିଦେଲା । ଫଳରେ ବିଷାଦଗ୍ରସ୍ତ ହୋଇ ସେ ନିଜ ଅଫିସ୍ ଗଛରୁ ଓହ୍ଲାଇ ଆସି ଦୀର୍ଘ ସମୟ ଧରି ଗଛମୂଳ ମାଟିରେ ଚେକାପକେଇ ବସି ରହିଲା । ସେଦିନ ଅଫିସ୍ ବନ୍ଦପରେ ବହୁ ଡେରିରେ ଘରକୁ ଫେରି ମୁହଁ ଦେଖିଲା ପରେ ଯାଇ ତାର ସେ ବିଷାଦପବଂ ସାମାନ୍ୟ ଘୁଞ୍ଚୁଥିଲା ହୁଏ ତ । ସେଦିନ ରାତିରେ ସେ ତାର ସ୍ତ୍ରୀକୁ ଅରଣ୍ୟର ଭବିଷ୍ୟତ ସମ୍ପର୍କରେ ଗୋଟିଏ ସୁଚିନ୍ତିତ ବକ୍ତୃତା ଶୁଣାଇ କହିଥିଲା–

 

“ଅରଣା ମଇଁଷୀମାନଙ୍କୁ ଶିକ୍ଷିତ ନିୟନ୍ତ୍ରିତ କରିବାପାଇଁ ବନବିଡ଼ାଳର ସାହାଯ୍ୟ ନେବା କେବଳ ମଧ୍ୟଯୁଗୀୟ ନୁହେଁ–ଆଧୁନିକ ଯୁଗରେ ମଧ୍ୟ ସମ୍ଭବ । କିନ୍ତୁ ଆମ ଡାଇରେକ୍‌ଟର ତ ଅଗଣତାନ୍ତ୍ରିକ ହିଂସାର ପନ୍ଥା ଅନୁସରଣ କରିବେ ନାହିଁ ବୋଲି ଆମେ ପ୍ରତିଜ୍ଞାବଦ୍ଧ । ତେଣୁ ଆମ ଆଗରେ ଏକମାତ୍ର ବାଟ ରହିଲା ଗଣତାନ୍ତ୍ରିକ । ସେଥିରେ ଯାହା କିଛି ସମ୍ଭବ ତାହାହିଁ କରାଯିବ ।”

 

ପରଦିନ ସକାଳୁ ଉଠୁ ନ ଉଠୁଣୁ ଡିରେକ୍‌ଟର ମଙ୍କି ଅଫିସ୍ ଯିବା ଉଦ୍ଦେଶ୍ୟରେ ତାର ଦୈନନ୍ଦିନ କାର୍ଯ୍ୟ ଆଦୌ ଆରମ୍ଭ ନକରି ଆମ୍ବତୋଟାରୁ ସିଧା ବାହାରିଗଲା ବଣର ସେଇ ନୀଚା ସନ୍ତସନ୍ତିଆ ଅଞ୍ଚଳକୁ ଯୋଉଠି ଅରଣା ମଇଁଷୀମାନେ ରାତ୍ରିଯାପନ କରନ୍ତି ବୋଲି ସେ ନିଶ୍ଚିତ ଭାବେ ଜାଣିଥିଲା । କିନ୍ତୁ ଅଧିକ ଦୂର ନ ଯାଉଣୁ ହଠାତ୍ ପଛଆଡ଼ୁ ଗୋଟାଏ ସଁ ସଁ ଶବ୍ଦ ଶୁଣି ସେ ଗମ୍ଭୀର ହୋଇ ଠିଆ ହୋଇ ରହିଲା । ମୁହୂର୍ତ୍ତକ ଭିତରେ ସେ ଶବ୍ଦ ଆସି ତାରି ଲାଙ୍ଗୁଡ଼ ପାଖରେ ଅଟକି ଗଲା ।

 

“କିଏ ? ବଳିଆ ?” ପଛକୁ ନ ଚାହିଁ ଅନୁମାନ କରି ଅରଣ୍ୟର ହିଂସ୍ର କୁକୁର ବଳିଆ ବୋଲି ସେ ଯାହାକୁ ସେତେବେଳେ ସମ୍ବୋଧନ କରିଥିଲା ସେ ଯେ ପ୍ରକୃତରେ ଏତେ ଅହିଂସ୍ର ଶାନ୍ତଶିଷ୍ଟ ସାଧାରଣ କୁକୁରଟିଏ ହୋଇଥିବ ତା ସେ କେମିତି ବୁଝିପାରିଥାନ୍ତା ।

 

“ମୁଁ ବଳିଆ ନୁହେଁ ସାର୍ ! ଦେଖୁ ନାହାନ୍ତି କିଏ ମୁଁ !” ପଛରୁ ଏଇ ବିନୀତ ସ୍ଵର ଶୁଣି ଡିରେକ୍‌ଟର ମଙ୍କିର ଦୃଷ୍ଟି ସ୍ଵତଃ ସେ ଦିଗକୁ ଘୂରିଗଲା । ଆଉ, ସେତେବେଳେ ଯାହା ତାର ଦୃଷ୍ଟିଗୋଚର ହେଲା ସେଥିରେ ତାର ଗତ ଦିନର ବିଷାଦଯୋଗ ପୁଣିଥରେ ତାର ମୁହଁ ଆଖିରେ ଉଦୟ ହୋଇଆସିଲା ।

 

“କିରେ ବଳିଆ ତୋର ଏ ଅବସ୍ଥା ! ତତେ ଏ ଦଶା କିଏ ଦେଲା !” କହୁ କହୁ ଡିରେକ୍‌ଟର ମଙ୍କିର ମୁହଁ ଆହୁରି କଳା ପଡ଼ିଗଲା । କାରଣ ଗୁପ୍ତରେ ତା ମନ ଭିତରେ କିଏ ଯେମିତି ବଳିଆ ପକ୍ଷରୁ ଅଭିଯୋଗଟିଏ ଉତ୍‌ଥାପନ କରିସାରିଥିଲା ଯେଉଁଥିରେ ସେ ନିଜେ ହୋଇଥିଲା ଅଭିଯୁକ୍ତ । ମୁହଁ ଖୋଲି ବଳିଆ ଅବଶ୍ୟ ସେ ଅଭିଯୋଗ ପ୍ରକାଶ କଲା ନାହିଁ । କିନ୍ତୁ ଅନ୍ୟପ୍ରକାରେ କଥାଟିକୁ ବୁଲେଇ କହିଲା, “ଆମେ ତ ଆଜିକାଲି ଆଉ ସେ ପୁରୁଣା ହିଂସିକୁଡ଼ା ବଳିଆ କୁକୁର ନାହୁ ସାର୍ ! ଯେଉଁଦିନୁ ହାତୁଣୀମାନେ ଅରଣା ମଇଁଷୀଙ୍କ ସାଥିରେ ସଙ୍ଗମ ଆରମ୍ଭ କଲେଣି ସାର୍, ସେଦିନୁ ଆମେ ବିଲୁଆଙ୍କ ସାଥିରେ ବନ୍ଧୁବାନ୍ଧବ କଲୁଣି ସାର୍ ! ଏବେ ଆମେ ଆଉ ଠେକୁଆ ମିରିଗ ବଧ କରୁନାହୁଁ ଯେ ! ବରଫଳ, ଚାକୁଣ୍ଡାଫଳ, ଆଉ ମଝିରେ ମଝିରେ ଗେଣ୍ଡା, କଙ୍କଡ଼ା ଗୋଟାପଣେ ଖାଇ ବେଶ୍ ଚଳିଯାଇ ପାରୁଚୁ । ଏଥିରେ ଆମର ପୂର୍ବରୂପ ଆଉ ରହିବ କେଉଁଠି ? ତେବେ ଭଲ ହେଲା ସାର୍ ! ଆପଣ ଏ ବଣକୁ ଡାଇରେକ୍‌ଟର ହେଇ ଆସିବାପରେ ବଣରୁ ହିଂସା ଗଲା । ଜାଣିଚନ୍ତି ନା ସାର୍ ଅରଣା ମଇଁଷୀଙ୍କ କଥା ?”

 

ହଠାତ୍ ବଳିଆ ମୁହଁରୁ ଏ ଅଦ୍ଭୂତ ପ୍ରଶ୍ନ ଶୁଣି ଡିରେକ୍‌ଟର ମଙ୍କିର ବିଷାଦ ସତ୍ଵେ କୌତୁହଳ ଖୁବ୍ ବଢ଼ିଗଲା ।

 

“କାହିଁ ? କଅଣ ହେଲା ଅରଣା ମଇଁଷୀଙ୍କର କହ ତ !”

 

“କଅଣ ହେଲା ପଚାରୁଚନ୍ତି ?”, ହସିଲା ବଳିଆ । ଆଉ, କହିଲା, “ସେମାନେ ବଣଛାଡ଼ି ପାଖ ଗାଁ ଗଣ୍ଡାକୁ କୋଉଦିନୁ ଗଲେଣି ସାର୍ ! ବର୍ତ୍ତମାନ ସେମାନେ ଖୁଣ୍ଟରେ ବନ୍ଧା ହୋଇ ପାକୁଳି କରୁଥିବେ କି କଅଣ ! ଆପଣ ଡିରେକ୍‌ଟର ହୋଇ ଏ ବଣକୁ ଆସିଲା ଦିନୁ କୋଉ ପ୍ରାଣୀର ରୂପ ଗୁଣ ନ ବଦଳିଚି କହନ୍ତୁ ! ଜାଣନ୍ତି ନା–ଭାଲୁମାନେ ବର୍ତ୍ତମାନ ବଣ ଛାଡ଼ି ସହରକୁ ପଳେଇ ଗଲେଣି । ନାଚ କରି ପେଟ ପାଟଣା ପୋଷୁଚନ୍ତି । ବଣରେ ଅଇଛା ଆଉ କିଏ ଅଛନ୍ତି କି-?”

 

ବଳିଆଠାରୁ ଅରଣ୍ୟର ସମ୍ବାଦ ପାଇଲା ପରେ ଡିରେକ୍‌ଟର ମଙ୍କିର କଳା ମୁହଁରୁ ଥପ୍ ଥପ୍ ହେଇ ଝାଳ କେଇ ଟୋପା ବୋହି ପଡ଼ିଲା । ତାର କାରଣ ଅବଶ୍ୟ ବଳିଆକୁ ଜଣାପଡ଼ି ନ ଥିଲା ସେତେବେଳେ । ତେଣୁ ସେ ଅରଣ୍ୟର ମହାମାନ୍ୟ ଡିରେକ୍‌ଟର‌ ବାଟକାଟି ଚାଲିଯିବା ପୂର୍ବରୁ ବେଶ୍ ବିଶ୍ଵସ୍ତଭାବେ ଭଲ କରି ଦଫାଏ ଲାଙ୍ଗୁଡ଼ ହଲେଇସାରି ବିଦାୟ ଦେଇଥିଲା ।

 

ସେଦିନ ଡିରେକ୍‌ଟରଙ୍କ ଅଫିସକୁ ଫେରୁ ଫେରୁ ଢେର୍ ଡେରି ହୋଇଯାଇଥାଏ । ଆମ୍ବତୋଟା ପ୍ରାସାଦରୁ ମାତ୍ର ଡାକେ ବାଟ ବରଗଛ ଡାଇରେକ୍‌ଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବାକୁ ସାଧାରଣତଃ ପନ୍ଦର ମିନିଟ୍ ସମୟ ଲାଗିଥାଏ । ତାକୁ କିନ୍ତୁ ସେଦିନ ପ୍ରାୟ ଅଧଘଣ୍ଟାଏ ସମୟ ଦେଇଥିଲା ସେ ସେତିକିବାଟ ଚାଲିବାକୁ । କାହିଁକି କେଜାଣି ବିଷାଦର ଗୋଟିଏ ବୋଝ ତାର ମୁଣ୍ଡ ଉପରେ ଧୀରେ ଧୀରେ ଆହୁରି ଆହୁରି ଓଜନରେ ବଢ଼ି ବଢ଼ି ଯାଉଥାଏ । ସେ ଓଜନକୁ ମୁଣ୍ଡରେ ବୋହି ବାଟ ଚାଲିବାକୁ ଯେ କୌଣସି ସାଧାରଣ ମାଙ୍କଡ଼କୁ ନିଶ୍ଚୟ ଆହୁରି ବେଶୀ ସମୟ ଲାଗିଥାନ୍ତା । କିନ୍ତୁ ବଣର ଅଧିପତି ଅସାଧାରଣ ଡିରେକ୍‌ଟର ମଙ୍କିକୁ ସେ ବୋଝ ଯେତେ ଆକ୍ରାନ୍ତ କରୁ ନ ଥିଲା ସେତିକି ବେଶୀ ଆକ୍ରାନ୍ତ କରୁଥିଲା ତା ନିଜର ଚାଲିବାର ଢଙ୍ଗ ।

 

ଗତ କେତେବର୍ଷ ଧରି ଡିରେକ୍‌ଟର ମଙ୍କି ତାର ଚାଲିବାର ଢଙ୍ଗ ପୂରାପୂରି ବଦଳେଇ ଦେଇଥିଲା । ବହୁ କଷ୍ଟ କରି ସେ ଢଙ୍ଗଟିକୁ ସେ ଆୟତ୍ତ କରିଥିଲା । ମଣିଷ । ମଣିଷମାନଙ୍କ ପରି ପଛ ଦୁଇଗୋଡ଼କୁ ମାଟିରେ ରଖି ସିଧାହେଇ ମୁଣ୍ଡଟେକି ଠିଆ ହେବାପାଇଁ ପ୍ରଥମେ ପ୍ରଥମେ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା ତାକୁ । କିନ୍ତୁ ଅବଶେଷରେ ସେ ତାହା ଶିକ୍ଷା କରିପାରିଥିଲା । ତେବେ ଠେଙ୍ଗାପରି ଏକେବାରେ ସିଧା ହୋଇ ଚାଲିବା ତା ପକ୍ଷରେ ସମ୍ଭବ ନ ହେବା ଯୋଗୁ ଅଳ୍ପ ନଇଁନଇଁ ଚାଲିବାକୁ ତାକୁ ବେଶ୍ କିଛି କଷ୍ଟ କରିବାକୁ ହୁଏ । କିନ୍ତୁ କୌଣସି ଅବସ୍ଥାରେ ସୁଧା ସେ ଆଉ ଦୁଇହାତ ଦୁଇଗୋଡ଼ ଭୂଇଁରେ ଦେଇ ଚାଲିବାକୁ କେବେହେଲେ ପ୍ରସ୍ତୁତ ନ ଥିଲା ।

 

ସେହିପରି ଚାଲିଚାଲି ସେଦିନ ଅଫିସ୍‌ରେ ପହଞ୍ଚିଥିଲା ଡିରେକ୍‌ଟରେ ମଙ୍କି । କିନ୍ତୁ ଅଫିସ୍ ଦୁଆର ମୁହଁରେ ପାଦ ଦେଉ ନ ଦେଉଣୁ ସେକ୍ରେଟେରୀ ଠେକୁଆର ବିକଳ କାନ୍ଦଣାରେ ସେ ହଠାତ୍‌ ଏଭଳି ବିଚଳିତ ହୋଇପଡ଼ିଲା ଯେ ଅଜାଣତରେ ତାର ହାତପାଦ ଉଭୟ ମାଟିରେ ଲାଗିଗଲା ।

 

“ବାଘମାନେ ପୁଣି ଲେଉଟିଲେଣି ଏ ଜଙ୍ଗଲକୁ ସାର୍ !” ସତେକି ତାର ସେଇ କାନ୍ଦଣା ଘନ ଘନ ଶୁଣିବାକୁ ସମସ୍ତେ ଚାହୁଁଥିଲେ, ଏଇଆ ମନେ କରି ମାଈ ସେକ୍ରେଟେରୀ ଠେକୁଆଟି ଆହୁରି ପାଖକୁ ଲାଗିଆସି ଆହୁରି ବଡ଼ ଜୋରରେ ପାଟି କରି ପୁନରାବୃତ୍ତି କରିଆସୁଥିଲା ତା ଡାଇରେକ୍‌ଟର କାନପାଖେ କିନ୍ତୁ ସେତେବେଳେ ସେଇ ଜନ୍ତୁଟାର ଅଦ୍ଭୁତ ଚାରିଗୋଡ଼ିଆ ରୂପ ଦେଖି ସେ ଚମକି ପଡ଼ିଲା । ତା କାନ୍ଦଣା ଛାଏଁ ବନ୍ଦ ହେଇଗଲା ।

 

“ସାର୍ !” ...ମାଙ୍କଡ଼ର ସେଇ ବିରକ୍ତିକର ଅନୁବିବର୍ତ୍ତିତ ରୂପ ମାଈ ସେକ୍ରେଟେରୀ ଠେକୁଆକୁ ନିଶ୍ଚିତ ଭାବେ ବଡ଼ ଅସଭ୍ୟ ଅମାର୍ଜିତ ମନେ ହେଉଥିଲା ।

 

କିନ୍ତୁ ବୋକା ଠେକୁଆଟାକୁ ଗୋଟିଏ ମାରାତ୍ମକ ଚାହାଣୀରେ ସ୍ତମ୍ଭୀଭୂତ କରିଦେଇ ଡିରେକ୍‌ଟର ମଙ୍କି ଗୋଟିଏ ଖେପାରେ ତାର ଅଫିସ୍ ଗଛର ଗଣ୍ଡି ଟପି ଶୀର୍ଷକୁ ଚଢ଼ି ଚାଲିଗଲା ।

 

ସେଇଠାରୁ ସମଗ୍ର ଅରଣ୍ୟକୁ ଝଙ୍କୃତ କରି ସେ ତାର ଡାଇରେକ୍ଟର ପଦବୀରୁ ବନ୍ୟଜନ୍ତୁଙ୍କ ଉଦ୍ଦେଶ୍ୟରେ ଶେଷ ନିର୍ଦ୍ଦେଶଟି ଦେଇଥିଲା–“ଶୁଣ ସମସ୍ତେ ! ଶିକ୍ଷା ଓ ପରିବାର ନିୟନ୍ତ୍ରିତ ଯୋଜନା ଏ ଅରଣ୍ୟରେ କିଛିକାଳ ପାଇଁ ବନ୍ଦ କରି ଦିଆଯାଉଛି । ବର୍ତ୍ତମାନ ପ୍ରୋଜେକ୍ଟ ଟାଇଗରର ହାଓ୍ୱା ବହୁଚି । ବୈଜ୍ଞାନିକମାନେ ପୃଥିବୀର ବାଘ କମିଯାଉଥିବା ଯୋଗୁଁ ଏ ଯେଉଁ ଯୋଜନା ଆରମ୍ଭ କରିଚନ୍ତି ତାର ଜବାବ ଦେବାକୁ ପଡ଼ିବ । ଏଥିପାଇଁ ମୋର ଅନୁରୋଧ ପ୍ରଥମେ ହାତୀମାନେ ହାତୀଛୁଆ ଜନ୍ମ କରନ୍ତୁ । ବଳିଆମାନେ ପୁଣି ଜୀବ ବଧ କରନ୍ତୁ । ଅନ୍ୟାନ୍ୟ ପଶୁପକ୍ଷୀମାନେ ମଧ୍ୟ ନିଜର ଲକ୍ଷ ଲକ୍ଷ ବର୍ଷର ସାଧନା ପ୍ରତ୍ୟାହାର କରନ୍ତୁ । ତଦ୍ୱାରା ଅରଣ୍ୟର ପ୍ରଭୂତ ଉପକାର ସାଧିତ ହେବା ସୁନିଶ୍ଚିତ ।”

 

ଏତିକି କହି ଡିରେକ୍‌ଟର ମଙ୍କିଟି ମହାବିଷାଦରେ ଏକ ଯୋଗାସୀନ ପୁରୁଷ ପରି ବରଗଛର ସୁଉଚ୍ଚ ଶାଖାରେ ବସି ପଡ଼ିଲା ।

 

ସେଇ ଯୋଗାସନ ଅବସ୍ଥାରେ ସୁଦୂର ଅରଣ୍ୟର ଦିଗନ୍ତଆଡ଼ୁ ମାଡ଼ି ଆସୁଥିବା ମହାଭୟଙ୍କର ଶବ୍ଦର ଲହଡ଼ି ତା କାନରେ ବାଜୁଥାଏ । ମଧ୍ୟେ ମଧ୍ୟେ ବିକଳ ଆର୍ତ୍ତନାଦ ମଧ୍ୟ ତା‌ କାନରେ ଆସି ପଡ଼ୁଥାଏ । ତାର ମନେ ହେଉଥାଏ ହୁଏତ ଅନେକଦୂରରୁ ସେ ତାର ପୂର୍ବତନ ସେକ୍ରେଟେରୀ ଠେକୁଆଟିର ଆର୍ତ୍ତନାଦ ମଧ୍ୟ କେତେବାର ଶୁଣିଥିଲା । କିନ୍ତୁ ତା’ର ପ୍ରକୃତ ବିଷାଦର କାରଣ କେବଳ ସେତିକିରେ ସୀମାବଦ୍ଧ ନ ଥିଲା ହୁଏ ତ । ମନକୁ ମନ ସେ ବାରମ୍ବାର ଦୋହରାଉଥାଏ–ଆହା ! ମୋ ମର୍କଟୀଟି ବିଚାରୀ ବନ୍ଧ୍ୟା ନ ହୋଇଥାନ୍ତା କି । ନଚେତ୍ ବର୍ଷ କେତେଟା ଭିତରେ ମୁଁ ଯଦି ଏ ଅରଣ୍ୟକୁ ପ୍ରାଚୀନ ସାମନ୍ତବାଦୀ ମର୍କଟଙ୍କ ହୁଙ୍କାରରେ ଆଚ୍ଛନ୍ନ ନକରି ଦିଅନ୍ତି !

 

ମାନସ, ସେପ୍‌ଟେମ୍ବର/ଅକ୍ଟୋବର,୧୯୭୭

Image

 

ମଶାଣିକୁ ଯିବା

 

“ମୋ ସ୍ତ୍ରୀ ମଶାଣିରେ ପଡ଼ିଚି ବାବୁ–କ୍ୱିଣ୍ଟାଲେ କାଠ କିଣିବାକୁ ପଇସା ମାଗି ମାଗି ବୁଲୁଚି ଆଜ୍ଞା ଦି ପହରୁ ଯେ ସଞ୍ଜ ହେଲାଣି ଆସି । ମୋ ପିଲେ ବସିଚନ୍ତି ସେଇ ମଶାଣିରେ–ମା’ର ଶବ ପାଖେ । ସାଇଟୋକା ଘେରିଚନ୍ତି । ଜିଦି କରୁଚନ୍ତି ଆଜ୍ଞା–ପୋଡ଼ା ନ ହେଲେ ମାଡ଼ ଦବାକୁ ଘେରିଗଲେ ଆଜ୍ଞା । ସାର୍, ମୋ ଅବସ୍ଥା ଦେଖିଲେ ସାର୍ ! କ୍ୱିଣ୍ଟାଲେ କାଠ ଆଜ୍ଞା ପନ୍ଦର ଟଙ୍କା ! କୋଉଠୁ ଆଣିବି ? ମୁଁ କହୁଚି ଆଜ୍ଞା ଫୋପାଡ଼ି ଦେଇ ଚାଲିଯିବି । କୁକୁର ବିଲୁଆ ଘଡ଼ିକେ ସଫା କରିଦେବେ ସାର୍ । ମତେ ଟୋକାଏ ମାରିଲେ । ଦେଖନ୍ତୁ ସାର୍, ମୋ ଲୁଗା ଖଣ୍ଡିକୁ ବି ଚିରିଦେଲେ-। ମତେ ବଞ୍ଚାନ୍ତୁ ସାର୍ । ମୋ ପିଲାଙ୍କୁ ବଞ୍ଚାନ୍ତୁ ସାର୍ !”

 

ଲୋକଟା–ଚାଳିଶ ପଇଁଚାଳିଶ କି ତଦୁର୍ଦ୍ଧ୍ଵ ବୟସର । ମଇଳା ଚିରା ଧୋତୀ ଖଣ୍ଡିଏ ପିନ୍ଧିଥାଏ । ଚିରା କି ଦଢ଼ ହାଫ୍ ଶାର୍ଟଟିଏ ଦିହରେ ଗଳେଇଥାଏ କେଜାଣି । ଅନ୍ଧାରିଆ କବାଟ କଣରୁ ମୁହଁ ଗଳେଇ ଆଗ ଚିରା ଲୁଗା ଖଣ୍ଡକର କାନି ସେ ବଢ଼େଇ ଦେଲା ଆମ ଆଡ଼କୁ । ତା’ପରେ ପୁଣି ବନେଇଚୂନେଇ କହିଲା ଆଉ ନିଶ୍ୱାସେ ବାହାନ୍ନବା ବର୍ଣ୍ଣନା–

 

“ମୋ ଘର ପିପିଲି ପାଖରେ ଆଜ୍ଞା । ମାଇପ ପେଟକୁ ମାଇଲା । ବାଇସୋଢ଼ା ଖାଇଦେଲା । ପେଟରେ ଘା । ସେଥେରେ ସୋଢ଼ା ସମ୍ଭାଳିବ କେତେ ଆଜ୍ଞା । ଗଡ଼ିଲା ପଡ଼ି । ଗାଡ଼ିକରି ଆଇଁଲି ତାକୁ ଛ’ନମ୍ବର-ଡାକ୍ତରଖାନା । ଡାକ୍ତରବାବୁ ଭାରି ଭଲ ମଣିଷ ସାର୍ । ପେଟ ଚିରି ଦେଲେ । ପୁଣି ସିଲେଇ କରିଦେଲେ । କହିଲେ ଭଲ ହୋଇଯିବ । ଭଲ ହୋଇଗଲା ଆଜ୍ଞା ସତରେ । ବସିଲା, ଉଠିଲା, ହସିଲା, କଥା କହିଲା । ତା ପରେ ତ ! ଉଠିଲା କାଶ । କାଶି କାଶି ନୟାନ୍ତ । ପେଟ ଫାଟିଗଲା । ସିଲେଇ ଫାଟିଗଲା ଆଜ୍ଞା । ଚାହୁଁ ଚାହୁଁ ଆମରି ଆଖି ଆଗରେ ମଲା ସେ । ମତେ କି ହନ୍ତସନ୍ତ ନ କଲା କହନ୍ତୁ ନାଇଁ ଆଜ୍ଞା । ଚାରି ଚାରିଟା ଛୁଆ କାନ୍ଦି ଗଡ଼ୁଛନ୍ତି । ମୋ ପାଖରେ ଫଟା ପାହୁଲାଟିଏ ନାହିଁ । ଝାଡ଼ିଝୁଡ଼ି ଦେଇ ଦେଇଚି ସବୁ ଡାକ୍ତରଙ୍କୁ । ଏବେ ମଡ଼ା ପୋଡ଼ିବାକୁ ବଳ କାଇଁ ଆଜ୍ଞା କହନ୍ତୁ ସାର୍ । ଭଗବାନଙ୍କୁ ସାକ୍ଷୀ ରଖି କହୁଚି । ମଶାଣିକୁ ନେଲି । ମଡ଼ାକୁ କୁକୁର ବିଲୁଆଙ୍କ ମୁହଁରେ ନ ଦେଇ ଆଉ କ’ଣ କରିଥାନ୍ତି କହନ୍ତୁ ଆଜ୍ଞା । ଛୁଆ ମୋର କାନ୍ଦି ଗଡ଼ୁଚନ୍ତି । ଏତିକିବେଳଠୁ କୋଉଠୁ ବାହାରିଲେ ସେ ଟୋକା ପଞ୍ଜାକ । ଠେଙ୍ଗା ବାଡ଼ି ଧରି ତିଆର । ଗୋଡ଼େଇ ଗୋଡ଼େଇ ଧଇଲେ ମତେ । ପିଟିଲେ । ଲୁଗାପଟା ଚିରିଦେଲେ । ମୋ ଛୁଆଙ୍କୁ ଟାଣି ଓଟାରି ନେଇ ବସେଇଲେ ମଡ଼ା ପାଖେ । ମତେ ପଠେଇଦେଲେ । ଏକା ଜିଦି–ଯା କାଠ ଆଣ । ମଡ଼ା ପୋଡ଼ିବୁ ତ ଏଠୁ ତୋ ପିଲା ଯିବେ । ନ ହେଲେ...”

 

ବଦମାସ୍ ଲୋକଟା କେବଳ କଥା କହି ଶିଖି ନାହିଁ । ତାକୁ ଅପୂର୍ବ ଅଭିନୟ ଜଣା । କୋଉଠି କେତେଦିନ ଲାଗି ସେ ଆୟତ୍ତ କରିଥିଲା କେଜାଣି ସେଭଳି ବିଭତ୍ସ ଭାଷା, ବିଭତ୍ସ ଅଭିନୟ !

 

ଜଗଦୀଶ୍ ମୋ ମୁହଁକୁ ଚାହିଁଲା ଆଉ ମୁଁ ଚାହିଁଲି ତା ମୁହଁକୁ । ଆମେ ଦୁଇଜଣ ଆଜି ଶିକାର ହେଇଥିଲୁ ସେ ଠକଟାର । ତା ଅଭିନୟ ପାଇଁ ଆଉ ଜାଗା ନପାଇ ସେ ବଦମାସ୍ ଆସି ପହଞ୍ଚିଥିଲା ଆମରି ପାଖରେ ।

 

ଜଗଦୀଶ୍‌ର ପ୍ରେସ୍ ଏ ଅଞ୍ଚଳର ଅନେକ ଲୋକଙ୍କର ଆଶ୍ରୟ ସ୍ଥଳ । ସେଠିକି ଆସନ୍ତି ବହୁପ୍ରକାର ଲୋକେ । –ଆର୍ତ୍ତୀ, ଅର୍ଥାର୍ଥୀ, ଜିଜ୍ଞାସୁ ଇତ୍ୟାଦି ଭାରି ଆଡ଼୍‌ଡ଼ା ବସେ ସଞ୍ଜବେଳେ । ଚାଲେ ବହୁ ଆଲୋଚନା । ବେଳେ ବେଳେ ଖିଆପିଆ ମଧ୍ୟ । ସାହିତ୍ୟିକମାନେ ଜୁଟନ୍ତି ସେଠି । ରାଜନୀତି ବାଲାଏ ଜୁଟନ୍ତି ସେଠି । ଜୁଟନ୍ତି ମଧ୍ୟ ଟାଉଟର ଅନେକ । ଜଗଦୀଶ୍ ସେ ସମସ୍ତଙ୍କର ଆଶ୍ରୟସ୍ଥଳ । ସମସ୍ତଙ୍କର ସମସ୍ୟା ଜଣା ତାକୁ । ସମସ୍ତଙ୍କ ସାଥିରେ ଭାବଦୋସ୍ତି ତାର; ଆଉ ସମସ୍ତେ ମୁଣ୍ଡେଇଥାନ୍ତି ତାକୁ–କାରଣ ସମସ୍ତଙ୍କ ସମସ୍ୟା ଜଣା ତାକୁ ।

 

ଏ ପରିସ୍ଥିତିରେ ସେଦିନ ସଞ୍ଜବେଳେ ସେ ଯେଉଁ ଲୋକଟି ଅନ୍ଧାରିଆ କବାଟ କଣରେ ମୁହଁ ଲୁଚେଇ ଆମକୁ ପହିଲେ ତା ଚିରାଲୁଗାରୁ ଫାଳେ ଦେଖେଇଦେଲା ଆଉ ତାପରେ ଦେଖେଇଲା ସେ ବିଭତ୍ସ ଚିତ୍ରଟା ସେଥିରେ ସେ ଯେ କୋଉ ଉଦ୍ଦେଶ୍ୟରେ ଆସି ପହଞ୍ଚିଲା ସେଠି, ସେଇ ଜଗଦୀଶ ପ୍ରେସ୍‌ରେ, ସେ କଥା ଆମକୁ ଅଛପା ରହିଲା ନାହିଁ ।

 

ଲୋକଟାର ସ୍ଵର ଶୁଣୁ ଶୁଣୁ ଇଞ୍ଜିନିୟର ଅର୍ତ୍ତବାବୁ ଜଗଦୀଶକୁ ଅନେଇ ହସିଦେଲେ ଆଉ ସମସ୍ତଙ୍କୁ ଶୁଣେଇ କହିଲେ–

 

“ଆସିଗଲେ ଅଭ୍ୟାଗତେ । ଆଜି ସଞ୍ଜବେଳ କଟିଲା ଜାଣ ଏଇଥିରେ । ଦେ-ଶୀଘ୍ର ବିଦାକର । ନ ହେଲେ ସଇଲା ଜାଣ ସନ୍ଧ୍ୟାଟା... ।”

 

“ଆରେ ହେ !” ସ୍ଥାନୀୟ ଗଣ୍ୟମାଣ୍ୟ ସାହିତ୍ୟିକ ସନ୍ତୋଷ ବାବୁ ଲୋକଟାକୁ କବାଟ କଣରୁ ବାହାରି ଆସିବାକୁ ଆହ୍ୱାନ ଦେଇ ଜଗଦୀଶକୁ ଶୁଣାଇଦେଲେ, “ଏ ଲୋକଟା ପକ୍କା ଟାଉଟର । ଶଳାକୁ ପାହୁଲାଟାଏ ଦବାର ନୁହଁ । କାହିଁକି ! ମୋର ତ ମନେହେଉଚି ଏ ହାରାମିକୁ ମୁଁ ଆଗରୁ ଆଉ ଠାଏ ଦି’ଠା ଦେଖିଚି କୋଉଠି । ଦେଖିଲ, କି ଭାଣ୍ଡାମୀ । ଆରେ, ପଇସା କେତେଟା ପାଇଁ ମଣିଷ କେତେ ତଳକୁ ଚାଲିଯାଇପାରେ ! ମାଇପକୁ ମଡ଼ା କଲୁ ତ କଲୁ । ଏବେ, ଏତେ ବିଭତ୍ସ ଅବସ୍ଥାକୁ ଆଣୁଛୁ କେମିତି ସ୍ତ୍ରୀ ଲୋକଟାକୁ ! ବାଇସୋଢ଼ା ଖାଇଲା । ପେଟ ଫାଟିଗଲା । ଡାକ୍ତର ପେଟ ଚିରିଲା । ପୁଣି ସିଲେଇ ଫାଟିଗଲା–କ’ଣ ନା କାଶି କାଶି ପେଟ ଫାଟିଗଲା । ଶାଲା ହରମଜାଦା କୋଉଠିକାର । ମଣିଷକୁ ଏତେ ତଳକୁ ଆଣୁଛୁ ! ପୁଣି ନିଜ ସ୍ତ୍ରୀକୁ ନେଇ ଏ ବର୍ଣ୍ଣନା । ହଇବେ, ଚାଲିଲୁ ଦେଖିବା କୋଉ ମଶାଣିରେ କୋଉ ମାଇପ ତୋର ପଡ଼ିଚି ଅବିକା ! କୋଉଠି ତୋ ପିଲା କାନ୍ଦୁଛନ୍ତି–ଟୋକାମାନେ ଠେଙ୍ଗା ବାଡ଼ି ଧରି ଘେରିଛନ୍ତି ! ଶଳା–ଦୁନିଆକୁ ବଦନାମ କରୁଚି । ଭଗବାନଙ୍କୁ ନିନ୍ଦା କରୁଚି । ମଣିଷକୁ ଏତେ ନିଚ୍ଚ, ଦୀନ-ହୀନ, ଅକିଞ୍ଚନ କରୁଚି ସାମାନ୍ୟ ପଇସା କେଇଟା ପାଇଁ !

 

ଜଗଦୀଶକୁ ଘେରି ସେଦିନ ସଞ୍ଜବେଳେ ଆହୁରି ଅନେକ ବସିଥାନ୍ତି । ବସିଥାନ୍ତି ସେଠି କଣ୍ଟ୍ରାକ୍ଟର ରାଜୁବାବୁ । ବସିଥାନ୍ତି ସ୍ଥାନୀୟ ମାତବର ରାଜନୀତି ବାଲା ଜଣେ ଦି’ଜଣ । ବସିଥାନ୍ତି ମଧ୍ୟ ଦୀନେଶ ବାବୁ ସାମ୍ବାଦିକ । ସମସ୍ତେ ଏକାବେଳକେ ବ୍ୟସ୍ତ ହୋଇ ପଡ଼ିଥାନ୍ତି ଆଉ ଜଗଦୀଶ ଉଦେଶ୍ୟରେ ଲୋକଟାକୁ ଶୁଣେଇ ଶୁଣେଇ ଶୋଧା ଆରମ୍ଭ କରି ଦେଇଥାନ୍ତି–ସେଇ ଏକା ଧରଣର ।

 

ଲୋକଟା ଇତିମଧ୍ୟରେ ତା’ର ଅଭିନୟ ଚଳେଇଥାଏ ଯଥାରୀତି । ମିଛୁଆ ଗାଲୁଆ ଧପପାବାଜିଆମାନେ ଏ ଦେଶ ଗୋଟାକଯାକ ଭିକାରୀ, ଦୀନହୀନ ବେଶରେ, ଭାଗ୍ୟହୀନ ବେଶରେ ଏପରି କି ବାବାଜୀ ସାଧୁ ସନ୍ୟାସୀ ବେଶରେ ଘୂରି ଘୂରିକା ଯେତେସବୁ ଅଭିନୟ କରି ଜନମନ ହରଣକରି ପେଟ ପୋଷିବାରେ ବ୍ୟସ୍ତ ସେ ସବୁ ଲକ୍ଷଣ ପ୍ରକାଶ କରି ସେ ବଦମାସ୍ ଚଲେଇଥାଏ ତା’ ଅଭିନୟ ।

 

“ଅଜ୍ଞାମାନେ !” ମଝିରେ ମଝିରେ ଛେଳି ଭଳି ମି ମି ହେଇ କେମିତି ଗୋଟାଏ ସ୍ୱରରେ କାନ୍ଦିଲାଭଳି ଚମକେଇ ଦେଉଥାଏ ମଧ୍ୟ ସେ ଛଉକା ଚୋରଟି ଆମ ସମସ୍ତଙ୍କୁ, ଆଉ ଡାକୁଥାଏ–

 

“ଆସନ୍ତୁ ଆଜ୍ଞା ! ଯଦି ସନ୍ଦେହ କରୁଛନ୍ତି–ମତେ ବିଶ୍ୱାସ ନ କରୁଛନ୍ତି–ଆସନ୍ତୁ ଆଜ୍ଞା ମୋ ସାଥିରେ ମଶାଣିଯାକେ । ଦେଖିବେ, ସ୍ଵଚକ୍ଷୁରେ ଦେଖିବେ ଆଜ୍ଞା ମୋ କଥା ସତ କି ମିଛ ! ମୋ ମାଇପ ଯଦି ମରି ନ ପଡ଼ିଥିବ ସେଠି ମୋ କହିଲା ବାଗେ, ମୋ ପିଲାମାନେ ଯଦି ବନ୍ଧା ପଡ଼ି ନ ଥିବେ ଆଜ୍ଞା ସେଠି ମୋ କହିଲାବାଗେ ଆଉ ଟୋକାମାନେ ଠେଙ୍ଗା ବାଡ଼ି ଧରି... ମତେ ପୁଲିସରେ ଦେବେ ଆଜ୍ଞା, ହଁ ପୁଲିସରେ ଦେବେ ଆଜ୍ଞା ! ଆସନ୍ତୁ ମଶାଣିଯାକେ !”

 

ଜଗଦୀଶ ପ୍ରେସ୍ ପାଖରୁ ମଶାଣି ବେଶୀ ଦୂର ନୁହେଁ । ଦୁଇ କିଲୋମିଟରରୁ କିଛିକମ୍ । ଆମ ପାଖେ ପ୍ରାୟ ଅଧଡଜନେ ଗାଡ଼ି, ମଟର ସାଇକେଲ, ସ୍କୁଟର ଥାଏ ସେତେବେଳେ । ଲୋକଟାର କଥାର ସତ୍ୟତା ଅନୁସନ୍ଧାନ ପାଇଁ ଆମକୁ ମଶାଣିଯାକେ ଚାଲିଯିବା ପାଇଁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ, ବେଶୀ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ଜାଣୁ ଆମେ । କିନ୍ତୁ ସେ ବଦମାସ୍‌ର ଡାକରା–ଆସନ୍ତୁ ଯିବେ ମଶାଣିଯାକେ–ଆମକୁ ଏଡ଼େ ବିରକ୍ତିକର ଶୁଣା ଯାଉଥାଏ ଯେ ଲୋକଟାକୁ ଆଉ ମୁହୂର୍ତ୍ତେ ସହ୍ୟ କରିବାକୁ ବହୁତ ଧୈର୍ଯ୍ୟ ଖର୍ଚ୍ଚ କରିବା ଦରକାର ହେଉଥାଏ-

 

“ଆବ୍‌ବେ, ତୋ ମାଇପକୁ ଯଦି ପୋଡ଼ିବା ପାଇଁ ଟଙ୍କା ନ ଥିଲା ପାଖରେ ଡାକ୍ତରଖାନାରୁ ଆଣିଲୁ କାହିଁକି ଏତେ ବାଟ ମଶାଣିଯାକେ ? ସେଇଠି ଛାଡ଼ି ଦେଇ ପଳେଇଲୁ ନାଇଁ ଗାଁକୁ ପିଲାଙ୍କୁ ଧରି ସାଥିରେ !” ଇଞ୍ଜିନିୟର ଆର୍ତ୍ତବାବୁ ତାଙ୍କର ପ୍ରାକ୍‌ଟିକାଲ ବୁଦ୍ଧି ପ୍ରୟୋଗ କରି ଲୋକଟାକୁ ଜେରା କରିବା ଆଳରେ କୌଣସି ପ୍ରକାରେ ଭଗେଇ ଦବାକୁ ଚାହିଁଲେ ।

 

କିନ୍ତୁ ଟାଉଟର ବୁଦ୍ଧି ଆର୍ତ୍ତବାବୁଙ୍କ ବୁଦ୍ଧି ଠାରୁ ଆହୁରି ପ୍ରାକ୍‌ଟିକାଲ । କାନ୍ଦୁଣୁମାନ୍ଦୁଣୁ ହୋଇ କହିଲା ସେ–

 

“ଆଜ୍ଞା, କେମିତି କହୁଛନ୍ତି ଏ କଥା ! ମୋର ଏ ବିପଦ ଉପରେ ଆପଣଙ୍କ ଜିଭ ଲେଉଟୁଛି କେମିତି ଆଜ୍ଞା ଏଡ଼େ ବଡ଼ ମାଡ଼ ଦବାକୁ ସାର୍ । ଡାକ୍ତରଖାନାରେ ମଡ଼ା ଥୋଇ ଦେଇ ଆସିଲେ ଆମେ ଜାତିରେ ରହିବୁ କେମିତି ଆଜ୍ଞା ! ଲୋକେ କ’ଣ କହିବେ ! ଏ ଦୁଃଖକୁ ସେ ଦୁଃଖ ବଳେଇ ଯିବ ସାର୍–ଆପଣ ନ ଜାଣିବା ଲୋକ ନୁହଁନ୍ତି । ମଡ଼ା ହାଡ଼ିହାତ ହେଲେ କଅଣ ହୁଏ ତେଣେ ଗାଁରେ ବୁଝନ୍ତି ନାଇଁକି ଆପଣେ ।”

 

“ଚୋପ ! ହାଡ଼ି ହାତ ଗୋଟାଏ କ’ଣ ଏ ଯୁଗରେ ?”

 

ସାହିତ୍ୟିକ ସନ୍ତୋଷବାବୁ ପ୍ରକୃତରେ ଧୌର୍ଯ୍ୟହରା ହୋଇ ସାରିଥିଲେ ସେ । ଜଗଦୀଶର ଅଫିସ୍ ଟେବୁଲ୍ ଉପରୁ ପେନ୍‌ସିଲ କଟା ଛୁରିଟାକୁ ଶୂନ୍ୟରେ ହଲେଇ ହଲେଇ ସେ ଚିତ୍କାର କରି ଉଠିଲେ–“ଯାହାର ଜାତିଭେଦ ଯାଇନାହିଁ ଏଯାଏ ମନରୁ, ସେ ଲୋକ ତ ଏଇ ଅବସ୍ଥା ହବ ହିଁ ହବ । ତମକୁ ଟୋକାମାନେ ବାଡ଼େଇଛନ୍ତି ତ ଠିକ୍ କରିଛନ୍ତି । ମାଡ଼ ହୋଇନାହିଁ ପୂରାପୂରି-। ଲୁଗା କ’ଣ ଚିରି ଦେଇଛନ୍ତି କହୁଚ ? ତମକୁ ଆହୁରି ପିଟଣ ଦରକାର । ମିଛ କହି ସଂସାରଟାକୁ ଡୁବେଇଲଣି । ସ୍ତ୍ରୀକୁ ଅପମାନ କରୁଚ । ପିଲାଙ୍କୁ ନିରିମାଖି କରି ମିଛରେ ମିଛରେ ଶ୍ମଶାନରେ ବସେଇଚ । ଏଣେ ଟୋକା ବାଡ଼ୋଉଛନ୍ତି କହି ସମାଜକୁ ନିନ୍ଦୁଚ । ତେଣେ ପୁଣି ସେଇ ସମାଜ ନାଁରେ ମିଛ କହୁଚ । ହାଡ଼ି ହାତ ! କାଇଁ ? ତମେ ଏମିତି କିଏ କି ? ମାଇପର ମଡ଼ା ପୋଡ଼ିବାକୁ ଭିଖ ମାଗୁଚ, ଏଣେ ହାଡ଼ି ହାତକୁ ଘୃଣା କରି...”

 

“ଆଜ୍ଞା ମତେ ଆଉ ମାରନ୍ତୁ ନାହିଁ, ମୁଁ ମଲିଣି”, ଲୋକଟା ସେତେବେଳକୁ ପୂରାପୂରି ଆସି ଠିଆ ହେଲାଣି ଘର ଭିତରେ । ତା’ର ରୂପ ଗୁଣ ଏବଂ ପ୍ରକୃତି ସବୁ ଗୋଟି ଗୋଟି ହୋଇ ଥୁଆ ହେଇ ସାରିଥାଏ ଆମ ଆଖି ଆଗରେ ।

 

ସେ ଯେ ମହା ଠକ ଆଉ ପାହୁଆ ବଜ୍ଜାତ୍ କାହାଁକା–ଆସିଥାଏ ସେଭଳି ଆମ ଆଗକୁ ସଞ୍ଜଟାକୁ ପୂରା ମାଟି କରିଦେବା ଲାଗି, ଏଥିରେ କାହାରି ସନ୍ଦେହ ନ ଥାଏ ।

 

“ଲୋକଟାକୁ ମୁଁ ଆଗରୁ ଦେଖିଚି–ହଁ ଦେଖିଚି...ଆରେ ମନେ ପଡ଼ିଲା ମନେ ପଡ଼ିଲା...”, ସାମ୍ବାଦିକ ଶିରୀଷଚନ୍ଦ୍ର ଏତେବେଳେ ମୁହଁ ଖୋଲିଲେ ଆଉ ଜଗଦୀଶକୁ ଠାରି କ’ଣ ଇସାରା ଦେଲେ କେଜାଣି ।

 

ଜଗଦୀଶ ଆମ ସମସ୍ତଙ୍କ ଭଳି ସନ୍ଧ୍ୟାଟା ମାଟି ହୋଇଯିବା ଭୟରେ ଅସ୍ଥିର ହେଲାପରି ଜଣା ପଡ଼ୁଥାଏ । କିନ୍ତୁ ସେ ପର୍ଯ୍ୟନ୍ତ ସେ ମୁହଁ ଖୋଲି କିଛି କହି ନଥାଏ । କେବଳ ଲୋକଟାର ଚେହେରାକୁ ଭଲକରି ଠଉରଉ ଠଉରଉ ସେ ଅନ୍ୟମାନଙ୍କ କଥା ଶୁଣୁଥାଏ ।

 

ସନ୍ଧ୍ୟା ଗଡ଼ି ଯାଉଥାଏ । ସମୟ ଆହୁରି ମାଟି ହେଉଥାଏ । ଅଫିସ୍ ପାଇଁ ବଖରାରେ କପ୍ ପ୍ଲେଟର ଠମ୍‌ଠାମ୍ ଆବାଜ୍ କାନକୁ ଆସିବାମାତ୍ରେ ଜଗଦୀଶକୁ ଘେରି ବସିଥିବା ତାର ବନ୍ଧୁମାନେ ଆହୁରି ଉତ୍ୟକ୍ତ ହେଇ ପଡ଼ୁଥାନ୍ତି ସ୍ଵାଭାବିକ ରୀତିରେ । କିନ୍ତୁ ସେ ରାସ୍କେଲ୍ ନଛୋଡ଼ ବନ୍ଧା । ଅବଲୟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଥାଏ ତା’ର ।

 

“ଆଜ୍ଞା, ଆପଣମାନେ ମୋତେ କେହି ଦେଖିନାହାଁନ୍ତି ସାର୍ କେଭେଁ–ମୁଁ ସହରୀ ଲୋକ ନୁହେଁ ଆଜ୍ଞା, ମୋ’ ଘର ଗାଁରେ, ପିପିଲିଠୁଁ ଦଶମାଇଲ କୋଣାର୍କ ରାସ୍ତାରେ... ଗାଁରେ ଆଜ୍ଞା । ଆମେ ଗାଉଁଲୀ ଲୋକ ମିଛ କ’ଣ ଜାଣୁନାଇଁ ସାର୍ । ପୁଣି ଏଡ଼େ ମିଛ–ନିଜ ପିଲାଝିଲାଙ୍କୁ ଘିନି ! ଜିଭ ଛିଣ୍ଡି ପଡ଼ିବ ଆଜ୍ଞା... !” ଅବଲୟର ଗତି ଅବିରତ ରଖିଥାଏ ସେ । ତା’ ଛଡ଼ା ମଝିରେ ମଝିରେ ସେଇ ଏକ ଆହ୍ଵାନ–

 

“ଆସୁନାହାନ୍ତି ମୋ’ ସାଥିରେ–ମଶାଣିଯାକେ !”

 

ତା’ର ସେ ଆହ୍ୱାନକୁ ଆମେ ସମ୍ମିଳିତ ଭାବେ କାଟି ଲାଗିଥାଉ ସେତେବେଳେ ।

 

“ଆବ୍‌ବେ ପେଟରେ ତ ସିଲେଇ ପଡ଼ିଲା । କାଶ ଉଠିଲା କାହିଁକି ତୋ’ ମାଇପର ?” ଆର୍ତ୍ତବାବୁ ଇଞ୍ଜିନିୟର ବରାବର ପ୍ରୟୋଗ କରୁଥାନ୍ତି ତାଙ୍କ ପ୍ରାକ୍‌ଟିକାଲ ବୁଦ୍ଧି ।

 

ସନ୍ତୋଷବାବୁ ସାହିତ୍ୟକ ବରାବର ପ୍ରୟୋଗ କରୁଥାନ୍ତି ତାଙ୍କର ଶୂନ୍ୟରେ ପେନ୍‌ସିଲ୍ କଟା ଛୁରୀ ହଲେଇ ମଣିଷର ଭାଗ୍ୟ ବିରୁଦ୍ଧରେ ତାଙ୍କର ଅବିରତ ସଂଗ୍ରାମ ବୁଦ୍ଧି ।

 

ସାମ୍ବାଦିକ ଗିରୀଶ ଚନ୍ଦ୍ର ବରାବର ପ୍ରୟୋଗ କରୁଥାନ୍ତି ତାଙ୍କର ସ୍ମରଣ ଶକ୍ତି ଜଗଦୀଶକୁ ଠାରି କହୁଥାନ୍ତି–“ମୁଁ ଜାଣେ ଏଟାକୁ–ଦେ ବିଦା କର ଜଲ୍‌ଦି ।”

 

ଏବଂ ଉପସ୍ଥିତ ରାଜନୈତିକ ବ୍ୟକ୍ତି ଦୁଇଜଣ ଆପାତତଃ ଧୈର୍ଯ୍ୟ ନ ହରେଇ ଥିବା ପରି ଦିଶୁଥିଲେ ମଧ୍ୟ ତାଙ୍କ କାନରେ ବରାବର ପଡ଼ୁଥାଏ–କାନ୍ଥ ଆରପଟୁ ଆସୁଥିବା କପ୍ ପ୍ଳେଟ୍ ଓ ବୋତଲର ଠନଠାନ୍‌ ଶବ୍ଦ । ତେଣୁ ସେ ଦୁହେଁ ମଧ୍ୟ ଜଗଦୀଶକୁ ଗମ୍ଭୀର ଚାହାଣୀରେ ଚାହିଁ ଅନେକ କିଛି କହିଯାଉଥାନ୍ତି ।

 

ଏଭଳି ସମୟରେ ଆମେ ଜଗଦୀଶଠାରୁ ଗୋଟିଏ ମାତ୍ର ପ୍ରତିକ୍ରିୟା ବରାବର ଆଶା କରିଥାଉ । ସେ ଇଞ୍ଜିନିୟର ନୁହେଁ, ସାହିତ୍ୟିକ ନୁହେଁ, ସାମ୍ବାଦିକ ନୁହେଁ, ରାଜନୀତିବାଲା ନୁହେଁ । କିନ୍ତୁ ଆଶ୍ଚର୍ଯ୍ୟ କଥା, ଏଇ ସାମାନ୍ୟ ଲୋକଟି ପାଖକୁ ସମସ୍ତେ ଆସନ୍ତି । ବିଶେଷତଃ ବିପଦ ଆପଦରେ ପଡ଼ିଥିବା ଲୋକେ ବେଶୀ ଆସନ୍ତି ଏଇ ଲୋକଟି ପାଖକୁ । ଇଞ୍ଜିନିୟର ଆର୍ତ୍ତବାବୁ ଆସନ୍ତି ତାଙ୍କ ଚାକିରିବାକିରି ବିଷୟ ଘିନି । ସାହିତ୍ୟିକ ସନ୍ତୋଷ ଆସନ୍ତି ତାଙ୍କର ଦୁଶ୍ଚିନ୍ତା ଘେନି । ସାମ୍ବାଦିକ ଶିରୀଶ ଚନ୍ଦ୍ର ଆସନ୍ତି ସ୍ଥାନୀୟ ରାଜନୀତିରେ ହଟଚମଟ ସମ୍ବାଦ ଘେନି । ପୁଣି ରାଜନୀତି ବାଲାଏ ଆସନ୍ତି ଜଗଦୀଶ ଜରିଆରେ ପରସ୍ପରର ଭିତିରି ଖବର ସଂଗ୍ରହ ଲାଗି ଏବଂ ପରସ୍ପରର ଗୋଷ୍ଠୀ ବିବାଦବେଳ ସମାଧାନ ପାଇଁ ସର୍ତ୍ତ ଘେନି । ଜଗଦୀଶ ସେମାନଙ୍କ ଭିତରେ ବସିଥାଏ କର୍ତ୍ତା ବାବୁ ଭଳି । ଖଦଡ଼ ଧୋତି, ଖଦଡ଼ ପଞ୍ଜାବୀଟି ଭିତରୁ ଜଗଦୀଶ ଜଣେ ପ୍ରକୃତ କର୍ତ୍ତାବାବୁ ଭଳି ଦିଶେ । ବିଶେଷତଃ ତା’ର କ୍ଷୁଦ୍ର ଶାରୀରିକ ଆକୃତି ସାଙ୍ଗକୁ ତା’ର ନିର୍ଦ୍ଦୋଷ ଚେହେରା ଆଉ ମିଠା କଥା ଯୋଗୁଁ ସେ ଦିଶେ ଆହୁରି ମାତବର, ଆହୁରି କରିତ୍‌କର୍ମା ମଧ୍ୟ । ଅନ୍ୟର ଝମାଲା ତୁଟେଇବା ପାଇଁ ଜଗଦୀଶଠୁଁ ବଳି ବୁଦ୍ଧିଆ ଲୋକ ବାସ୍ତବିକ୍ ଆଉ କେହି ଥିଲାପରି ଲାଗେ ନାହିଁ । ଅଥଚ ତା’ ଚାରିପାଖେ ଘେରିଥିବା ଲୋକଙ୍କ ତୁଳନାରେ ଜଗଦୀଶର ଅସଲ ସାମାଜିକ ସ୍ଥିତି ସେଡ଼େ ବଡ଼ ଦିଶେ ନାହିଁ ଆଖିକୁ । ଇଞ୍ଜିନିୟର ଆର୍ତ୍ତବାବୁଙ୍କ ପାଠ ଆଗରେ ଜଗଦୀଶ ଗଣେଶଙ୍କ ଆଗରେ ମୂଷାଟିଏ ପରି । ସାହିତ୍ୟିକ ସନ୍ତୋଷଙ୍କ ଆଗରେ ଜଗଦୀଶ ଭକ୍ତ କବି ମଧୁସୂଦନଙ୍କ ପାଖେ ତାଙ୍କ ବର୍ଣ୍ଣବୋଧର ପ୍ରକାଶକଟିଏ ପରି । ସାମ୍ବାଦିକ ଶିରୀଷଚନ୍ଦ୍ରଙ୍କ ଆଗରେ ଜଗଦୀଶ ଇଂରେଜୀ ଷ୍ଟେଟ୍‌ସମ୍ୟାନ୍ କାଗଜ ପାଖରେ ଓଡ଼ିଆ ମାସିକ ହୁଙ୍କାପିଟା ପରି । କିନ୍ତୁ ଏସବୁ ସତ୍ତ୍ୱେ ଏ ସମସ୍ତେ ବିପଦ ଆପଦ ବେଳେ ବେଢ଼ନ୍ତି ଜଗଦୀଶକୁ । ଜଗଦୀଶର ଉପଦେଶ ବଞ୍ଚାଏ ସେମାନଙ୍କୁ । ଏ ଉପକାରର ପ୍ରତିଦାନରେ ସେମାନେ ଜଗଦୀଶକୁ କିଛି ଦିଅନ୍ତୁ ବା ନ ଦିଅନ୍ତୁ; କିନ୍ତୁ ପ୍ରତିଦିନ ସଞ୍ଜ ବେଳେ ବେଶ୍ ଜମାଉତ୍ ବସେ ସେମାନଙ୍କର ଜଗଦୀଶର ଏଇ ଛୋଟ ପ୍ରେସ୍‌ର ଅଫିସ୍ ଘରେ । ତେବେ ଏମାନଙ୍କୁ ହେପାଜତ୍ କରିବାର ଭାର ନିଜ ଉପରକୁ ନିଜେ ନେଇଯାଏ ସେଇ କର୍ତ୍ତାବାବୁ ପରି ମଣିଷଟି ।

 

ଜଗଦୀଶର ଏ ଆକର୍ଷଣ କେବଳ ସାମାଜିକ ପ୍ରତିପତ୍ତିଶାଳୀ ଲୋକଙ୍କୁ ଆକୃଷ୍ଟ କରେ ନାହିଁ ତା’ ଆଡ଼କୁ । ନାନା ଜାତିର ଦୁଃଖୀ ଅର୍ଥାର୍ଥୀ ଜିଜ୍ଞାସୁମାନଙ୍କ ବ୍ୟତୀତ ବେଶୀ ଠକ, ଭଣ୍ଡ, ଦ୍ୱାଚୋର ଆଉ ଟାଉଟର ମଧ୍ୟ ସ୍ଵତଃ ଓଟାରି ହେଇ ପଳେଇ ଆସନ୍ତି ସହରର ଏଇପଟେ–ଜଗଦୀଶର ସେଇ ଛୋଟିଆ ପ୍ରେସ୍‌ଟି ଆଡ଼କୁ । ଜଗଦୀଶ ଏମାନଙ୍କୁ ମଧ୍ୟ ସାହାପକ୍ଷ ହୁଏ ବୋଲି ବେଶ୍ କିଛି ସୁଖ୍ୟାତି ବା କୁଖ୍ୟାତି ଅର୍ଜନ କରିଥାଏ ତା’ ନିଜ ସ୍ଵଭାବ ଗୁଣ ବା ଦୋଷରୁ । ତେଣୁ ଗୋଟିଏ ବଢ଼ିଆ ସନ୍ଧ୍ୟାରେ ଯେତେବେଳେ ଆରପଟ ବଖରାରେ କପ୍‌ପ୍ଲେଟ୍‌ର ଠକ୍‌ଠାକ୍ ଆଉ ବୋତଲର ଟୁଂଟାଂ ଉପସ୍ଥିତ ସମସ୍ତଙ୍କୁ ଅସ୍ଥିର କରିସାରି ଥାଏ, ସେତେବେଳେ ସେ ବଜ୍ଜାତ୍ ଠକର ଆବିର୍ଭାବ କିଛି ଅସମ୍ଭାବିତ ନ ଥିଲା ନିଶ୍ଚେ । ଏହି କାରଣରୁ ସମସ୍ତେ ଜଗଦୀଶକୁ ଘେରି ସେ ଠକ ସମ୍ଵନ୍ଧରେ ନିଜର ଅଭିମତ ଦେବା ସମୟରେ ତାକୁ ଶୀଘ୍ର ବିଦା କରିବା ଲାଗି ଜଗଦୀଶକୁ ପ୍ରଭାବିତ କରି ଲାଗିଥାନ୍ତି ।

 

କିନ୍ତୁ ଏସବୁ ସତ୍ତ୍ୱେ ଜଗଦୀଶ ଆଡ଼ୁ କୌଣସି ଚାଲ୍‌ର ଟେର ନ ମିଳିବା ଯୋଗୁ ଶେଷରେ ଲୋକଟା ସହିତ ସିଧାସଳଖ ‘ଡିଲ୍’ ଆରମ୍ଭ କରିଦେଲେ ପ୍ରଥମେ ଇଞ୍ଜିନିୟର ଆର୍ତ୍ତବାବୁ-

 

“ଆବେ ! କାଠ କ୍ଵିଣ୍ଟାଲେ ଦାମ୍ କେତେ ପଡ଼ିବ କହ, ଶୀଘ୍ର କହ !”, ଆର୍ତ୍ତବାବୁ ତାଙ୍କ ପକେଟ୍ ଦରାଣ୍ଡୁ ଦରାଣ୍ଡୁ ତଥାପି ନିଘା କରୁଥାନ୍ତି ଜଗଦୀଶ ମୁହଁକୁ ଆଉ କହୁଥାନ୍ତି, “ଶଳାର କର୍ମ ଫିଟିବ ଆଜି । ଟଙ୍କା ପାଞ୍ଚଟା ପକେଟରେ ପକେଇ ଚାଲିଲା ଜାଣ ଆଜି କାଠାଗୋଲାକୁ ତ ନୁହେଁ ସିଧା ଭାଟି ମୁଣ୍ଡକୁ । ହଉ ଯା ଯା–ତୋ ବକ୍ତେଇ ବଳିଆର । କର୍ମ ସଳଖ । କିନ୍ତୁ ମନେରଖ ଆଉ ଏ ଜାଗା ଯେମିତି ତୋ ଜନ୍ମକେ ନ ମାଡ଼ । ନ ହେଲେ ହବ କ’ଣ ଜାଣୁ ?” ଆର୍ତ୍ତବାବୁଙ୍କ ହାତ ପକେଟରୁ ବହାରି ଆସିଥାଏ ସେତେବେଳକୁ ପାଞ୍ଚଟଙ୍କିଆ ନୋଟ୍ ଖଣ୍ଡିଏ ସେ ଲୋକଟା ହାତକୁ ବଢ଼େଇ ଦେଇ ଆର୍ତ୍ତବାବୁ ତାଙ୍କ ନିଜ ପ୍ରଶ୍ନର ଉତ୍ତର ଶୁଣେଇ ଦେଲେ ସେ ଠକକୁ “ଏଥର ତୋ ମାଇପର ପେଟ ସିଲେଇ ଫାଟିଗଲା କାଶି କାଶି, ଜାଇଁଲୁ ! ଆରଥରକୁ ତୋ–ଫାଟିବ, ଜାଣିଥା ।”

 

ଠକ ଇଞ୍ଜିନିୟରଙ୍କ କଥାକୁ ଶୁଣି ନ ଶୁଣିଲା ପରି ତାଙ୍କ ହାତରୁ ଟଙ୍କା ପାଞ୍ଚଟି ଚିଲ ଭଳି ଝାମ୍ପି ନେଲା ଆଉ ସେତକ ଶାର୍ଟ ପକେଟ୍‌ରେ ପୁରେଇ ପୁଣି ଥରେ ପେଖନ କାଢ଼ିଲା ଭଳି କହିଲା–

 

“ଆଜ୍ଞା, କ୍ଵିଣ୍ଟାଲେ କାଠ-ପନ୍ଦର ଟଙ୍କା । ଆପଣ ମାନେ ବଡ଼ ଲୋକ । ଆଉ ଦଶଟା ଟଙ୍କା ହୁକୁମ୍ ହଉ ଆଜ୍ଞା । ଏ ରାତିରେ ନ ହେଲେ ଆଉ କୋଉଠିକି ଯିବି । ଆପଣ ମାନେ ତ ସନ୍ଦେହ କରୁଛନ୍ତି । ଆଉ କାହାକୁ ଯାଇ କେତେ ବୁଝେଇବି । କିଏ ଦବ ମତେ ଏତେ ଟଙ୍କା ଆଉ ସାର୍ !”

 

ତା’ର ଅଭିନୟ ପୁଣି ଥରେ ଆରମ୍ଭ ହୋଇଗଲା । ମଶାଣିରେ ପିଲେ ତା’ର କି ହନ୍ତସନ୍ତ ହଉଥିବେ, ଟୋକାମାନେ ଥିବେ କି ପଳେଇଯିବେଣି ପିଲାଙ୍କୁ ମଶାଣିରେ ଏକା ଛାଡ଼ିଦେଇ–ଏଇ ଆଶଙ୍କାରୁ ଆହୁରି ଅବଲୟ କରି ବୁଝେଇ ବସିଲା ସେ ଆମକୁ ।

 

ଲୋକଟା ପୁରା ପନ୍ଦରଟଙ୍କା ଆମଠୁଁ ଆଜି ସନ୍ଧ୍ୟାରେ ଝାଡ଼ିବା ମତଲବରେ ଅଛି–ଏ ବ୍ୟାପାର ବୁଝିବାକୁ ଡେରି ଲାଗିଲା ନାହିଁ କାହାରିକୁ, ଆମେ ତାକୁ ସେତକ ଟଙ୍କା ଦେଇ ବିଦା କରିଦେବାକୁ ପରସ୍ପର ଭିତରେ ଇସାରା ଦିଆଦେଇ ହେଇ ଠିକ୍ କରିନେଲୁ, କିନ୍ତୁ ବଜ୍ଜାତ୍‌ଟାକୁ ଜୋଇଁପୁଅ ଭଳି ବିଦା ନ କରି ତାକୁ ଭଲକରି ଗୋଟିଏ ଚେତାବନୀ ଦେବା ଉଦ୍ଦେଶ୍ୟରେ କିଭଳି କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ ହେବ ଏଇ ବିଷୟରେ ଟିକିଏ ଫୁସୁରୁଫାସୁରୁ ହେବା ଆରମ୍ଭ ହେଇଥାଏ ମାତ୍ର ଆମ ଭିତରେ ।

 

ହଠାତ୍ ଜଗଦୀଶର ସ୍ୱର ଠକ ଲୋକଟି ସମେତ୍ ଆମ ସମସ୍ତଙ୍କୁ ଚମକେଇ ଦେଲା ।

 

“ସରୋଜ୍ !”, ଆସିଷ୍ଟାଣ୍ଟ୍‌ଙ୍କୁ ଡାକି ଜଗଦୀଶ ଫର୍ମାଏସ୍ କଲା–“ସର୍ତ୍ତ ।”

 

ମିନିଟ୍‌କ ଭିତରେ କାନ୍ଥ ଆରପାଖରେ ଟୁଂଟାଂ ଶବ୍ଦ କାନ୍ଥ ଏପଟେ, ଆମ ବଖରାରେ, ଜୋରସୋର ଜମିଗଲା । ପ୍ରତ୍ୟେକେ ନିଜ ନିଜ ଗ୍ଳାସ୍ ଧରିନେଲେ ଆଉ ଚିଅର୍ସ ଜଣେଇବାକୁ ଆରମ୍ଭକଲେ ପରସ୍ପରକୁ । କିନ୍ତୁ ସେମାନଙ୍କର ବିରକ୍ତି ଓ ସନ୍ଦେହ ସେଇ ଠକ ଲୋକଟା ଉପରେ ଠୁଳ ନ ହୋଇ ଠୁଳ ହେବାକୁ ଲାଗିଲା ଜଗଦୀଶ ଉପରେ । କାରଣ ଜଗଦୀଶର ମୂଳ ବଦ୍‌ଗୁଣ ସମସ୍ତଙ୍କୁ ଜଣାଥିଲେ ମଧ୍ୟ ଏଭଳି ଏକ ସନ୍ଧ୍ୟାରେ ଗୋଟାଏ ଅପରିଚିତ ନୀଚ ଶ୍ରେଣୀର ଲୋକସାଙ୍ଗେ ଏକାଠି ବସି ପିଇବାକୁ ଆମେ କେହି ପସନ୍ଦ କରିପାରି ନ ଥିଲୁ ।

 

କିନ୍ତୁ ଜଗଦୀଶ ଆମ ସାଙ୍ଗରେ ସେ ଠକଟାକୁ ମଧ୍ୟ ବସାଇ ପିଇବାକୁ ବାଧ୍ୟ କଲା ।

 

ରାତି ସେତେବେଳକୁ ବେଶ୍ ଜମି ଆସିଥିଲା ।

 

ଜଗଦୀଶ ସେ ଠକର ଖାଲି ଗ୍ଳାସ୍‌ରେ କିଛି ହ୍ୱିସ୍କି ଆଚ୍ଛାକରି ଢାଳିଦେଇ କହିଲା–

 

“ୟାଙ୍କୁ ଆପଣମାନେ ଚିହ୍ନନ୍ତି ? ସେ କାଳର ନାମଜାଦା ଷ୍ଟେଜ୍ ଅଭିନେତା ଚନ୍ଦ୍ରମୋହନ-! ଉତ୍କଳ ଥେଟର୍‌ରେ... ?”

 

ଆମର ଆଖି ସେତେବେଳକୁ ସେଇ ଠକ ଉପରେ ସ୍ୱପ୍ନ ପରି କ’ଣ ସବୁ ଦେଖିବାକୁ ଆରମ୍ଭ କରି ଆସୁଥାଏ । କିନ୍ତୁ ଜଗଦୀଶ ଆମର ସ୍ୱପ୍ନଭଙ୍ଗ କରିଦେଇ ଡାକଟାଏ ମାଇଲା–

 

“ଆରେ ସରୋଜ ! ଗାଡ଼ି ବନ୍ଦୋବସ୍ତ କର । ସମସ୍ତେ ମଶାଣି ଯିବା–ମଶାଣିକୁ ।”

 

ଦୁଃସ୍ଥ ଓଡ଼ିଆ କଳାକାର ଚନ୍ଦ୍ରମୋହନଙ୍କ ହାତଧରି ଜଗଦୀଶ ଠିଆ ହୋଇ ପଡ଼ିଲା । ନିଶାରେ ଯେତେ ନୁହେଁ ପ୍ରଚଣ୍ଡ କ୍ରୋଧରେ ସେ ଗୋଟାପଣେ ଟଳଟଳ ହେଉଥାଏ–ଘରୁ ବାହାରି ଗାଡ଼ି ପର୍ଯ୍ୟନ୍ତ ଯିବା ବେଳେ ।

 

ଆମେ ଯଥା ସମୟରେ ଶ୍ମଶାନରେ ପହଁଞ୍ଚିଲୁ ।

 

ମଶାଣିରେ ଯାହା ଦେଖିଲୁ ସେଥିରେ ଆମର ନିଶା ପୂରାପୂରି ଛାଡ଼ିଗଲା ।

 

ଚନ୍ଦ୍ରମୋହନଙ୍କ ଅଭିନୟରେ ଏତେଟିକେ ଉଭଟତା ବା ସିନେମା ଷ୍ଟଣ୍ଟ୍ ନ ଥିଲା । ସେ ଥିଲେ ଜଣେ ଶୁଦ୍ଧ ଓଡ଼ିଆ ଷ୍ଟେଜ୍ କଳାକାର । କେବଳ ମୃତ ସ୍ତ୍ରୀ ଲୋକଟି ତାଙ୍କ ଧର୍ମପତ୍ନୀ ନୁହେଁ ବୋଲି ପରେ ଜଣା ପଡ଼ିଥିଲା ।

 

ଝଙ୍କାର, ବିଷବ,୧୯୭୮

Image

 

Unknown

ଜ୍ଞାନଦନ୍ତ

 

ଥରେ ଜଣେ ଜ୍ଞାନୀ ପଣ୍ଡିତ ନିଜ ଜ୍ଞାନର ଉତ୍ପୀଡ଼ନରେ ଏପରି ଅତିଷ୍ଠ ହୋଇ ଉଠିଲେ ଯେ, ତାହାର ପ୍ରତିକାର ପାଇଁ ସେ ରାଜ୍ୟର ସର୍ବବିଧ ଭେଷଜ ବିଦ୍ଵାନମାନଙ୍କର ସାହାଯ୍ୟ ପ୍ରାର୍ଥନା କରି ସୁଦ୍ଧା ବିଫଳ ମନୋରଥ ହୋଇଥିଲେ । ସେପରି ପ୍ରୟାସରେ ସେ ଏତେଦୂର ହତୋତ୍ସାହିତ ହୋଇ ପଡ଼ିଲେ ଯେ ଦାଣ୍ଡ ପିଣ୍ଡାରେ ବସି ବସି ନାନା ଦୁଶ୍ଚିନ୍ତାରେ ସଢ଼ୁଥିବା ବେଳେ ଦାଣ୍ଡରେ ଶିଶୁ, ବୃଦ୍ଧ ନିର୍ବିଶେଷରେ ଯେକୌଣସି ପରିଚିତ ଅପରିଚିତ ପଥିକ ଯାଉଥିବା ଦେଖିଲା ମାତ୍ରେ ସେ ବିକଳ ହୋଇ ସେଇ ଗୋଟିଏ ମାତ୍ର ପ୍ରଶ୍ନ ପଚାରୁଥିଲେ–

 

“ଭୋ ଭୋ ପଥିକ ! ଜ୍ଞାନପୀଡ଼ାରୁ ଉଦ୍ଧାର ପାଇବାର ପନ୍ଥା କ’ଣ ?”

 

ପଥିକମାନେ ମହାପଣ୍ଡିତଙ୍କ ଦୁଃଖ ବୁଝୁଥିଲେ କି ନା କିଏ ଜାଣେ ! ଅଧିକାଂଶ ନିଜର ଅଜ୍ଞତାସୂଚକ ଚାହାଣୀରେ ପଣ୍ଡିତଙ୍କୁ କେବଳ ସମ୍ମାନସୂଚକ ନମସ୍କାରଟିଏ ଜଣାଇ ଘଟଣାସ୍ଥଳରୁ ଦ୍ରୂତଗତିରେ ବିଦାୟ ନେଇ ଯାଉଥିଲେ । ଅବଶ୍ୟ ଜଣେ ଜଣେ ବଦମାସ୍ ଲୋକ ପଣ୍ଡିତଙ୍କ ଦୁଃଖର ମାତ୍ରା ଲେଶ ମାତ୍ର ଅନୁଭବ ନ କରି କେବଳ ସହାନୁଭୂତିସୂଚକ ହସଟିଏ ହସି ଦେଉଥିଲେ । ତଦ୍ୱାରା ପଣ୍ଡିତଙ୍କ ଦୁଃଖ ଦୂର ହେବ କଅଣ ତାଙ୍କର ଅନ୍ତରାତ୍ମା ଆହୁରି ବିଷାଦରେ ଭରପୁର ହୋଇ ଯାଉଥିଲା । ଅସଂପୃକ୍ତ ବ୍ୟକ୍ତିମାନଙ୍କ ହସକୁ ଉପହାସ ମଣି ସେ ସେତେବେଳେ ଏତେ କ୍ଷୁବ୍ଧ‌ ହୋଇ ପଡ଼ୁଥିଲେ ଯେ ସବୁରି ଦେଖନ୍ତରେ ନିଜ ଗାଲରେ ନିଜେ ଚଟକଣା କେତୋଟି ଖାଇବାର ଦୃଶ୍ୟ ପ୍ରଦର୍ଶନ କରି ସେ ଓଲଟି ଅନ୍ୟମାନଙ୍କୁ ଆପ୍ୟାୟିତ କରୁଥିଲେ ।

 

ଦିନେ ରାତିରେ ପଣ୍ଡିତଙ୍କ ଅଜାଣତରେ ତାଙ୍କ ପାଟିରୁ ତାଙ୍କର ଅବଶେଷ ଜ୍ଞାନଦନ୍ତଟି ପାନପିକ ସହିତ ଅକସ୍ମାତ ଗୋଟିଏ ପିକଦାନୀ ଭିତରକୁ ଗଳି ପଡ଼ିଥିଲା । ସକାଳକୁ ହଠାତ୍ ଦୀର୍ଘଦିନର ବିଷାଦର ବୋଝ ତାଙ୍କ ମୁଣ୍ଡରୁ ଓହ୍ଲେଇ ଯାଇଛି । ଏହିପରି ଅନୁଭୂତି ନିଜ ହୃଦୟରେ ଉଦୟ ହେବା ଜାଣି ପଣ୍ଡିତଙ୍କ ଆନନ୍ଦର ସୀମା ରହିଲା ନାହିଁ, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଆଦୌ ସେ ଘଟଣାର ରହସ୍ୟଭେଦ କରିପାରିଲେ ନାହିଁ । ସେଇ କାରଣରୁ ଦାଣ୍ଡ ପିଣ୍ଡାରେ ସେ ବସି ମହାଖୁସିରେ ରାସ୍ତାକୁ ଚାହିଁ ଗଲା ଅଇଲା ଲୋକଙ୍କୁ ଆହୁରି ଗୋଟିଏ ଅଭୁତ ପ୍ରଶ୍ନ ସେ ପଚାରି ଲାଗିଲେ–“ଭୋ ଭୋ ପଥିକ ! ମୋର ଆଜିର ଆନନ୍ଦର କାରଣ ସମ୍ପର୍କରେ କେହି କିଛି ଆଲୋକପାତ କରି ପାରିବ କି ?”

 

ପଥିକମାନେ ପୂର୍ବପରି ହୁଏତ ନମସ୍କାରଟିଏ କରି କିମ୍ବା ହସଟିଏ ହସି ଦେଇ ବିଦାୟ ନେଲେ; କିନ୍ତୁ ପଣ୍ଡିତଙ୍କ ଦୁଃଖ ଓ ଆନନ୍ଦର ରହସ୍ୟଭେଦ କରିବା କାହାରି ପକ୍ଷରେ ସମ୍ଭବ ହେଲା ନାହିଁ ।

 

ଏତିକିବେଳେ ପଣ୍ଡିତଙ୍କ ଘରର ଚାକରାଣୀ ବିଚାରି ଧଇଁ ସଇଁ ହୋଇ କୁଆଡ଼ୁ ଧାଇଁ ଆସିଲା । ହାତରେ ତା’ର ଥାଏ ସେଇ ଜ୍ଞାନଦାନ୍ତଟି, ଯାହାକୁ ପଣ୍ଡିତେ ଅଜ୍ଞାତସାରରେ ବିସର୍ଜନ କରିଥିଲେ ଗତ ରାତିରେ ।

 

“ମହାଶୟ ! ଆପଣଙ୍କ ଜ୍ଞାନଦାନ୍ତଟି ପଲଙ୍କତଳ ପିକଦାନୀରେ ପଡ଼ି ଯାଇଥିବା ସମ୍ବାଦ ହୁଏତ ଏପର୍ଯ୍ୟନ୍ତ ଆପଣ ନିଜେ ମଧ୍ୟ ଜାଣି ନାହାନ୍ତି । ସକାଳେ ପିକଦାନୀ ସଫା କରୁ କରୁ ଏ ଦାନ୍ତଟିକୁ ଆବିଷ୍କାର କରିଛି ମୁଁ ।’’

 

ଏତକ କହି ଚାକରାଣୀଟି ବର୍ଜିତ ଜ୍ଞାନଦାନ୍ତକୁ ପଣ୍ଡିତଙ୍କ ଗୋଚରାର୍ଥେ ତାଙ୍କ ପାଦତଳେ ରଖିଦେଲା ଓ ପୁଣି କହିଲା–

 

“ଜୀବନ ସାରା ଏ ଆପଣଙ୍କୁ ସମସ୍ତ ବୁଦ୍ଧି ଓ ଜ୍ଞାନ ଦେଇ ଆସିଛି । ଏହାର ଅନ୍ୟ ସଙ୍ଗୀମାନେ କେଉଁ ଦିନୁ ଆପଣଙ୍କ ପାଟି ଛାଡ଼ି କୁଆଡ଼େ ଚାଲିଗଲେଣି । କେବଳ ଏଇ ଗୋଟିକ ମାତ୍ର ଅବଶିଷ୍ଟ ଜ୍ଞାନଦାନ୍ତ ଯୋଗୁଁ ଆପଣଙ୍କ ସବୁ ଖ୍ୟାତି ସୁନାମ ବଜାୟ ରହିଛି । ଅତଏବ ଏ ଦାନ୍ତକୁ ଫୋପାଡ଼ି ନ ଦେଇ ପାଖରେ ରଖିବା ହୁଅନ୍ତୁ ମହାଶୟ ।”

 

ଚାକରାଣୀ ହାତରୁ ନିଜର ବର୍ଜିତ ଜ୍ଞାନଦନ୍ତକୁ ବିସ୍ମୟ ସହକାରେ ଗ୍ରହଣ କରିବା ପାଇଁ ପଣ୍ଡିତେ ହାତ ବଢ଼େଇ ଦେବା ମାତ୍ରେ ହଠାତ୍ ହୃଦୟରେ ଦାରୁଣ କଷ୍ଟ ଅନୁଭବ କଲେ । ସହସା ତାଙ୍କର ଜ୍ଞାନୋଦୟ ହେଲା । ସେ ବୁଝି ପାରିଲେ ଯେ ଗତ କେତେ ବର୍ଷ ଧରି ଯେଉଁ ଯନ୍ତ୍ରଣା ଅନୁଭବ କରି ଅହରହ ଛଟପଟ ହେଉଥିଲେ ତା’ର କାରଣ ସେଇ ଭୟଙ୍କର ପଦାର୍ଥଟି ଛଡ଼ା ଅନ୍ୟ କିଛି ହୋଇ ନ ପାରେ ।

 

“ଦୂର୍ ଦୂର୍ !” ପଣ୍ଡିତଙ୍କ ଗର୍ଜନରେ ରାସ୍ତା ମୁଖରିତ ହୋଇ ଉଠିଲା । ଚାକରାଣୀଟି ଚମକି ପଡ଼ିଲା । ତା’ ହାତରୁ ପଣ୍ଡିତଙ୍କ ଜ୍ଞାନଦାନ୍ତଟି ଖସିପଡ଼ିଲା ।

 

“ବଦ୍‌ମାସ୍ ।” ପଣ୍ଡିତେ ଆହୁରି ଜୋର୍‌ରେ ଗର୍ଜି ଉଠିଲେ । ଚାକରାଣୀକୁ ଚାହିଁ ଆଦେଶ ଦେଲେ ସେ, ସେ ରାକ୍ଷସକୁ ଶୀଘ୍ର ଅନ୍ତର କର ମୋ ସାମ୍ନାରୁ ମୂର୍ଖ ! ଯାବତୀୟ ଦୁର୍ଦ୍ଦଶା ଯାବତୀୟ ପୀଡ଼ାର କାରଣ ଏଇ ତେବେ । –କିଏ ବା ଜାଣିଥିଲା । ନେ-ନେ ଫୋପାଡ଼୍ ଫୋପାଡ଼୍ ସେ ବଦ୍‌ମାସ ଜିନିଷକୁ ଶୀଘ୍ର ।”

 

ଚାକରାଣୀଟି ପଣ୍ଡିତଙ୍କ ଘରେ ବହୁ ବହୁ କାର୍ଯ୍ୟକରି ଆସିଥିବା ଯୋଗୁଁ ବା ପଣ୍ଡିତଙ୍କ ପ୍ରକୃତି ସହିତ ଉତ୍ତମ ପରିଚୟ ଥିବା ହେତୁ ସେ ତତକ୍ଷଣାତ୍ ଘଟଣାଟିର ଅର୍ଥ ବୁଝି ନେଇ ପାରିଲା-। ତେଣୁ ପଣ୍ଡିତଙ୍କ ଗାଳିକୁ ଖାତିର ନ ଦେଇ ତାକୁ ପୁଣି ଥରେ ପିକଦାନୀରେ ରଖିଦେବାକୁ ମନସ୍ଥ କଲା ।

 

“ବୋକା ପଣ୍ଡିତ ।” ମନେ ମନେ ନିଜକୁ ପ୍ରବୋଧ ଦେଲାପରି ଚାକରାଣୀ ସେତେବେଳେ କହିଥିଲା, “ଅକୃତଜ୍ଞ କ’ଣ ଗଛରେ ଫଳନ୍ତି । ଆରେ ଏଇ ଜ୍ଞାନଦନ୍ତ ତତେ ଜୀବନ ସାରା ଏତେ ସେବା ଦେଲା, ଏଡ଼େ ସମ୍ମାନ ଦିଆଗଲା, ରାଜସଭାରେ ଏତେ ବିଚକ୍ଷଣ ବୁଦ୍ଧି ଯୋଗୁଁ ତତେ ରାଜାଙ୍କଠୁଁ କ୍ଷମତା ଦିଆଇଲା । ଏଇଲେ ସବୁ ପାଣି ଫାଟିଗଲା । କଅଣ ନା ସବୁ ଦୁଃଖରକାରଣ ଏଇ ଜିନିଷଟା ।”

 

ପ୍ରତିଦିନ ସକାଳେ ପିକଦାନୀ ସଫା କରିବା ଚାକରାଣୀର କାମ ହୋଇଥିବା ଯୋଗୁଁ ଜ୍ଞାନଦନ୍ତକୁ ସେଇ ଦାନୀରେ ସଂରକ୍ଷଣ କରିବା ପାଇଁ ତା’ ପାଖରେ ସମ୍ଭବ ଥିଲା ।

 

“ତୁ କିଛି ଚିନ୍ତା କରନା ଭାଇ ! ରହ ସେ ବୋକା ପଣ୍ଡିତ ଦିନେ ପୁଣି ଖୋଜିବ ତତେ, ସେତେବେଳେ ତୋ ଭାଗ୍ୟ ଫିଟିବ ନିଶ୍ଚେ । ଚାକରାଣୀର ସେ ଭଳି ଆଶ୍ୱାସନାରେ ନିର୍ବାସିତ ଜ୍ଞାନଦନ୍ତ ମଧ୍ୟ କିଞ୍ଚିତ ଆଶ୍ୱସ୍ତ ହେଲାପରି ପିକଦାନୀ ଭିତରୁ ଦୀର୍ଘ ନିଶ୍ଵାସ ତ୍ୟାଗ କଲା ଓ ହୁଏତ କହିଲା ମଧ୍ୟ, ଦେଖୁଛ ତ ଏ ଦେଶର ବିଚାର । ଜୀବନ ସାରା ନିଜେ ଏତେ ଜ୍ଞାନ ଆହରଣ କଲି ଆଉ ପଣ୍ଡିତଙ୍କୁ ଜଗଜ୍ଜୀତା କରାଇଲି ମୋରି ଜ୍ଞାନରେ । ଏବେ ସେ ମୂର୍ଖ ମତେ ନିର୍ବାସିତ କରୁଛି । ପୁଣି କୋଉଠିକି ନାଁ ପିକଦାନୀ ଭିତରେ ।

 

“ଦୁଃଖ କରନା ଭାଇ !” ଚାକରାଣୀ ପ୍ରତିଦିନ ବିଚରା ନିର୍ଦ୍ଦୋଷ ଜ୍ଞାନୀ ପଦାର୍ଥଟି ପ୍ରତି ସଦୟ ଆଶ୍ୱାସନା ଢାଳି ଚାଲିଥାଏ । “ତୁ ଏଇ ପିକଦାନୀଟିକୁ ଗୋଟିଏ ନିକୃଷ୍ଟ ସ୍ଥାନ ମନେ କରନା, ଜୀବନରେ ସବୁ ନୀଚ ପଦାର୍ଥକୁ ନିଜର ସ୍ପର୍ଶରେ ଉନ୍ନତି କରିବା ତ ତୋର ଧର୍ମ । ପଣ୍ଡିତର ସଂକୀର୍ଣ୍ଣ ପାଟିରେ ତ ପୁଣି ତୋରି ସ୍ପର୍ଶରେ ଏତେ ବିରାଟ ଜ୍ଞାନଗାରିମାମୟ ଭାଷା ପଇଟୁଥିଲା । ଏବେ ଏ ପିକଦାନୀଟିକୁ ତୁ ସେହିପରି ବିରାଟ କର । ତା’ ଭିତରୁ ଦିନେ ତୋରି ସ୍ୱର ପଦାକୁ ଫୁଟି ପଡ଼ିବ । ସେତେବେଳେ ପଣ୍ଡିତର ଚାରା ନ ଥିବ ତୋ କଥା ନ ଶୁଣିବାକୁ । ବୁଝିଲୁ ?”

 

ଚାକରାଣୀର ଉପଦେଶ ଜ୍ଞାନଦାନ୍ତକୁ ଯଥେଷ୍ଟ ଶକ୍ତି ଓ ଧୈର୍ଯ୍ୟ ଦେଲା । ତେଣୁ ସେ ପିକଦାନୀ ଭିତରେ ଆବର୍ଜନାରେ ବୁଡ଼ି ରହି ସୁଦ୍ଧା ନିଜର ଧର୍ମ ହରାଇ ଦେଇ ନ ଥିଲା ।

 

ଏହିପରି ଦିନାକେତେ ଚାଲିଥିଲା । ଜ୍ଞାନଦନ୍ତ ବିବର୍ଜିତ ପଣ୍ଡିତେ ଆଜୀବନ ବିଷାଦଗ୍ରସ୍ତ ଭାବନାଜନିତ ରୋଗ ମୁକ୍ତିଲାଭ କରି ସୁଖରେ କାଳ କଟାଇବା ପରେ ଦିନେ ସଂସାରରୁ ବିଦାୟ ନେଲେ ।

 

ଅତଃପର ଏକ ନୂତନ ଯୁଗ ଆରମ୍ଭ ହୋଇଗଲା । ପୁରାତନ ଜ୍ଞାନୀ ପଣ୍ଡିତଙ୍କ ସ୍ଥାନରେ ରାଜସଭାରେ ଜଣେ ନବୀନ ପଣ୍ଡିତ ମୁକରିର ହେଲେ; କିନ୍ତୁ ଆଶ୍ଚର୍ଯ୍ୟର କଥା ଏ ପଣ୍ଡିତଙ୍କ ମୁକରିର ହେବା ଦିନଠାରୁ ହିଁ ରାଜ୍ୟରେ ଘୋର ବିପତ୍ତି ଦେଖାଦେଲା । କି କୁସମୟରେ ଏ ନବାଗତ ପଣ୍ଡିତ ରାଜକାର୍ଯ୍ୟରେ ଯୋଗ ଦେଇଥିଲେ କେଜାଣି ଯେ କୌଣସି ଉପଦେଶ ତାଙ୍କ ମୁହଁରୁ ବାହାରିଲା ସେଥିରେ ବିତ୍‌ପାତ ଆହୁରି ବଢ଼ିବାକୁ ଲାଗିଲା । ପଣ୍ଡିତେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେ । ଗୁପ୍ତରେ ଅନେକ ଲୋକଙ୍କର ପରାମର୍ଶ ଲୋଡ଼ି ବସିଲେ । ଯାହାକୁ ବିଶ୍ୱାସ କରନ୍ତି ତାକୁ ପଚାରିଲେ–

 

“ହଇହେ ! ପୂର୍ବ ପଣ୍ଡିତଙ୍କ କ’ଣ ଥିଲା ଯୋଉଟା ମୋର ନାହିଁ କହିଲ ! ତେବେ ଏ ବିତ୍ପାତର କାରଣ କ’ଣ ?”

 

ପଣ୍ଡିତଙ୍କର ଏଇ ପ୍ରଶ୍ନର ଉତ୍ତର କିଏ ବା ଦେଇ ପାରିଥାନ୍ତା ! ଭାଗ୍ୟ ଉପରେ ହାତ କାହାର । ସମସ୍ତେ କେବଳ ସେଇ ଭାଗ୍ୟକୁ ଦୋଷ ଦେଇ ପଣ୍ଡିତଙ୍କ ହାବୁଡ଼ରୁ ଖସି ଯିବାକୁ ବସିଲେ । ନିଜର ବିଶ୍ୱସ୍ତ ଲୋକମାନଙ୍କର ଏପରି ଉଡ଼ାଞ୍ଚୁ କଥାରେ ପଣ୍ଡିତେ ବିରକ୍ତ ହେଲେ ଯେତିକି କ୍ରୋଧାନ୍ଧ ହେଲେ ବି ସେତିକି; କିନ୍ତୁ ଅନନ୍ୟୋପାୟ ହୋଇ ସେ ରାଜକାର୍ଯ୍ୟରୁ ସାମୟିକ ଅବ୍ୟାହତି ନେଇ ଘରେ ଶୋଇବା ଛଡ଼ା ଅନ୍ୟ କାର୍ଯ୍ୟ କରିପାରିଲେ ନାହିଁ ।

 

ତାଙ୍କର ଏହିପରି ବିଶ୍ରାମ ସମୟରେ ଦିନକର ସେଇ ଭୟଙ୍କର କାଣ୍ଡଟି ଘଟିଗଲା । ପଣ୍ଡିତେ ପଲଙ୍କ ଉପରେ ଶୋଇ ନିଜର ମନ୍ଦ ଭାଗ୍ୟ କଥା ଅବିରତ ଚିନ୍ତାକରି ବିଷାଦଗ୍ରସ୍ତ ହୋଇ ପଡ଼ିଥାନ୍ତି । ହଠାତ୍ ସେତିକିବେଳେ ଖଟ ତଳୁ କୌଣସି କଥୋପକଥନ ତାଙ୍କର କର୍ଣ୍ଣଗୋଚର ହେବାପରି ମନେହେଲା । କାନ ଡେରି ସେ ଶୁଣିବାକୁ ପାଇଲେ–

 

“ଏ ପଣ୍ଡିତଙ୍କର ଦୁର୍ଦ୍ଦଶାର କାରଣ କ’ଣ ଜାଣ ବତ୍ସ ! ୟାଙ୍କର ଜ୍ଞାନଦନ୍ତ ଏଯାବତ୍‌ ଉଠିନାହିଁ । ବୟସ ୟାଙ୍କର ନିଶ୍ଚୟ ଯଥେଷ୍ଟ ହେବ । ଯୌବନ ପାରି ହୋଇ ପ୍ରୌଢ଼ତ୍ଵର ଢେର ଧକ୍‌କା ସହିବା ସତ୍ଵେ ୟାଙ୍କର ଜ୍ଞାନଦନ୍ତ ନ ଉଠିବା କେବଳ ତାଙ୍କ ପକ୍ଷରେ ମାରାତ୍ମକ ନୁହେଁ, ସମଗ୍ର ରାଜ୍ୟ ପକ୍ଷରେ ଘୋର ଦୁର୍ଦ୍ଦିନର କେବଳ ଉପଗତ ବୋଲି ବୁଝିବାକୁ ହେବ । ଆଜିକାଲି ଅଧିକାଂଶ ପଣ୍ଡିତମାନଙ୍କର ଜ୍ଞାନଦନ୍ତ ଉଠୁନାହିଁ, ଏହା ଚିନ୍ତାର ବିଷୟ । ତେବେ ଏ ପଣ୍ଡିତମାନଙ୍କର ଦୁର୍ଦ୍ଦାଶା ଦେଖି ମୁଁ ଅତ୍ୟନ୍ତ ମ୍ରିୟମାଣ । ଲୋକଟି ଯଦି ପ୍ରକୃତରେ ବୁଦ୍ଧିମାନ ହୋଇଥିବ ତେବେ ମତେ ଏ ନରକରୁ ଉଦ୍ଧାର କରି ଯଦି ନିଜ ମୁଖ ଗହ୍ୱରରେ ସ୍ଥାନ ଦିଅନ୍ତା... !

 

ପଲଙ୍କରେ ପଡ଼ି ଛଟପଟ ହେଉଥିବା ନବାଗତ ଜ୍ଞାନୀ ପଣ୍ଡିତ ତତ୍‍କ୍ଷଣାତ୍‌ ଉଠି ପଡ଼ିଲେ । ଅଳ୍ପ ସମୟ ଗବେଷଣା ଉତ୍ତରେ ସେଇ ଅଦ୍ଭୁତ କଥୋପକଥନର ଉତ୍ସବଟିକୁ ଆବିଷ୍କାର କରିବାକୁ ତାଙ୍କୁ ବେଶି ସମୟ ଲାଗି ନ ଥିଲା ।

 

ପୂର୍ବତନ ପଣ୍ଡିତଙ୍କ ପିକଦାନୀ ଭିତରୁ ଯେଉଁ ଜ୍ଞାନଦନ୍ତଟିକୁ ସେଦିନ ପଣ୍ଡିତେ ଯଥାବିଧି ଉଦ୍ଧାର କରିଥିଲେ, ତାକୁ କାଳବିଳମ୍ବ ନ କରି ନିଜ ମୁଖ ଗହ୍ୱରରେ ଧାରଣ କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଆରମ୍ଭ ହୋଇ ଯାଇଥିଲା । ଜଣେ ଡାକ୍ତରଙ୍କ ଜରିଆରେ ଆଧୁନିକ ଶଲ୍ୟ ଚିକିତ୍ସା ପଦ୍ଧତି ଅନୁସରଣ କରି ପଣ୍ଡିତେ ତାଙ୍କର ଆଜନ୍ମ ଜ୍ଞାନଦନ୍ତ ବିହୀନ ମାଢ଼ିରେ ପ୍ରାପ୍ତ ଜ୍ଞାନଦନ୍ତଟିକୁ ରୋପଣ କରିଥିଲେ ।

 

ଏ ଘଟଣା ଏଯାବତ୍‌ ଅତି ଗୋପନୀୟ ଭାବେ ସଂଘଟିତ ହୋଇଥିଲା । ସେଥିପାଇଁ ପଣ୍ଡିତଙ୍କ ଘରେ ଚାକିରି କରୁଥିବା ପୂର୍ବୋକ୍ତ ସେଇ ଚାକରାଣୀଟି ସୁଦ୍ଧା ନବାଗତ ପଣ୍ଡିତଙ୍କ ସେ ନୂଆ ସାଧନାର କାହାଣୀ ଜାଣିବାକୁ ପାଇ ନ ଥିଲା ।

 

ଜ୍ଞାନଦନ୍ତର ସଫଳ ରୋପଣର ପରବର୍ତ୍ତୀ ଦିନ ପଣ୍ଡିତେ ସକାଳୁ ଉଠି ନିଜର ସୌଭାଗ୍ୟୋଦୟର ନବ ନବ ଆଶା ଆକାଂକ୍ଷାରେ ଉତ୍‌ଫୁଲ୍ଲିତ ହୋଇ ଉଠିଥିଲେ ।

 

ତାଙ୍କ ଅନ୍ତର ଭିତରୁ କେହି ହୁଏତ ତାଙ୍କୁ ଉତ୍ସାହିତ କରି କହୁଥାଏ ଘନ ଘନ ତାଙ୍କ କାନରେ–

 

“ଆରେ ଗଣ୍ଠି ଫିଟିଗଲା । ଏଣିକି ଯୋଉ କାମରେ ହାତ ଦବୁ ସେ କାମର ସୁଫଳ ଗଣ୍ଠିରେ ଲେନ୍ଥି ହୋଇଯିବ । ପୂର୍ବତନ ପଣ୍ଡିତର ଗୁମର ଫିଟିଗଲା ଏଥର ।” ଆଜି ରାଜସଭ୍ୟରେ କି କାଣ୍ଡ କାରଖାନା ଘଟିବ–ଥାଅ ଦେଖିବ ସମସ୍ତେ । ନିନ୍ଦୁକମାନଙ୍କର ଦାନ୍ତ ଯଦି ନ ଭାଙ୍ଗିଛି ମୁଁ ଆଜି... ।

 

ବଡ଼ି ସକାଳୁ ପଣ୍ଡିତଙ୍କର ଅସ୍ଵାଭାବିକ ଉତ୍ସାହର ପ୍ରଥମ ଦର୍ଶକ ରୂପେ ସେଦିନ ଚାକରାଣୀଟି ଚମକି ପଡ଼ିବା ଥିଲା ଅତ୍ୟନ୍ତ ସ୍ଵାଭାବିକ; କିନ୍ତୁ ସେପର୍ଯ୍ୟନ୍ତ ସେ ଆଦୌ ସନ୍ଦେହ ମଧ୍ୟ କରିପାରି ନ ଥିଲା ପ୍ରକୃତ ଘଟଣା ସମ୍ପର୍କରେ ସାମାନ୍ୟ କିଛି ।

 

ସବୁଦିନ ପରି ପଣ୍ଡିତଙ୍କ ଘରଦ୍ୱାର ସଫାସୁତର କରିସାରି ଚାକରାଣୀଟି ଖଟ ତଳୁ ପିକଦାନୀଟିକୁ ନେଇ ସଫା କରି ବସିଲା; କିନ୍ତୁ ତା’ ଭିତରେ ପୂର୍ବତନ ପଣ୍ଡିତଙ୍କର ସଯତ୍ନ ସଂରକ୍ଷିତ ଜ୍ଞାନଦନ୍ତଟିକୁ ନ ଦେଖି ସ୍ତ୍ରୀ ଲୋକଟିର ଗୋଟିଏ ଅସ୍ଵାଭାବିକ ସ୍ଵରରେ ଘରଟି କମ୍ପି ଉଠିଲା ।

 

“ଆଲୋ ଆଲୋ, ଏ ପିକଦାନୀରୁ ପୁରୁଣା ପଣ୍ଡିତଙ୍କ ଦାନ୍ତଟା କୁଆଡ଼େ ଗଲାମ !” ହଠାତ୍ ସେତିକିରେଇ ସ୍ତ୍ରୀ ଲୋକଟିର ସ୍ଵର ପ୍ରାୟ ସବୁଦିନ ପାଇଁ ନିସ୍ତବ୍‌ଧ ହୋଇଗଲା । ନୂଆ ଜ୍ଞାନଦନ୍ତ ଧାରଣ କରିଥିବା ପଣ୍ଡିତେ ମାଇପିଟିକୁ ବହୁତବେଳୁ ଲକ୍ଷ୍ୟ କରି ଛକି ରହିଥିଲେ । ପିକଦାନୀ ସମେତ୍‌ ବିଚାରୀ ସ୍ତ୍ରୀ ଲୋକଟିକୁ ସେ ଏଭଳି ଭାବେ ମାଡ଼ି ବସିଲେ ଯେ, ତାଙ୍କର କାଣ୍ଡଜ୍ଞାନ ତାଙ୍କୁ ଛାଡ଼ି ଚାଲି ଯାଇଥିଲା, କିନ୍ତୁ ତାଙ୍କର ଜ୍ଞାନଦନ୍ତ ତାଙ୍କୁ ଆହୁରି ପ୍ରେରଣା ଦେଇ ଚାଲିଥିଲା ।

 

“ପାପ ନାହିଁ, ପାପ ନାହିଁ...” ସେ ଅନବରତ କହି ଚାଲିଥିଲା, “ଆଧୁନିକ ଯୁଗର ସଫଳତାର ଗୁମର ଏଇ–ପାପ ଫାପ କିଛି ନାହିଁ । କିଛି ନାହିଁ !”

 

କହିବା ବାହୁଲ୍ୟ–ଏହାପରେ ନବାଗତ ପଣ୍ଡିତେ ରାଜକାର୍ଯ୍ୟରେ ଅତୀବ ସଫଳତାର ଓ ଖ୍ୟାତିଲାଭ ପୂର୍ବକ ରାଜ୍ୟ ଶାସନରେ ମନୋନିବେଶ କରିଥିଲେ ଓ ପୂର୍ବ ପଣ୍ଡିତଙ୍କ ଯଶକୁ ଅଚିରେ ଅତିକ୍ରମ କରିଥିଲେ ।

Image

 

ସ୍ୱାମୀଜୀ

 

ସୁପ୍ରିୟା ଦେବୀ ଜଣେ ସମାଜସେବିକା ହେବା ପାଇଁ ଗତ କେତେବର୍ଷ ତଳୁ ମନରେ ଏକ ବିରାଟ ଅଭିଳାଷ ପୋଷଣ କରିଥିବା ସମ୍ବାଦ ପାଇ ଓଡ଼ିଶାରେ ପ୍ରଚାରିତ ହେଲା ପରେ ପରେ ତାଙ୍କ ଘରେ ଗୋଟିଏ ଅସ୍ୱାଭାବିକ ପରିସ୍ଥିତି ଦେଖା ଦେଇଥିଲା । ପ୍ରାୟ ପ୍ରତିଦିନ କେହି ନା କେହି ସମାଜସେବିକା ଜାଣତରେ ବା ଅଜାଣତରେ ତାଙ୍କ ଘରେ ଆସି ପହଁଞ୍ଚି ଯାଉଥିଲେ ଏବଂ ନିଜର ସମାଜସେବାମୂଳକ ନାନା ଅଭିଜ୍ଞତା ବର୍ଣ୍ଣନା କରିବାରେ କେତେ କପ୍ ଚା ଉଡ଼ିଯାଉଥିଲା କେଜାଣି-। ସଞ୍ଜବେଳକୁ ସ୍ୱାମୀ ଅରବିନ୍ଦ ଅଫିସରୁ ଫେରିଲା ବେଳକୁ ସୁପ୍ରିୟା ହୁଏତ ବହେ ଚା କପ୍ ଧୋଇବାରେ ବ୍ୟସ୍ତ ରହୁଥିଲେ କିମ୍ବା ସ୍ୱାମୀଙ୍କ ହାତକୁ ଟଙ୍କା ବଢ଼େଇ ଦେଇ କହୁଥିଲେ ବଜାର ଆଡ଼େ ଯିବତ ? ଆସିବାବେଳେ ପ୍ୟାକେଟେ ମିକ୍ସଚର ଆଉ ଅଧକେଜି ଭଲ ଚା’ପତ୍ର ଆଣିବତ !

 

“କାହିଁକି ?”, ଅରବିନ୍ଦ ସବୁଜାଣି ସୁଦ୍ଧା ନ ଜାଣିବା ଛଳନା କରି ହସି ହସି ପଚାରି ଦଉଥିଲେ, “ଏତେ ଶୀଘ୍ର ସରିଗଲା ? ମୁଁ ତ ପଅର ଦିନ ଅଧକେଜି ଚା’ଆଣିଥିଲି ନା !”

 

“ଡୋଣ୍ଟ୍ ବି ନିଗାର୍ଡ଼ଲି !” ସୁପ୍ରିୟା ଅସହ୍ୟ ବିରକ୍ତି ପ୍ରକାଶ କଲାଭଳି ଚାହାଣୀରେ ଥରେ ଅରବିନ୍ଦଙ୍କ ମୁହଁକୁ ଓ ଆଖି ବୁଲେଇ ନେଇ ଚାରିଆଡ଼କୁ ଚାହିଁ ଦେଇ କହୁଥିଲେ, “ସେଥିପାଇଁ ମୁଁ କହୁଛି ମତେ ଛାଡ଼ିଦିଅ ! ହୁଏତ ମୁଁ ଚାକିରି କରେ ବା କିଛି ହେଲେ ସାମାଜିକ କାର୍ଯ୍ୟରେ ଲାଗେ । ମୁଁ ଯାହା ଦେଖୁଛି ମୋର କିଛି ନିଜତ୍ୱ ନାହିଁ କି ଏ ଘରେ ।”

 

ଅରବିନ୍ଦ ଆଉ ବେଶୀ କିଛି ନକହି ଚାରିଆଡ଼କୁ ନଜର ବୁଲେଇ ନିଏ । ପାଖରେ ଯଦି କେହି ନଥାନ୍ତି, ତେବେ ପ୍ରାୟତଃ ସେଇ ଗୋଟିଏ ଢଙ୍ଗରେ ସେ ତାଙ୍କର ଦୁଇବାହୁ ହଠାତ୍‌ ଖୋଲିଦେଇ ସୁପ୍ରିୟାକୁ ଆଲିଙ୍ଗନ କରୁକରୁ କହନ୍ତି, “କ୍ୟାଣ୍ଟଲିଭ୍ ! ଚାକିରିକୁ ମାରୋ ଗୁଲି । ଛୋଟଲୋକ ମାନେ ଚାକିରି କରନ୍ତି । ଚୋରମାନେ ସମାଜସେବା କରନ୍ତି । ଘରର ସ୍ତ୍ରୀ ଘରେ ରହିବା ହିଁ ଆଜି ସବୁଠୁ ବଡ଼ ଚାକିରି, ସବୁଠୁ ବଡ଼ ସମାଜସେବା । ସୁପ୍ରିୟା–ଆଇ ଲଭ୍ ୟୁ !”

 

ସୁପ୍ରିୟା ନିଃସନ୍ଦେହରେ ଅରବିନ୍ଦର ଆଲିଙ୍ଗନରେ ଲୀନ ହୋଇଯାଏ । କିନ୍ତୁ ମାତ୍ର କେଇଟି ସେକେଣ୍ଡ ପରେ ସେ ସେଇ ଜିଦ୍ ଆରମ୍ଭ କରିଦିଏ–

 

“ମତେ ଛାଡ଼ିଦିଅ । ମୋର ବେଳ ଆସିଗଲାଣି । ପିଲାମାନେ ବଡ଼ ବଡ଼ ହେଇଗଲେଣି-। ଏଥର ଆଉ ସେମାନେ ମତେ ଖୋଜିବେ ନାହିଁ । ତମେ ମଧ୍ୟ ମତେ ଆଉ ଖୋଜ ନାହିଁ । ମୋର ପିଲାଦିନୁ ସେଇ ଗୋଟିଏ ଅଭିଳାଷ ରହିଛି ସମାଜସେବା । ମୁଁ ସେମାନଙ୍କ ସାଥିରେ କାଲି ସକାଳୁ ବାହାରିବି ସ୍ଥିର କରିଚି । ମତେ ଛାଡ଼ିଦିଅ ।”

 

ଅରବିନ୍ଦ ସୁପ୍ରିୟାକୁ ଛାଡ଼ିଦିଏ ନାହିଁ । ସୁପ୍ରିୟା ମଧ୍ୟ ଅରବିନ୍ଦକୁ ଲୁଚି ଘର ଛାଡ଼ି ସେମାନଙ୍କ ସାଥିରେ ଚାଲିଯାଇ ପାରେନାହିଁ । ତଥାପି ତାର ସେଇ ଅବଶୋଷ ରହିଯାଏ । ଯାହାକୁ ଦେଖେ ତା ଆଗରେ ନିଜର ଦୁଃଖ ବଖାଣି ବସେ । ବାସ୍ତବିକ୍ କାହାକୁ ନିର୍ଦ୍ଦିଷ୍ଟଭାବେ ଦୋଷୀ କରେ ନାହିଁ । ଅରବିନ୍ଦ ବିରୁଦ୍ଧରେ କୌଣସି ଅଭିଯୋଗ କରିବା ତା ଜାତକରେ ନଥାଏ । କେବଳ ନିଜ ଭାଗ୍ୟକୁ ଦୋଷ ଦେଇ କହେ, “କି ଭାଗ୍ୟ ଦେଖ ! ମୋରି ସାଙ୍ଗରେ ସୁଜାତା ପଢ଼ୁଥିଲା–ହୁଣ୍ଡୀଟାଏ, ଓଲମୀଟାଏ, ଆଜି ମନ୍ତ୍ରୀ ହେଇ ବସିଚି ସମାଜସେବା କରି ।” ଏତିକି କହିବାମାତ୍ରେ ସୁପ୍ରିୟା ପୁଣି ନିଜକୁ ସଜାଡ଼ି ନିଏ । କହି ପକାଏ ସେଇ ଏକା ନିଶ୍ୱାସକେ, “ଅବଶ୍ୟ ପାଠରେ ସିନା ହୁଣ୍ଡୀ ଓଲମୀ ସେ । କିନ୍ତୁ ତା ଭଳି ଭଲ ମଣିଷ ପ୍ରକୃତରେ ବିରଳ । ପିଲାଟିଦିନୁ ସେ ଦୀନଦୁଃଖୀଙ୍କୁ ଦେଖିଲେ ତା ଆଖିରୁ ଲୁହ ଝରିପଡ଼େ । କାହାକୁ ଠକିବାକୁ ମନକରି ସେ ସମାଜସେବା କାମ କରିବାକୁ ଗୋଡ଼ ବଢ଼େଇ ନଥିଲା । ତା’ରି ଫଳ ପାଇଲା ସେ । ମନ୍ତ୍ରୀ ହେଲା-। କିନ୍ତୁ ସତ କହିବାକୁ ଗଲେ ମୋ ଆଖିରୁ ଏଯାକେ କାହାରିପାଇଁ ଲୁହ ବୋହିଲା ନାହିଁ । ମନ ଯେତେ ହାଇଁପାଇଁ ହେଲେ ହବ କଣ । ଭଗବାନ ସେଥିପାଇଁ ବୋଧେ ମୁକ୍ତି ଦଉନାହାଁନ୍ତି । କେବେ ସେ ମୁକ୍ତି ଆସିବ କେଜାଣି । ସେଇ ଜାଣିଥିବେ ।”

 

ସୁପ୍ରିୟା ଓ ଅରବିନ୍ଦଙ୍କ ଛୋଟିଆ ପରିବାରଟି ସୁଖଦୁଃଖ ଭିତରେ, ପାରିବାରିକ ସ୍ନେହ, ସୌହାର୍ଦ୍ଦ୍ୟ ଭିତରେ ଫଳନ୍ତି ଗଛଟିଏ ଭଳି ଭୂଇଁ ଉପରେ ଯଥାରୀତି ଠିଆ ହୋଇରହେ । ସେଥିରୁ ଫଳିଥିବା ଫଳଗୁଡ଼ିକ ଧୀରେ ଧୀରେ ପାକଳ ହୁଏ, ପାଚେ, ଗଛରୁ ଝଡ଼େ ବା ତୋଳା ହେଇ ଚାଲିଥାଏ ।

 

ସୁପ୍ରିୟାର ବଡ଼ ଝିଅଟି ଏମ୍.ଏ. ପାଶ୍ କରି କେଇଟି ଦିନ ଘରେ ବସି ରହିଥିଲା । ସମୟ ଆସିଲା । ତା’ ପାଇଁ ଯୋଗ୍ୟ ବରପାତ୍ର ମିଳିଗଲେ । ସେ ବାହା ହେଇ ଚାଲିଗଲା । ବଡ଼ ଝିଅ ତଳେ ପୁଅ । ସେ ପୁଅ ବାପ ମା’ଙ୍କ ପାଖରେ ସତର ବର୍ଷ ପର୍ଯ୍ୟନ୍ତ ରହିଥିଲା ମାତ୍ର । ଦିନେ ତା ବେଳ ଆସିଗଲା । ଆଇ.ଏସ୍‌ସି. ପାଶ୍ କରିଗଲା ସେ । ଯୋଉଦିନ ତା ରେଜଲ୍‌ଟ ବାହାରିଗଲା ଓ ଜଣାପଡ଼ିଗଲା ଯେ ସେ ପିଲାଟି ପ୍ରଥମ ଶ୍ରେଣୀରେହିଁ ପାଶ୍ କରିଯାଇଚି ସେଦିନ ସୁପ୍ରିୟା ଓ ଅରବିନ୍ଦଙ୍କ ଘରେ ହସଖୁସିର ରୋଳ ଉଠିବ କଅଣ ଓଲଟି କାନ୍ଦ ବୋବାଳି ପଡ଼ିଗଲା । ଟୋକାଟା ଖବର ଘିନି ଆସି ପହଞ୍ଚିବା ମାତ୍ରେ ମା’ବାପ ତାକୁ କୁଣ୍ଢେଇ ଧରି କାନ୍ଦିକାନ୍ଦି ତା ବେକରେ ନିଜର ବେକଟିମାନ ଛନ୍ଦିଦେଇ ଆଲିଜା ମାରିଗଲେ । ଟୋକାଟା କିଛି ହଠାତ୍ ଠଉର କରି ନପାରି ନିଜେ କାନ୍ଦି ଉଠିଲା । କିନ୍ତୁ ଟିକିଏ ପରେ ଯେତେବେଳେ ସେ ଦୃଶ୍ୟ ଦେଖି ତା ତଳର ସାନଭଉଣୀ ପରିବାରର କୋଳପୋଛା ପିଲାଟିକୁ ତାଳିମାରି ନାଚିବାର ଦେଖିନେଲା ସେ ଟୋକା, ସେତେବେଳେ ସାଙ୍ଗେ ସାଙ୍ଗେ ସେ ମା’ବାପଙ୍କର ଢଙ୍ଗଢ଼ଙ୍ଗ ଠଉର କରିନେଇ କାନ୍ଦ ବନ୍ଦ କରିଦେଲା । କାନ୍ଧରୁ ମଲା ହଂସ ଦୁଇଟା ଭଳି ଓହଳିଥିବା ମା ବାପଙ୍କ ବେକକୁ ଆସ୍ତେ ଆଡ଼େଇ ଦେଇ କହିଲା ସେ–

 

“ହେଁ, ପୁଣି ଆରମ୍ଭ କରିଦେଲେଣି ଗେହ୍ଲା ! ମତେ ଏଇଠି ରଖିବ ଭାବିଚ ? ସେସବୁ ପଟିବ ନାଇଁ କହୁଚି ମୁଁ । ମୁଁ ବମ୍ବେ ଯିବି ଯିବି ଯିବି । ଆର୍କିଟେକ୍‌ଚର ପଢ଼ିବା ପାଇଁ ଏଠି କୋଉଠି କି ସୁବିଧା କରିଚି ଏ ସରକାର କହତ ! କାହିଁ ? ଏତେ ତ ବଡ଼-ବଡ଼ ଲୋକଙ୍କ ସାଙ୍ଗ ହଉଚ, ପ୍ରତିଦିନ କିଏ ସେଗୁଡ଼ାକ ଆସୁଚନ୍ତି, ଚା’ଖାଇ ହଇହଲ୍ଲା କରୁଛନ୍ତି ଏତେ ଯେ ଏ ଘରେ ବସି ପାଠ ପଢ଼ି ହେଲାନାହିଁ ଟିକିଏ । ନହେଲେ ମୁଁ ପ୍ରଥମ ଦଶଜଣଙ୍କ ଭିତରେ ନରହି ଖାଲି ଫାଷ୍ଟ ଡିଭିଜନ୍‌ଟାଏ ପାଇ ଏତେ ଦଶା ଭୋଗୁଥାନ୍ତି ଆଜି ! ହୁଃ, କଅଣ କରି ପକେଇଲେ କିଏ ତମର । ବିଶ୍ଵବିଦ୍ୟାଳୟରେ ଆର୍କିଓଲଜି ଫ୍ୟାକଲ୍‌ଟିଟାଏ ଖୋଲି ପାରିଲେ ? ତମେ କଅଣ ଭାବିଚ ତମରି ଯୋଗୁ ମୋ ଫ୍ୟୁଚର୍‌ଟାକୁ ନଷ୍ଟ କରିଦେବି ମୁଁ ? ଛାଡ଼ ମତେ । ସେ ଗେହ୍ଲା କଥା ରଖିଦିଅ ।”

 

ସୁପ୍ରିୟା ଓ ଅରବିନ୍ଦ ମଝିଆଁ ପୁଅକୁ ଛାଡ଼ି ଦେଲେ ।

 

ଦିନ କେତେଟା ଭିତରେ ତା ପେଇଁ ମିଳିଗଲା ବମ୍ବେରେ ସିଟ୍ । ଦିନେ ରାତି ଗାଡ଼ିରେ ପୁଅକୁ ଘେନି ଅରବିନ୍ଦ ବାହାରି ପଡ଼ିଲେ । ସୁପ୍ରିୟା ଫାଟକ ପାଖରେ ବାପ ପୁଅଙ୍କୁ ବିଦାୟ ଦେଇ ତାଙ୍କରି ପଛେ ପଛେ ଦୃଷ୍ଟି ଲମ୍ବେଇ ଦେଲା ଯେତେଦୂର ସମ୍ଭବ ଥିଲା ତା ପକ୍ଷରେ ତାଠୁଁ ଆହୁରି ଅନେକ ଦୂର ପର୍ଯ୍ୟନ୍ତ । ତାପରେ ଘରକୁ ଫେରି ପଡ଼ୁ ପଡ଼ୁ ସେ ଲଥକରି ବସିପଡ଼ିଲା ପାହାଚ ଉପରେ । ସାନଝିଅ ମା’ର ସେ ଦୁର୍ଦ୍ଦଶା ଅନୁଭବ କରି ପାରୁଥିଲା ନିଶ୍ଚେ । କିନ୍ତୁ ମା’କୁ ତା ଅଥଳ ଚିନ୍ତାରୁ ଉଦ୍ଧାର କରିବା ପେଇଁ ହାତ ବଢ଼େଇ ଦବ କ’ଣ ଓଲଟି ମା କୋଳରେ ମୁହଁ ଲୁଚେଇ କଇଁକଇଁ ହେଇ କାନ୍ଦି ଉଠିଲା । ଝିଅକୁ ପ୍ରବୋଧ ଦେବା ଥିଲା ମା’ର ମୂଳ କର୍ତ୍ତବ୍ୟ ସେତେବେଳେ-। ତା ଆଖିରୁ ଲୁହ ପୋଛି ଦେଇ ସୁପ୍ରିୟା କହିଲା କେବଳ, “ହଉ ଉଠଲୋ ମା ! ଏଥର ତୋ ପାଳି ଆସିଲା । କାହିଁକି ତୁମେ ପିଲାଗୁଡ଼ାକ ଜନ୍ମ ହେଲ । କିଏ ତୁମକୁ ଡାକୁଥିଲା ଯେ-।” ତାପରେ ଆରମ୍ଭ ହେଇଗଲା ମା’ଝିଅଙ୍କ କାନ୍ଦଣା । କେତେବେଳ ପରେ ସେ କାନ୍ଦଣାର ଶେଷ ହେଲା ଯଥାରୀତି । ନିଜ ଆଖିରୁ ଲୁହ ପୋଛି ସୁପ୍ରିୟା କହିଲା, “ଯାଅ ତୁମେ ଯାହାର ଯୁଆଡ଼େ ଇଚ୍ଛା-। ଏଥର ମୁଁ ଚାଲିଲି । ମତେ ଆଉ କେହି ରଖି ପାରିବେ ନାଇଁ । ଚାଲିଲି ମୁଁ ଏଥର ମୋ ବାଟରେ-!

 

ତଥାପି ସେଦିନ ସୁପ୍ରିୟା ସାରା ରାତି ସାନଝିଅକୁ କୁଣ୍ଢେଇ ଧରି ବସି ରହିଲା । ତାକୁ କଅଣ ସବୁ କହୁଥାଏ କେଜାଣି । ମଝିରେ ଯେତେବେଳେ ଝିଅକୁ ନିଦ ଲାଗିଲା ସେ ଚୁପ୍‌କରି ମା ହାତକୁ ନିଜ ଚାରିପଟୁ ଛଡ଼େଇ ଦେଇ ଶେଯରେ ଗଡ଼ି ପଡ଼ିଲା । ସୁପ୍ରିୟା କିନ୍ତୁ ସେଇଭଳି ବସି ରହିଥାଏ–ଝିଅକୁ ଅନେଇ ଅନେଇ । ରାତି ଅଧବେଳକୁ ଯେତେବେଳେ ଝିଅର ନିଦ ପତଳା ହେଇ ଆସିଲା, ମା’କୁ ପାଖରେ କାହାର ଛାଇଟିଏ ଭଳି ବସିଥିବା ଜାଣିପାରି ସେ ଚମକି ପଡ଼ି ଆଖି ଖୋଲି ଦେଖିଲା ସେତିକିବେଳେ ଯାଇ କହିଲା ସେ, “ସେମାନଙ୍କ କଥା କାହିଁକି ଏତେ ଭାବୁଚୁ ମା ! ଯା ଶୋଇବୁ ଯା । ଜାଣିଚୁ ମା–ଏଇଲେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି । ନରେଶ୍ ଆସି ମତେ ଡାକୁଚି !”

 

“କୋଉ ନରେଶ୍ ?” ସୁପ୍ରିୟାର ଛାୟାମୂର୍ତ୍ତି ଭିତରୁ ଯୋଡ଼ିଏ ବଡ଼ବଡ଼ ଆଖି ସ୍ଵତଃ ପଦାକୁ ବାହାରି ପଡ଼ିଲା ।

 

ସାନଝିଅ କଡ଼ ଓଲଟେଇ ପୁଣି ଗାଢ଼ ନିଦରେ ଶୋଇଗଲା । ତାର ମୁଦିଲା ଆଖି ଦିଓଟି ଅତି ସୁନ୍ଦର ଯୋଡ଼ିଏ ପଦ୍ମକଢ଼ ଭଳି ଦରହସିତ ଦେଖାଯାଉଥିଲା ।

 

ନରେଶ୍ ! –ସୁପ୍ରିୟା ନାଁଟିକୁ କେଇଥର ଉଚ୍ଚାରଣ କରି ଲାଗିଲା । ତାପରେ ସେ ବୁଝି ପାରିଲା ସାନଝିଅର ସେଇ ଦରହସିତ ପଦ୍ମକଢ଼ ଭଳି ଆଖିର ସୋନ୍ଦର୍ଯ୍ୟ ଅନ୍ତର୍ନିହିତ ଅର୍ଥକୁ ଅତିଶୀଘ୍ର । ସେଇଠୁ ସେ ଜାଣି ସାରିଥିଲା ସେ ସକାଳକୁ ସେ ପଦ୍ମକଢ଼ ଦିଅଟି ମଧ୍ୟ ଯୋଡ଼ିଏ ସାଧାରଣ ପଦ୍ମଫୁଲ ଭଳି ଫୁଟି ଉଠିବ । ଭ୍ରମରମାନେ ସେ ଫୁଲରୁ ମହୁ ଚୋରି କରି ନେବାକୁ ଆଉ ବେଶୀ ଡେରି ଲାଗିବ ନାହିଁ ।

 

ନରେଶ୍ ଡାକୁଚି ! ନରେଶ୍ ସାନ ଝିଅର ସ୍କୁଲ ସାଙ୍ଗ । ସୁପ୍ରିୟା ଚମକି ପଡ଼ିଲା ।

 

“ହେ ଭଗବାନ ! କଣ୍ଢେଇ ଭଳି ପିଲା ତିନୋଟିଙ୍କୁ ଦେଇଥିଲ । ତାଙ୍କୁ କାହିଁକି ବଡ଼ କରିଦେଲ !” ନିସ୍ତବ୍‌ଧରେ ସୁପ୍ରିୟାର ଆଖିରୁ ଲୁହ ଧାର ଛୁଟି ଚାଲିଲା ।

 

ସକାଳ ହେଲା ।

 

ସୌଭାଗ୍ୟବଶତଃ ନରେଶ୍ ଆସିଲା ନାହିଁ ଏତେ ଶୀଘ୍ର । ବରଂ ତା ବଦଳରେ ଆସିଲେ ସହରର ନାମଯାଦା ନେତ୍ରୀ ଅରୁନ୍ଧତୀ ! ଆସୁ ଆସୁ ସୁପ୍ରିୟା ତାଙ୍କ ପେଇଁ ଚାହା ବସେଇ ଦେଲା । ଅରୁନ୍ଧତୀଙ୍କୁ ଚା’ ପାଇଁ ବେଳ ନଥାଏ ଆଜି । ଆସୁ ଆସୁ ଡାକ ପକେଇଲେ ସେ–

 

“ଶୀଘ୍ର ବାହାର । ଯିବ ପରା ସମାଜସେବା ପାଇଁ । ଚାଲ–ଭୟଙ୍କର ବଢ଼ିରେ ତେଣେ ଭାସି ଗଲେଣି କେତେ କିଏ । ଚୂଡ଼ା ଚାଉଳ ଯାହା ଅଛି ବାହାର କର । ଚାଲ ମୋ ସାଥିରେ । ଏଭଳି ସୁଯୋଗ ମିଳିବ ନାଇଁ ଆଉ । ଆଗକୁ ନିର୍ବାଚନ । ଏତିକିବେଳେ ଯେ ବାହାରି ପଡ଼ିବେ ପଦାକୁ ସିଟ୍‌ଟିଏ ଥୁଆ ତାଙ୍କ ପେଇଁ ଆସେମ୍ବ୍ଲିରେ । କଣ ଯିବଟି ?” କହୁ କହୁ ହସିଦେଲେ ଅରୁନ୍ଧତୀ ।

 

ସୁପ୍ରିୟା ଚା’ ଘେନି ଆସିଲା ।

 

ଅରୁନ୍ଧତୀ ତରତର ହୋଇ ଚା’ ପିଇଦେଇ ଉଠିଲେ ।

 

“କଣ ଯିବଟି ?” ସେ ଆଉ ଥରେ ପଚାରିଲେ ।

 

ସୁପ୍ରିୟା ଉତ୍ତର ଦେଲା ନାହିଁ । ଘରେ କେହି ନାହିଁ । ସାନଝିଅଟିକୁ ଘରେ ଏକା ଛାଡ଼ି କେମିତି ବା ବାହାରକୁ ବାହାରି ପାରିଥାନ୍ତା ସେ ।

 

ସୁପ୍ରିୟାର ଅସୁବିଧା ଅନୁଭବକରି ଅରୁନ୍ଧତୀ ଏକା ବାହାରି ଗଲେ । ଯିବା ପୂର୍ବରୁ ସୁପ୍ରିୟା ଲାଗି ଗୋଟିଏ ସମାଧାନ ଖୋଜି ବାହାର କରିବାପାଇଁ ଟିକିଏ ଅଟକି ଯାଇ ସେ କହିଲେ–

 

“ଆଚ୍ଛା, ଗୋଟିଏ କାମ କର । ଯଦି କହିବ ଝିଅକୁ ଏଇଠିକା ଗୋଟିଏ ଗାର୍ଲସ୍ ସ୍କୁଲ ହଷ୍ଟେଲରେ ଛାଡ଼ିଦେବା । ଦିନ ଦୁଇତିନିଟା । ପିଲାଟାର ଅସୁବିଧା ହେବ ନାହିଁ । କ’ଣ କହୁଚ ?”

 

ସୁପ୍ରିୟା ତଥାପି ଉତ୍ତର ଦେଲା ନାହିଁ ଦେଖି ଅରୁନ୍ଧତୀ ଆହୁରିଥରେ ହସିଦେଇ ଶୀଘ୍ରଶୀଘ୍ର ବାହାରିଗଲେ ।

 

ଅରୁନ୍ଧତୀ ଚାଲିଗଲାପରେ ସାନଝିଅ ଆରଘରୁ ବାହାରିଆସି ହସିହସି କହିଲା–“ମା, ଗାନ୍ଧି ହବୁ ? ଯା ଯା–ଯାଉନୁ ତାଙ୍କ ସାଙ୍ଗରେ ।”

 

ସୁପ୍ରିୟା ଚିଡ଼ି ଉଠିଲା । କଅଣ କହିବ ବୋଲି ମୁହଁ ଖୋଲୁଖୋଲୁ ତା ପାଟି ବୁଜି ହେଇଗଲା । ସାନଝିଅ ଆହୁରି ଚିଡ଼େଇଲା, “ମୁଁ ହଷ୍ଟେଲରେ ରହିଯିବି ମ ! ତୁ ଯାଉନୁ ଗାନ୍ଧି ହବୁ ଗୋପବନ୍ଧୁ ହବୁ–ଯା !”

 

ସୁପ୍ରିୟାର ରାଗ ବାହାରିଲା । ବିରକ୍ତି ସହକାରେ କହିଲା ସେ, “କୋଉ ଗାତକୁ ଯିବି ମୁଁ-! ଜୀବନଟା ଏମିତି ବିତିଯିବ ସିନା–ଚୂଲିକୁ ଯିବି ଶେଷରେ ।” ଦିନ ସତକୁସତ ବିତିଗଲା । ସାନଝିଅ ସତକୁସତ ସେଇ ନରେଶକୁ ବାହାହେଇ ଚାଲିଗଲା ।

 

ଅରବିନ୍ଦ ଏବେ ମଧ୍ୟ ଅଫିସରୁ ଫେରିଲେ ପୂର୍ବପରି ଅବିକଳ ସେମିତି କନକନ ହେଇ ଚାରିଆଡ଼କୁ ଚାହିଁ ସୁପ୍ରିୟାକୁ ଆଲିଙ୍ଗନ କରନ୍ତି ଓ ଚିଡ଼ାନ୍ତି–

 

“ଚା’ ଆସିବ ନାହିଁ ? ମୁଁ ବଜାରକୁ ଏହି ବାହାରିଲି ।”

 

ସୁପ୍ରିୟା ଏବେ ଆଉ “ଡୋଣ୍ଟ ବି ନିଗାର୍ଡ଼ଲି” କହି ଚିଡ଼େନାହିଁ ଅରବିନ୍ଦ ଉପରେ । କାହିଁକି ବା ଚିଡ଼ନ୍ତା ସେ । ପ୍ରକୃତରେ ଆଉ ଆଜିକାଲି ଘରେ ଚା’ ବେଶୀ ଖର୍ଚ୍ଚ ହଉ ନାହିଁ । ସମାଜ ସେବିକାମାନେ ଆଉ ପ୍ରାୟ ଆସନ୍ତି ନାହିଁ ତାଙ୍କ ଘରକୁ । ଦିପ୍ରହରଗୁଡ଼ିକ ଏକାଏକା କଟିଯାଏ ତାର ବହି ପଢ଼ାରେ । କେବେ କେବେ ପିଲାଝିଲାଙ୍କ ପାଖରୁ ଚିଠିପତ୍ର ଆସିଥିଲେ ଥରକୁଥର ସେଗୁଡ଼ିକୁ ପଢ଼ି, କାନ୍ଦୁ କାନ୍ଦୁ ସମୟ କଟିଯାଏ ତାର । ସେମାନଙ୍କ ପାଖକୁ ଚିଠି ଲେଖିବାରେ ମଧ୍ୟ କେତେକ ଦ୍ଵିପହର କଟିଯାଏ ତାର, ତେବେ ଅଧିକାଂଶ ସମୟ ତାର କଟେ ବହି ପଢ଼ାରେ । ସୌଭାଗ୍ୟବଶତଃ ପିଲାଦିନୁ ବହିପଢ଼ିବାର ସଉକ ତାର ଥିଲା । ବଡ଼ଦିନେ ସେଇ ସଉକ ଯେ ତାକୁ ବଞ୍ଚେଇଦେବ କିଏ ଜାଣିଥିଲା !

 

ତଥାପି ଦିନେ ଦିନେ ସୁପ୍ରିୟା ଅଣନିଶ୍ଵାସୀ ହେଇପଡ଼େ । ସଞ୍ଜବେଳେ ଅରବିନ୍ଦ ଘରକୁ ଲେଉଟିବା ମାତ୍ରେ ସେ ଗୋଟିଏ ଗୋଟିଏ ଝୁଙ୍କିବାଦ କଥା ଆରମ୍ଭ କରିଦିଏ ।

 

“ଖବରକାଗଜ ଦେଖିଛ ? କଳାହାଣ୍ଡିରେ ଦୁର୍ଭିକ୍ଷପଡ଼ି ଲୋକ ପୋକମାଛିପରି ମରୁଛନ୍ତି-। ଆମେ କଣ ଏମିତି ଘରେ ବସିଥିବା ? ଆମର କିଛି କର୍ତ୍ତବ୍ୟ ନାହିଁ ?”

 

“ଯାଉନ ! କଳାହାଣ୍ଡି ଦଉଡ଼ !” ଅରବିନ୍ଦ ସ୍ଵଭାବସୁଲଭ ଢଙ୍ଗରେ ଛିଗୁଲାଏ, “ଦୁର୍ଭିକ୍ଷଯୋଗୁ ଲୋକେ ତିନ୍ତୁଳିପତ୍ର ଖାଉଛନ୍ତି । ତମେ ତିନ୍ତୁଳିପତ୍ର ଚଟଣିକରି ତାଙ୍କୁ ଖାଇବାକୁ ଯଦି ଚାହୁଁଚ ଯାଅ ।”

 

ସୁପ୍ରିୟା ବିରକ୍ତ ହେଇ ମୁଁହ ଫୁଲେଇ ବସିରହେ । ଅରବିନ୍ଦ ବେଶୀ ବୁଝାସୁଝା କଲେ ନିଜ ଜୀବନକୁ ଧିକ୍‌କାରି ଧିକ୍‌କାରି ସେ କହେ, “ପୋକ ମାଛିର ଜୀବନ । ଏ ଜୀବନରେ କଅଣ କରିହବ ଯେ ଏତେ ମାୟାମମତା ଲଗେଇ ମଣିଷ ସନ୍ତୁଳି ହଉଚି ।”

 

ଅରବିନ୍ଦ ସ୍ତ୍ରୀର ଦୁଃଖ ବୁଝିପାରେ । ଅଧିକାଂଶ ସମୟରେ ସେ ତାକୁ ନିଜର ସାନିଧ୍ୟ ଦେବାକୁ ଯଦୋପରୋନାସ୍ତି ଚେଷ୍ଟା କରେ । କିନ୍ତୁ ଅଫିସ ସମୟତକ ସେ ଆଉ କଣ କରନ୍ତା ! ଚାକିରିର ଶେଷ ସହଜେ ହୁଏନା । ଅବସର ନେବା ସମୟ ଆହୁରି କେତେବର୍ଷ ବାକି । ଅନନ୍ୟୋପାୟ ହେଇ ସେ ସୁପ୍ରିୟାକୁ ନାନା ପ୍ରକାରେ ବୁଝାଏ । ଥରେ ଥରେ କହେ ସେ “ଦେଖ ! ଘରୁ କୁଆଡ଼େ ପଳେଇଗଲେ ଯେ ସମାଜସେବା ହେଇଯିବ ତା କାହିଁକି ଭାବୁଚ ? ଘରେ ଥାଇ ମଧ୍ୟ ଯଥେଷ୍ଟ ସମାଜସେବା କରୁଚ ବୋଲି ଭାବ । ସବୁ ସ୍ତ୍ରୀ ଯଦି ଘରଛାଡ଼ି ପଳେଇବେ ତେବେ ଘର ମୋଟେ ରହିବ ନାହିଁ । ତାଛଡ଼ା ସମାଜସେବାପାଇଁ ଏଇ ଆଖପାଖରେ ଘର ଓଳିତଳେ ମଧ୍ୟ କି ସୁଯୋଗ ଅଛି ଦେଖିଲଣି ?

 

ସୁପ୍ରିୟା ଖିଙ୍କାରି ହେଇ ଉଠେ ସେଭଳି ମନରଖା କଥା ଶୁଣିବାମାତ୍ରେ ଅରବିନ୍ଦ ମୁହଁରୁ-। ସେ ଭଲକରି ଜାଣିପାରେ ଲୋକଟା ତାର ମର୍ମ କଥାକୁ ଆଦୌ ଗୁରୁତ୍ଵ ଦେଉନାହିଁ । ବରଂ ତା ଜୀବନର ସମସ୍ତ ଅଭିଳାଷକୁ ସେ ଲଘୁ କଥାରେ ଉଡ଼େଇଦେବାକୁ ଚାହୁଁଚି । ଅରବିନ୍ଦ ଆଉ ଆଗେଇ ପାରେ ନାହିଁ । ବାଧ୍ୟ ହୋଇ ସ୍ଵାମୀ ସ୍ତ୍ରୀ ଯେଝାଯେଝା ଖଣ୍ଡିଏ ଖଣ୍ଡିଏ ବହି ହାତରେ ଧରି ବସି ପଡ଼ନ୍ତି । ସମୟ ଗଡ଼ିଯାଏ । ସୁପ୍ରିୟାର ଅଣନିଶ୍ଵାସୀ ଦିନଗୁଡ଼ିକର ସଂଖ୍ୟା ବଢ଼ିବାକୁ ଲାଗେ-

 

ଏଇ ଅଣନିଶ୍ଵାସ ଭିତରେ ଅନେକ ଅନେକ ଦୁଶ୍ଚିନ୍ତା କ୍ରମେ ସୁପ୍ରିୟାକୁ ଗ୍ରାସ କରିବାକୁ ଲାଗିଲା । ଥରେ ଗୋଟିଏ ନିର୍ଜନ ଦ୍ୱିପ୍ରହରେ ଜଣେ କିଏ ଲୋକ ଫାଟକ ପାଖରେ ନଡ଼ବଡ଼ ହେଉଥିବା ଦେଖି ସେ ହଠାତ୍ କଣ ଭାବି ଫାଟକ ପାଖକୁ ଦଉଡ଼ି ଚାଲିଗଲା । ଲୋକଟି ଚିହ୍ନାଚିହ୍ନା ମନେ ହେଉଥିଲା । ଅଳ୍ପଅଳ୍ପ ହସି ସେ ଲୋକଟି ମଧ୍ୟ ସୁପ୍ରିୟାକୁ ଅନେଇ ପଚାରି ଦେଲା, “ବାବୁ ଘରେ ନାହାନ୍ତି ?”

 

ସୁପ୍ରିୟା ପ୍ରାୟ କହି ଆସୁଥିଲା ବହୁଦିନୁ ମନଭିତରେ ଧୂଆଁ ଭଳି କୁହୁଳୁଥିବା କଅଣ ଗୋଟିଏ ଶବ୍ଦ ସେ କେଜାଣି । ତା ସହିତ ଫାଟକ ଖୋଲି ଦେବାପାଇଁ ସେ ଚାବିନେନ୍ଥାରୁ ଚାବି ମଧ୍ୟ କାଢ଼ି ବାହାର କରିସାରିଥିଲା । କିନ୍ତୁ ମୁହୂର୍ତ୍ତକ ଭିତରେ ବଦଳିଗଲା କେମିତି କେଜାଣି ତା ମନର ସେ ଅଚିହ୍ନା ଅବସ୍ଥା । କହିଲା ସେ ଅତି ଭଦ୍ର ଭାବରେ–

 

 

“ଅରବିନ୍ଦବାବୁ ଘରେ ନାହାନ୍ତି । ସେତ ଅଫିସ୍ ଯାଇଛନ୍ତି–ଆପଣ ଭଲଭାବେ ଜାଣନ୍ତି । ଯାଆନ୍ତୁ ଆପଣ ।”

 

କହି ଫେରି ଆସିଲା ସେ ଘର ଭିତରକୁ । ହଠାତ୍ ତାର ମନ ହଉଥିଲା ଖଟ ଉପରେ ମୁହଁମାଡ଼ି ଶୋଇପଡ଼ି ଭେଁ ଭେଁ ହେଇ କାନ୍ଦିବାକୁ । କିନ୍ତୁ ତା ବଦଳରେ ହଠାତ୍ ସେ ଖଣ୍ଡେ ବହି କୋଉଦିନୁ ଖଟତଳେ ପଡ଼ିଥିବା ଦେଖି ତାକୁ ଉଠେଇ ଆଣିଲା । କଭର ଉପରେଥିବା ଛବିଟି ଉପରେ ତାର ନଜର ପଡ଼ିଯିବାମାତ୍ରେ ସେ ଆଉ ନିଜକୁ ସମ୍ଭାଳି ନପାରି ପ୍ରକୃତରେ ଭେଁ ଭେଁ ହେଇ କାନ୍ଦି ଉଠିଲା । ସେଇଟି ଥିଲା ସ୍ଵାମୀ ବିବେକାନନ୍ଦଙ୍କର ଗୋଟିଏ ଛବି–ଯେଉଁ ରୂପକୁ ଦେଖି ସିଷ୍ଟର ନିବେଦିତା ଦିନେ ମହାପୁରୁଷଙ୍କ ଅନୁଗାମିନୀ ହୋଇଥିଲେ–ସେଇ ଛବି ସେ !

 

ସୁପ୍ରିୟା ସ୍ୱାମୀଜୀଙ୍କ ଛବିଟିକୁ ଛାତିରେ ଜାକିଧରି ଅନେକବେଳ କାନ୍ଦି କାନ୍ଦି ସେ ନିର୍ଜନ ଦ୍ୱିପ୍ରହରଟିକୁ ନିରାପଦରେ ବିତେଇ ଦେଇଥିଲା ।

 

ଅରବିନ୍ଦ ସେଦିନ ସଞ୍ଜରେ ଟିକିଏ ଡେରିକରି ଅଫିସରୁ ଫେରିଲେ । ଆସୁ ଆସୁ ସେ ସେଇ ଫାଟକ ପାଖରୁହିଁ ଡାକ ଛାଡ଼ିଲେ–

 

“ସୁପ୍ରିୟା ! ଆଜି ଠିକ୍ କରିନେଲି ସମାଜସେବା ପାଇଁ ତୁମର ବେଳ ହେଇଗଲା ।”

 

ସୁପ୍ରିୟା ଫାଟକ ଖୋଲିଦେଲା ।

 

ଅରବିନ୍ଦଙ୍କ ସାଥିରେ ଜଣେ କିଏ ବୟସ୍କା ଭଦ୍ରଲୋକ ଆସିଥିଲେ ।

 

ସେମାନଙ୍କୁ ଚା’ ଜଳଖିଆ ଦେଉ ଦେଉ ଅରବିନ୍ଦ ଆରମ୍ଭ କରିଦେଲେ, “ଆଜିର ଖବର କାଗଜ ଦେଖିଚ ସୁପ୍ରିୟା ? ଭୟଙ୍କର ମରୁଡ଼ି । ସରକାରି ରିଲିଫ୍‌ଟିମ୍ ଯାଉଚି । ବହୁଲୋକ ଯାଉଚନ୍ତି । ଫ୍ରି କିଚିନ୍ ଅନେକ ଯାଗାରେ ଖୋଲିଚି । ରୋଷେଇ କରି ଦେବାପାଇଁ ସ୍ୱେଚ୍ଛାସେବିକାମାନେ ଯାଉଚନ୍ତି । ତୁମେ ଯାଅ । କାଲି ସକାଳୁ ଗାଡ଼ି ଆସିବ । ଯାଅ । ଦଶ ପନ୍ଦର ଦିନ ପରେ ଫେରି ଆସିବ ।”

 

ସୁପ୍ରିୟା ନିରୁତ୍ତର ରହିଲା ।

 

ସକାଳକୁ ରିଲିଫ୍ କ୍ୟାମ୍ପକୁ ଯିବା ଗାଡ଼ି ଆସି ଘର ଦାଣ୍ଡରେ ଠିଆ ହେଲା ।

 

ଅରବିନ୍ଦ ଯାଅ ଯାଅ କହି ଥକିଗଲା । ଶେଷକୁ ବିରକ୍ତ ହେଇ ସେ କହିଲା, “ଏଇଥିପାଇଁ ସାରା ଜୀବନଟା ତମେ ହଙ୍କହଙ୍କ ହଉଥିଲ ସମାଜସେବା ସମାଜସେବା କହି କହି !”

 

ଗାଡ଼ି ଚାଲିଗଲା ।

 

କଅଁଳ ସକାଳର ଖରା ତେଜ ଟାଣ ହେଲା ।

 

ଭିକାରିଟିଏ ଆସି ଫାଟକ ପାଖେ ମା’ ମା’ ଡାକି ଅପେକ୍ଷା କଲା ।

 

ସୁପ୍ରିୟା ଅଭ୍ୟାସ ମୁତାବକ ଭିକ ମୁଠିଏ ଧରି ଫାଟକ ପାଖକୁ ଯାଇ ଭିକାରୀର ଥାଳରେ ସେତକ ଅଜାଡ଼ି ଦେଇ ଫେରି ଆସୁଥିଲା । କିନ୍ତୁ କଅଣ ଭାବି ସେ ପୁଣି ବୁଲିପଡ଼ି ସେ ଭିକାରୀଟିକୁ ଅନେଇଲା । ପ୍ରଥମେ ସେ ତାର ପାଦକୁ ନିରେଖି ଦେଖିଲା । ଧୀରେ ଧୀରେ ତା ଆଖି ଭିକାରୀଟିର ମୁହଁକୁ ନିରୀକ୍ଷଣ କରିବାକୁ ଲାଗିଲା ।

 

ବୁଢ଼ା ଭିକାରୀଟି ସୁପ୍ରିୟାର ଚାହାଣିରୁ କଅଣ ବୁଝିଲା କେଜାଣି କହିଲା, “ଗଣ୍ଡିଏ ପଖାଳ ଦିଅ ମା ! କେତେଦିନ ହେବ ଅନ୍ନ ଯାଇ ନାହିଁ ଏ ତୁଣ୍ଡକୁ ।”

 

ସୁପ୍ରିୟା ଭାତ ଗଣ୍ଡିଏ ଆଣି ଲୋକଟିକୁ ଦେଲା । କେଇ ଗେଫାରେ ସେତକ ଭାତ ଗର୍ଭସ୍ଥ କରିସାରି ବୁଢ଼ା ପୁଣି ଦେଖିଲା–ମା’ ତାକୁ ଅନେଇଚନ୍ତି ତଥାପି ।

 

“ମା ! ଖଣ୍ଡିଏ କନା ଦିଅ ଏ ବୁଢ଼ା ପିଠିକି । ଦେଖୁଚତ ଏ ଖଣ୍ଡକୁ । କିଏ ଜଣେ ଦେଇଥିଲେ ତମରି ପରି ଧର୍ମବତୀ । ଆଉ କିଛି ନାହିଁ ଏଥିରେ ।”

 

ସୁପ୍ରିୟା ବୁଢ଼ାକୁ ଚିରା ଲୁଗା ଖଣ୍ଡିଏ ଆଣି ଦେଲା ।

 

ସନ୍ତୁଷ୍ଟ ହେଇ ଭିକାରୀଟି ଆଗକୁ ପାଦ ବଢ଼େଇଲା ।

 

“ଆର ହପ୍ତାକୁ ଆସିବୁ–ଯା । ମନେ ରହିଲା ?” ସୁପ୍ରିୟାର ଡାକ ଶୁଣି ବୁଢ଼ା ଆଶ୍ଚର୍ଯ୍ୟରେ ପଛକୁ ଫେରି ଚାହିଁଲା ।

 

ଆଶ୍ଚର୍ଯ୍ୟ ହେଇ ଅରବିନ୍ଦ ସୁପ୍ରିୟାକୁ ଚାହିଁ ରହିଥିଲେ ତା ପଛରୁ ।

 

“କ’ଣ ପାଗଳି ହେଇଗଲଣି ନା କଅଣ ତମେ ?” ପଚାରିଲା ସେଇଭଳି ଆଶ୍ଚର୍ଯ୍ୟ ହେଇ ଅରବିନ୍ଦ, ଭିକାରୀଟି ଚାଲିଯିବା ପରେ ।

 

ସୁପ୍ରିୟା ବୁଲି ପଡ଼ିଲା ପଛକୁ । ଅରବିନ୍ଦକୁ ଆହୁରି ଆଶ୍ଚର୍ଯ୍ୟ କରିଦେଇ ସେ କହିଲା–

 

“ପାଗଳ ମୁଁ ନୁହେଁ ତମେ । କୋଉ ବୁଦ୍ଧିରେ ତମେ ମତେ କାହା ସାଙ୍ଗରେ ସେ ଗାଡ଼ିରେ ପଠେଇ ଦବାକୁ ବସିଥିଲ ଆଜି କହିଲ ! ସମାଜସେବା ଘରେ ଥାଇ ମଧ୍ୟ କରିହେବ । ଏଥର ମୁଁ ବୁଝିଲିଣି ତା ବାଟ ।”

 

କିନ୍ତୁ ଅରବିନ୍ଦ କିଛି ବୁଝି ପାରିଲା ନାହିଁ ସୁପ୍ରିୟାର ବାଟ ।

 

ଦିନ ପରେ ଦିନ ଅରବିନ୍ଦ କେବଳ ଲକ୍ଷ୍ୟ କରି ଲାଗିଲା–ଫାଟକ ପାଖକୁ ଯେତେ ଭିକାରୀ ଭିକାରୁଣୀ ଆସୁଚନ୍ତି ସେମାନଙ୍କ ମୁହଁକୁ ଅନେଇ ରହୁଚି ସେ । କେତେ ଗପସପର ଆସର ଜମୁଚି ସେଠି ସେଇ ଫାଟକ ପାଖେ ।

 

ଥରେ ଅରବିନ୍ଦ ଶୁଣି ପାରିଲା ଜଣେ ଭିକାରୁଣୀକୁ ସୁପ୍ରିୟା ପଚାରୁଥିଲା, “ତୁ ଏତେ ଦିନଯାକ କୁଆଡ଼େ ଯାଇଥିଲୁ କିଲୋ ଛତରଖାଇ ?”

 

“ବାପ ଘରକୁ–” ହସିହସି ତେଣୁ ଜବାବ ଆସୁଥିଲା ।

Image

 

ଟେକ୍‌ନିକ୍

 

“ଶୁଣିଲେଣି ! ଆପଣଙ୍କ ବନ୍ଧୁ ଦେବଚାନ୍ଦ୍...ଉଡ଼ିଗଲେ !”

 

“ହ୍ଵାଟ୍ ? ଦେବଚାନ୍ଦ୍ ? ଉଡ଼ିଗଲା ? ହ୍ଵାଟ୍ ଡ଼ୁ ୟୁ ମିନ୍ ?”

 

କିନ୍ତୁ ମୋର ପ୍ରଥମ ପ୍ରଶ୍ନଟା ଅରମ୍ଭ ନ ହେଉଣୁ ଆରପଟୁ ଗୋଟାଏ ଯାନ୍ତ୍ରିକ କ୍ୟୁଁ କ୍ୟୁଁ ଶବ୍ଦର କାନ୍ଦଣା ଆରମ୍ଭ ହୋଇଯାଇଥିଲା । ଟେଲିଫୋନ୍ ଲାଇନ କଟିଯାଇ ସାରିଥିଲା ।

 

ହେ ଭଗବାନ ! ଦେବଚାନ୍ଦ୍, ମୋର ଅତି ଅନ୍ତରଙ୍ଗ ବନ୍ଧୁ ଦେବଚାନ୍ଦର କଅଣ ହୋଇଗଲା ! ଟେଲିଫୋନ୍ ରିସିଭର୍‌ଟାକୁ କ୍ରାଡ଼ଲ ଉପରେ ରଖିଦେଲି ଓ ପୁଣିଥରେ ଉଠେଇଲି । ଉଦ୍ଦେଶ୍ୟ–ଘଟଣାର ସତ୍ୟାସତ୍ୟ ପରୀକ୍ଷା ପାଇଁ ଦେବଚାନ୍ଦ୍ ଘରକୁ ଫୋନ୍‌କରିବା । କିନ୍ତୁ ଦେବଚାନ୍ଦର ନମ୍ବରକୁ ଲାଗ୍ ଲାଗ୍ ପାଞ୍ଚଥର ରିଂ କଲାପରେ ଯେତେବେଳେ କେବଳ ଏନ୍‌ଗେଜଡ଼ ଶବ୍ଦ ଛଡ଼ା ଆଉ କିଛି ଶୁଣା ନ ଗଲା ସେତେବେଳକୁ ମୋର ଆଶଙ୍କା ମତେ କଣ୍ଠାଗ୍ରତ କରିସାରିଥିଲା ।

 

ସକାଳ, ସମୟ ଏଗାରଟା । ଅଫିସରେ ଫାଷ୍ଟ୍ ଆୱାର କୁହାଯାଏ ଯାହାକୁ । ଫାଇଲ୍ ଜମିବାକୁ ଆରମ୍ଭ କରିଥାଏ । ଲୋକେ ପରଦା ଆଢ଼ୁଆଳରୁ ଗୋଡ଼ ମୁହଁ ଦେଖେଇଲେଣି । ଆଜି ଗୁଡ଼ାଏ ଲୋକ ପହଞ୍ଚିଚନ୍ତି ଅଫିସରେ । ସେମାନଙ୍କ ଭିତରୁ ଅଧିକାଂଶ ଗାଉଁଲୀ ଲୋକ । ହୁଏତ କୌଣସି ଚାକିରି ଲାଗି ଇଣ୍ଟର୍‌ଭିଉ ଡେଟ୍ ଫିକ୍‌ସ କରାଯାଇ ଥାଇପାରେ ଆଜି ତାରିଖରେ ।

 

ମୋର ଆଖି କାନ୍ଥଘଡ଼ି ଉପରୁ ଘୂରିଗଲା–ଏନ୍‌ଗେଜ୍‌ମେଣ୍ଟ ପ୍ୟାଡ଼୍ ଉପରକୁ । ଯାହା ଦେଖିଲେ ମୁଣ୍ଡ ଘୂରେଇଗଲା । ଏଗାରରେ ପିଅନ ପୋଷ୍ଟ ପାଇଁ ଇଣ୍ଟରଭିଉ, ବାରଟାରେ ଲେବରକୋର୍ଟ, ସାଢ଼େବାରରେ ସେକ୍ରେଟେରିଏଟରେ ମନ୍ତ୍ରୀଙ୍କ ଡକରା, ଗୋଟାକରେ ଏୟାରପୋର୍ଟ (ୟୁ.ଏନ୍.ଡି.ପି.ଟିମ୍), ଦୁଇଟାରେ ଏ.ଆଇ.ଆର୍. ରେକର୍ଡ଼ିଂ, ତିନିଟା ପନ୍ଦରରେ ବୋର୍ଡ଼ ଅଫ୍ ମ୍ୟାନେଜର୍ସ ମିଟିଂ, ପାଞ୍ଚଟା ପନ୍ଦରରେ... ।

 

ଟେଲିଫୋନ୍ ରିସିଭର୍ ଟାକୁ ପୁଣିଥରେ ଉଠେଇ କାନରେ ଦେଲି । ଡାଏଲ୍‌ଟୋନ୍ ଆସିବା ମାତ୍ରେ ଦେବଚାନ୍ଦ୍‌ର ନମ୍ବର ଆଉଥରେ ଟ୍ରାଇ କଲି । କିନ୍ତୁ ସେଇ କ୍ୟୁଁ କ୍ୟୁଁ, ସେଇ ଏନ୍‌ଗେଜଡ଼ ସାଉଣ୍ଡ ! ରିସିଭରଟିକୁ ଯଥାସ୍ଥାନରେ ରଖିଲି । କଲିଂବେଲ୍ ଚିପିଲି । ପିଅନ ଆସିବା ମାତ୍ରେ କହିଲେ–ବାବୁମାନଙ୍କୁ ଡାକ, ଆଜି ପିଅନ୍ ଇଣ୍ଟରଭିଉ ତାରିଖ ପରା !

 

ଅଫିସରୁ ବାହାରୁ ବାହାରୁ ରାତି ଆଠ । ଇତିମଧ୍ୟରେ ପ୍ରତି ଘଣ୍ଟାଏ ଅଧଘଣ୍ଟାଏ ଛାଡ଼ି ଦେବଚାନ୍ଦ ଘରକୁ ବରାବର ଟ୍ରାଇ କରିଥିଲି ଟେଲିଫୋନରେ । ପୁଣି ବିଭନ୍ନ ସ୍ଥାନରୁ–ଏୟାର୍‌ପୋର୍ଟରୁ, ଏ.ଆଇ.ଆର.ରୁ, ସେକ୍ରେଟେରିଏଟରୁ ଇତ୍ୟାଦି । କେବଳ ଦେବଚାନ୍ଦର ଘର ନୁହେଁ, ତା ଅଫିସ, ତାର ଅନ୍ୟ ବନ୍ଧୁ, ମୋ ବନ୍ଧୁ, ଆମର ସାଧାରଣ ବନ୍ଧୁ । କିନ୍ତୁ କୌଣସିଠାରୁ ଦେବଚାନ୍ଦ ସମ୍ପର୍କରେ କିଛି ପ୍ରତ୍ୟକ୍ଷ ସମ୍ବାଦ ନ ଥିଲା । ସେଇ ‘ଭେଗ୍’ ପରିହାସବ୍ୟଞ୍ଜକ ବାର୍ତ୍ତା–ଦେବଚାନ୍ଦ ଉଡ଼ିଗଲା–ଓ ତା’ ସହିତ କିଛି ହସ, କିଛି କାନ୍ଦ କାନ୍ଦ ଅଥଚ ଓଲଟା ପ୍ରଶ୍ନ; ଏଁ ? ଉଡ଼ିଗଲା ? ଏବଂ ଏହା ସହିତ ଏକ ସାଧାରଣ ମନ୍ତବ୍ୟ, “ବହୁତ ମଦ, ବହୁତ ମଦ, ଓଃ !”

 

କିନ୍ତୁ, ଦେବଚାନ୍ଦ୍ ଘର ପାଖାପାଖି ପହଞ୍ଚିବା ମାତ୍ର ମୋର ନର୍ଭଗୁଡ଼ାକ ଲକ୍ଷେ ଟେଲିଫୋନ ଖଞ୍ଜା ହୋଇଥିବା ଗୋଟିଏ ଘର ପରି ବାର୍ତ୍ତାମୟ ହୋଇଉଠିଲା ।

 

ଦେବଚାନ୍ଦର ସରକାରୀ କ୍ଵାଟର୍ସ ଚତୁଃପାର୍ଶ୍ଵ ସେତେବେଳକୁ ଲୋକାରଣ୍ୟ । ପୁଲିସ, ଫାୟାର୍‌ବ୍ରିଗେଡ଼ଠୁଁ ଆରମ୍ଭ କରି ଡାକ୍ତରଖାନାର କେତୋଟି ଅମ୍ବୁଲାନ୍‌ସ ମଧ୍ୟ ଘଟଣାସ୍ଥଳରେ ମହଜୁଦ । ତା’ଛଡ଼ା, ଏସବୁ ମଝିରେ ଅନ୍ୟ ଯୋଉ ଦୃଶ୍ୟଟା ମତେ ହଠାତ୍ ଦେଖାଗଲା ସେଥିରେ ମୋ ନିଃଶ୍ଵାସ ରୁଦ୍ଧ ହୋଇଗଲା ।

 

“ଆରେ ଦେବଚାନ୍ଦ୍ ତତେ ଏ ଦଣ୍ଡ କିଏ ଦେଲା !” କହୁ କହୁ ଲୋକଗହଳି ଠେଲି ମୁଁ ତା’ ଘର ଫଟକ ଆଡ଼କୁ ବାଟ ଖୋଜିବା ଆରମ୍ଭ କରିଦେଲି । କିନ୍ତୁ ଅଳ୍ପ ସମୟ ପରେ ଆବିଷ୍କାର କଲି ଯେ ଆଜି ସନ୍ଧ୍ୟାରେ ଦେବଚାନ୍ଦର ଘରକୁ ଯିବା ପାଇଁ ଫାଟକ ବାଟେ କାହାରିକୁ ଅନୁମତି ମିଳୁନାହିଁ । ପୁଲିସବାଲା ତା’ ଘରଟାକୁ ପୂରାପୂରି ଘେରାଉ କରି ନେଇସାରିଛନ୍ତି ରାତି ପାହାନ୍ତାରୁ ।

 

ଫାଟକ ପାଖରେ ରାସ୍ତା ଲୋକଙ୍କ ସାଥିରେ ମିଶି କିଛିସମୟ ଏପଟ ସେପଟ ହୋଇ ଲୋକଙ୍କ କଥାକୁ କାନେଇବା ଛଡ଼ା ସେତେବେଳେ ମୁଁ ବା ଆଉ କ’ଣ କରିପାରିଥାନ୍ତି ! କିନ୍ତୁ ଲୋକେ ମଧ୍ୟ ହତା ସେପଟ ବ୍ୟାପାର ସମ୍ପର୍କରେ କିଛି ଠିକଣା କଥା ଜାଣିବା ଭଳି ଜଣାଗଲା ନାହିଁ-। କେହି କେହି ଦେବଚାନ୍ଦ‌ର ସପକ୍ଷରେ କହୁଥିଲେ ତ କେହି କେହି କହୁଥିଲେ ତା’ ବିପକ୍ଷରେ-। କେହି କେହି କହୁଥିଲେ ଘଟଣାଟା ପଲଟିକାଲ ତ କେହି କେହି କହୁଥିଲେ ହୋମ୍, ହେଲ୍‌ଥ ବା ପବ୍ଲିକ ହେଲଥ ଡିପାର୍ଟମେଣ୍ଟର ନାଁ । ଅନ୍ୟ କେତେକ ଉଠେଇଥିଲେ ମଧ୍ୟ ଅବକାରୀ ଡିପାର୍ଟମେଣ୍ଟର କୌଣସି ତଦନ୍ତଜନିତ ବ୍ୟାପାର ବିଷୟ । ଏମିତି ଗୋଳିଆମିଶା ହୋଇସାରିଥାଏ ଘଟଣାଟା । ତେବେ ପବ୍ଳିକ୍ ଓପିନିଅନ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଆକାର ଧାରଣ କରି ନ ଥାଏ ଲୋକଟା ସମ୍ପର୍କରେ । ମୋ ପକ୍ଷରେ ଏତିକି ଯଥେଷ୍ଟ ଆଶ୍ୱସ୍ତିର ବିଷୟ ଥିଲା ।

 

ସେଦିନ ରାତି ଦୁଇଟା ପର୍ଯ୍ୟନ୍ତ ଜଣେ ସାଧାରଣ ଲୋକ ପରି ହଜାର ହଜାର ଲୋକଙ୍କ ଭିତରେ ଅପେକ୍ଷା କରିଥିଲି ମୁଁ । କିନ୍ତୁ ଦେବଚାନ୍ଦ‌ର ଫାଟକ ଟପି ଭିତରକୁ ଯିବା କିମ୍ବା ଅନ୍ୟ କୌଣସି ଗଳିବାଟ ଦେଖି ଭିତରକୁ ପଶିବା ସମ୍ଭବ ହୋଇ ନ ଥିଲା । ପୁଲିସବାଲାଙ୍କୁ ସୁବିଧା ଉଣ୍ଡି କିଛି ଖୋସାମତ ମଧ୍ୟ କରିବାକୁ ପଛେଇ ନ ଥିଲି ମୁଁ । କିନ୍ତୁ ନା । ଯାଗାଟାକୁ ଏପରି ଏକ ସିକ୍ୟୁରିଟି ବାଡ଼ା ଭିତରେ ନିବୁଜକରି ଦିଆଯାଇ ସାରିଥିଲା ଯାହାଫଳରେ ତା’ ଭିତରୁ କୌଣସି ସମ୍ବାଦ ନା ଏପଟକୁ ଆସିପାରୁଥିଲା ନା ସେପଟକୁ ଯାଇପାରୁଥିଲା । ଏପରି କି ଦେବଚାନ୍ଦ ସମ୍ପର୍କରେ କୌଣସି ପ୍ରେସବାଲାଙ୍କ ପାଖରେ ମଧ୍ୟ କୌଣସି ସଠିକ୍ ସମ୍ବାଦ ଥିଲା ପରି ମତେ ଜଣାଗଲାନାହିଁ । କାରଣ, ରାତିରେ ଘରକୁ ଫେରି ମୁଁ ମୋର ଚିହ୍ନାଜଣା ଯେତେ ସାମ୍ବାଦିକ ବନ୍ଧୁଙ୍କ ଘରକୁ ଟେଲିଫୋନ କଲି ସେଠୁ ସେହିପରି ଗୁଡ଼ିଏ ‘ଭେଗ୍’ ଖବର ସଂଗ୍ରହ କରିବା ସାର ହେଲା । ସେଇ ପଲିଟିକାଲ୍ ନଚେତ୍ ହୋମ୍, ହେଲଥ୍, ପବ୍ଲିକ୍ ହେଲଥ୍ ଅଥବା ଅବକାରୀ ସମ୍ବାଦ । ଅନିର୍ଦ୍ଦିଷ୍ଟ ପବ୍ଲିକ୍ ଓପନିଅନ୍‌ର ପ୍ରତିଧ୍ୱନି କେବଳ । ଆଉ, ପ୍ରତ୍ୟେକ ପ୍ରତିଧ୍ୱନୀର ସଭା ଶେଷ ଆବାଜ ଉଡ଼ିଗଲା ! ଲୋକଟା ଉଡ଼ିଗଲା !

 

ପରଦିନ ନିଦଭାଙ୍ଗିବା ପରେ ମୁଁ ପୁଣିଥରେ ଟେଲିଫୋନ ସହିତ ଅନେକ ସମୟ କୁସ୍ତି କରିଥିଲି । ସରକାରୀ ବେସରକାରୀ ଯେତେ ବ୍ୟକ୍ତି ବା ସଂସ୍ଥା ସହିତ ମୋର ପରିଚୟ ଅଧିକାଂଶ ସୋର୍ସ ଏକଜଷ୍ଟ୍ ହୋଇଗଲା ପରେ ଦିକ୍‌ଦାର ହୋଇ ବସିପଡ଼ିଲି । ଏହାପରେ ସକାଳର ଖବରକାଗଜ ଦରାଣ୍ଡି ବସିଲି । ତା’ପରେ ଅଫିସ ଯିବାକୁ ପ୍ରସ୍ତୁତ ହେବା ମଝିରେ ଅନ୍ୟଆଡ଼ୁ ଯେତେ ଟେଲିଫୋନ୍ ଆସିଲା ସେ ସୂତ୍ରରୁ ମଧ୍ୟ ଦେବଚାନ୍ଦ୍‌ ସମ୍ପର୍କରେ କୌଣସି ଗୋଟିଏ ସଠିକ୍ ସମ୍ବାଦ ଠଉରାଇବାକୁ ଚେଷ୍ଟାକଲି । ପୁଣି ଅଫିସ ଯିବା ବାଟରେ ଗାଡ଼ି ବୁଲେଇ ଦେବଚାନ୍ଦ୍ ଘରବାଟେ ମୁହଁମାରି ଦେଇଗଲି । ଦେଖିଲି ପୂର୍ବ ରାତି ପରି ତା’ ଘର ଆଗରେ ସେମିତି ମହଜୁଦ ପୁଲିସ ପହରା । ଲୋକ, ଆମ୍ବୁଲାନ୍‌ସ, ଫାୟାରବ୍ରିଗେଡ଼ ଗାଡ଼ି ଯଥାସ୍ଥାନରେ ଥୁଆ ହୋଇଥାଏ । କିନ୍ତୁ ଭିତରେ କ’ଣ ଘଟିଛି ବା ଘଟୁଛି ଏ ସମ୍ପର୍କରେ କେହି କିଛି ଜାଣେ ନା । ଓଲଟି ଅନେକେ ମତେ ସେଠି ଦେଖି ପଚାରିବା ଆରମ୍ଭ କରିଦେଲେ, “ଆଜ୍ଞା ? ଆପଣଙ୍କ ବନ୍ଧୁଙ୍କର କ’ଣ ହେଇଚି କି ?”

 

ସମୁଦାୟ ଦୃଶ୍ୟ ଓ ବ୍ୟାପାର ଉପରେ ମୋର ମତାମତ ଆଉ ଭଦ୍ରଜନୋଚିତ ନ ହୋଇ ପାରିବାର ଅନେକ ଯୁକ୍ତି ସେତେବେଳକୁ ପଡ଼ିସାରିଥାଏ ମୋ କବଜରେ । ତେଣୁ ଚୁପ ଚାପ୍ ଗାଡ଼ି ବୁଲେଇ ସେଠୁ ପାରହେଇ ନିଜ କାମରେ ମନଦେବା ଛଡ଼ା ଏ କ୍ଷେତ୍ରରେ ମୋର ଆଉ କିଛି କର୍ତ୍ତବ୍ୟ ନାହିଁ ଜାଣି ମୁଁ ତାହା ହିଁ କଲି ।

 

ସେଦିନ ଅଫିସରୁ ଆଉ ଥରେ ଦି’ଥର ମୁଁ ଦେବଚାନ୍ଦ୍ ସମ୍ପର୍କରେ କାହାକୁ କାହାକୁ ଫୋନ୍‌ଫାନ୍ କରିଥିବି ଆଉ ମନେ ନାହିଁ । ସେଦିନଟି ଗଲା । ସନ୍ଧ୍ୟା କାଗଜରେ ଦେବଚାନ୍ଦ ସମ୍ପର୍କରେ ଗୋଟିଏ ମାମୁଲି ଖବର କେବଳ ପ୍ରକାଶ ପାଇଥିବା ଦେଖିଲି । ସେଥିରେ ଥିଲା–ଅତ୍ୟଧିକ ମଦପିଇ କ୍ଳବ୍‌ରେ ଦେବଚାନ୍ଦ ସରକାରରେ କାହାକୁ କାହାକୁ ନାଁ ଧରି ଶୋଧିଥିଲା ଆଉ ଧମକେଇଥିଲା–ଯଦି ଦରକାର ପଡ଼େ ତେବେ ଗୁଳି ବି କରିଦେଇ ପାରେ ସେ କାହାରିକି । ଏହି କାରଣରୁ ପୂର୍ବଦିନ ରାତି ପାହାନ୍ତାରୁ ତା’ ଘର ଘେରାଉ କରି ନେଇଥିଲା ପୁଲିସ । ପୁଣି ଖାନତଲାସରୁ ତା’ ଘରୁ କେତେ ବୋତଲ ବିଦେଶୀମଦ ସହିତ ଗୋଟିଏ ପିସ୍ତଲ ଓ କେତେ ରାଉଣ୍ଡ ଗୁଳି ମଧ୍ୟ ଜବତ୍ କରା ସରିଛି ବୋଲି ନିଧାର୍ଯ୍ୟ ଭାବେ ଜଣାଯାଇଥିଲା ।

 

ଏ ଖବରରୁ ଦେବଚାନ୍ଦର ବର୍ତ୍ତମାନ ଅବସ୍ଥା ଓ ତାର ସମ୍ଭାବ୍ୟ ଭବିଷ୍ୟତ ସ୍ଥିତି ସମ୍ପର୍କରେ କିଛି କିଛି ଧାରଣା କରି ହେଉଥିଲା ନିଶ୍ଚୟ । କିନ୍ତୁ ତା’ ସମ୍ପର୍କରେ ସେ ଯେଉଁ ସମ୍ବାଦ ମୂଳରୁ ଶୁଣାଯାଇଥିଲା ଓ ତାହା ଏକ ଗୁଜବ ଆକାର ଧରି ସହରର ପ୍ରତି ଲୋକମୁଖରେ ପ୍ରତିଧ୍ଵନିତ ହେଉଥିଲା ଯେ, ଲୋକଟା ଉଡ଼ିଯାଇଚି–ତାର ଅର୍ଥ କ’ଣ ? ତେବେ କଣ ଦେବଚାନ୍ଦକୁ ମାରିଦିଆଯାଇଚି କିମ୍ବା ସେ ସମସ୍ତଙ୍କୁ ଚିତାକାଟି ସତକୁ ସତ କୁଆଡ଼େ ଉଡ଼ିଗଲାଣି–ୟା ଭିତରୁ କେଉଁଟି ସତ ? ଏ ବିଷୟରେ ପ୍ରେସ ବା ପୁଲିସ ସୂତ୍ରରୁ କୌଣସି ସଠିକ ସମ୍ବାଦ ଦିନ ପରେ ଦିନ ମାସପରେ ମାସ ଶୁଣା ନ ଯିବା କାରଣରୁ ଉପର ଠାଉରିଆ କଥାଗୁଡ଼ିକୁ କାନେଇବାକୁ ଆଉ ଇଚ୍ଛା ନ ହେବା ସ୍ଵାଭାବିକ ।

 

ମୋର ଅନ୍ତରଙ୍ଗ ବନ୍ଧୁ ଦେବଚାନ୍ଦକୁ ମୁଁ ଏହିପରି କ୍ରମଶଃ ପାସୋରି ଦେବାକୁ ବସିଲି । ପ୍ରାୟ ଛ’ମାସ ପରେ ଲୋକଟା ବିଷୟରେ ଆଉ କେବେ କିଛି ଭାବିବାର ମଧ୍ୟ ମୋର ମନେପଡ଼ୁ ନାହିଁ ।

 

ଛ’ଟି ମାସ । ହଁ, ଗଣି ଗଣି ଛ’ଟି ମାସ ।

 

ସେଦିନ ଅଫିସର ସେଇ ଫାଷ୍ଟ୍ ଆଉ ବିଜି ଆୱାରରେ ଘନ ଘନ ଟେଲିଫୋନ ବାଜି ଚାଲିଥାଏ । ଗୋଟିକ ପରେ ଗୋଟିଏ ଥରର ଡାକକୁ ଅତି ଭଦ୍ର ଆଉ ଶାନ୍ତ ସ୍ଵରରେ ଜବାବ ଦେଇସାରି ଛିଣ୍ଡୋଉ ନ ଛିଣ୍ଡୋଉ ଆଉଥରେ ସେଇ ରିଂ ରିଂ ଶୁଣିଲା ମାତ୍ରେ ହାଡ଼ ଜଳିବାକୁ ଆରମ୍ଭ କରୁଥାଏ ।

 

କିନ୍ତୁ ଏଇ ହାଡ଼ଜଳା ଭଦ୍ର ଆଉ ଶାନ୍ତ ସ୍ଵରରେ ମୋର ଏପଟ ଜବାବ ହ୍ୟାଲୋ ଉଚ୍ଚାରିତ ହେବା ମାତ୍ରେ ହଠାତ୍ ସେପଟ ‘ବେ ଶାଲା !’ ଆହ୍ଵାନ ଶୁଣି ମୁଁ କିଭଳି ପ୍ରତିକ୍ରିୟା ପ୍ରକାଶ କରିବି ଏଇ ଦୁଶ୍ଚିନ୍ତାରେ ଜଳିଗଲି । କିନ୍ତୁ ମୋର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇବା ପୂର୍ବରୁ ହଠାତ୍ ଦେବଚାନ୍ଦର ମୁହଁ ମୋ ଆଖିରେ ଭାସି ଉଠିଲା । ଏ ଯେ ତାରି ସ୍ୱର, ତାରି ଅନ୍ତରଙ୍ଗ ଡାକ ଛଡ଼ା ଅନ୍ୟ କାହାରି ହୋଇ ନ ପାରେ ବୁଝିନେଇ ଖୁସିଟାଏ ହେଲାବେଳକୁ ସେପଟୁ ଗୋଟିଏ ନୂଆ ସ୍ୱର ସତେ ପୁରା ଶୀତଳେଇ ଦେଲା ।

 

“ଜନ୍ ! ଆଜି ରାତିକୁ–ସାବଧାନ’’

 

ତା’ପରେ ଅଳ୍ପ ରହି–

 

“ତୋ ଘର ରେଡ଼୍ ହେବ ରେଏଡ଼୍ ! ବୁଝିଲୁ !”

 

ମୋ ହାତ ଥରିଗଲା । ରିସିଭରଟା ଥରି ଥରି ଖସିପଡ଼ିବାକୁ ଯାଉଥିଲା । କିନ୍ତୁ କୌଣସି କାରଣରୁ ମୋ ସ୍ୱର ମତେ ବିଟ୍ରେ କରିବାକୁ ଦେଲା ନାହିଁ ।

 

“ମୁଁ ଜନ୍ ନୁହେଁ, ମୋ ନାଁ ନିର୍ଜନ କୁମାର...”

 

ବେଶ୍ ଦୃଢ଼କଣ୍ଠରେ କୌଣସି ପ୍ରକାର ଏତିକି ଜବାବ ପାରିବା ଯୋଗୁ ମୋ ହାତଥରା କମି ଆସିଲା ଟିକିଏ । ଅନ୍ୟପକ୍ଷ ମଧ୍ୟ ମୋର ଏଇ ଜବାବରେ ଗୁମ୍ ହୋଇଗଲା ପରି ଲାଗିଲା ।

 

କିନ୍ତୁ ସେ ଅବସ୍ଥା ଦୀର୍ଘ ସମୟକୁ ଘେନି ନୁହେଁ । କ୍ଷଣକ ଭିତରେ ସବୁ ପୁଣି ଓଲଟା ପାଲଟା ହୋଇଗଲା । ଏକ ପରିଚିତ ହସଟାଏ ହସିଲା ଅପରପକ୍ଷ ଆଉ ପୁଣିଥରେ ସେଇ ଦେବଚାନ୍ଦର ସ୍ୱରକୁ ଫେରି ଆସିଲା । କହିଲା–

 

“ବେ ! ଟାଇମି କେମିତି ଚାଲିଚି ଦେଖୁଚୁ ? ଫୋନର ବି କାନ ଅଛି । ହଃ, କିଏ କହିଲା ତୋ’ ନାଁ ଜନ୍ ନୁହେ... ଷ୍ଟୁପିଡ଼୍ କାହାଁକା !”

 

ବର୍ତ୍ତମାନ ବୁଝାପଡ଼ିଗଲା । ବେଶ୍ ବୁଝାପଡ଼ିଗଲା । ନିଶ୍ଚେ ଦେବଚାନ୍ଦ । ତା ଛଡ଼ା ଆଉ କିଏ ଏଭଳି ଛଉକା ସିଆଣା ହିତାକାଂକ୍ଷୀ ବନ୍ଧୁ ଅଛି ବା ଥିଲା ମୋର ଏ ରାଜ୍ୟରେ !

 

ମୁଁ ଏମିତି ଟିକିଏ ଭାବିବାକୁ ବସିଚି କି ନାଇଁ ସେପଟୁ ପୁଣି ଆରମ୍ଭ ହୋଇଗଲା ଅଜଣା ନୂଆସ୍ୱରରୁ–“ଆଜି ରାତି ସାଢ଼େ ତିନ୍ ! ପ୍ରଥମେ ଆମ୍ବୁଲାନ୍‌ସ ତା’ପରେ ଫାୟାର ବ୍ରି ଗେଡ଼ର ଘଣ୍ଟି ୟା’ପରେ ସେମାନେ–ବୁଝିଲୁ ! ବୁଝି ପାରିଲୁ ? ଏଇ ଅର୍ଡ଼ର ମୁଭ୍‌ମେଣ୍ଟର ।”

 

ମୋ ହାତ ପୁଣି ଥରିଲା । କିନ୍ତୁ ପୂର୍ବଥର ପରି ସ୍ୱର ସେମିତି ଦୃଢ଼ । ଆଦୌ ବିଟ୍ରେ କରୁ ନ ଥାଏ । କେମିତି କେଜାଣି ।

 

ଲୋକଟା ଦେବଚାନ୍ଦ କି ନା ପ୍ରଥମେ ଏ ବିଷୟରେ ସ୍ଥିର ନିଶ୍ଚିତ ହେବା ଦରକାର । ଏଇଆ ମନେକରି ଥରାହାତରେ ରିସିଭରଟାକୁ କୌଣସି ପ୍ରକାରେ ମୁହଁ ପାଖରେ ରଖି ଖୁବ୍ ତେଜ୍ ଆଉ ନିଥର ଦୃଢ଼ସ୍ଵରରେ ପଚାରିଲି–

 

“ହୁ ଆର୍ ୟୁ ? ଡୁ ୟୁ ନୋ ଦି କନ୍‌ସିକ୍ୱେନସ୍... ଥ୍ରେଟନିଂ ଆନ୍ ଅନେଷ୍ଟ ଗଭର୍ମେଣ୍ଟ ସର୍ଭାଣ୍ଟ୍, ଅନ୍‌ ‌ଡ୍ୟୁଟି, ଓଭର୍ ଫୋନ୍ ?”

 

ୟାର ଜବାବ କୌଣସି କାରଣରୁ ଆଉ ଫେରିଲା ନାହିଁ ସେ ପାଖୁ ।

 

ରାଗରେ, ଭୟରେ ଓ ଯଥେଷ୍ଟ ଆତ୍ମସନ୍ତୋଷ ସହକାରେ ରିସିଭରଟାକୁ କାନ ପାଖରୁ ଝିଙ୍କି ନେଇ କ୍ରାଡ଼ଲରେ ମାଡ଼ି ଶୁଏଇ ଦେଲି ।

 

ଛୋଟ ପିଲାଟିଏ ପରି ମୋ ଟେଲିଫୋନଟି ଶୋଇଗଲା ତା’ ଶେଯରେ । ମୁହଁମାଡ଼ି ଶୋଇପଡ଼ିଲା ସେ ଗୋଟିଏ ଦୀର୍ଘଦିନ ।

 

ସେ ଦିନ ଅଫିସ ସାରି ରାତି ସାତଟାରେ ଘରକୁ ବାହାରିବା ପର୍ଯ୍ୟନ୍ତ ଟେଲିଫୋନଟା ଖୁବ୍ କମ୍ ଥର ଉଠିଥିଲା ତା’ ନିଦରୁ । କିନ୍ତୁ ସେସବୁ ସାଧାରଣ । ଛୋଟପିଲା ଗଭୀର ନିଦରେ କଡ଼ ଲେଉଟେଇଲା ପରି ।

 

ଘରେ ପହଞ୍ଚିଲି । ପୋଷାକ ବଦଳେଇଲି । ସାମାନ୍ୟ କିଛି ଖାଇ ନେଲି । ୟା’ ପରେ ଘେରାଏ ବୁଲି ଆସିବା କଥା । ମିସେସଙ୍କୁ କହିଲି–ପିନ୍ଧ । ମୁଁ ପଶିଲି ବାଥରୁମ୍ ରେ ।

 

ହଠାତ୍ ବାଥ୍‌ରୁମ୍ ଡୋରରେ ଜୋର ଠକ୍ ଠକ୍ ଶୁଣି ଚମକି ପଡ଼ିଲି ।

 

ଆରପଟୁ ମିସେସ୍‌ଙ୍କର କ୍ଷୀଣ ସତର୍କ ସ୍ଵର ।

 

“ଦେବଚାନ୍ଦ–ଫୋନ ଉପରେ ।”

 

ବାଥ୍‌ରୁମ କବାଟ ଫିଟୋଉ ଫିଟୋଉ ମିସେସ୍ ମୋର ଗୋଟାଏ ହାତ ଧରି ନେଲେ । ପଚାରିଲେ, ଖୁବ୍ ଡରିଗଲା ପରି ।

 

“ଦେବଚାନ୍ଦଙ୍କ ସ୍ଵର ନିଶ୍ଚେ । ଆଚ୍ଛା, ସେ ତେବେ ବଞ୍ଚିଛନ୍ତି ସତରେ ! ହେ ପ୍ରଭୁ !”

 

ଟେଲିଫୋନ ପାଖରେ ପହଞ୍ଚିବା ପୁର୍ବରୁ ମୁଁ ମୋ ଶରୀର ଓ ମନକୁ ସ୍ଥିର ନିର୍ଭରଯୋଗ୍ୟ କରିନେଇ ସାରିଥିଲି ।

 

ରିସିଭରଟାକୁ କାନରେ ମୁହଁରେ ଦେଉ ନ ଦେଉଣୁ ସିଧା ଚାର୍ଜ କଲି ।

 

“ଦେବଚାନ୍ଦ ! ତୁ ମରିଚୁ କି ବଞ୍ଚିଚୁ ଜାଣେନା କିନ୍ତୁ ମତେ ବାରମ୍ବାର ଡିଷ୍ଟର୍ବ କରିବାର ତୋର କୌଣସି ଅଧିକାର ନାହିଁ । ସକାଳେ ଅଫିସରେ ଏମିତି ହଇରାଣ କଲୁ ପୁଣି ସନ୍ଧ୍ୟାବେଳଟାକୁ ମୋର ନଷ୍ଟ କରିଦବୁ ନା କ’ଣ !”

 

ମୋର ପ୍ରକୋପରେ ଅପରପକ୍ଷ ଚୁପ୍ ହୋଇଗଲା । କିନ୍ତୁ ସକାଳ ପରି ଏତେ ଲମ୍ବା ସମୟ ପାଇଁ ନୁହଁ ।

 

“ନିର୍ଜନ୍ !’ ଏଥର ମୋ ନାଁକୁ ଛଦ୍ମ ବା ସଂକ୍ଷିପ୍ତ ନ କରି ସେ କହିଲା, ‘ତୋ ଘର ନିଶ୍ଚେ ରେଏଡ଼୍ ହବାକୁ ଯାଉଚି ଆଜି ରାତିରେ, ତତେ ଏତିକି କେବଳ କହିଦେବାକୁ ଯାଉଚି ଆଉ ଥରେ । ହଁ, ସକାଳେ କହୁଥିଲୁ ନା–ଅନେଷ୍ଟ ଗଭ୍‌ମେଣ୍ଟ ସର୍ଭାଣ୍ଟ୍ ! ୟେସ୍ ୟୁ ଆର୍ ରାଇଟ୍ । ପରଫେକ୍‌ଟଲି ରାଇଟ୍ । ଆଜି ରାତିରେ ତୋ ଭଳି ପାଞ୍ଚ ଦଶ ଅନେଷ୍ଟ୍ ଲୋକଙ୍କୁ ବଛାଯାଇଚି ଶିକାର ପାଇଁ । ବି କେଆର୍ ଫୁଲ୍ ମାଇଁ ଫ୍ରେଣ୍ଡ୍ !

 

ଆରପଟୁ ରିସିଭର ଡ୍ରପ୍ ହେବା ପୂର୍ବରୁ ହଠାତ୍ ଲାଇନ୍ କଟିଯିବା ଶବ୍ଦ ମୋ କାନରେ ପଡ଼ିଲା । କିଛି ସମୟ ପରେ ମୁଁ ଟେଲିଫୋନ୍ ଛାଡ଼ିଦେଲି ଆଉ ସ୍ଥିର ହୋଇ ଠିଆ ହେଇ ରହିଲି ।

 

ବୁଲିଯିବା ପାଇଁ ସୁନ୍ଦର ଶାଢ଼ୀ ଖଣ୍ଡିଏ ଓ ସାମାନ୍ୟ ମେକ୍‌ଅପ୍ ସହିତ ମିସେସ୍ ପୂର୍ବରୁ ପ୍ରସ୍ତୁତ ହୋଇ ଠିଆ ହୋଇଥିଲେ । କିନ୍ତୁ ଟେଲିଫୋନ୍‌ରେ ମୋର କଥାବାର୍ତ୍ତା ଶୁଣି ସାରି ସେ ପଶିଯାଇଥିଲେ ବେଡ଼୍‌ରୁମ୍‌କୁ ।

 

‘ଆର୍ ୟୁ ଗୋଇଙ୍ଗ ମୁଁ ଚେଞ୍ଜ୍ ଓଭର୍...ମାଇ...ଓ...ନ୍ନୋ’ ! ମୁଁ ଏକ ପ୍ରକାର ଚିତ୍କାର କରିବାକୁ ଆରମ୍ଭ କରିଦେଲି ଓ ଭତ୍‌କ୍ଷଣାତ୍ ମୋର ଶାରୀରିକ ଏବଂ ମାନସିକ ଦୃଢ଼ତା ଅପୂର୍ବ ହୋଇଗଲା ।

 

ବେଡ଼୍‌ରୁମ୍‌ରୁ ମିସେସ୍‌ଙ୍କ ହାତଧରି ତାଙ୍କୁ ଟାଣି ଟାଣି ଘେନି ଆସିଲି ଓ କାର୍‌ରେ ଜବରଦସ୍ତି ବସାଇଲା ପରି ବସାଇ ନେଇ ପହଞ୍ଚିଲି–କ୍ଲବ୍‌ରେ ନୁହେଁ, ସିଧା ମାର୍କେଟ୍ ପ୍ଲେସ୍‌ରେ-ହାଟ ମଝିରେ ଯାହାକୁ କହନ୍ତି ।

 

‘ୟୁ ବାଷ୍ଟାର୍ଡ଼, ୟୁ ଟ୍ରେଟର୍ସ ଟୁ ମାଇ ପିପୁଲ୍...ୟୁ...’

 

ହାଟ ମଝିରେ କୌଣସି ସରକାରର ନାଁ ଧରି କୌଣସି ଉଚ୍ଚପଦସ୍ଥ ସରକାରୀ ଚିକିରିଆ କେବେ ଏଭଳି କଠିନ ପଲିଟିକାଲ ପ୍ଳାଟ୍‌ଫର୍ମ ଭୋକାବୁଲାରି ପ୍ରୟୋଗ କରିବାର ପ୍ରାକ୍‌ଘଟଣା ଅନ୍ତତଃ ମୋ ଜାଣିବାରେ କିଛି ନ ଥିଲା । ଅବଶ୍ୟ ଦେବଚାନ୍ଦ ଆରେଷ୍ଟ ହେବା ପୂର୍ବରୁ ଏହିପରି କିଛି ଟେକ୍‌ନିକ୍ ପ୍ରୟୋଗ କରି ଥାଇପାରେ ସେଦିନ ତା’ କ୍ଲବରେ ମାନୁଛି ମୁଁ । କିନ୍ତୁ ମତେ ତାହା ହିଁ କରିବାକୁ ପଡ଼ିଥିଲା ହାଟ ମଝିରେ । ପୁଣି ବିନା ମଦରେ । ଏହାର ସାକ୍ଷୀ ଅନ୍ୟ କେହି ହେଉ ବା ନ ହେଉ ମୋର ସ୍ତ୍ରୀ, ମୋର ଧର୍ମପତ୍ନୀ ସବୁ ଦେଖିଥିଲେ ସେ, ସବୁ ଶୁଣିଥିଲେ ସେ ମୋ ପାଖେ ପାଖେ ।

 

“ଏ କ’ଣ କଲ !” ଘରକୁ ଫେରିବା ପରେ ମିସେସ୍ ମୃତବତ୍ ପଡ଼ିଗଲେ ଚଟାଣ ଉପରେ । ମୁଁ ମଧ୍ୟ ମୂର୍ତ୍ତିପରି ବସି ପଡ଼ିଲି ସେଇ ଚଟାଣ ଉପରେ ତାଙ୍କ ପାଖରେ । ଅନେକ ସମୟ ପରେ ଆମେ ଦୁହେଁ ଉଠିଲୁ । ଡିନର ପୂର୍ବରୁ ମୁଁ ତାଙ୍କୁ ବୁଝେଇ ଦେଇଥିଲି ମୋର ପ୍ଲାନ୍ । ରୀତିମତ୍ ଖୁସିର ଡିନରଟିଏ ଖାଇ ନେବାପାଇଁ ମୁଁ ତାଙ୍କୁ ଅନୁରୋଧ କରିଥିଲି ଆଉ ସାହସ ଦେଇ କହିଥିଲି ।

 

“ଏ ଟେକ୍‌ନିକ୍ ମୁଁ ଶିଖି ପାରି ନ ଥାନ୍ତି, ଯଦି ଦେବଚାନ୍ଦ ମୋର ଘନିଷ୍ଠ ବନ୍ଧୁ ହୋଇ ନ ଥାନ୍ତା ଆଉ ମୁଁ ମଧ୍ୟ ଜାଣି ନ ଥାନ୍ତି ଯେ ସେ ଆଉ ଯାହା ହଉ ପଛେ ଜଣେ ସଚ୍ଚା ଅନେଷ୍ଟ ଅଫିସର ସେ ନିଶ୍ଚୟ ।”

 

ଶୋଇବାକୁ ଯିବା ପୂର୍ବରୁ ମୁଁ ମିସେସ୍‌ଙ୍କୁ ଆଉଥରେ ସତର୍କ କରି ଦେଇଥିଲି ।

 

“ଶୁଣ, ଯଦି କୌଣସି ଆମ୍ବୁଲନସ ଆଜି ରାତିରେ ଆମ ଘର ଆଗରେ ରହିବାର ଜାଣିବ, ତେବେ ଡରିବାର କିଛି ନାହିଁ । ଆମର ବନ୍ଧୁମାନେ ଆସିବେ । ସାଥିରେ ଚମତ୍କାର ବିଦେଶୀ ମଦ ମଧ୍ୟ ଆଣିବେ । ଅନ୍ୟ ଜିନିଷ ମଧ୍ୟ ଆଣିବେ । ଅନ୍ୟ ପକ୍ଷରେ ଜିନିଷ ମଧ୍ୟ ଆଣି ପାରନ୍ତି... ପିସ୍ତଲ ବୁଲେଟ୍ ଇତ୍ୟାଦି । ତେବେ ଭୟ କରିବ ନାହିଁ । ଭୟର କିଛି କାରଣ ନାହିଁ । ସେମାନେ ଆମକୁ ଅନ୍ୟ କିଛି ଗ୍ରାଉଣ୍ଡରେ ଧରି ପାରିବେ ନାହିଁ । କେବଳ ପଲିଟିକାଲ୍ ଗ୍ରାଉଣ୍ଡ୍, ପଲିଟିକାଲ ଗ୍ରାଉଣ୍ଡ୍... ବାସ୍ !

 

ସେଦିନ ରାତିରେ ଠିକ୍ ସାଢ଼େ ତିନରେ ସେମାନେ ପହଞ୍ଚିଲେ । ପ୍ରଥମେ ଆମ୍ବୁଲାନ୍‌ସ, ପରେ ଫାୟାର୍ ବ୍ରିଗେଡ଼୍ ସାଇରେନ୍ । ତା’ ପରେ ଇତ୍ୟାଦି ଇତ୍ୟାଦି...ଅବିକଳ ସେଇ ଢାଞ୍ଚାରେ ଯେମିତି ଉଡ଼େଇ ଦେଇଥିଲେ ସେମାନେ ଦେବଚାନ୍ଦକୁ ଛ’ମାସ ତଳେ ।

 

ମୋ ବିରୁଦ୍ଧରେ ସେମାନଙ୍କର ଅନେକ ଗୁଡ଼ିଏ କେସ୍ ଚାଲିଥିଲା । କ୍ରିମିନାଲ, ହେଲଥ୍ ଆକ୍‌ଟ, ଆର୍ମସ୍ ଅମ୍ୟୁନିସନ୍ ଆକ୍‌ଟ ବିରୁଦ୍ଧାଚରଣ କରିବା ଏପରି କି ପବ୍ଲିକ୍ ହେଲ୍‌ଥ ନିୟମ ଭଙ୍ଗ କରିବା ଇତ୍ୟାଦି । କିନ୍ତୁ ମୁଁ ବରାବର ଡିଫେଣ୍ଡ୍ କରୁଥିଲି ସେଇ ଗୋଟିଏ ଘଟଣାକୁ ନଜିର୍ ଦେଇ-ହାଟ ଭିତର ଘଟଣାକୁ ।

 

ପ୍ରମାଣ କରିବାକୁ ଚେଷ୍ଟା କରୁଥିଲି ଯେ ଘଟଣାଟା କିଛି ନାହିଁ କେବଳ ପଲିଟିକାଲ୍... ସୁଦୁ ପଲିଟିକାଲ୍ । ମୋର ସବୁଠୁଁ ବଡ଼ ନଜର୍ ଥିଲା କେସ୍‌ ଗୁଡ଼ାକ ଉପରେ ନୁହେଁ–ପବ୍ଲିକ୍ ଓପିନିଅନ୍‌ର ପ୍ରତିଧ୍ଵନି ଅନିର୍ଦ୍ଦିଷ୍ଟ ନ ଥିଲା । ମୁଁ ଯେ ପଲିଟିକାଲ୍ ଭିକ୍‌ଟିମାଇଜେସନ୍‌ର ଏକ ନମୁନା-ପ୍ରେସ୍‌ରୁ ଶୁଣାଯାଉଥିଲା ବଡ଼ ଜୋର୍ ।

 

“ୟୁ ଡିଡ଼୍ ୱେଲ୍, ଭଲ କଲୁ”, ଦେବଚାନ୍ଦ୍ ପରେ ମତେ କଂଗ୍ରାଚୁଲେସନ୍ ଜଣାଇଥିଲା ଆଉ ସ୍ଵୀକାର କରିଥିଲା, “କ୍ଲବ୍‌ଠାରୁ ହାଟ ଭଲ, ଭାରି ଭଲ ଜାଗା, ବନ୍ଧୁ !”

 

ଧରିତ୍ରୀ, ପଞ୍ଚମ ଜନ୍ମ-ବାର୍ଷିକୀ ବିଶେକ୍ଷାଙ୍କ,୧୯୭୮

Image

 

ଜାତୀୟ ଶୋକର ଅଧିକାରୀ

 

ପୃଥିବୀରେ ଅନେକ ଶିକାର ସାହିତ୍ୟ ଅଛି । ବହୁ ବିଶିଷ୍ଟ ଶିକାରୀଙ୍କର ଶିକାର ଅନୁଭୂତି ସାହିତ୍ୟ ଆକାରରେ ଲିପିବଦ୍ଧ ହୋଇଛି । –ମ୍ୟାନ୍ ଇଟରସ୍ ଅଫ୍ ସାଭୋଠାରୁ ମ୍ୟାନ୍ ଇଟରସ ଅଫ୍ କୁମାଓଁ ପର୍ଯ୍ୟନ୍ତ । କିନ୍ତୁ ମାଙ୍କଡ଼ ମାରଣ, ମାଙ୍କଡ଼ ଶିକାର ନୁହେଁ, ମାଙ୍କଡ଼ ମରଣ ଅନୁଭୂତିକୁ ଘେନି ବେଶି କିଛି ସାହିତ୍ୟ ଏପର୍ଯ୍ୟନ୍ତ ମୋର ଦୃଷ୍ଟି ଗୋଚର ହୋଇନାହିଁ । ମାତ୍ର ନଅବର୍ଷ ବୟସ ବେଳେ ଏକ ମାଙ୍କଡ଼ ମାରଣ ସମିତିର ସଭ୍ୟ ହିସାବରେ ମୋର ଏକ ପ୍ରଗାଢ଼ ଅନୁଭୂତିକୁ ମୁଁ ଏଠାରେ ଲିପିବଦ୍ଧ କରୁଛି ଏହି କାରଣରୁ ଯେ ବିଶ୍ଵ ସାହିତ୍ୟ ନ ହେଲେ ମଧ୍ୟ ଅନ୍ତତଃ ଓଡ଼ିଆ ସାହିତ୍ୟର ସମୃଦ୍ଧ ଦୃଷ୍ଟିରୁ ମୋର ସେ ବିଚିତ୍ର ଅନୁଭୂତି ପାଠକମାନଙ୍କୁ ପ୍ରାଣୀ ଶିକାର ବା ଜୀବନ ମାରଣ ସମ୍ପର୍କରେ କିଛି ଯୁଗୋପଯୋଗୀ ଉପଲବ୍‌ଧି ଯୋଗାଇବାରେ ସାହାଯ୍ୟ କରିପାରିବ ।

 

ଏଇ ତ କହିଲି–ମତେ ସେତେବେଳେ ବୟସ ମାତ୍ର ନଅ ବର୍ଷ । ମାତ୍ର ମାସ କେତୋଟି ପୂର୍ବରୁ ମୋ ବୋଉ ‘ସଂଗୃହୀତ ଗ୍ରହଣୀ’ ନାମକ ଏକ ଦୁଃସାଧ୍ୟ ରୋଗରେ ଛ’ମାସ ବେମାର ପଡ଼ି ମରିଥାଏ । ମୋର ବାପା ଜଣେ ସ୍କୁଲ ଶିକ୍ଷକ ଓ ଗାଁ ଠୁଁ ଚାଳିଶ ମାଇଲ ଦୂରରେ କୌଣସି ସ୍ଥାନରେ ଚାକିରି କରୁଥିବା ହେତୁ ବର୍ଷରେ କେଇଦିନ ମାତ୍ର ସ୍କୁଲ ଛୁଟି ଉପଲକ୍ଷେ ଆମେ ପିତାପୁତ୍ର ଏକତ୍ର ହେଉଥାଉ । ଆମ ଗାଁରେ ମୁଁ ଏକା । ମୋର ରକ୍ଷୟିତ୍ରୀ ଜଣେ ଅନ୍ୟ ଶ୍ରେଣୀର ସ୍ତ୍ରୀଲୋକ ଯେ ମତେ ରୋଷେଇ ବାସ କରି ଖାଇବାକୁ ଦିଏ ଅବଶ୍ୟ । କିନ୍ତୁ ମାତୃ ସ୍ନେହ କିପରି ଦେବାକୁ ହୁଏ ବିଚାରୀକୁ ଜଣା ନ ଥିବା ହେତୁ ଗଭୀର ନିଶାର୍ଦ୍ଧରେ ମତେ ଗୋଟିଏ ଘରେ ଏକୁଟିଆ ଶୋଇବାକୁ ଛାଡ଼ିଦେଇ ସେ ବିଚାରୀ କୁଆଡ଼େ ଅଦୃଶ୍ୟ ହୋଇଯାଏ । ସାରା ରାତି ଅନ୍ଧାରକୁ ଚାହିଁ ଚାହିଁ ଏପରି କେତେ ରାତି ମୁଁ ସେତେବେଳକୁ କାଟି ସାରିଥିବା ନିଶ୍ଚୟ । ତେଣୁ ମାତୃବିଚ୍ଛେଦ, ଅନ୍ଧାର, ଏକାକୀତ୍ଵ ପ୍ରଭୃତି ଯାହା କିଛି କୁହନ୍ତୁ ନା କାହିଁକି ସେ ସବୁ ମୋର ଏକ ପ୍ରକାର ଦିହସୁହା ହୋଇ ସାରିଥାଏ ବା ହୋଇ ଆସୁଥାଏ । ଏହିପରି ସମୟରେ ଗାଁରେ ମାଙ୍କଡ଼ ଉପଦ୍ରବର ବିରୋଧ ଘେନି ଏକ ମାଙ୍କଡ଼ମାରଣ ସମିତି ସଂଗଠିତ ହେବାର ସମ୍ବାଦ ପାଇ ସେ ସମିତିର ସଭ୍ୟ ହେବାକୁ ମୋ ପରି ବାଳୁତ-କିଶୋର ପକ୍ଷରେ ଆଗଭର ହେବାରେ ଆଉ କ’ଣ ପ୍ରତିବନ୍ଧକ ଥାଇପାରେ ! ବହୁ ପୌଢ଼ ଓ ବୟସ୍କଙ୍କ ମେଳରେ ସେଦିନ ଏକ ଗୁପ୍ତ ବୈଠକରେ ମୋ ପରି ଗୋଟିଏ ଅବୋଧ ଅପୋଗଣ୍ଡ ବାଳକର ଆବିର୍ଭାବ ଦେଖି ଅନେକ ସଭ୍ୟ ପ୍ରଥମେ ବିରକ୍ତି ପ୍ରକାଶ କରିବା ସତ୍ଵେ ଆମର ଜଣେ କକେଇସ୍ଥାନୀୟ ବ୍ୟକ୍ତି ମୋର ପକ୍ଷ ସମର୍ଥନ କରିନେଲେ । କହିଲେ, “ଆସୁନା । ଆଜିକାଲିକାର ଛୁଆ ଓଳିଆରୁ ପଡ଼ି ଗଜା । ଆଜିକାଲି ଯାହା କାମ କର ସାଥିରେ ପିଲା ଡଜନେ ଧରିବା ଦରକାର । ମହାଭାରତ ଯୁଦ୍ଧରେ ତ ପୁଣି ଅଭିମନ୍ୟୁ, ଘଟୋତ୍କୋଚ, ବେଲଳସେନ ପ୍ରଭୃତି ପିଲାମାନେ ଥିଲେ !”

 

କକେଇଙ୍କ ସମର୍ଥନ ପାଇ ମୁଁ କୃତକୃତ୍ୟ ହୋଇଗଲି । କେବଳ ସେତିକି ନୁହେଁ, ଗାଁର ବଛା ବଛା ଲୋକେ ଏ ମାଙ୍କଡ଼ମାରଣ ସମିତିର ସଭ୍ୟ ହୋଇଥିବା ଦୃଷ୍ଟିରୁ ଓ ଏ ସମିତିର କାର୍ଯ୍ୟ କେବଳ ଯୁଦ୍ଧକାଳୀନ ଗ୍ରୋମୋର୍‌ଫୁଡ୍ ଆନ୍ଦୋଳନରେ ସରକାରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଗାଁ ଗହଳରୁ ମାଙ୍କଡ଼ ନିବାରଣ ଲାଗି କାର୍ଯ୍ୟକ୍ରମରେ ସୀମିତ ହେବା ପରିବର୍ତ୍ତେ ଆହୁରି ଅନେକ ଦୁଃସାଧ୍ୟ ଲୋକହିତକର କାର୍ଯ୍ୟକ୍ରମରେ ଜଡ଼ିତ ହୋଇଥିବା ଦୃଷ୍ଟିରୁ ଏଭଳି ଏକ ଅନୁଷ୍ଠାନକୁ ପ୍ରବେଶପତ୍ର ପାଇବା ମାତ୍ରେ ମୁଁ ପ୍ରାୟ ଏକାରାତିରେ ମୋର ପ୍ରକୃତ ବୟସ ସାଥୀରେ ଅହୁରି କେଜାଣି କେତେବର୍ଷ ବୟସ ଯୋଗ କରିଦେଲି ଓ ମୋର ପିତୃତୁଲ୍ୟ ବୟୋଜ୍ୟେଷ୍ଠ କକା, ଜେଠା, ଅଜା, ମଉସା, ପିଇସାଙ୍କ ସାଙ୍ଗସରିସା ହେଇ ଘରୁ ବାହାରି ପଡ଼ିଲି ।

 

ପୂର୍ବରୁ କହିଛି, ସେ ବେଳ ଯୁଦ୍ଧବେଳ । ଦ୍ଵିତୀୟ ମହାଯୁଦ୍ଧ ପ୍ରାୟ ଅଧାଅଧି ସରିଥାଏ କି ନ ଥାଏ । ଗାଁ ରାସ୍ତା ଟପି ବଡ଼ ରାସ୍ତା କଡ଼ରେ ଠିଆ ହେଲେ ଫୌଜବାହୀ ଗାଡ଼ି ଦିନରେ ବିଶେଷତଃ ରାତିରେ ଅନେକବାର ପଡ଼େ ଆଖିରେ । ଆମେରିକାନ୍ କି କୋଉଠିକାର ସାହାବ ସେମାନେ କେଜାଣି । ବେଳେ ବେଳେ ଗାଡ଼ି ରୋକନ୍ତି ଆମ ଗାଁ ପାଖରେ । ଛୋଟପିଲାଙ୍କୁ ରାସ୍ତାକଡ଼ରେ ଠିଆ ହୋଇଥିବା ଦେଖି ବେଳେବେଳେ ବିସ୍କୁଟ୍ ପ୍ୟାକେଟ୍‌ଟାଏ କି ଚକୋଲେଟ୍ ପ୍ୟାକେଟ୍‌ଟାଏ ତାଙ୍କ ପାଖକୁ ଫିଙ୍ଗିଦେଇ ଅଦ୍ଭୁତ ସ୍ଵରରେ କଅଣ ସବୁ ପ୍ରଶ୍ନ ପଚାରିବାର ଶୁଣାଯାଏ ମଧ୍ୟ ବେଳେବେଳେ । ପିଲାମାନେ ସେମାନଙ୍କର ଉପହାର ଗ୍ରହଣ କରନ୍ତି । କିନ୍ତୁ ତାଙ୍କ ପ୍ରଶ୍ନର କୌଣସି ଜବାବ ନଦେଇ ପାରି ଆଁ କରି ଚାହାନ୍ତି । ବେଳେବେଳେ କିରିକିରି ହେଇ ହସନ୍ତି । ପୁଣି ବେଳେବେଳେ ଦୁର୍ବୋଧ ପ୍ରଶ୍ନର ସରଳ ଉତ୍ତର ଗୋଟିଏ ଗୋଟିଏ ଦେବାକୁ ଚେଷ୍ଟା କରି ଅତ୍ୟନ୍ତ ବିଭତ୍ସ ଗାଉଁଲୀ ଅଶ୍ଳୀଳ ଶବ୍ଦ ପଦେ ଅଧେ କହି ଖେଁ ଖେଁ ହେଇ ହସି ଉଠନ୍ତି । ଗୋରା ପଲ୍‌ଟନ ପିଲାଙ୍କ ଜବାବ ବୁଝି ପାରନ୍ତି କି ନା କେଜାଣି । ବେଳେବେଳେ ସେମାନେ ମଧ୍ୟ କୌଣସି ଅଶ୍ଳୀଳ ଶବ୍ଦ, ତାଙ୍କ ଦେଶର ଗାଁ ଗହଳର ଭାଷା ଉଚ୍ଚାରଣ କରନ୍ତି ନିଶ୍ଚୟ । ପିଲାଙ୍କ ପରି ଖେଁ ଖେଁ ହେଇ ହସି, ମାଙ୍କଡ଼ ଭଳି ବିକୃତ ମୁହଁ ଦେଖେଇ, ଗାଡ଼ି ଛୁଟେଇ ନିଜ ରାସ୍ତା ଦେଖନ୍ତି ।

 

ତେବେ ଆମ ଗାଁରେ ସେଇ ନବଗଠିତ ମାଙ୍କଡ଼ମାରିଣୀ ସଭାର କାର୍ଯ୍ୟକ୍ରମ ସହିତ ସେ ଆମେରିକାନ୍ ବା ୟୁରୋପିଆନ୍ ମାଙ୍କଡ଼ମୁହାଁ ଗୋରାପଲ୍‌ଟନ୍‌ମାନଙ୍କର ଆମ ଗାଁ ପାଖ ରାସ୍ତାରେ ଯାତାୟାତରେ କୌଣସି ସମ୍ପର୍କ ନଥାଏ–ସେକଥା ମତେ ବେଶ୍ ଜଣାଥାଏ । କାରଣ, ଆମ ଗାଁଟି ଥିଲା ସେ କାଳର ଜମିଦାରମାନଙ୍କର ଅନୁଶାସନରେ ପ୍ରତିପାଳିତ ଗୋଟିଏ ନାମଜାଦା ଗାଁ । ୧୯୪୨ ଗାନ୍ଧୀ ଆନ୍ଦୋଳନ ଅପେକ୍ଷା ସରକାରୀ ଗୋମୋରଫୁଡ଼୍ ଅନ୍ଦୋଳନର ହାୱା ସେତେବେଳେ ବେଶି ଜୋର୍ ବୋହୁଥାଏ ଗାଁ ଉପରେ ସେହି କାରଣରୁ ଇ ।

 

ଆମ ଗାଁର ଜମିଦାର ଶ୍ରେଣୀର ଲୋକଙ୍କର ପ୍ରବଳ ଜମିଜମା ସତ୍ଵେ ଆଜିଭଳି ସେତେବେଳେ ମଧ୍ୟ ଘରୁଆ ଲୋକଙ୍କର ଦୃଷ୍ଟି ଚାଷବାସ ଅପେକ୍ଷା ଅନ୍ୟ ଦିଗକୁ ଥିଲା ବହୁତ ବେଶି । ତେଣୁ ବାଡ଼ିବଗିଚାରେ ଫଳଗଛ ଲଗେଇବା ବା ପନିପରିବା ଚାଷ କରିବା ଅପେକ୍ଷା ସେଗୁଡ଼ିକୁ ବର୍ଷ ପରେ ବର୍ଷ ପଡ଼ିଆ ରଖି ସେଥିରେ ବିଛୁଆତି, ବାଇଡ଼ଙ୍କ, ପୋକଶୁଙ୍ଘା ପ୍ରଭୃତି ଅନାବନା ଗଛ ବଢ଼ିବାକୁ ଛାଡ଼ିଦେବା ଛଡ଼ା ସେମାନଙ୍କ ମୁଣ୍ଡକୁ ଅନ୍ୟ କୌଣସି ମହତ୍ତର ଲକ୍ଷ୍ୟ ନ ଯୁଟିବା ଥିଲା ସ୍ଵାଭାବିକ ।

 

ଏହାପରି ପରିସ୍ଥିତିରେ ସରକାରଙ୍କର ‘ଗ୍ରୋ ମୋର୍ ଫୁଡ଼୍’ ବିପ୍ଲବ ବାର୍ତ୍ତା ପ୍ରବେଶ କଲା ଦିନେ ଆମ ଗାଁରେ । ଗୋଟିଏ ଅଦ୍ଭୁତ ଆକୃତିର ମଟରଗାଡ଼ିରେ ‘ଗ୍ରୋ ମୋର୍ ଫୁଡ଼୍’ର ବସ୍ତା ବସ୍ତା ପ୍ରଚାରପତ୍ର ଭର୍ତ୍ତି କରି ଜନୈକ ସରକାରୀ କର୍ମଚାରୀ ଆମ ଗାଁ ଦାଣ୍ଡରେ ଅବତରଣ କରିବାର ସେ ଅପୂର୍ବ ଦୃଶ୍ୟ ଅଦ୍ୟାବଧି ଲିପିବଦ୍ଧ ହୋଇ ରହିଛି ମୋ ସ୍ମୃତିପଟରେ ।

 

କର୍ମଚାରୀ ସେଦିନ ଅତିଥି ହୋଇଥିଲେ ଆମ ଗାଁର ଶ୍ରେଷ୍ଠ ଜମିଦାରଙ୍କ ଘରେ । ସେଦିନ ଦି’ପହର ସାରା ବହୁକିଛି ଆଲୋଚନା ହୋଇଯାଇଥିଲା ଜମିଦାରଙ୍କ ଦାଣ୍ଡ ପଥରଚାନ୍ଦନୀ ଉପରେ । ଏହା ସହିତ ବେଶ୍ କିଛି ଖାନାପିନା ଓ ପଶାଖେଳର ଗୋଟିଏ ଅଧିବେଶନ ଉତ୍ତାରେ କର୍ମଚାରୀ ତାଙ୍କ ଗାଡ଼ି ଧରି ବିଦାୟ ଘେନିଥିଲେ ଗାଁରୁ । ଯିବା ପୂର୍ବରୁ ଦୁଇବସ୍ତା ପ୍ରଚାରପତ୍ର ଉପହାର ସ୍ଵରୂପ ଥୋଇଦେଇ ଯାଇଥିଲେ ସେ ପଶାଖେଳର ଚାନ୍ଦିନୀ ଉପରେ । ସେ ପ୍ରଚାରପତ୍ରଗୁଡ଼ିକ ଅଦ୍ୟାବଧି ସେଇ ବସ୍ତା ଭିତରେ ଥିଲେ ଥାଇପାରେ ଗାଁର କୌଣସି ବ୍ୟକ୍ତିବିଶେଷଙ୍କ ଘର ଆଟୁ ଉପରେ ।

 

ତେବେ ‘ଗ୍ରୋ ମୋର୍ ଫୁଡ଼୍’ ବିପ୍ଳବର ବାର୍ତ୍ତା ମୋ କାନରେ, ନ’ବର୍ଷ ବୟସରେ, ଏକ ଅଜବ ଘୋଷଣାକୁ କେନ୍ଦ୍ର କରି ସେହିପରି ପହଞ୍ଚିଥିଲା ଯେଉଁପରି କହିଥିଲେ ମୋର ସେ ପିତୃବ୍ୟ ସ୍ଥାନୀୟ ବ୍ୟକ୍ତି-ମାଙ୍କଡ଼ମାରିଣୀ ସମିତିରେ ମୋର ପ୍ରବେଶ ସମୟରେ ।

 

“ଆମର ଏଠି ଚାଷବାସର ଶତ୍ରୁ ଅନ୍ୟ କେହି ନୁହେଁ–ମାଙ୍କଡ଼ମାନେ ହିଁ ଆମର ଶତ୍ରୁ । ହିନ୍ଦୁ ଧର୍ମରେ ମାଙ୍କଡ଼ ମାରିବା ଗୋହତ୍ୟାଠାରୁ ବଳି ପାପ ହେଲେ ମଧ୍ୟ ସରକାରୀ ନିର୍ଦ୍ଦେଶ ମାନିବାକୁ ପଡ଼ିବ ଆମକୁ । କାଲି ସହରରୁ ଶିକାରୀ ବାବୁମିଆଁ ଆସି ପହଞ୍ଚିବ । ସମସ୍ତଙ୍କୁ ଖବର ଦିଅ ଘରଦ୍ଵାର ବନ୍ଦ କରିଦେବେ । ମାଙ୍କଡ଼ମାନେ ମହାନ ଚଲାଖ ଜନ୍ତୁ । ରୋଷେଇଶାଳରେ, ଠାକୁର ଘରେ କି ସଂଘା ଉପରେ ଯାଇ ଲୁଚିବେ । ମାଇକିନିଆଙ୍କୁ ମଧ୍ୟ ସତର୍କ କରିଦିଅ । ଘାଇଲା ମାଙ୍କଡ଼ ପିଲା, ମାଇକିନାଙ୍କୁ ବଡ଼ ହଲାପଟା କରନ୍ତି । ପିଲାଙ୍କୁ ଟେକି ନେଇ ଗଛ ଉପରକୁ ପଳାଇଯାଇ ପାରନ୍ତି । ମାଇକିନିଆଙ୍କ କୋଳରେ ପିଲାଙ୍କ ଭଳି ଯାଇ ଲୁଚି ପଡ଼ି ପାରନ୍ତି । ଯା ପାରେ ତା’ କରିଦେଇ ପାରନ୍ତି । ହନୁମାନଙ୍କ ବଂଶଧର ସେ ଜନ୍ତୁ । ଲଙ୍କାରେ ନିଆଁ ଲଗେଇ ଦେଇପାରେ ସେ ଜନ୍ତୁ ଯଦି ଇଚ୍ଛା କରିବ । ଖବରଦାର ! ସମସ୍ତଙ୍କୁ ସତର୍କ କରିଦିଅ । ଶିକାରୀ ବାବୁମିଆଁ କାଲି ସକାଳୁ ସକାଳୁ ଆସି ପହଞ୍ଚିଯିବ ।”

 

ଏହା ସହିତ ମାଙ୍କଡ଼ମାରିଣୀ ସମିତିର ସଭ୍ୟମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଥିଲା, “ସମସ୍ତେ ଠେଙ୍ଗାବାଡ଼ି ଧରି ପ୍ରସ୍ତୁତ ରହିବେ । ଅମୁକ ଅମୁକ ଲୋକ ବାଟୁଳିଖଡ଼ା ଧରି ଜଗି ରହିବେ । ଅମୁକ ଅମୁକ ଲୋକ ଟିଣ ବାଡ଼େଇବେ । କିନ୍ତୁ ଖବରଦାର୍ । ଏକା ବାବୁମିଆଁ ଛଡ଼ା ଅନ୍ୟକେହି ଯେମିତି ମାଙ୍କଡ଼ର ଜୀବନନାଶର କାରଣ ନ ହୁଅନ୍ତି ।”

 

ସମିତି ସଭାପତିଙ୍କର ଏପରି ସତର୍କବାଣୀର ଅର୍ଥ କାହାରିକୁ ବୁଝେଇବା ଏବ ପରି ସେବେ ମଧ୍ୟ ଥିଲା ଅନାବଶ୍ୟକ । ରାମଚନ୍ଦ୍ରଙ୍କର ପରମଭକ୍ତ ବୀର ହନୁମାନଙ୍କର ବଂଶଧର କାହାରିକୁ ହତ୍ୟା କରିବାର ଅଧିକାର ହିନ୍ଦୁର ନାହିଁ–ତାହା ବାବୁମିଆଁ ପରି ଶିକାରୀଙ୍କର ପ୍ରାପ୍ୟ, ସେଇ ଏକା ସେ ଭଳି ମହାପାପକୁ ହଜମ କରିବାକୁ ସମର୍ଥ ଜାଣିଥାନ୍ତି ସମସ୍ତେ ।

 

ଏହିପରି, ସମିତି ପକ୍ଷରୁ ସବୁ ସତର୍କତାମୂଳକ ପ୍ରତିଷେଧକ ଅବଲମ୍ବନ କରାଯିବା ପରେ ପରଦିନ ବାବୁମିଆଁର ଆଗମନକୁ ପରମ ଆଶଙ୍କା ମିଶ୍ରିତ ଉତ୍କଣ୍ଠାରେ ଅନାଇବା ଛଡ଼ା ସେଦିନ ରାତିରେ ଗାଁ ଲୋକଙ୍କର ଅନ୍ୟ କିଛି କର୍ତ୍ତବ୍ୟ ନ ଥିଲା । ଅନ୍ଧାର ଘରେ ଶେଯ ଉପରେ ଏକୁଟିଆ ଶୋଇ ସେଦିନ ରାତିରେ ଅନ୍ୟମାନଙ୍କ ପରି ମୁଁ ବି ଅନୁଭବ କରିଥିଲି ସେ ଆଶଙ୍କା ଓ ଉତ୍କଣ୍ଠା । ତେବେ ମୋ ବୟସର ଅନ୍ୟମାନଙ୍କ ଅପେକ୍ଷା ସେଦିନ ରାତିରେ ମୋର ଚିନ୍ତାଥିଲା ଭିନ୍ନପ୍ରକାର । କାରଣ ଗାଁର ମାଙ୍କଡ଼ମାରିଣୀ ସମିତିର ଜଣେ ସଭ୍ୟ ଭାବେ ମୋତେ ଏକ ନିର୍ଦ୍ଦିଷ୍ଟ ଦାୟିତ୍ଵ ଦେଇଥିଲେ ମୋର ଗୁରୁଜନମାନେ । ସେପରି ଦାୟିତ୍ଵ ତୁଲାଇବା ମୋ ପକ୍ଷରେ ଥିଲା ବେଶ୍ କିଛି କଷ୍ଟକର ।

 

ସକାଳ ହେଲା । ପ୍ରାୟ ସାତଟା ଆଠଟା ସୁଦ୍ଧା ଜଣେ ଲୋକ ସାଇକେଲରେ ବସି, କାନ୍ଧରେ ବନ୍ଧୁକଟିଏ ପକେଇ ସତକୁ ସତ ଆସି ପହଞ୍ଚିଗଲା ଗାଁରେ । ଲୋକଟାର ଚେହେରା ଦେଖୁ ଦେଖୁ ଗାଁରେ ହୁରି ପଡ଼ିଗଲା ଯେ ମୃଗୁଣୀସ୍ତୁତି ବହିରେ ଯେଉଁ ବ୍ୟାଧ ମୃଗୁଣୀକୁ ଜଗି ଠିଆ ହୋଇଥିଲା ସେ ବ୍ୟାଧ ଅବିକଳ ଉଠିଆସିଛି ବହି ପୃଷ୍ଠାରୁ ଆଉ ମିଶ୍ରଘର ପିଣ୍ଡା ତଳେ ସାଇକେଲ ଡେରିଦେଇ ବନ୍ଧୁକରେ ବାରୁଦ ଖୁନ୍ଦୁଚି ।

 

ବାବୁମିଆଁର ରୂପ ପ୍ରକୃତରେ ଅନେକାଂଶରେ ମିଶିଯାଉଥିଲା ଯେ କୌଣସି ପୁରାଣ ବର୍ଣ୍ଣିତ ବ୍ୟାଧର ରୂପକଳ୍ପ ସହିତ । ତେବେ ବାବୁମିଆଁର ହାତରେ ଧନୁଶର ପରିବର୍ତ୍ତେ ରହିଥିଲା ଗୋଟାଏ ବନ୍ଧୁକ-ଚଢ଼େଇମରା ବନ୍ଧୁକ । ସେଇ କାରଣରୁ ତା ଚେହେରାରେ ପୌରାଣିକତା ସହିତ ପ୍ରତିଫଳିତ ହେଉଥିଲା ମଧ୍ୟ ଅନେକଟା ଆଧୁନିକ ଏକ ରୂପକଳ୍ପ । ସେଇଥିପାଇଁ ଲୋକଟିକୁ ଦେଖୁ ଦେଖୁ ମୋ ମନରେ ଉଦୟ ହୋଇଗଲା ଛାଁ କୁ ଛାଁ ଗୋଟିଏ ସଂପୂର୍ଣ୍ଣ ଅପ୍ରାସଙ୍ଗିକ ଅଥଚ ସମକାଳୀନ ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ଗୋଟିଏ ସଂପୂର୍ଣ୍ଣ ପରିଚିତ ନାମ । ମୋଠୁଁ ବୟସରେ ଢ଼େର୍ ବଡ଼ ଅଥଚ ବିଦ୍ୟାରେ ପ୍ରାୟ ସମକକ୍ଷ ଜଣେ ମାମୁଁ ମାନ୍ୟର ଲୋକଙ୍କୁ ପାଖରେ ପାଇ ମୁଁ ତେଣୁ ତାଙ୍କ କାନରେ କହିବାର ମୋର ସ୍ପଷ୍ଟ ମନେ ପଡ଼ୁଚି ସେ ନାମ ।

 

“ମାମୁଁ !”, ଆସ୍ତେକିନା କାନରେ ତାଙ୍କର କହିଥିଲି ମୁଁ ସେଦିନ, “ମହମ୍ମଦ ଆଲ୍ଲି ଜିନ୍ନା କିଏ ଜାଣ ?”

 

କଥାଟାକୁ ଆଦୌ ଗୁରୁତ୍ଵ ନ ଦେଇ ମାମୁଁ ବାବୁମିଆଁ ସାଥିରେ ସେଦିନର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଆଲୋଚନା କରିବାରେ ରତ ହୋଇଗଲେ । ଗାଁରେ ଭୟଙ୍କର ଉତ୍ପାତ କରୁଥିବା ମାଙ୍କଡ଼ ଦଳଟିକୁ ବର୍ତ୍ତମାନ କେଉଁଠି ଖୋଜିବାକୁ ପଡ଼ିବ ଓ ସେ ଦଳର ଦଳପତି ଗେଧମାଙ୍କଡ଼ଟି କେତେ ବୁଦ୍ଧିମାନ୍ ବଦ୍‌ମାସ୍ ଆଉ ନିଷ୍ଠୁର ସେଇ ବିଷୟରେ ଶିକାରୀ ବାବୁମିଆଁକୁ ମାଙ୍କଡ଼ମାରିଣୀ ସମିତିର ସଭ୍ୟମାନେ ବୁଝେଇବା ଲାଗି ଚତୁର୍ଦ୍ଦିଗରୁ ଆରମ୍ଭ କରିଦେଇଥାନ୍ତି ବିଚକ୍ଷଣ ତଥ୍ୟ ପରିବେଷଣ ।

 

ବାବୁମିଆଁର ବନ୍ଧୁକନଳୀରେ ବାରୁଦ ଖୁନ୍ଦା କାମ ଶେଷ ହୋଇ ନ ଥାଏ ସେ ପର୍ଯ୍ୟନ୍ତ ।

 

ହଠାତ୍ ଗାଁର ତଳ ସାଇ ଆଡ଼ୁ ‘ହେଇ ହେଇ ଗଲେ ଗଲେ ଘେରିଆସ ଘେରିଆସ’ ଶବ୍ଦ ଶୁଣାଯିବା ମାତ୍ରେ ବାବୁମିଆଁ ସମେତ ମାଙ୍କଡ଼ମାରିଣୀ ସମିତିର ସଭ୍ୟମାନେ ସତର୍କ ହୋଇଗଲେ । ଆଉ ଡେରି କରିବା ଠିକ୍ ମନେ ନ କରି ବାବୁମିଆଁ କହିଲା–ଚାଲ ! ତତ୍‌କ୍ଷଣାତ୍ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟିଣବାଡ଼ିଆ ଦାୟିତ୍ଵରେ ଥିବା ଯୁବକମାନେ ଆରମ୍ଭ କରିଦେଲେ ତାଙ୍କ କାମ । ଗାଁ ଗୋଟାକ କମ୍ପି ଉଠିଲା ସେ ଶବ୍ଦରେ । ଢାଇଁ ଢାଇଁ ଟାଇଁ ଟାଇଁ ଶବ୍ଦ ସାଙ୍ଗକୁ ଆହୁରି ଉତ୍ସାହଜନକ ‘ହେଇ ହେଇ ଗଲା ଗଲା ଘେରିଆସ ଘେରିଆସ’ ରାବଦେଇ ସମିତିର ସଭ୍ୟମାନେ ଆରମ୍ଭ କରିଦେଲେ ଅଭିଯାନ । ମୁହୂର୍ତ୍ତକ ଭିତରେ ଅଭିଯାତ୍ରୀମାନେ ସଦଳବଳେ ପହଞ୍ଚିଗଲେ ଘଟଣାସ୍ଥଳରେ ଯେଉଁଠୁ ପ୍ରଥମେ ଶୁଣା ଯାଇଥିଲା ମାଙ୍କଡ଼ମାନଙ୍କର ଉପସ୍ଥିତିର ପ୍ରଥମ ସମ୍ବାଦ ।

 

କିନ୍ତୁ ହାୟ ! ଆଗେ ଆଗେ ବାବୁମିଆଁ ଓ ପଛେ ପଛେ ସମିତିର ସଭ୍ୟମାନେ ଯେତେବେଳେ ତଳ ସାଇରେ ପହଞ୍ଚି ‘କୁଆଡ଼େ ଗଲେ ସେ ମାଙ୍କଡ଼ ?’ ବୋଲି ପଚାରି ବସିଲେ ସେତେବେଳେ ସାଇଲୋକ ନୀରବତା ଅବଲମ୍ବନ ପୂର୍ବକ ଗାଁର ଗହୀର ସେ ମୁଣ୍ଡକୁ ଅନିଷା କରି ଠିଆ ହୋଇଥିବା ଦେଖି ସ୍ତମ୍ଭୀଭୂତ ହେବା ବ୍ୟତୀତ ଅନ୍ୟ କଅଣ ବା କରିପାରିଥାନ୍ତେ ସେତେବେଳେ ! ବାବୁମିଆଁ ଓ ସମିତିର ସଭ୍ୟମାନଙ୍କ ଗାଲରେ ଚୂନକଳା ଦେଲାପରି ସମୁଦାୟ ମାଙ୍କଡ଼ ଦଳଟି ଗହୀର ପାରିହେଇ ପ୍ରାୟ ସେ ପଟକୁ ପଳାଇ ଯାଇ ସାରିଥିଲେ । ଗହୀର ସେପଟେ ଅନ୍ୟ ଗାଁର ଆମ୍ବତୋଟା ନଡ଼ିଆ ତାଳଗଛ ଗୁଡ଼ିକ ଦୂରରୁ ଦିଶୁଥାଏ ଏକ ଅଗନାଅଗନି ବନସ୍ତ ପରି । ମାଙ୍କଡ଼ ଦଳଟି ମୁହେଁଇଥାନ୍ତି ସେଇ ବନସ୍ତ ଆଡ଼କୁ । ଶିକାରୀ ବାବୁମିଆଁର ଆଗମନ ସମ୍ବାଦ କେମିତି ବାଜିଥିଲା ସେମାନଙ୍କ କାନରେ କେଜାଣି !

 

ବାବୁମିଆଁ କ୍ଷଣକାଳ ଚୁପ୍‌ଚାପ୍ ରହି ସେଇ ବିଚିତ୍ର ବିଚକ୍ଷଣ ପଳାତକ ଜୀବ ଗୁଡ଼ିକର ବୁଦ୍ଧିର ତାରିଫ୍ କରିବା ଭଙ୍ଗୀରେ ଗହୀର ସେପଟକୁ ଅନାଇ ରହିଥାଏ ଓ ହୁଏତ ମାଙ୍କଡ଼ମାନଙ୍କର ସଂଖ୍ୟା କଳନା କରୁ କରୁ ପ୍ରତି ଗେଧମାଙ୍କଡ଼କୁ ପାଞ୍ଚଟଙ୍କା ଓ କୋତରୀ ପିଛା ତିନିଟଙ୍କା ହାରରେ ଗ୍ରୋ ମୋର୍ ଫୁଡ଼୍ କାର୍ଯ୍ୟକ୍ରମ ଅନ୍ତର୍ଗତ ତା’ର ସେଇ ସାମୟିକ ବ୍ୟବସାୟର ଲାଭ ଅପେକ୍ଷା କ୍ଷତିର ପରିମାଣ କଳନାରେ ମନୋନିବେଶ କରିଥାଏ ।

 

ଏତିକିବେଳେ ସମିତିର କେହି ଜଣେ ସଭ୍ୟ ଗହୀର ଆଡ଼ୁ ନିରାଶ ଦୃଷ୍ଟିଟିକୁ ଘୂରେଇ ଆଣି ତଳ ସାଇର ଗୋଟିଏ ଘଞ୍ଚ ତିନ୍ତୁଳିଗଛର ଅନ୍ତରାଳକୁ ବିନା କାରଣରେ ଅନାଇଦେବା ମାତ୍ରେ ଚିତ୍କାର କଲା–

 

“ଆରେ ହେ ! ଗେଧ ତ ଏଇଠି ଲୁଚିଚିରେ !”

 

“କାହାଁ ହୈ ଓ ଶାଲା ସୈତାନ୍ !”, ଗର୍ଜି ଉଠିଲା ଶିକାରୀ ବାବୁମିଆଁ ଓ ତତ୍‌କ୍ଷଣାତ୍ ମାଙ୍କଡ଼ ଶିକାରର ଏକ ବିଚକ୍ଷଣ ତତ୍ୱ ପ୍ରକାଶ ପୂର୍ବକ କହିଲା, “ମୁଝେ ମାଲୁମ୍ ଥା ! ବରାବର୍ ମାଲୁମ୍ ଥା ! ଶାଲା ବନ୍ଦରକୋ କୁଛ୍ କମ୍‌ତି ସମଝଦାର୍ ଜାନୁଆର୍ ନେହିଁ ସମଝେଙ୍ଗେ । ବିଲ୍‌କୁଲ୍‌ ସମଝଦାର ଆଦ୍‌ମୀ ଯୈସେ ଦେଖାନା-କୈସେ ଭେଜ୍‌ଦିଆ ବିବି ବାଲ୍‌ ବଚ୍ଚେ କୋ ! ଔର ବୈଠରହା ହୈ କୈସେ ଦେଖୋ ! ଅବି ଦେଖୋଗେ ? କୌ ଯବ୍ ଇସ୍‌କା ବିବିବଚ୍ଚେ କା ପିଛା ପଡ଼ଙ୍ଗା ଓ ସାଲି ସୈତାନ୍ କୈସା ତମାସା ଦେଖାଏଗା ! ଦେଖୋଗେ ?”

 

ବାବୁମିଆଁ ସତକୁ ସତ ତିନ୍ତୁଳିଗଛ ଆଡ଼କୁ ନ ଚାହିଁ ତା’ର ଶିକାର ତତ୍ୱ ପ୍ରମାଣ କରିବା ଉଦ୍ଦେଶ୍ୟରେ ସମବେତ ଲୋକମାନଙ୍କୁ ଇସାରାରେ ନିର୍ଦ୍ଦେଶ ଦେଇ କହିଲା,

 

“ଥୋଡ଼ା ରମାନା ହୁଅ ତ ଦେଖି ଗହୀର ଆଡ଼େ ! ଶଳା କେମ୍‌ତି ଆସି ବାଟ ଓଗାଳିବ ଦେଖିବ !”

 

ସମିତିର ସଭ୍ୟମାନେ ବାବୁମିଆଁର କଥା ମାନି ଆଉଥରେ ଆରମ୍ଭ କରିଦେଲେ ତାଙ୍କର ସ୍ଳୋଗାନ–

 

“ହେଇ ହେଇ ଗଲା ଗଲା ଘେରିଆସ !”

 

ଆଉ, ତାଙ୍କର ଆକ୍ରମଣର ଦିଗକୁ ପାଖ ତିନ୍ତୁଳିଗଛ ଆଡ଼କୁ ନ ମୁହେଁଇ ଗହୀର ଆଡ଼କୁ ପାଦେ ବଢ଼େଇଚନ୍ତି କି ନାହିଁ ହଠାତ୍ ବାବୁମିଆଁର ଶିକାର ତତ୍ତ୍ୱ ଅଭ୍ରାନ୍ତ ପ୍ରମାଣିତ କଲାପରି ତେନ୍ତୁଳିଗଛ ଉପରୁ ଗେଧମାନଙ୍କର ହୁଁଙ୍କାରରେ ଗାଁର ଆକାଶ ଥରି ଉଠିଲା । ଗଛ ଆଢ଼ୁଆଳରୁ ଗୋଟାଏ ଡିଆ ମାରି ଗେଧ ସିଧା ଆସି ପଡ଼ିଲା ଦୁମ୍ କରି ସାଇର ଜଣେ ଚାଷୀ ଲୋକର ଘରଚାଳ ଉପରେ ।

 

ବାବୁମିଆଁ ସତର୍କ ହୋଇ ସମ୍ଭବତଃ ଅପେକ୍ଷା କରୁଥିଲା ସେଇ ସୁଯୋଗକୁ । ଗେଧ ଶୂନ୍ୟରୁ ଖସି ଚାଳ ଛୁଉଁ ଛୁଉଁ ଲାଛିଦେଲା ସେ ତା ବନ୍ଧୁ କନଳୀରୁ ମେଞ୍ଚାଏ ଛର୍‌ରା ଜନ୍ତୁଟା ଉପରକୁ ।

 

ବନ୍ଧୁକ ଶବ୍ଦର ଧ୍ୱନୀ ପ୍ରତିଧ୍ୱନୀ ମୁକ୍ତ ଗହୀର ବିଲ ଉପର ଦେଇ ସେପାଖର ଗହଳ ତୋଟା ପର୍ଯ୍ୟନ୍ତ ଯାଇ ଏପଟକୁ ଫେରି ଆସିବାକୁ ଯେତିକି ସମୟ ଲାଗିଲା ପ୍ରାୟ ସେତିକି ସମୟ ପର୍ଯ୍ୟନ୍ତ ସମସ୍ତ ଦର୍ଶକଙ୍କୁ ଏକ ଅଭିନବ ନାଟକ ଦେଖାଇବା ପରି ସ୍ତବ୍‌ଧ କରିଦେଲା ସେ ମର୍କଟ । ସତେ କି ବାବୁମିଆଁର ବନ୍ଧୁକରୁ ନିର୍ଗତ କେଇଟା ଛର୍‍ରା । ପ୍ରକୃତରେ ଭେଦ କରିଗଲା ତା ଛାତି ସେମିତି ଅଭିନୟ କରି, ଛାତିରେ ହାତ ଚାପି ରଖି ଜନ୍ତୁଟା ଗଡ଼ଗଡ଼ା ଖାଇ ଖସି ପଡ଼ିଲା ଚାଳ ଉପରୁ ।

 

ତା’ର ସେ ଅନିୟନ୍ତ୍ରିତ ରଖିବା ଢଙ୍ଗରୁ ଯେ କେହି ମନେ କରିଥାନ୍ତା ଯେ ଗୋଟାଏ ଲାଉଭଳି ପଡ଼ିବ ସେ ଜନ୍ତୁ ଆସି ତଳେ । ଚଷା ସାଇର ଦୁଇ ଚାରିଟା ଶିକାରୀ କୁକୁର ମଧ୍ୟ ସେତେବେଳକୁ ଛକି ଗଲେଣି ଓଳି ତଳେ । ପଡ଼ିଲେ ଧରିବେ ଭିଣଭିଣା କରିଦେବେ, ଏଇ ଅବସ୍ଥା-

 

କିନ୍ତୁ କି ଅଦ୍ଭୁତ !

 

ହାବେଳି ବାଣ ଶୂନ୍ୟକୁ ଉଠିଲା ଭଳି ଗୋଟାଏ ହୁଁ କାର ମାରି ଗଡ଼ନ୍ତି ଜିନିଷଟା ହଠାତ୍ ଉଡ଼ିଗଲା ଚାଳ ଉପରୁ କେଇ ଫୁଟ ଉଚ୍ଚକୁ । ସେଠୁ ପୁଣି ଏକ ହୁଙ୍କାର ମାରି ଉଠିଲା ସେ ଆଉ କେଇଫୁଟ ଉଚ୍ଚକୁ । ତା ପରେ ଆଉ ଏକ ହୁଙ୍କାର ଶୁଣାଗଲା । କିନ୍ତୁ ସେତେବେଳକୁ ସେ ଜନ୍ତୁ ଚଷାସାଇ ଛାଡ଼ି ପଶିଲାଣି ଯାଇ କୋଉ ସାଇରେ କେଜାଣି ଭଲା !

 

ବିନା ସିଡ଼ିରେ ଶୂନ୍ୟରୁ ଶୂନ୍ୟକୁ ଖେପା ମାରି ଆରୋହଣ କରିବା ଭଳି ଅପୂର୍ବ ଅସମ୍ଭବ ଦୃଶ୍ୟ ଆମ ଗାଁର କେହି ଦେଖି ନ ଥିଲେ ତେବେ । ଏପରିକି ବାବୁମିଆଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ମାଙ୍କଡ଼ଟାର ସେ ଚଲାଖିରେ ।

 

“କମାଲ୍ କିୟା ଶାଲା–”, ବନ୍ଧୁକକୁ କାନ୍ଧରୁ ଓହ୍ଲେଇ ନଳୀରୁ ପାଉଁଶ ଝାଡ଼ୁ ଝାଡ଼ୁ ବାବୁମିଆଁ କହିଲା, “ବନ୍ଦର କୋଇ ସାଧାସିଧା ଜାନୁଆର୍ ନହିଁ ହେ ବାବୁ ! ଶେର୍ ସୁଅର୍ ନହିଁ ହୈ ଓ । କେତନା ତକଲିଫ୍ ଦେଖୋ । ଶେର୍ କୋ ଶିକାର୍ କରନା ତୋ ବହୁତ୍‌ ଆସାନି ବାତ୍ ବାବୁ । ଲେକିନ୍‌ ଏକ୍ ଏକ୍ ବନ୍ଦର୍ ଶିକାରୀ କା ମଗଜ୍‌ ଖରାବ୍‍ କରଦେତା–ଜାନ୍‌ତେ ନା ? ବହୁତ ଶିକାରୀ ଲୋଗ୍ ପାଗଲ୍ ହୋ ଯାତେ–ଓହି କାରନ୍‌ !”

 

ସମିତିର ଆଗୁଆ ସଭ୍ୟମାନେ ଇତିମଧ୍ୟରେ ଗାଁର ବିଭିନ୍ନ ସାଇ ଖେଦି ସାରିଲେଣି ଏମୁଣ୍ଡ ସେମୁଣ୍ଡ । ଘାଇଲା ମାଙ୍କଡ଼ଟା ପ୍ରକୃତରେ କୁଆଡ଼େ ଗଲା, କୋଉଠି ଲୁଚିଲା କେହି ଦେଖିପାରୁ ନାହାନ୍ତି ସେଯାକେ ।

 

ବାବୁମିଆଁ ତା ବନ୍ଧୁକରେ ଭର୍ତ୍ତି କଲାଣି ବାରୁଦ, ସୀସାର ଗୁଳି, କତା ପ୍ରଭୃତି ଯେତେ ଯାହା ଜିନିଷ ଦରକାର ସେଥିପାଇଁ । ଗୋଟାଏ ଲମ୍ବା ଲୁହାଛଡ଼ ଅଗରେ ପହୁଲା ଆକାର ଚକଡ଼ିଟିଏ ଲାଗିଥାଏ । ସେଇ ଚକଟି ପଟୁଆ ଛଡ଼କୁ ନଳୀ ଭିତରକୁ ପୁରେଇ ଖୁନ୍ଦୁଥାଏ ସେ ଥରକୁ ଥର । ଆଉ ମାଙ୍କଡ଼ ଶିକାର ସହିତ ବାଘ ଶିକାରର ବିପଦଆପଦକୁ ତୁଳନା କରି ମାଙ୍କଡ଼ ଶିକାରୀଙ୍କୁ ବାଘ ଶିକାରୀଙ୍କ ବଡ଼ ବାପ ବୋଲି ପ୍ରମାଣିତ କରିବାର ଲକ୍ଷ୍ୟ ସଜାଡ଼ୁଥାଏ ସେ ସେତେବେଳେ ।

 

ଏତିକିବେଳେ ଗାଁର ହରିଜନ ବସ୍ତି ବା ବାଉରି ସାଇଆଡ଼ୁ ଶୁଣାଗଲ ହୋ ହୋ । ତାପରେ ସେଇ ଚିହ୍ନା ଡାକ–

 

“ଗଲା ଗଲା–ହେଇ ହେଇ–ଘେରିଆସ ଘେରିଆସ !”

 

ବାବୁମିଆଁକୁ ଆଗ କରି ସମିତିର ସଭ୍ୟମାନେ ଓ ଦେଖଣାହାରୀମାନେ ଧାଇଁଲେ ସେଇଆଡ଼କୁ ।

 

କିନ୍ତୁ ଦଳ ସେଠି ପହଞ୍ଚିଲାବେଳକୁ ମାଙ୍କଡ଼ ଉଭାନ୍‌ । କେବଳ ସେ ଯୋଉଠି ଲୁଚିଥିଲା ସେଠି ହାଉ ହାଉ ହଉଥାନ୍ତି ପଞ୍ଝାଏ ଲୋକ । ଗୋଟାଏ ବଡ଼ ଧାନ ଉଷୁଆଁ ହାଣ୍ଡିକୁ ଘେରି ଠିଆ ହେଇଥାନ୍ତି ସେମାନେ ଆଉ ସମସ୍ତେ ପ୍ରାୟ ସମସ୍ୱରରେ କହୁଥାନ୍ତି ।

 

“ଏଇଠି ଅଛି ! ୟାରି ଭିତରେ ! ନିଶ୍ଚେ ଅଛି–ଆମେ ଦେଖିଲୁ–ପଶି ତ ଗଲା ୟାରି ତଳେ !”

 

କିନ୍ତୁ ହାଣ୍ଡିଟାକୁ ଟେକିବାକୁ କେହି ସାହସ କରୁ ନ ଥାନ୍ତି କି ଇଚ୍ଛା କରୁ ନ ଥାନ୍ତି ଦେଖି ବାବୁମିଆଁ ସମଝିଗଲା ଲୋକଙ୍କର ମତଲବ । ହିନ୍ଦୁମାନେ ମାଙ୍କଡ଼ ହତ୍ୟାକୁ ମହା ଅପରାଧ ମନେ କରନ୍ତି । ତେଣୁ ସେ ଜୀବର ହତ୍ୟାକାଣ୍ଡ ଆଖିରେ ଦେଖିବାକୁ ଆଗଭର ହେଲେ ମଧ୍ୟ ହତ୍ୟାରେ ପ୍ରତ୍ୟକ୍ଷ ଅଂଶୀଦାର ହେବାକୁ ଚାହିଁବେ ନାହିଁ–ଜଣାଥାଏ ସେ ତତ୍ତ୍ଵ ଢେର୍ ବାବୁମିଆଁକୁ ।

 

ତେଣୁ ସମସ୍ତଙ୍କୁ ପାଖେଇ ଯିବାକୁ କହି ବାବୁମିଆଁ ଆଗେଇଗଲା ଲୋକଙ୍କ ମଝିକୁ । ଧାନ ଉଷୁଆଁ ହାଣ୍ଡିଟାର ତାକୁ ସିଧା ତା ବନ୍ଧୁକ ନଳୀ ମୁହଁକୁ ପ୍ରାୟ ଥାପି ଦେଲା । ଆଉ, ଲୋକଙ୍କୁ ଅନେଇ ତା ଖୋଲଟି ଭାଷାରେ ପଚାରିଲା,

 

“ଦେଖୋ ! ସଚ୍ଚାବାତ୍ କହୋ ! ଠିକ୍ ଠିକ୍ ବତାଓ ! ଓ ଜାନୁଆର ହାୟ କ୍ୟା ଅନ୍ଦର୍ ମେ ୟା ନେହିଁ ? ନହିଁ ତୋ ବେକାର୍ ହୋ ଯାଏଗା । ମୋଫତ୍ ଯାଏଗା ମେରା ଗୁଲି...ବୋଲୋ । ଠିକ୍ ସେ ଦେଖା ?”

 

“ହଁ ହଁ ଅଛି ତାରି ଭିତରେ ! ଥିଲା ତାରି ଭିତରେ ! ଥିବ ନିଶ୍ଚେ ତା ଭିତରେ !”, ଲୋକେ ଜବାବ ଦେଲେ ନିର୍ଭର ସ୍ୱରରେ ।

 

କିନ୍ତୁ ପୁଣି ସେତିକିବେଳେ ସେଦିନ ସେ ମାଙ୍କଡ଼ ଦେଖେଇଲା ତାର ଦ୍ଵିତୀୟ କରାମତି ସମବେତ ଜନତାକୁ ।

 

ବାବୁମିଆଁର ବନ୍ଧୁକ ଆବାଜ କରିବା ପୂର୍ବରୁ ଆଉ ଏକ ସାଇର ଶୁଣାଗଲା କୋଳାହଳ–

 

“ହେଇ ହେଇ ! ଗଲା ଗଲା ! ଘେରିଆସ–ଘେରିଆସ !”

 

ବାବୁମିଆଁ ଚପ୍‌କିନା ଉଠେଇ ନେଲା ତା ତଳମୁହାଁ ନଳୀଟାକୁ ଉପରକୁ । ତାକୁ ଉପର ମୁହାଁ କରି ଧଇଲା । ଜମିଥିବା ଲୋକଙ୍କ ମୁହଁରୁ ଅନେଇ କ’ଣ ସବୁ ବକିଗଲା ତା ଖୋଲ୍‌ଟିରେ ତାକୁଇ ଜଣା । କିନ୍ତୁ ଲୋକେ ହାଉଳି ଖାଇଲେ ଅନ୍ୟ ପ୍ରକାର । ସମସ୍ତେ କହିଲେ, “ଏଇତ ପଳେଇଲା ପଦାକୁ । ସେଇ ସେଇ ଗଲା ଗଲା ! ଗଲା ଗଲା...ସେଇ ସେଇ !”, ଆଉ ଦଉଡ଼ିଲେ ତାପରେ ସମସ୍ତେ ସିଆଡ଼କୁ ଯୋଉଠି ଡାକ ପଡ଼ୁଥାଏ ଅସଲ ଗଲା ଗଲା–ସେଇ ଆଡ଼କୁ ।

 

ଘଟଣାସ୍ଥଳରେ ଏଥର ବାବୁମିଆଁ ପହଞ୍ଚିବାରେ ଟିକେ ଡେରି ହେଇଗଲା । କିନ୍ତୁ ଗେଧ ମାଙ୍କଡ଼ଟା ଏଥର ସତକୁ ସତ ଦେଖାଦେଇଥିଲା । ହରିଜନ ସାଇଆଡ଼ୁ ବାହାରି ସେ ଆସି ପଶିଯାଇଥିଲା କମାର ସାଇର ଜଣକ ଘରେ । କମାରୁଣୀଟିଏ ଗୋଡ଼ ଲମ୍ବେଇ ବସି ତାର କଅଁଳା ଛୁଆକୁ ଦୁଧ ପିଓଉଥାଏ । ଗେଧ ମାଙ୍କଡ଼ ପଶିଆସିଲା ଘରକୁ । କମାରୁଣୀ ହାଉଳି ଖାଇଲା । ଛୁଆକୁ ଛାତିରେ ଜାକି କମାରୁଣୀ ଡବ ଡବ କରି ଅନେଇଲା ଜନ୍ତୁଟାକୁ । ଏଣେ ପାଟି କରୁଥାଏ ବିକଟାଳ । ତା ପାଟି ଶୁଣି ଲୋକେ ଘେରିଗଲେ ଘର ଚାରିପଟୁ ।

 

ବାବୁମିଆଁ ସେ ପର୍ଯ୍ୟନ୍ତ ପହଞ୍ଚି ନ ଥାଏ କମାର ସାଇରେ । କିନ୍ତୁ ସେ ପହଞ୍ଚିଲାବେଳକୁ କଥା ଶେଷ । ଲୋକଙ୍କର ହେଇ ହେଇ ଡାକ ହାୟ ହାୟ ହୋଇଯାଇଥାଏ । କିନ୍ତୁ କହୁଥାଏ ମାଙ୍କଡ଼ଟା ଝିଙ୍କି ନେଇଗଲାଣି କମାରୁଣୀର ଉତୁଆଣି ଛୁଆକୁ ତ କିଏ କହୁଥାଏ ଇଜ୍ଜତ ସାରିଦେଲା ସେ ଗେଧ ମାଙ୍କଡ଼ କମାର ସାଇର । ଘଟଣା କ’ଣ ସେ ପର୍ଯ୍ୟନ୍ତ କେହି ବୁଝିପାରୁ ନାହାନ୍ତି । ବୁଝିବା ଅବସ୍ଥାରେ ମଧ୍ୟ ନଥାନ୍ତି କେହି । ଏତିକିବେଳେ ପାଟିଗୋଳ ଶୁଭିଲା କେଉଟ ସାଇଆଡ଼ୁ–ହେଇ ହେଇ ! ଆଇଲା ଆଇଲା ଗଲା ଗଲା ଇତ୍ୟାଦି ।

 

କମାର ସାଇ ଛାଡ଼ି ବାବୁମିଆଁ ଓ ସମିତିର ସଭ୍ୟମାନେ କେଉଟ ସାଇ ଆଡ଼କୁ ଚାଲିବା ପୂର୍ବରୁ କମାରୁଣୀ ସାଥିରେ ଗେଧ ମାଙ୍କଡ଼ର ଅସଲ ରହସ୍ୟ ପଦାକୁ ଫୁଟି ପଡ଼ିସାରିଥାଏ ।

 

କମାରୁଣୀର ଲୁଗା ରକ୍ତ ସାଲୁବାଲୁ । ସେଇ ରକ୍ତକୁ ଦେଖି ଅନେକ ମନେକରି ନେଇଥିଲେ କମାର ସାଇର ଇଜ୍ଜତ୍ ବ୍ୟାପାରରେ ଅନେକ କିଛି ଦୁର୍ଘଟଣାର ସତ୍ୟାସତ୍ୟକୁ । କିନ୍ତୁ ନିଜେ କମାରୁଣୀ ଯାହା ସାକ୍ଷ୍ୟ ଦେଲା ମାଙ୍କଡ଼ଟା ବିରୁଦ୍ଧରେ ସେଥିରେ ଥ, ହେଇଗଲେ ସମସ୍ତେ । କାନ୍ଦୁଣୁମାନ୍ଦୁଣୁ ହେଇ କହୁଥାଏ ସେ ।

 

“ଏ ରକ୍ତ ମୋର ନୁହଁ–ମୋର ନୁହଁ ! ସେଇ ମାଙ୍କଡ଼ ରକ୍ତ ଏ ! ଦଉଡ଼ି ଆସିଲା ମୋ ଉପରକୁ । ଚଁ ଚଁ କରି କ୍ଷୀର ପିଇଗଲା ଲୋ ମା ମୋ ଛାତିରୁ !”

 

ଲୋକେ କାବା ହେଇ ଅନେଇଥାନ୍ତି କମାରୁଣୀ ମୁହଁକୁ । ସେ ଯେ ସତ କହୁଚି ବୁଝିବାକୁ ବାକି ନ ଥିଲା କାହାରି । ସାଇ ମାଇପେ ସେତେବେଳକୁ କମାରୁଣୀର ପକ୍ଷ ନେଇ ସାରିଥାନ୍ତି । ମାଙ୍କଡ଼କୁ ଗାଳିଦବା ବଦଳରେ ମାଙ୍କଡ଼ମାରିଣୀ ସମିତିର ସଭ୍ୟଙ୍କୁ କାନ ନ ଶୁଣିବା ଭାଷାରେ ଗାଳି ଦଉଥାନ୍ତି ସେମାନେ । କହୁଥାନ୍ତି,

 

“ମାଙ୍କଡ଼ ନୁହଁ–ହନୁମାନ ମହାପ୍ରଭୁ ସେ । ଦିହରୁ ରକ୍ତ ବୋହି ଯାଉଛି । ଶୋଷ ଉଠୁଚି-। ଯୋଗନୀଖିଆଏ ତାଙ୍କୁ ଗୋଡ଼େଇଚ ମାରିବାକୁ । କୂଳ ବୁଡ଼ିଯିବ । ଗାଁ ପଦା ହେଇଯିବରେ ରଇଜଳାଏ ।”

 

ସମିତିର ସଭାପତି ଜମିଦାରଙ୍କ କାନକୁ କମାର ସାଇଆଙ୍କ ଅଭିଯୋଗ ନେଇଗଲେ ସମିତିର ସଭ୍ୟମାନେ । କହିଲେ, ‘ଗ୍ରୋମୋର୍ ଫୁଡ଼୍ ସେତିକି ଥାଉ । ମାଙ୍କଡ଼ମରା ଏତିକିରେ ବନ୍ଦ ରହୁ ।”

ଜମିଦାର କିଛି ସମୟ ଚିନ୍ତା କଲେ କଥାଟାକୁ । ଅଳ୍ପ ହସି କହିଲେ, “ଦେଖିଲ ! ପନିପରିବା ଖାଇଯାଉଥିଲେ । ଏବେ ମାଇପଙ୍କ ଛାତିରୁ କ୍ଷୀର ପିଇଲେଣି ଜବରଦସ୍ତ । ଏଇଥିରୁ ବୁଝ । ସରକାର କାହିଁକି ଜୋର୍ କରୁଚି ଏତେ ଗାଁ ଗଣ୍ଡାରୁ ମାଙ୍କଡ଼ଙ୍କ ବଂଶ ନିପାତ୍ କରିବାକୁ ।”

ସଭ୍ୟମାନେ ଚିନ୍ତା କଲେ । ଘଟଣାର ତାତ୍ପର୍ଯ୍ୟ ହୃଦୟଙ୍ଗମ କଲେ । ଯାଇ ଯୁଟିଲେ ବାବୁମିଆଁ ପାଖରେ–କେଉଟ ସାଇରେ । କହିଲେ, “ଚାଲୁ ! କେତେ ଚଲାଖି ଦେଖଉଚି ଦେଖଉ । ଗୁଳି ଖାଇ ଘାଇଲା ହେଇଚି । କେତେ ବହପ ଦେଖିବା ସାମାନ୍ୟ ମାଙ୍କଡ଼ଟାର !”

ସେଦିନ ଦିନସାରା ବାବୁମିଆଁକୁ ଆଗ କରି ସମିତିର ସଭ୍ୟମାନେ ସେମିତି ଖେଦି ଲାଗିଲେ ଘାଏଲା ଜନ୍ତୁଟାକୁ । ଏକ ନିଶା ଲାଗିଥାଏ ସମସ୍ତଙ୍କୁ–ଦେଖାଯାଉ କେତେ ବୁଦ୍ଧି !

ମାଙ୍କଡ଼ଟା ବି କିଛି କମ୍ ବୁଦ୍ଧିଆ ଜନ୍ତୁ ନୁହେଁ ପ୍ରକୃତରେ । ହରିଜନ ସାଇ କମାର ସାଇରେ ଯେଭଳି ଖେଳ ସବୁ ଦେଖେଇଥିଲା ସେଦିନ ସକାଳଓଳି ତାଠୁଁ ଆହୁରି ଆହୁରି ବିଚିତ୍ର ଖେଳ ଦେଖେଇଲା ସେ ସେଦିନ ଓପରଓଳି । ସାଇ ସାଇ ଘର ଘର ପଶି ବିଶେଷତଃ ସ୍ତ୍ରୀଲୋକମାନଙ୍କର ସହାନୁଭୂତି ଅର୍ଜନ ଉଦ୍ଦେଶ୍ୟରେ ନାନା ଅବଲମ୍ବନ କଲା ସେ । କିଏ କହିଲା ହାତଯୋଡ଼ି ଗୋଡ଼ତଳେ ପଡ଼ିଗଲା କାହାର ତ କିଏ କହିଲା ଦିଅଁଙ୍କ ଘରେ ପଶିଯାଇ ରାମଚନ୍ଦ୍ରଙ୍କ ଫଟୋକୁ ଅନେଇ ଅଧିଆ ପଡ଼ିଲା ସେ ମାଙ୍କଡ଼ ତାଙ୍କ ଘରେ ।

କିନ୍ତୁ ମାଙ୍କଡ଼ମାରିଣୀ ସମିତିର ନିଶା ଛାଡ଼ିବାର ନୁହେଁ । ସରକାରଙ୍କର ଗୋମୋର୍ ଫୁଡ଼୍ ଆନ୍ଦୋଳନକୁ ଯେ କୌଣସି ପ୍ରଜାରେ ଆମ ଗାଁରେ ସଫଳ କରାଇବା ଲାଗି ଦୃଢ଼ ପ୍ରତିଜ୍ଞ ଥିଲେ ସେମାନେ ।

ସନ୍ଧ୍ୟା ହେଇଗଲା ।

ବାବୁମିଆଁ ନିରାଶ ହେଇ ସହରକୁ ଫେରି ଯିବାକୁ ବସିଲା । କିନ୍ତୁ ସମିତି ପକ୍ଷରୁ ତାକୁ ଅଟକା ଗଲା । ତାର ସବୁ ଖର୍ଚ୍ଚ ବହନ କରି ରାତିରେ ଖିଆପିଆର ବନ୍ଦୋବସ୍ତ କରାଗଲା । କୁହାଗଲା–ଭୋର ଭୋର ପୁଣି ଆରମ୍ଭ ହବ କାମ । ଯେ କୌଣସି ପ୍ରକାରେ ଗେଧଟାର ଦର୍ପ ଚୂନା କରିବାକୁ ହବ ।

ବାବୁମିଆଁ ରାଜି ହେଲା । ଜମିଦାରଙ୍କ ଚାନ୍ଦିନୀ ଉପରେ ଗାମୁଛା ପାରି ସେ ଶୋଇପଡ଼ିଲା ।

ମୁଁ ଘରକୁ ଫେରିଲି । ଦିନଯାକ ହେଇ ହେଇ, ଗଲା ଗଲା, ଏଘରେ ପଶ ସେ ଘରେ ପଶ ଏ ସାଇକୁ ଦଉଡ଼ ସେ ସାଇକୁ ଦଉଡ଼ ହେଇ ହେଇ ନୟାନ୍ତ ହେଇଥିବାରୁ ଯଥାତଥା କରି ନାକରେ କାନରେ କ’ଣ ଦିଇଟା ଗୁଞ୍ଜି ଦେଇ ଶୋଇ ପଡ଼ିଲି । ମୋର ରକ୍ଷୟିତ୍ରୀ ମତେ ଶୋଇବାର ଦେଖି କବାଟ ଆଉଜେଇ ଦେଇ ଚାଲିଗଲା ଅନ୍ୟ ବଖରାକୁ ନିଜେ ଶୋଇବାକୁ ।

ମତେ ଛାଇନିଦ ଲାଗି ଆସୁଥାଏ । ହଠାତ୍ ଖୁଡ଼୍‌କିନା କଅଣଟାଏ ଶବ୍ଦ ବାଜିଲା ମୋ କାନରେ । ମୁଁ ଧଡ଼ପଡ଼ ହେଇ ଉଠିବସିଲି । ତକିଆ ତଳୁ ଟର୍ଚ୍ଚଟାକୁ ଦରାଣ୍ଡି ଆଣି ସୁଇଚ୍ ଟିପିବା ମାତ୍ରେ ଦେଖିଲି–ଜନ୍ତୁଟା ବସିଚି ଆସି ସିଧା ଖଟ ଉପରେ, ଶେଯରେ । ଗୋଟାଏ ଅତର୍କିଆ ରଡ଼ି ମୋ ନାହି ମୁଣ୍ଡାରୁ ଛାତି ପର୍ଯ୍ୟନ୍ତ ଉଠିଆସି କାହିଁକି ପୁଣି ଅଟକିଗଲା ମଝିରେ । ବୋଧହୁଏ ଅତିଶୟ ଭୟଭୀତ ହୋଇଯିବାରୁ ମୋ ତଣ୍ଟି ପଡ଼ିଗଲା । ଦେହ ବରଡ଼ାପତ୍ର ଭଳି ଥରିବାକୁ ଲାଗିଲା । ମୋ ହାତରୁ ଟର୍ଚ୍ଚ ଜଳୁଥାଏ । ମାଙ୍କଡ଼ ବସିଥାଏ ସେଇ ଆଲୁଅ ମଝିରେ–ମୋ ଶେଯ ଉପରେ । କେବଳ ସେତିକି ନୁହେଁ । ମୋ ଭୟର ଅସଲ କାରଣ ମୁଁ କହିନାହିଁ ଏଯାକେ ।

ଯେତେବେଳେ ମୋ ପାଟି ପଡ଼ିଯାଇଚି ଆଉ ମୁଁ ଚିତ୍କାର କରିବାକୁ ଅକ୍ଷମ ବୋଲି ସେ ବୁଝିଗଲା ସେଇଠୁ ଆରମ୍ଭ କଲା ସେ ତାର ଶେଷ ଖେଳ ମୋ ସାଥିରେ । ମାଙ୍କଡ଼ମାରିଣୀ ସମିତିର କନିଷ୍ଠତମ ସଭ୍ୟ ହିସାବରେ ହୁଏତ ସେ ବୁଦ୍ଧିମାନ ମାଙ୍କଡ଼ ଚିହ୍ନିସାରିଥାଏ ମତେ ଆଉ ଜାଣିସାରିଥାଏ ମଧ୍ୟ ସମିତି ପକ୍ଷରୁ ଯେଉଁ ବିଶେଷ ଦାୟିତ୍ୱଟି ଦିଆଯାଇଥାଏ ମତେ ।

ମୋର ଗୁରୁଜନମାନେ ମତେ ଗୁପ୍ତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ଦେଇସାରିଥାନ୍ତି ସମସ୍ତ ଆୟୋଜନ ଭିତରେ । ଆମର କକେଇ ଲେଖା ସେ ଗୁରୁଜନ ଯେ ମତେ ପ୍ରଥମେ ସମିତି ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ କରିଥିଲେ ସେଇ କହିଥିଲେ ମୋ କାନରେ, “ଦେଖ୍ ! ଏମିତି ବେଳ ଆସିପାରେ ଯେତେବେଳେ ବାବୁମିଆଁକୁ ଚିତ୍ରାଙ୍ଗି କାଟି ସେ ମାଙ୍କଡ଼ ଯାଇ ପଶିବ କାହା ହାଣ୍ଡିଶାଳରେ କି ଠାକୁର ଘରେ । ବାବୁମିଆଁ ଜାତିରେ ମୁସଲମାନ । ମୁସଲମାନ ମାଙ୍କଡ଼ ମାଇଲେ ପାପ ଲାଗିବ ନାହିଁ । କିନ୍ତୁ ହିନ୍ଦୁମାନଙ୍କୁ ସେ କାମ କରିବାକୁ ମନା । ତେବେ ଯଦି ଦରକାର ପଡ଼ିବ ତ ମାରିବାକୁ ପଡ଼ିବ ଆମକୁ । ତତେ ଦିଆଗଲା ଏ ଦାୟିତ୍ୱ । ଯଦି ହାବୁଡ଼େ ପଡ଼େ କୋଉ ଅକଳିଆ ଥାନରେ ବାବୁମିଆଁ ପଶି ନ ପାରିବ ସେ ଥାନରେ, ତେବେ ଡରିବୁ ନାଇଁ-ଦବୁ ପିଟି । ଦେଖାଯିବ ଯାହା ହବ ତେଣିକି । ସମିତି ପକ୍ଷରୁ ପ୍ରାୟଶ୍ଚିତ କରାଯିବ । ତଛଡ଼ା ପିଲାଙ୍କୁ କିଛି ଦୋଷ ନାଇଁ–କିଛି ଦୋଷ ଲାଗେ ନାଇଁ ତାଙ୍କୁ ।”

ଟର୍ଚ୍ଚ ଆଲୁଅରେ ବିଚରା ଗେଧ ମାଙ୍କଡ଼ଟାର ମୁହଁ ଦେଖିଦେଲା ମାତ୍ରେ ମୋର ମନେପଡ଼ିଗଲା କକେଇଙ୍କର ସେ ଉପଦେଶ । କିନ୍ତୁ ଜନ୍ତୁଟାର ଆଖି ଦୁଇଟା ସାଥିରେ ଯେତେବେଳେ ମୋ ଆଖି ମିଶିଗଲା–ମତେ ଲାଗିଲା ଅନ୍ୟ ପ୍ରକାର । ମନେହେଲା ଯେମିତିକା ଜନ୍ତୁଟା ମତେ ନିର୍ଦ୍ଦେଶ ଦେଲାଭଳି କହୁଥିଲା–“ହେଁ ! ଆଉ ବସିଚୁ କାଇଁକି ? ଦେ ଖତମ କରିଦେ ମତେ । ମୁଁ ବାବୁମିଆଁ ହାତରେ ମରିବାକୁ ଚହେନା–ମରିବାକୁ ଚାହେଁ ତୋରି ହାତରେ ! ତମରି ହାତରେ ! ତମରି ହିନ୍ଦୁଙ୍କ ହାତରେ ! ବୁଝିପାରୁନୁ ଏକଥା ?” –ପଚାରୁଥାଏ ସେ ।

ମୋ ଥରା ଟିକିଏ ବନ୍ଦ ହୋଇଗଲା–ଜନ୍ତୁଟା ସହିତ ମୋର ସେ ବୁଝାମଣା ଟିକକ ଭିତରେ । ଖର୍ଚ୍ଚ ଆଲୁଅ ସେମିତି ଜଳୁଥାଏ । ମୁଁ ଖଟରୁ ଓହ୍ଲେଇଲି । ବାକ୍‌ସରେ ମୋ ବାପାଙ୍କର ଗୋଟିଏ ବଡ଼ ଛୁରୀଥିଲା–ଜାଣିଥିଲି । ସେଇ ଛୁରୀଟିକୁ ଆଣି ଥୋଇଲି ଶେଯ ଉପରେ ।

ମାଙ୍କଡ଼ଟା ପଳେଇଗଲା ନାହିଁ ସେ ଛୁରୀ ଦେଖି । ବରଂ ତାର କଳା ମୁହଁରେ ଗଭୀର ଦୁଃଖରେ ମଉଳି ପଡ଼ିଥିବା ଆଖି ଯୋଡ଼ିକ ଚକ୍ ଚକ୍ ଦିଶିଲା । ବଡ଼ ବଡ଼ ଦେଖାଗଲା ।

ସକାଳ ହେଲା ।

ମୋ ବିଛଣାଚଦର ଗୋଟାକଯାକ ରକ୍ତ ଜୁଡ଼ୁବୁଡ଼ୁ । ମଲା ମାଙ୍କଡ଼ଟି ଚିତ୍‌ହେଇ ଶୋଇଥାଏ ମୋ ଶେଯରେ । ତା ତଣ୍ଟିରେ ମୋରି ଚାକୁ, ଆମ ବାପାଙ୍କ ଚାକୁ, ଆମ ହିନ୍ଦୁଙ୍କ ଚାକୁ । ତା ଆଖି ଯୋଡ଼ିକ ମୁଦି ହେଇଯାଇଥାଏ । ବଡ଼ ଖୁସିରେ ମଲାପରି ମରିଥାଏ ସେ ।

ସୂର୍ଯ୍ୟ ଉଇଁଲା ପୂର୍ବରୁ ଗାଁରେ ବାବୁମିଆଁ ବଡ଼ ହଲା କରୁଥାଏ, “ଆରେ ବାବୁ ଉଠୋ ! ଶିକାର୍ ନିକଲ୍‌ ଯାଏଗା । କବ୍‌ଜା କରୋ ।”

ମାଙ୍କଡ଼ମାରିଣୀ ସମିତିର ସଭ୍ୟମାନେ ବାବୁମିଆଁର ହଲା ଶୁଣି ଉଠି ପଡ଼ିଲେ । ଆଖି ମଳିମଳି ଜମିଦାରଙ୍କ ଚାଳିଆ ଚାରିପଟେ ଜମିଗଲେ । ବାବୁମିଆଁ ବନ୍ଧୁକ ନଳୀରେ ଛର୍‍‍ରା ଭର୍ତ୍ତି କରି ତିଆର୍ ।

ଏହି ସମୟରେ ମୋର ରକ୍ଷୟିତ୍ରୀ ମୋ ଶୋଇବା ଘରକୁ ପଶି ଆସିଲା ସବୁଦିନ ଭଳି ମତେ ନିଦରୁ ଉଠେଇବା ପାଇଁ । ଘର କବାଟ ଖୋଲି ଦେଇ ଶେଯକୁ ଅନାଉ ଅନାଉ ହାଉଳି ଖାଇଲା ସେ–ହେଇ ହେଇ ! ଏଇଠି ଏଇଠି ! ଦଉଡ଼ି ଆସ ଦଉଡ଼ି ଆସ ! ଗଲା ରାତିରେ ମୋ ଶେଯ ଉପରେ କି କାଣ୍ଡ ଘଟି ଯାଇସାରିଛି ବିଚାରୀକୁ କିଛି ଜଣା ନ ଥାଏ । ଏପରିକି, ଅନ୍ଧାରିଆ ଯୋଗୁଁ ମୋ ଶେଯ ଉପରେ ରକ୍ତର ରଙ୍ଗ ଗୁଡ଼ାକୁ ମଧ୍ୟ ଦେଖିପାରି ନ ଥାଏ ସେ ।

ଲୋକେ ଧାଇଁ ଆସିଲେ । କବାଟ ଭଲ କରି ଖୋଲିଦେଲେ । ଝର୍କା ଖୋଲି ଦେଲେ । ଯାହାଦେଖିଲେ ବିକଳରେ ହାଉଳି ଖାଇଲେ । ମାଙ୍କଡ଼ଟାକୁ ମୋ ଭଳି ଆଠ ନ’ ବର୍ଷର ପିଲାଟାଏ ଯେ ଛୁରୀ ମାରି ମାରିଦେଇ ପାରେ ପୁଣି ନିଜ ଶୋଇଲା ଶେଯରେ କେହି ବିଶ୍ୱାସ କଲେ ନାହିଁ । କିନ୍ତୁ ସେହି ସନ୍ଦେହରେ ସମସ୍ତେ ମିଳିମିଶି ଅକଥ୍ୟ ଭାଷାରେ ଗାଳିବର୍ଷଣ କରିବାକୁ ଲାଗିଲେ । କେହି କେହି ଏ ପାପର ଫଳ ବର୍ଣ୍ଣନା କରିବାକୁ ଯାଇ କହିଲେ, ଯେ ଏ କାମ କରିଛି ମାସ ଛଅଟା ଭିତରେ ତା’ ହାତ ଛିଡ଼ି ପଡ଼ିବ । ତାକୁ କୁଷ୍ଠ ହୋଇଯିବ ଇତ୍ୟାଦି ।

 

ସଭାଶେଷରେ ଆସିଲା ବାବୁମିଆଁ । ବନ୍ଧୁକଟାକୁ ସେମିତି ଉଞ୍ଚେଇଥାଏ ସେ ଲାଛିବା ଭଙ୍ଗିରେ । ଘଟଣାସ୍ଥଳରେ ପହଞ୍ଚି ତନଃ ତନଃ କରି ସବୁ ଯାଞ୍ଚ କରିଗଲା ସେ । ସେଇଠୁ ବନ୍ଧୁକଟାକୁ କାନ୍ଥରେ ଡେରି ଦେଇ ମଲା ମାଙ୍କଡ଼ଟାକୁ ଭଲି କରି ନିରେଖି ବସିଲା । ନିରେଖି ନିରେଖି କ’ଣ ଦେଖିଲା କେଜାଣି ବଡ଼ ଦୁଃଖରେ ନିଃଶ୍ୱାସଟିଏ ପକେଇଲା । ତାପରେ ସିଧା ଚାହିଁଲା ପାଖରେ ଠିଆ ହେଇଥିବା ଜଣକେତେ ଦର୍ଶକଙ୍କ ମୁହଁକୁ । ଅତି ଉଶ୍ୱାସିଆ ଦିଶୁଥାଏ ତା ଆଖି । ସତେକି ମସ୍ତବଡ଼ ଭାରାଟାଏ ସେଇ ସଦ୍ୟ ଓହ୍ଲେଇ ଯାଇଥାଏ ତା ମୁଣ୍ଡରୁ । ସେଇଠ ଅଳ୍ପ ହସିଦେଇ ସେ କହିଲା–“ଦେଖୋ ବାବୁ ! ହମାରା ଦାୟିତ୍ଵ ଖତମ୍ ହୋଇଗଲା । ଏଣିକି ହିନ୍ଦୁ ଲୋଗ୍ ବରାବର ହୋଇଗଲେ ହମ୍ ମୁସଲମାନ୍‌ ଲୋଗ୍ ସାଥିରେ । ଏ ବନ୍ଦରକୋ ମାର୍‌ନା ଚାହିଏ ଥା କାଲ୍ ସବେରେ । ଘାଇଲା ତୋ ଜରୁରୁ ହୁଆଥା । ଲେକିନ୍‌ ଅବି ଆୟା ଇସ୍‌କା କିସ୍‌ମତ୍‌ କି ଫଏସଲା ।”

 

ଦେଶରେ ଗ୍ରୋମୋର୍ ଫୁଡ଼୍ ଆନ୍ଦୋଳନ ପାଇଁ ମାଙ୍କଡ଼ ମାରିବା ଲାଗି ଅନୁମତି ପାଇଥିବା ଶିକାରୀ ବାବୁମିଆଁ ଇତିମଧ୍ୟରେ ମାଙ୍କଡ଼ଟାକୁ ଶେଯ ଉପରୁ ତଳକୁ ଘିନି ଆସିଥାଏ । ପ୍ରତି ଅଣ୍ଡିରା ମାଙ୍କଡ଼ ପିଛା ପାଞ୍ଚ ଟଙ୍କା ପ୍ରାପ୍ୟ ତାର ଜିଲ୍ଲା କଲେକ୍‌ଟର୍‌ଙ୍କଠୁଁ ଆଦାୟ କରିବା ଲକ୍ଷ୍ୟରେ ମାଙ୍କଡ଼ ଶିକାରର ପ୍ରମାଣ ଲାଗି ସେ ବାହାର କରିସାରିଥାଏ ତା ଶିକାରୀ ଚାକ୍‌କୁ ତା ମୁଣିରୁ । ଅଣ୍ଡିରା ମାଙ୍କଡ଼ର ପ୍ରମାଣ ଲାଗି କେହି କେହି ଶିକାରୀ ମାଙ୍କଡ଼ଙ୍କ ଲାଞ୍ଜ ବା ବୁଢ଼ାଆଙ୍ଗୁଠିକୁ ପ୍ରମାଣସ୍ଵରୂପ ଦେଖାଇବାର ନିୟମ ସେତେବେଳେ ଦେଶରେ ବଳବତ୍ତର ଥିଲା କି ନା ମତେ ଜଣା ନ ଥାଏ । କିନ୍ତୁ ବାବୁମିଆଁ ଆମ ଗାଁର ଗେଧ ମାଙ୍କଡ଼ର ଜନନେନ୍ଦ୍ରିୟକୁ ହିଁ ପ୍ରମାଣପତ୍ର ସ୍ଵରୂପ ସଂଗ୍ରହ କରିବାକୁ ସ୍ଥିର କରିନେଇଥାଏ । ସେଇ ଉଦ୍ଦେଶ୍ୟରେ ଚାକ୍‌କୁ ଚଳୋଉଥାଏ ମଧ୍ୟ ସେ । ସେତିକିବେଳେ ତା ପାଟିରୁ ବାହାରିଗଲା ।

 

“ବାବୁଜୀ ! ହମ୍ ମୁସଲମାନ୍‌ ଲୋଗ୍ ବନ୍ଦର୍ ମାରତେହେଁ । ଲେକିନ୍‌ ଦେଶ୍‌କା ସବ୍‌ସେ ବଡ଼ା ବନ୍ଦରକୋ ନେହିଁମାର୍ ପାଏଗେ ନେହିଁ ମାରେଙ୍ଗା । ଆପ୍ ଲୋଗ୍ ଦେଖେଙ୍ଗେ ଓ କାମ୍ କରେନା କୋନ୍‌ । ଆଖ୍‌ରି ଏକ୍‌ଦିନ୍‌ ଏସା ହି ହୋଗା । ହିନ୍ଦୁ ଲୋଗ୍ ବନ୍ଦର୍ ନେହିଁ ମାରତେ । ଠିକ୍ ହୈ । ଲେକିନ୍‌ ଏକ୍‌ଦିନ୍‌ ଓ ଲୋଗ୍ ମାର୍ ଡାଲେଙ୍ଗେ ଅପ୍‌ନା ବାପ–ଦେଶ୍‌କା ପିତାଜୀ କୋ !”

 

ସେ ଘଟଣାର ମାତ୍ର ଛ’ଟି ବର୍ଷ ପରେ ବାବୁମିଆଁର ଭବିଷ୍ୟତବାଣୀ ଅକ୍ଷରେ ଅକ୍ଷରେ ସତ ହେଲା ପରି ଫଳିଗଲା । ସେତେବେଳେ ମୁଁ ପଢ଼ୁଥାଏ ହାଇସ୍କୁଲରେ । ଖବର ଆସିଲା–ବାପୁଜୀଙ୍କୁ ଆତତାୟୀ ଗୁଳି କରିଦେଲା ।

 

“ଏ କାମ ନିଶ୍ଚେ ମୁସଲ୍‌ମାନମାନଙ୍କର !” ଗର୍ଜି ଉଠିଲେ ଖବର ଶୁଣୁ ଶୁଣୁ ଛାତ୍ର ଶିକ୍ଷକ ସମସ୍ତେ ସେ ସ୍କୁଲରେ । କିନ୍ତୁ ମୁଇଁ ଏକା ସେ ଖବରର ଶେଷ ବାର୍ତ୍ତା ଶୁଣିବାପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲି ।

 

ମତେ ଜଣାଥିଲା ଜଣେ କେହି ହିନ୍ଦୁ ନିଶ୍ଚୟ ସେ, ଯେ ସେଭଳି ଅତ୍ୟନ୍ତ ବେଦନାଦାୟକ ମର୍ମନ୍ତୁଦ ଜାତୀୟ ଶୋକର ଅଧିକାରୀ । ସେପରି ଚିନ୍ତା ପାଇଁ ମତେ ତାଲିମ୍ ମିଳିଥିଲା ପିଲାଦିନୁ–ମାତ୍ର ନଅବର୍ଷ ବୟସରୁ !

 

ସମାବେଶ,୧୯୭୯

Image